ଅର୍ଥ ମନ୍ତ୍ରଣାଳୟ

ମହାମାରୀକୁ ଦୃଷ୍ଟିରେ ରଖି ସରକାର ଆୟକରର କେତେକ କ୍ଷେତ୍ରରେ ଅନ୍ତିମ ତାରିଖକୁ ବଢାଇଲେ

Posted On: 20 MAY 2021 6:22PM by PIB Bhubaneshwar

କରୋନା ମହାମାରୀର ଭୀଷଣତାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ ଟିକସ ଓ ତତ୍‌ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟର ଅନ୍ତିମ ତାରିଖକୁ ବଢାଇ ଦେଇଛନ୍ତି । ବିଭିନ୍ନ ସମ୍ପୃକ୍ତିପକ୍ଷ  ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି । ତଦନୁସାରେ ଆୟକର ଆଇନ ୧୯୬୧ ଅନୁସାରେ ନିମ୍ନଲିଖିତ କ୍ଷେତ୍ରରେ ଅନ୍ତିମ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

୧) ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଉଦ୍ଧିଷ୍ଟ ବିତ୍ତୀୟ କାରବାର ବିବରଣୀ (ଏସ୍‌ଏଫ୍‌ଟି) ପ୍ରଦାନର ଶେଷ ତାରିଖ ଚଳିତମାସ ୩୧ତାରିଖ ଧାର୍ଯ୍ୟ ହୋଇଥିଲା । ସରକାର ଏହାକୁ ଆଉ ଏକ ମାସ ଅର୍ଥାତ୍ ଆଗାମୀ ଜୁନ ୩୦ ତାରିଖ ଯାଏ ବଢାଇ ଦେଇଛନ୍ତି ।

୨) ୨୦୨୦ କ୍ୟାଲେଣ୍ଡର ବର୍ଷ ପାଇଁ ରିପୋର୍ଟେବୁଲ ଆକାଉଣ୍ଟ ଷ୍ଟେଟମେଣ୍ଟ ବା ବିବରଣୀ, ଯାହା ଚଳିତବର୍ଷ ୩୧ତାରିଖ ସୁଦ୍ଧା ଦାଖଲ କରିବା ଆୟକର ଆଇନ ଅନୁସାରେ ସ୍ଥିରୀକୃତ, ତାହାର ସମୟସୀମାକୁ ୨୦୨୧ ଜୁନ ୩୦ଯାଏ ବୃଦ୍ଧି କରାଯାଇଛି । ଜୁନ ୩୦ ଏହି ବିବରଣୀ ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି ।

୩) ଟିକସ୍ ଡିଡ୍‌କସ ଷ୍ଟେଟମେଣ୍ଟ(ଟିକସକାଟ୍ ବିବରଣୀ) ଦାଖଲ ପାଇଁ ପୂର୍ବରୁ ଯେଉଁ ଶେଷତାରିଖ ୨୦୨୧ ମେ ୩୧ ଧାର୍ଯ୍ୟ ହୋଇଥିଲା ତାହାକୁ ଆଉ ଏକ ମାସ ବଢାଇ ଦିଆଯାଇଛି । ଏବେ ଏହି ଟ୍ୟାକ୍ସ ଡିଡ୍‌କସନ ଷ୍ଟେଟମେଣ୍ଟ ୨୦୨୧ ଜୁନ ୩୦ ତାରିଖ କିମ୍ବା ତା ପୂର୍ବରୁ କରାଯାଇପାରିବ ।

୪) ଫର୍ମ ନଂ-୧୬ରେ ଆୟ ଉତ୍ସରୁ କଟାଯାଇଥିବା ଟିକସ ସାର୍ଟିଫିକେଟ ଏବେ କର୍ମଚାରୀମାନେ ୨୦୨୧ ଜୁନ ୧୫ଯାଏ ଦାଖଲ କରିପାରିବେ । ପୂର୍ବରୁ ଏହି  ସମୟସୀମା ମେ ୧୫ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା ।

୫) ୨୦୨୧ ମେ’ ମାସ ପାଇଁ ଉଦ୍ଦିଷ୍ଟ ଟିଡିଏସ୍‌/ ଟିସିଏସ୍ ବୁକ୍ ଆଡ୍‌ଜଷ୍ଟମେଣ୍ଟ ଷ୍ଟେଟମେଣ୍ଟ ଫର୍ମ ନମ୍ବର ୨୪ଜି ରେ ୨୦୨୧ ଜୁନ ୧୫ତାରିଖ ଯାଏ ଦାଖଲ କରିହେବ । ଆହୁରି ମଧ୍ୟ ଧାରା ୩୦ ଅଧୀନ ୩୭ସି ଏ ଆଇନ ଅନୁସାରେ ଏ ସଂକ୍ରାନ୍ତ ତଥ୍ୟ ୨୦୨୧ ଜୁନ ୩୦ତାରିଖ ପର୍ଯ୍ୟନ୍ତ ଉପସ୍ଥାପିତ କରି ହେବ ।

୬)୨୦୨୦-୨୧ ବର୍ଷ ପାଇଁ ନିବେଶକ ପାଣ୍ଠି ଦ୍ୱାରା ଏଡାର ୟୁନିଟ୍‌ଧାରୀମାନଙ୍କୁ ଫର୍ମ ୬୪ଡିରେ ଦିଆଯାଇଥିବା ଆୟର ବିବରଣୀ ଦାଖଲ ସମୟକୁ ୨୦୨୧ ଜୁନ ୩୦ଯାଏ ବଢାଇ ଦିଆଯାଇଛି । ଆୟକର ନିୟମ ଧାରା ୧୨ସି.ବି ଅନୁସାରେ ପୂର୍ବରୁ ଏହାର ଶେଷ ତାରିଖ ୨୦୨୧ ଜୁନ ୧୫ରଖାଯାଇଥିଲା ।

୭)ଟ୍ୟାକ୍ସ ଡିଡକସନ ଷ୍ଟେଟମେଣ୍ଟ ଯାହା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ସୁପରଅନୁଏସନ ଫଣ୍ଡକୁ ଟ୍ରଷ୍ଟୀମାନଙ୍କ ଦ୍ୱାରା ପ୍ରଦାନ ପାଇଁ ଉଦ୍ଦିଷ୍ଟ,  ସେ ସଂକ୍ରାନ୍ତ ତଥ୍ୟାବଳୀ ଦାଖଲକୁ ଏକମାସ ବଢାଇ ଦିଆଯାଇଛି । ୨୦୨୧ ମେ’ ୩୧ ପରିବର୍ତ୍ତେ ଏହି ଷ୍ଟେଟମେଣ୍ଟ ୨୦୨୧ଜୁନ ୩୦ ତାରିଖ କିମ୍ବା ତା ପୂର୍ବରୁ ଦାଖଲ କରିହେବ ।

୮) ୟୁନିଟ୍‌ଧାରୀଙ୍କୁ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ୨୦୨୦-୨୧ ବର୍ଷର ଦିଆଯାଇଥିବା ଆୟ ବା ଋଣ ସଂକ୍ରାନ୍ତ ଷ୍ଟେଟମେଣ୍ଟ(ଫର୍ମ ନଂ ୬୪ସି ଅନୁସାରେ) ଦାଖଲ ତାରିଖକୁ ୨୦୨୧ ଜୁଲାଇ ୧୫ତାରିଖ ଯାଏ ବୃଦ୍ଧି କରାଯାଇଛି । ଏହାର ଶେଷ ତାରିଖ ଜୁନ ୩୦ ଥିଲା ।

୯)୨୦୨୧-୨୨ ଆସେସମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଶେଷ ତାରିଖ ୨୦୨୧ ଜୁଲାଇ ୩୧ ଆଇନତଃ ଧାର୍ଯ୍ୟ ହୋଇଥିଲା । ସେଇ ତାରିଖକୁ ଏବେ ୨୦୨୧ ସେପ୍ଟେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି ।

୧୦) ୨୦୨୦-୨୧ ବର୍ଷ ପାଇଁ ଆୟକର ଆଇନର ବ୍ୟବସ୍ଥା ଅନୁସାରେ ଯେକୌଣସି ଅଡିଟ ରିପୋର୍ଟ ବିବରଣୀ ପ୍ରଦାନ ସମୟ ସୀମା ୨୦୨୧ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ଯାଏ ବୃଦ୍ଧି କରାଯାଇଛି ।

୧୧)ଆନ୍ତର୍ଜାତିକ କାରବାର କିମ୍ବା ନିର୍ଦ୍ଦିଷ୍ଟ ଘରୋଇ ବ୍ୟବସାୟ (ଧାରା୨୯ଇ)କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ବିବରଣୀ ଦାଖଲ କରିବା ସମୟସୀମାକୁ ୨୦୨୧ ନଭେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି । ପୂର୍ବରୁ ଏହାର ସମୟସୀମା ୨୦୨୦-୨୧ ଆର୍ଥିକ ବର୍ଷର ହିସାବ କ୍ଷେତ୍ରରେ ଅକ୍ଟୋବର ୩୧ତାରିଖ ଯାଏ ଧାର୍ଯ୍ୟ ହୋଇଥିଲା ।

୧୨) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖକୁ ଚଳିତବର୍ଷ ନଭେମ୍ବର ୩୦ଯାଏ ବୃଦ୍ଧି କରାଯାଇଛି । ଏହି ତାରିଖ ପୂର୍ବରୁ ଅକ୍ଟୋବର ୩୧ ତାରିଖ ଯାଏ ଥିଲା ।

୧୩) ୨୦୨୧-୨୨ ଆସେସମେଣ୍ଟ ବର୍ଷର ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ୨୦୨୧ ନଭେମ୍ବର ୩୦ରୁ ଡିସେମ୍ବର ୩୧ଯାଏ ବୃଦ୍ଧି କରାଯାଇଛି । ଏହି ସମ୍ପ୍ରସାରଣ ଆୟକର ଆଇନର ଧାରା ୧୩୯, ଉପଧାରା ୧ କ୍ଷେତ୍ର ପାଇଁ କେବଳ ପ୍ରଯୁଜ୍ୟ ।

୧୪) ୨୦୨୦-୨୧ ଆସେସମେଣ୍ଟ ବର୍ଷ ପାଇଁ ଆୟକର ବିଳମ୍ବିତ ଓ ସଂଶୋଧିତ ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ  ୨୦୨୧ ଡିସେମ୍ବର ୩୧ ପରିବର୍ତ୍ତେ ୨୦୨୨ ଜାନୁୟାରୀ ୩୧ତାରିଖ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ କ୍ଲଜ୍ (୧୦), (୧୨) ଓ (୧୩)ରେ ଶେଷତାରିଖ ସମ୍ପ୍ରସାରଣ ଆୟକର ଆଇନର ଏକ୍ସପ୍ଳାନେସନ ୧ରୁ ଧାରା ୨୩୪ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲାଗୁ ହେବ ନାହିଁ । ଏ କ୍ଷେତ୍ରରେ କେତେକ କଟକଣା ଓ ସର୍ତ୍ତାବଳୀ ରହିଛି ।

ଏ ସଂକ୍ରାନ୍ତ ସମ୍ପୂର୍ଣ୍ଣ ବିବରଣୀ ସିଡିବିଟି ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ନଂ-୯/୨୦୨୧-ଏଫ୍‌-ନଂ୨୨୫/୪୯/୨୦୨୧/ଆଇନଟି-୨ ଦ୍ରଷ୍ଟବ୍ୟ । ଏହା www.incometaxindia.gov.in ରେ ଉପଲବ୍ଧ ।

 

*****

TKM /SLP



(Release ID: 1720527) Visitor Counter : 231