ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡର ଦ୍ୱିତୀୟ ସଂକ୍ରମଣ କାଳରେ ସମାଜର ଦୁର୍ବଳ ଓ ଅସହାୟ ବର୍ଗଙ୍କ ସୁରକ୍ଷା ପାଇଁ ଥିବା ବ୍ୟବସ୍ଥାର ତୁରନ୍ତ ସମୀକ୍ଷା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ

Posted On: 21 MAY 2021 12:44PM by PIB Bhubaneshwar

 ମହିଳା, ଶିଶୁ, ବରିଷ୍ଠ ନାଗରିକ, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକଙ୍କ ସମେତ ସମାଜର ସବୁ ଦୁର୍ବଳ ତଥା ଅସହାୟ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାକୁ ରୋକିବା ସହିତ ମାନବ ଚାଲାଣ ବନ୍ଦ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଆଇନଗତ ଓ ଆନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି । 

 ସମାଜର ଏହି ଦୁର୍ବଳ ଓ ଅସହାୟ ବର୍ଗଙ୍କ ଉପରେ କୋଭିଡ ମହାମାରୀର ଦ୍ୱିତୀୟ ସଂକ୍ରମଣ ବେଳେ ପଡୁଥିବା ପ୍ରଭାବକୁ ବିଚାରକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଇଛି । ବିଶେଷକରି କୋଭିଡ ମହାମାରୀରେ ପିତାମାତାଙ୍କୁ ହରାଇ ଅନାଥ ହୋଇ ପଡୁଥିବା ପିଲାମାନଙ୍କ ସୁରକ୍ଷା, ଯତ୍ନ ଓ ଲାଳନପାଳନ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

 ସମାଜର ଦୁର୍ବଳ ଓ ବିପଦାପନ୍ନ ବର୍ଗଙ୍କ ସୁରକ୍ଷା ପାଇଁ ଯେଉଁ ଆଇନ ରହିଛି ତୁରନ୍ତ ତାହାର ସମୀକ୍ଷା କରି କୋଭିଡ କାରଣରୁ ଅନାଥ ହୋଇଥିବା ଶିଶୁ, ଠିକ୍ ସମୟରେ ଚିକିତ୍ସା ସେବା, ନିରାପତ୍ତା ଓ ସହାୟତା ଲୋଡୁଥିବା ବୟସ୍କ ନାଗରିକଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଆହୁରି ମଧ୍ୟ ତଫସିଲ ଭୁକ୍ତ ଜାତି ଓ ଉପଜାତିବର୍ଗର ଯେଉଁ ସଦସ୍ୟମାନେ ଏହି ଦୁଃସମୟରେ ଦିଗ୍‌ଦର୍ଶନ ଲୋଡୁଛନ୍ତି ସେମାନଙ୍କୁ ଅବିଳମ୍ବେ ତାହା ଯୋଗାଇଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱଆରୋପ କରାଯାଇଛି ।

 ପୁଲିସ କର୍ମଚାରୀମାନଙ୍କୁ ଏଥିପାଇଁ ସଚେତନ ଓ ସମ୍ବେଦନଶୀଳ କରିବା ସହ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଅନୁରୋଧ କରିଛି। ଥାନାରେ ମହିଳା ଡେସ୍କସ୍ଥାପନ, ସବୁ ଜିଲ୍ଳାରେ ମାନବଚାଲାଣ ନିରୋଧୀ ୟୁନିଟ ଗଠନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ନେବାକୁ କୁହାଯାଇଛି । ଏହି କାର୍ଯ୍ୟକୁ ସୁସଂହତ ତଥା ସଫଳ କରିବା ପାଇଁ ଏନ୍‌ସିଆରବି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଅନେକ ଟୁଲ୍ସ ଓ ସାଧନ ଯୋଗାଇ ଦେଇଛନ୍ତି । ଆନ୍ତଃରାଜ୍ୟ ସୂଚନା ଆଦାନପ୍ରଦାନ ପାଇଁ କ୍ରାଇମ୍ ମଲ୍ଟି ସେଣ୍ଟର ଏଜେନ୍ସୀ ( କ୍ରାଇ-ମ୍ୟାକ) ବ୍ୟବସ୍ଥା ବିକଶିତ ହୋଇଛି । ହଜିଯିବା ପରେ ମିଳିଥିବା ଲୋକଙ୍କ ସମ୍ପର୍କରେ ଜାତୀୟ ଅନଲାଇନ ଆଲର୍ଟ ସର୍ଭିସ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ସାହାଯ୍ୟରେ ଉଦ୍ଧାର ହୋଇଥିବା ନିରୁଦ୍ଦିଷ୍ଟ ବ୍ୟକ୍ତି ସହିତ ଅପରାଧୀ ବିଷୟରେ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ସହଜରେ କରିହେବ । ସେହିଭଳି ଅପରାଧୀଙ୍କୁ ଠାବ କରିବା ଓ ଧରିବା ପାଇଁ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ବ୍ୟବସ୍ଥା ଆରମ୍ଭ ହୋଇଛି, ଯାହା ପୁଲିସକୁ ବିଶେଷ ସାହାଯ୍ୟ କରିବ । ଆହୁରିମଧ୍ୟ ଏକ ସ୍ୱଂୟକ୍ରିୟ ଫଟୋ ମ୍ୟାଚିଙ୍ଗ୍ ୱେବଭିତ୍ତିକ ଆପ୍ ‘ୟୁନିଫାଏ’ ବିକଶିତ ହୋଇଛି । ମେସିନ ଲର୍ଣ୍ଣିଂ ବ୍ୟବସ୍ଥାରେ ‘ୟୁନିଫାଏ’ ଦ୍ୱାରା ପୁଲିସ କର୍ମଚାରୀ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଫଟୋ ସହଜରେ ଖୋଜି ପାରିବେ ଓ ଅଚିହ୍ନା ମୃତଦେହକୁ ଚିହ୍ନଟ କରିବାରେ ସଫଳ ହେବେ । ସିସିଟିଏନ୍‌ଏସ୍‌ରେ ଏଥିପାଇଁ ଏକ ଜାତୀୟ ଇମେଜ ରିପୋଜିଟରୀ ରହିଛି । 

 ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ନାଗରିକ ସେବା ବ୍ୟବସ୍ଥା ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଏହି ସେବା ଅନଲାଇନ୍‌ରେ ଉପଲବ୍ଧ । ସେହିଭଳି କରୋନା ମହାମାରୀ ସମୟରେ ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ଯେଉଁ ମାନଙ୍କ କାର୍ଯ୍ୟନୁଷ୍ଠାନ ବିଧି(ଏସ୍‌ଓପି) ଜାରି କରାଯାଇଛି ଏହାର ଉପଯୁକ୍ତ ପରିପାଳକ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପରାମର୍ଶ ଦେଇଛି । କେନ୍ଦ୍ର ସରକାରଙ୍କ ଏସବୁ କେନ୍ଦ୍ରୀୟ ସୁବିଧା ସୁଯୋଗ ଓ ଟୁଲ୍ସକୁ ରାଜ୍ୟ ସରକାର ଏକ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ଉପଯୋଗ କରାଯାଇଛି ।

*****

TKM/SLP



(Release ID: 1720737) Visitor Counter : 230