ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ଆସାମର ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର ପାଇଁ 100 କୋଟି ଟଙ୍କା ମଞ୍ଜୁର

Posted On: 10 FEB 2021 3:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ କମିଟିର ଅର୍ଥନୀତିକ ବ୍ୟାପାର ବିଭାଗ ସାର ବିଭାଗକୁ 100କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ।  ଏହି ଅର୍ଥ ଆସାମର ନାମରୂପରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ସ କର୍ପୋରେସନ ଲିମିଟେଡକୁ ୟୁରିଆ ସାର ଉତ୍ପାଦନ ପାଇଁ ଦିଆଯିବ । ଭାରତ ସରକାରଙ୍କ ସାର ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ ଲିମିଟେଡ ଏକ ପବ୍ଲିକ ଅଣ୍ଡରଟେକିଂ ସଂସ୍ଥା । ଆସାମର ନାମରୂପ ଠାରେ ଥିବା ଏହି କର୍ପୋରେସନର ପରିସର ମଧ୍ୟରେ ନାମରୂପ-2, ନାମରୂପ -3 ଭାବରେ ଦୁଇଟି ପୁରୁଣା ପ୍ଳାଣ୍ଟ ଚାଲିଛି । ଏହା ଦେଶର ପ୍ରଥମ ଗ୍ୟାସଭିତ୍ତିକ ୟୁରିଆ ଉତ୍ପାଦନ କରୁଥିବା କାରଖାନା । ସାର ଉତ୍ପାଦନ କ୍ଷେତ୍ରରେ ଏହାର ସମସ୍ତ ପ୍ରକାରର ଉପକରଣ ଏବଂ ଭିତ୍ତିଭୂମି ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନର ପ୍ଲାଂଟଗୁଡିକରୁ କମ୍ ଖର୍ଚ୍ଚରେ ଉତ୍ପାଦନ କରିବା କଷ୍ଟକର ହୋଇପଡୁଛି । କାରଣ  ଏ କ୍ଷେତ୍ରରେ ଥିବା ବୈଷୟିକ କୌଶଳ ପୁରୁଣା ଏବଂ ଘସରା ହୋଇଗଲାଣି । ପ୍ଳାଣ୍ଟରୁ କମ୍ ଖର୍ଚ୍ଚରେ ନିରାପଦ ଏବଂ ଦୀର୍ଘକାଳୀନ ଭିତିରେ ଉତ୍ପାଦନ ପାଇଁ କେତେକ ଯନ୍ତ୍ରାଂଶରେ ମରାମତି ଏବଂ କେତେକକୁ ବଦଳାଇବା ଆବଶ୍ୟକ ପଡୁଛି । କେତେକ ଯନ୍ତ୍ରାଂଶ ଓ ବୈଦ୍ୟୁତିକ ଉପକରଣର ମରାମତି ଜରୁରୀ ହୋଇପଡିଛି । ଏହା ବିନା କାରଖାନାକୁ ସୁରୁଖୁରୁରେ ଚଳାଇବା କଷ୍ଟକର ହୋଇପଡିଛି । ଏଥିପାଇଁ ଆବଶ୍ୟକ ପଡୁଥିବା 100 କୋଟି ଟଙ୍କା ଅନୁଦାନ ଭାବରେ ସରକାର ଯୋଗାଇ ଦେଇଛନ୍ତି ।

ଦେଶର ଉତ୍ତରପୂର୍ବାଞ୍ଚଳରେ ଥିବା ଏହି କାରଖାନା ଏହି ଅଞ୍ଚଳର ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆଧୁନିକୀକରଣ ପରେ ଏଠାରୁ ଉତ୍ପାଦିତ ୟୁରିଆ ବିଶେଷଭାବେ ଆସାମର ଚାହା ଏବଂ କୃଷି କ୍ଷେତ୍ରକୁ ସମୃଦ୍ଧ କରିବ । ଏହି ଅନୁଦାନର ବିନିଯୋଗରେ କାରଖାନାର ଉନ୍ନତିକରଣ ପରେ ଏଠାରୁ ବାର୍ଷିକ 3.90ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ ହେବ । ଏହି କାରଖାନାରେ ବର୍ତ୍ତମାନ ପ୍ରାୟ 580 ସ୍ଥାୟୀ କର୍ମଚାରୀ ଏବଂ ଦେଢହଜାର ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏଥିସହିତ ପ୍ରାୟ 28ହଜାର ଲୋକ ପରୋକ୍ଷଭାବରେ ଏହି କାରଖାନାର ଲାଭ ପାଉଛନ୍ତି । ଆତ୍ମନିର୍ଭର ଭାରତଅଭିଯାନକୁ ଏହି କ୍ଷେତ୍ର ସୁଦୃଢ କରୁଛି ।

****

SSD/SLP



(Release ID: 1696808) Visitor Counter : 205