ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସାମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାବାହୁ-ବ୍ରହ୍ମପୁତ୍ର ଯୋଜନାର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ଦୁଇଟି ସେତୁର ଶିଳାନ୍ୟାସ କଲେ

ଉତ୍ତର ପୂର୍ବାଞ୍ଚଳ ଓ ଆସାମର ଅଭିବୃଦ୍ଧି, ବିକାଶ ତଥା ସଂଯୋଗକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି: ପ୍ରଧାନମନ୍ତ୍ରୀ

ରୋ-ପ୍ୟାକ୍ସ ସେବା ଦ୍ୱାରା ଦୂରତ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇବ: ଶ୍ରୀ ମୋଦୀ

Posted On: 18 FEB 2021 2:57PM by PIB Bhubaneshwar

       ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ, ଆଇନ ଓ ଯୋଗାଯୋଗ ତଥା ଆଇଟି ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଏବଂ ଆସାମ ଓ ମେଘାଳୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

          ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସେ ବ୍ରହ୍ମପୁତ୍ରରେ ରୋ-ପ୍ୟାକ୍ସ ପୋତ ଚଳାଚଳ କାର୍ଯ୍ୟ ଉଦ୍‍ଘାଟନ କରିଥିଲେ । ଏହି ପୋତ ସେବା ନିଆମାଟି-ମାଜୁରି ଦ୍ୱୀପ, ଉତ୍ତର ଗୁଆହାଟି ଓ ଦକ୍ଷିଣ ଗୁଆହାଟି ଏବଂ ଧୁବୁରି-ହାଟସିଙ୍ଗିମାରି ମଧ୍ୟରେ ଚଳାଚଳ କରିବ । ଏହାଛଡା ପ୍ରଧାନମନ୍ତ୍ରୀ ଯୋଗୀଘୋପାଠାରେ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲର ଶୁଭ ଦେଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଜେଟିର ଶିଳାନ୍ୟାସ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଗମ ବେପାର ବଣିଜ୍ୟର ଡିଜିଟାଲ ସଲ୍ୟୁସନ ସେବା ଆରମ୍ଭ କରାଯାଇଥିଲା ।

          ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି ସହିତ ସଂପର୍କିତ ଅଲି-ଆଇ ଲିଗାଙ୍ଗ ପର୍ବ ଆସାମରେ ଗତକାଲି ପାଳିତ ହୋଇଯାଇଛି । ମିଶିଂ ଜନଜାତିର ଏହା ସବୁଠୁ ବଡପର୍ବ । ଏହି ଅବସରରେ ସେ ସଂପୃକ୍ତ ଜନଜାତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବ୍ରହ୍ମପୁତ୍ର ସଂପର୍କରେ ସେ ଉଲ୍ଲେଖକରି କହିଥିଲେ ଯେ ଏହି ପବିତ୍ର ନଦୀ ଏହି ଅଞ୍ଚଳର ସାମାଜିକୀକରଣ ଓ ସଂଯୋଗ ସହିତ ଓତପ୍ରୋତଭାବେ ଜଡିତ। ପୂର୍ବରୁ ବ୍ରହ୍ମପୁତ୍ରର ନୌପରିବହନ ବିକାଶ ପାଇଁ ଯେଉଁଭଳି କାର୍ଯ୍ୟ ହେବା କଥା ତାହା ନ ହେବା ଦୁଃଖର ବିଷୟ। ସେଥିପାଇଁ ଆସାମ ସହିତ ଉତ୍ତର ପୂର୍ବର ଅନ୍ୟାନ୍ୟ ରାଜ୍ୟଗୁଡିକର ସଂଯୋଗ ବ୍ୟବସ୍ଥା ବିକଶିତ ହୋଇପାରିନାହିଁ । ଏବେ ଯେଉଁସବୁ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ସେଗୁଡିକୁ ଶୀଘ୍ର ସାରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହା ଫଳରେ ଏହି ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧକ ଦୂର ହେବ ଏବଂ ସବୁ ଲୋକ ଗୋଟିଏ ସାଂସ୍କୃତିକ ସୂତ୍ରରେ ଆବଦ୍ଧ ହେବେ । ବିଗତ କେଇଦିନ ମଧ୍ୟରେ ଆସାମ ସହିତ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଭୌତିକ ଏବଂ ସାଂସ୍କୃତିକ ସଂହତି ପ୍ରତିଷ୍ଠା ପାଇଁ ବେଶ୍‍ କିଛି କାମ କରାଯାଇଛି ।

          ଶ୍ରୀ ମୋଦୀ କହିଛନ୍ତି ଯେ ଭୁପେନ ହଜାରିକା ସେତୁ, ବଗିବିଲ୍‍ ସେତୁ, ସରାଇଘାଟ ଭଳି ଅନେକ ସେତୁ ଆସାମ ଜନସାଧାରଣଙ୍କ ଜୀବନକୁ ସହଜ ଓ ସୁଗମ କରିଛି । ଏହାଦ୍ୱାରା ଦେଶର ନିରାପତ୍ତା ସୁଦୃଢ ହେବା ସହିତ ଆମର ସୈନ୍ୟମାନଙ୍କ ପାଇଁ ବିଶେଷ ସୁବିଧା ହୋଇଛି । ଆଜିଠାରୁ ଆସାମକୁ ସମଗ୍ର ଉତ୍ତର ପୂର୍ବାଞ୍ଚଳ ସହିତ ଯୋଡିବା ପାଇଁ ବୃହତ୍ତର ଅଭିଯାନ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଆସାମର ବିକାଶ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁତ୍ର ମଧ୍ୟରେ ଥିବା ମାଜୋଲି ଦ୍ୱୀପରେ ରାଜ୍ୟର ପ୍ରଥମ ହେଲିପ୍ୟାଡ ନିର୍ମିତ ହୋଇଛି । ଏହାଛଡା ରାଜ୍ୟରେ ସଡକପଥଗୁଡିକୁ ଅଧିକ ଉନ୍ନତ ଏବଂ ନିରାପଦ କରାଯାଉଛି । ସେହିଭଳି କାଳିଆବାଡିକୁ ଜୋରହାଟ ସହିତ ଯୋଡିବା ପାଇଁ ୮ କିମି ଲମ୍ବର ଏକ ସେତୁ ନିର୍ମାଣ କରାଯିବ ଏବଂ ଆଜି ତାହାର ଭୂମି ପୂଜନ ହୋଇଛି। ଏହି ସେତୁ ସୁବିଧା ଓ ସମ୍ଭାବନାର ସେତୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

          ସେହିଭଳି ଧୁବରି ଓ ମେଘାଳୟର ଫୁଲବାଡି ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ପାଇଁ ୧୯ କିମି ଲମ୍ବର ଏକ ସେତୁ ନିର୍ମାଣ କରାଯିବ । ଏହା ଫଳରେ ବାରକ୍‍ ଉପତ୍ୟକାରେ ସଡକ ସଂଯୋଗରେ ଉନ୍ନତି ଘଟିବ । ଏହି ସେତୁ ଫଳରେ ମେଘାଳୟ, ମଣିପୁର, ମିଜୋରାମ ଓ ଆସାମ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସଡକପଥରେ ମେଘାଳୟ ଓ ଆସାମ ମଧ୍ୟରେ ଦୂରତ୍ୱ ୨୫୦ କିମି ରହିଛି । ନୂଆ ସେତୁ ନିର୍ମିତ ହେବାଦ୍ୱାରା ଏହି ଦୂରତ୍ୱ ମାତ୍ର ୧୯-୨୦ କିମି ମଧ୍ୟରେ ହେବ ।

          ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ବ୍ରହ୍ମପୁତ୍ରର ଜଳସଂପଦ ଓ ଶଯ୍ୟାକୁ ବ୍ୟବହାର କରି ବନ୍ଦରଭିତ୍ତିକ ବିକାଶ ସମ୍ଭବ ହେବ । ଆଜି ଆରମ୍ଭ ହୋଇଥିବା ୩ଟି ରୋ-ପ୍ୟାକ୍ସ ସେବା ଫଳରେ ଆସାମ ଏ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଏହାଛଡା ୪ଟି ପର୍ଯ୍ୟଟକ ଜେଟି ମଧ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ସହ ଆସାମକୁ ପ୍ରତ୍ୟକ୍ଷ ଯୋଗାଯୋଗ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

          ଦୀର୍ଘଦିନ ଧରି ଆସାମ ଓ ଉତ୍ତର ପୂର୍ବାଞ୍ଚଳ ଉପେକ୍ଷିତ ହେବା ଫଳରେ ଏ ଅଞ୍ଚଳର ବିକାଶ ବ୍ୟାହତ ହୋଇଛି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ତ୍ରୁଟିକୁ ସୁଧାରିବା ପ।।ଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ । ବର୍ତ୍ତମାନ ସରକାର ଏହି ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି । ଆସାମରେ ମଲ୍ଟି ମୋଡାଲ କନେକ୍ଟିଭିଟି ପୁନଃ ପ୍ରର୍ବତ୍ତନ କରିବାକୁ ଉଦ୍ୟମ କରାଯାଉଛି । ପୂର୍ବ ଏସିଆର ଦେଶଗୁଡିକ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ ସ୍ଥାପନ ପାଇଁ ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଏକ ପ୍ରବେଶ ଦ୍ୱାରରେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।

          ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଜଳପଥଗୁଡିକର ଗୁରୁତ୍ୱ ବହୁ ଅଧିକ । ଜଳପଥର ବିକାଶ ପାଇଁ ନିକଟରେ ଭାରତ ବାଂଲାଦେଶ ସହିତ ଏକ ଚୁକ୍ତି କରିଛି । ବ୍ରହ୍ମପୁତ୍ର ଓ ବାରକ୍‍ ନଦୀକୁ ହୁଗୁଳି ନଦୀ ସହ ସଂଯୁକ୍ତ କରିବା ପାଇଁ ବାଂଲାଦେଶ ସହିତ ମିଶି ଭାରତ ଉଦ୍ୟମ ଚଳାଇଛି । ଏହି ଅଞ୍ଚଳର ସଂଯୋଗପଥ ସ୍ୱୟଂ ସଂପୂର୍ଣ୍ଣ ଓ ପର୍ଯ୍ୟାପ୍ତ ହେଲେ  ଏହା ଭାରତୀୟ ମୂଳଭୂଖଣ୍ଡ ସହିତ ଉତ୍ତମଭାବେ ସଂଯୋଜିତ ହେବ ଏବଂ ଅନ୍ୟର ଦୟା ଉପରେ ନିର୍ଭର କରିବ ନାହିଁ । ଯୋଗୀହୋପା ଟର୍ମିନାଲ ନିର୍ମିତ ହେଲେ ହଳଦିଆ ବନ୍ଦର ଓ କଲକାତା ସହିତ ଆସାମ ସଂଯୁକ୍ତ ହେବା ପାଇଁ ବିକଳ୍ପ ପଥ ପାଇବ । ଏହି ପଥ ଦେଇ ଭୁଟାନ ଓ ବାଂଲାଦେଶର ପଣ୍ୟ ମଧ୍ୟ କାରବାର ହୋଇପାରିବ । ଯୋଗୀହୋପାରେ ଏକ ମଲ୍‍ଟି ମୋଡାଲ ଲଜିଷ୍ଟିକ୍‍ ପାର୍କ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

          ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଆସାମ ଓ ଉତ୍ତର ପୂର୍ବାଞ୍ଚଳର ନୂଆ ସଡକ ଓ ଜଳପଥଗୁଡିକୁ ବିକଶିତ କରାଯାଉଛି । ମାଜୁଲି ଓ ନିମାଟି ମଧ୍ୟରେ ଯେଉଁ ରୋ-ପ୍ୟାକ୍ସ ସେବା ଆରମ୍ଭ ହୋଇଛି ତଦ୍ଦ୍ୱାରା ଏହି ଦୁଇ ଅଞ୍ଚଳ ମଧ୍ୟରେ ଦୂରତ୍ୱ ୪୨୫ କିମିରୁ ମାତ୍ର ୧୨ କିମିକୁ ହ୍ରାସ ପାଇବ । ଏହି ଜଳପଥରେ ଦୁଇଟି ଜାହାଜ ଚଳାଚଳ କରୁଛି । ଏହା ମାଧ୍ୟମରେ ୧୬୦୦ ଯାତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ୱ ଯାନବାହନ ପାରଉତାର ହେଉଛି । ସେହିଭଳି ଗୁଆହାଟିରେ ହୋଇଥିବା ଏକାରକମ ବ୍ୟବସ୍ଥା ଦ୍ୱାରା ଉତ୍ତର ଓ ଦକ୍ଷିଣ ଗୁଆହାଟି ମଧ୍ୟରେ ଦୂରତ୍ୱ ୪୦ କିମିରୁ ୩ କିମିକୁ ହ୍ରାସ ପାଇବ । ଆସାମରେ ଆରମ୍ଭ ହୋଇଥିବା କାର-ଡିପୋର୍ଟାଲ ମାଧ୍ୟମରେ ଲୋକେ ଜାତୀୟ ଜଳପଥରେ ମାଲ ପରିବହନ ଓ କ୍ରୁଜ ଟ୍ରାଫିକ ତଥ୍ୟ ପାଇପାରିବେ । ବ୍ୟବସାୟ ପାଇଁ ଯେଉଁମାନେ ଏଠାକୁ ଆସିବାକୁ ଚାହାନ୍ତି ସେମାନଙ୍କୁ ଜିଆଇଏସ୍‍ଭିତ୍ତିକ ଇଣ୍ଡିଆ ମ୍ୟାପ ପୋର୍ଟାଲରୁ ଆବଶ୍ୟକ ତଥ୍ୟ ମିଳିବ ।

          ଉତ୍ତର ପୂର୍ବାଞ୍ଚଳରେ ଜଳ, ସ୍ଥଳ ଓ ଆକାଶପଥ ସହିତ ଇଣ୍ଟରନେଟ ସଂଯୋଗର ବିକାଶ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ସେହିଭଳି ଗୁଆହାଟିଠାରେ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ବିପୁଳ ଅର୍ଥ ବ୍ୟୟରେ ପ୍ରଥମ ଡାଟା ସେଣ୍ଟର ସ୍ଥାପନ କରାଯାଇଛି । ଏହାଦ୍ୱାରା ଏ ଅଞ୍ଚଳରେ ୮ଟି ରାଜ୍ୟ ଉପକୃତ ହେବେ । ତାଙ୍କ ସରକାର ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ନୀତିରେ କାର୍ଯ୍ୟ କରୁଛି । ମାଜୋଲିର ଉନ୍ନତି ପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ଏକ ସୂଚନା ଦେଇ ସେ କହିଥିଲେ ଯେ ସେଠାରେ ଏକ ସାଂସ୍କୃତିକ ବିଶ୍ୱବିଦ୍ୟାଳୟ ସ୍ଥାପନ ସହ ଏହି ଦ୍ୱୀପକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦିଆଯାଇଛି । ସେହିଭଳି ତେଜପୁର-ମାଜୋଲି-ଶିବସାଗରକୁ ନେଇ ଐତିହ୍ୟ ସର୍କିଟ ସୃଷ୍ଟି କରାଯାଇଛି । ଏହାଛଡା ନମାମି ବ୍ରହ୍ମପୁତ୍ର ଓ ନମାମି ବାରକ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଫଳରେ ଆସାମର ପରିଚୟ ଋଦ୍ଧିମନ୍ତ ହେଉଛି ବୋଲ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଆସାମରେ ଯେଉଁସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତଦ୍ଦ୍ୱାରା ଆସାମ ଓ ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନର ବିକାଶ ଘଟିବ ଏବଂ ଏହି ଅଞ୍ଚଳରେ ବେପାର ବଣିଜ ସୁଗମ ହେବ । ଆସାମ ଓ ଉତ୍ତର ପୂର୍ବାଞ୍ଚଳକୁ ଆତ୍ମନିର୍ଭର ଭାରତର ଏକ ଦୃଢ ସ୍ତମ୍ଭରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତଭାବେ କାମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******

TKM



(Release ID: 1699196) Visitor Counter : 226