ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼ ୧୯ରେ ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ଓ ସଂସାଧନର କୌଣସି ଅଭାବ ରହିବନାହିଁ: ସଦସ୍ୟ, ନିତି ଆୟୋଗ

ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କ ମଧ୍ୟରୁ ମାତ୍ର ୨% ରୁ ୩%ଙ୍କ ପାଇଁ ହସପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ପଡ଼ିବ: ଭି କେ ପଲ୍‍

ଖୁବ୍‍ ଶୀଘ୍ର କୋଭିଡ଼ ଆକ୍ରାନ୍ତ ଶିଶୁଙ୍କ ପାଇଁ ଗାଇଡ଼ଲାଇନ୍‍ ଜାରି କରାଯିବ

Posted On: 01 JUN 2021 6:09PM by PIB Bhubaneshwar

ଦେଶରେ ଶିଶୁମାନେ କୋଭିଡ଼ ୧୯ ମହାମାରୀରେ ସଂକ୍ରମିତ ହେବା ଏବଂ ନୂତନ ଭାବେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେଉଛି ସେଭଳି ସମସ୍ୟାର ସମାଧାନ ନିମନ୍ତେ ଏକ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ କୋଭିଡ଼ ମହାମାରୀର ମୁକାବିଲା ସକାଶେ ରାଷ୍ଟ୍ରକୁ ପ୍ରସ୍ତୁତ କରିବା ନିମନ୍ତେ ଉପଯୁକ୍ତ ରଣନୀତି ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଗତ ୪ରୁ ୫ ମାସ ପୂର୍ବେ କୋଭିଡ଼ ମହାମାରୀର ଯେଉଁସବୁ ଲକ୍ଷଣ ନଥିଲା ଏବଂ ନିକଟ ଅତୀତରେ ତାହା ପରିଲକ୍ଷିତ ହେଉଛି ସେ ସଂପର୍କରେ ଏହି ବିଶେଷଜ୍ଞ ଗୋଷ୍ଠୀ ତର୍ଜମା କରିଛନ୍ତି । ଏଥି ନିମନ୍ତେ ଏବେସୁଦ୍ଧା ଉପଲବ୍ଧ ତଥ୍ୟାବଳୀ, କ୍ଲିନିକାଲ୍‍ ପ୍ରୋଫାଇଲ୍‍, ଦେଶ ଏପର୍ଯ୍ୟନ୍ତ ଆହରଣ କରିଥିବା ଉପଲବ୍ଧ, ରୋଗର ଗତିବିଧି, ଭୂତାଣର ସ୍ୱାଭାବ ତଥା ଏହା କିଭଳି ମହାମାରୀର ସ୍ୱରୂପ ଧାରଣ କରିଛି ସେ ସଂପର୍କରେ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ଖୁବ୍‍ ଶୀଘ୍ର ଏହି ଗାଇଡ଼ଲାଇନ୍‍ ଜନସାଧାରଣଙ୍କୁ ଅବଗତି ନିମନ୍ତେ ଜାରି କରାଯିବ । ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ଼-୧୯ ସଂପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି । ଆଜି ନୂଆଦିଲ୍ଲୀର ପିଆଇବିର ଜାତୀୟ ମିଡ଼ିଆ କେନ୍ଦ୍ର ଠାରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ଡକ୍ଟର ପଲ୍‍ କହିଛନ୍ତି ଯେ ‘ଏହି କ୍ଷେତ୍ରରେ ଆମେ ଅତି ସୁଚିନ୍ତିତ ତଥା ଶୃଙ୍ଖଳିତ ଭାବେ ସକଳ ପ୍ରକାର ବୈଜ୍ଞାନିକ ତଥ୍ୟାବଳୀ ଓ ଏହି ମହାମାରୀର ବିକାଶକୁ ସମୀକ୍ଷା କରୁଛୁ । ତେଣୁ ଏଭଳି ସ୍ଥିତି ସଂପର୍କରେ ଏକ ସୁପରିକଳ୍ପିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଏହି ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି ।”

ସମ୍ପ୍ରତି ଶିଶୁମାନଙ୍କ ଠାରେ କୋଭିଡ଼ ୧୯ର ଲକ୍ଷଣ ଦେଖାଯାଉଥିବା ନଜରକୁ ଆସିବା ସମ୍ପର୍କରେ ସୂଚନା ଦେଇ ଡକ୍ଟର ପଲ୍‍ କହିଲେ ଯେ କୋଭିଡ଼ ସଂକ୍ରମିତ ଶିଶୁମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନର ଅଭାବ ପଡ଼ିବନାହିଁ । “ଶିଶୁମାନଙ୍କ ଠାରେ କୋଭିଡ଼ ୧୯ ପ୍ରାୟତଃ ଲକ୍ଷଣବିହୀନ ଏବଂ କ୍ୱଚିତ୍‍ କ୍ଷେତ୍ରରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ । କିନ୍ତୁ ଯେହେତୁ ଏହି ମହାମାରୀ ସମୟାନ୍ତରେ ତା’ର କାୟା ପରିବର୍ତ୍ତନ କରୁଛି କିମ୍ବା ଭୂତାଣର ସଂକ୍ରମଣ ଗତିବିଧିରେ ଯଦି ପରିବର୍ତ୍ତନ ଘଟେ ଓ ସେଭଳି ପରିସ୍ଥିତି ଉତ୍ପନ୍ନ ହୁଏ ଓ ଶିଶୁମାନଙ୍କ ଠାରେ ସଂକ୍ରମଣ ବଢ଼େ, ତେବେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇପାରିବ । ଏପର୍ଯ୍ୟନ୍ତ ଶିଶୁମାନଙ୍କ ଯତ୍ନ ନିମନ୍ତେ କୌଣସି ପ୍ରକାର ଅପ୍ରତିକର ଚାପ ସ୍ୱାସ୍ଥ୍ୟ ସଂସାଧନ ଉପରେ ପଡ଼ିନାହିଁ । ତେବେ, ଏହା ମଧ୍ୟ ସମ୍ଭବ ଯେ ୨% ରୁ ୩% ପର୍ଯ୍ୟନ୍ତ ସଂକ୍ରମିତ ଶିଶୁଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡ଼ିପାରେ ।”

ଶିଶୁ କୋଭିଡ଼ ୧୯ର ଦୁଇପ୍ରକାର କାୟା

ଡକ୍ଟର ପଲ୍‍ କହିଲେ ଯେ ଶିଶୁମାନଙ୍କ ଠାରେ ଦୁଇଟି ପ୍ରକାରର କୋଭିଡ଼ ୧୯ ଲକ୍ଷ୍ୟ କରାଯାଇପାରେ:

୧.ପ୍ରଥମ ଆକାରରେ, ସେମାନଙ୍କ ଠାରେ ସଂକ୍ରମଣର ଲକ୍ଷଣ ଭାବେ କାଶ, ଜ୍ୱର ଓ ନିମୋନିଆ ଦେଖାଦେଇପାରେ ଏବଂ ଏହା ପରେ କେତେକ କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିପାରେ ।

୨.ଦ୍ୱିତୀୟ କ୍ଷେତ୍ରରେ, କୋଭିଡ଼ ସଂକ୍ରମିତ ହେବାର ୨– ୬ ସପ୍ତାହ ପରେ, ଯାହାକି ଅଧିକାଂଶ କ୍ଷେତ୍ରରେ ଲକ୍ଷଣବିହୀନ, ସେମାନଙ୍କ ଭିତରୁ ସ୍ୱଳ୍ପସଂଖ୍ୟକ ଶିଶୁଙ୍କ ଠାରେ କାଶ, ଜ୍ୱର , ଶରୀରରେ ଫଳିଯିବା ଓ କୁଣ୍ଡାଇହେବା ଓ ଆଖି ଫୁଲିବା କିମ୍ବା ଧରିବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା, ଡାଇରିଆ, ବାନ୍ତି ଓ ସେହିଭଳି ଆଉ କିଛି ଲକ୍ଷଣ ଦେଖାଦେଇପାରେ । ଏହା ନିମୋନିଆ ଭଳି ଫୁସଫୁସକୁ ଆକ୍ରାନ୍ତ କରିବାରେ ହିଁ ସୀମିତ ନରହି ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ସଂକ୍ରମିତ କରିପାରେ । ଏହାକୁ ମଲ୍ଟି ସିଷ୍ଟମ୍‍ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍‍ ବୋଲି କୁହାଯାଏ । ଏହା ପ୍ରାୟତଃ କୋଭିଡ଼ ପରବର୍ତ୍ତୀ ଲକ୍ଷଣ । ଏହି ସମୟରେ ଭୂତାଣୁ ଶରୀରରେ ମିଳନ୍ତିନାହିଁ ଏବଂ ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ଫଳାଫଳ ନେଗେଟିଭ୍‍ ଆସିତାଏ । କିନ୍ତୁ ଆଣ୍ଟିବଡ଼ି ପରୀକ୍ଷାରୁ ଜଣାପଡ଼େ ଯେ ଶିଶୁକୁ କୋଭିଡ଼ ସଂକ୍ରମଣ କରିଛି । 

ଏଥିପାଇଁ ଗାଇଡ଼ଲାଇନ୍‍ ପ୍ରସ୍ତୁତ କରାଯାଉଛି ଓ ସେଥିରେ ଏଭଳି ବିଶେଷ ରୋଗ ଦେଖା ଦେଉଥିବା ଶିଶୁମାନଙ୍କୁ କିଭଳି ଭାବେ ଚିକିତ୍ସା କରାଯିବ ସେଥିପାଇଁ ନିର୍ଦ୍ଦେଶାବଳୀ ରହିଛି ।ଏହାକୁ ଆପାତକାଳୀନ ସ୍ଥିତିରେ ଉପଯୋଗ କରାଯାଇପାରିବ । ଏହାର ଚିକିତ୍ସା ଯଦିଚ ଜଟିଳ ନୁହେଁ, ତଥାପି ଏହା ଉପଯୁକ୍‍ତ ସମୟରେ ହେବା ଆବଶ୍ୟକ ବୋଲି ଡକ୍ଟର ପଲ୍‍ କହିଛନ୍ତି ।

*****

SS



(Release ID: 1723573) Visitor Counter : 260