ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

2021-22 ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ)କୁ କ୍ୟାବିନେଟ ମଞ୍ଜୁରି

Posted On: 16 JUN 2021 3:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି (ସିସିଇଏ) ସାର ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। 2021-22 (ବର୍ତ୍ତମାନର ମୌସୁମୀ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ କ୍ୟାବିନେଟ ଅନୁମୋଦିତ ସବସିଡି ଦର ଅଧିସୂଚନା ପ୍ରକାଶ ପାଇବାର ତାରିଖ ଠାରୁ ନିମ୍ନମତେ ଲାଗୁ ହେବ:

 

କିଲୋ ପ୍ରତି ସବସିଡି ଦର (ଟଙ୍କାରେ)

ଏନ (ନାଇଟ୍ରୋଜେନ)

ପି (ଫସଫରସ)

କେ (ପଟାସ)

ଏସ (ସଲଫର)

18.789

45.323

10.116

2.374

 

ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ 22 ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି। ଏସବୁ ସାର ନିର୍ମାତା/ଆମଦାନୀକାରୀମାନଙ୍କ ଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି। ଏହା ଏପ୍ରିଲ ପହିଲା, 2010 ଠାରୁ ଲାଗୁ ହୋଇଛି। ଚାଷୀଙ୍କୁ ସମର୍ଥନ କରିବାର ଭାବନା ନେଇ ଚାଷୀମାନଙ୍କୁ ଶସ୍ତା ଦରରେ ପି ଆଣ୍ଡ କେ ସାର ଯଥେଷ୍ଟ ପରିମାଣରେ ଶସ୍ତା ଦରରେ ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସବସିଡି ଏନବିଏସ ଦର ଆଧାରରେ କମ୍ପାନୀଗୁଡ଼ିକୁ ଜାରି କରାଯିବ, ଯାହାଫଳରେ ଚାଷୀମାନଙ୍କୁ ଶସ୍ତା ମୂଲ୍ୟରେ ସାର ମିଳିପାରିବ।

ବିଗତ କିଛିମାସ ଧରି ଡିଏପି ଏବଂ ଅନ୍ୟ ପି ଆଣ୍ଡ କେ ସାରଗୁଡ଼ିକର କଞ୍ଚାମାଲ ଦର ଅନ୍ତର୍ଜାତୀୟ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ପ୍ରସ୍ତୁତ ଡିଏପି ଆଦିର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଦ୍ରୁତ ଗତିରେ ମୂଲ୍ୟ ବୃଦ୍ଧି ପାଉଥିବା ସତ୍ତ୍ୱେ ଭାରତରେ ଡିଏପିର ମୂଲ୍ୟ ଆରମ୍ଭରୁ କମ୍ପାନୀଗୁଡ଼ିକ ବଢ଼ାଇ ନଥିଲେ। ତେବେ କେତେଗୁଡ଼ିଏ କମ୍ପାନୀ ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଡିଏପି ଦର ବୃଦ୍ଧି କରିଥିଲେ।

କୃଷକମାନଙ୍କ ଚିନ୍ତା ପ୍ରତି ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ଓ ସେମାନଙ୍କ ଚିନ୍ତା ପ୍ରତି ସମ୍ବେଦନଶୀଳ ମଧ୍ୟ ରହିଛନ୍ତି।  ସରକାର ପରିସ୍ଥିତିର ମୁକାବିଲା କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାଦ୍ୱାରା କୃଷକ ସମୁଦାୟ ପି ଆଣ୍ଡ କେ ସାର (ଡିଏପି ସମେତ)ର ବୃଦ୍ଧି ପାଉଥିବା ମୂଲ୍ୟର କୁପ୍ରଭାବରୁ ସୁରକ୍ଷିତ ରହିପାରିବେ। ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ, ବଜାରରେ ଏହି ସାରଗୁଡ଼ିକର ଯଥେଷ୍ଟ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ସରକାର କମ୍ପାନୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାର ଦେଶରେ ସାର ଉପଲବ୍ଧତାକୁ ନିରୀକ୍ଷଣ କରୁଛନ୍ତି।

ଡିଏପିର ଦରକୁ ଦୃଷ୍ଟିରେ ରଖି, ପୁରୁଣା ଷ୍ଟକଗୁଡ଼ିକୁ ପୁରୁଣା ଦରରେ ବିକ୍ରି କରିବା ଲାଗି ସରକାର ପୂର୍ବରୁ ସାର କମ୍ପାନୀଗୁଡ଼ିକୁ ଆଦେଶ ଦେଇସାରିଛନ୍ତି। ବର୍ତ୍ତମାନ ଦେଶ ଓ ଏହାର ନାଗରିକମାନେ (କୃଷକମାନଙ୍କ ସହିତ) ଏକ ଅପ୍ରତ୍ୟାଶିତ ସମୟ ଦେଇ ଗତି କରୁଛନ୍ତି। କୋଭିଡ-19 ମହାମାରୀ ଦ୍ୱିତୀୟ ଲହର ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସରକାର ଏଥିପ୍ରତି ମଧ୍ୟ ଧ୍ୟାନ ରଖିଛନ୍ତି। ଭାରତ ସରକାର କୋଭିଡ-19 ମହାମାରୀ ସମୟରେ ଲୋକମାନେ ଭୋଗୁଥିବା ସମସ୍ୟାର ସମାଧାନ ଲାଗି ବିଭିନ୍ନ ପ୍ରକାରର ପ୍ୟାକେଜ ଘୋଷଣା କରିସାରିଛନ୍ତି। ସେହିପରି ଭାରତରେ ଡିଏପିର ମୂଲ୍ୟବୃଦ୍ଧି ସଙ୍କଟ ମଧ୍ୟ ଅସାଧାରଣ ଏବଂ କୃଷକମାନେ ଏହାର ଚାପରେ ତ୍ରସ୍ତ ହୋଇଛନ୍ତି। ଭାରତ ସରକାର କୃଷକମାନଙ୍କ ଲାଗି ବିଶେଷ ପ୍ୟାକେଜ ଭାବେ ଏନବିଏସ ଯୋଜନା ଅନ୍ତର୍ଗତ ସବସିଡି ଦର ବୃଦ୍ଧି କରିଛନ୍ତି। ଡିଏପି (ଅନ୍ୟ ପି ଆଣ୍ଡ କେ ସାର ସହିତ)ର ଖୁଚୁରା ମୂଲ୍ୟ ଚଳିତ ଖରିଫ ଋତୁ ପର୍ଯ୍ୟନ୍ତ ବିଗତ ବର୍ଷର ସ୍ତରରେ ରଖିବା ଉଦ୍ଦେଶ୍ୟରେ ଏହି ଦର ବୃଦ୍ଧି କରାଯାଇଛି। କୋଭିଡ-19 ପ୍ୟାକେଜ ଭଳି ଏହା ମଧ୍ୟ ଏକକାଳୀନ ପ୍ୟାକେଜ୍ ଯାହାଫଳରେ କୃଷକମାନଙ୍କ କଷ୍ଟ ଦୂର ହୋଇପାରିବ। ଅଳ୍ପ କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଦର ହ୍ରାସ ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ ସରକାର ପରିସ୍ଥିତିର ସମୀକ୍ଷା କରିବେ। ସ୍ଥିତିକୁ ଦୃଷ୍ଟିରେ ରଖି ସବସିଡି ଦର ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ। ଅତିରିକ୍ତ ସବସିଡିର ଏହି ବ୍ୟବସ୍ଥା ଫଳରେ ରାଜକୋଷ ଉପରେ 14,775 କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି।

 

*******

P.S



(Release ID: 1727698) Visitor Counter : 220