ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସିନେମା ହଲଗୁଡ଼ିକୁ 100 ପ୍ରତିଶତ କ୍ଷମତାରେ କାର୍ଯ୍ୟକ୍ଷମ କରାଯିବ

ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଜାରି କଲେ ଏସଓପି

Posted On: 31 JAN 2021 12:55PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କୋଭିଡ଼ 19 ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ପଡ଼ିଥିବା ଦେଶର ସିନେମା ହଲ୍ ଏବଂ ଥିଏଟରଗୁଡ଼ିକ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର (ଏସଓପି) ଜାରି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରି ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ ଏଣିକି ଦେଶର ସିନେମା ହଲଗୁଡ଼ିକ ସେମାନଙ୍କର ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟକ୍ଷମ ହୋଇପାରିବ । ସେ କହିଛନ୍ତି ଯେ ସାନିଟେସନ ଏବଂ କୋଭିଡ଼ ପ୍ରୋଟୋକଲକୁ କିନ୍ତୁ କଡ଼ାକଡ଼ି ଭାବେ ଲୋକମାନଙ୍କ ଦ୍ୱାରା ଅନୁପାଳନ କରାଯିବ । ଦର୍ଶକମାନେ ଥିଏଟର ପରିସରରେ ଥିବା ଦୋକାନମାନଙ୍କରୁ ପୂର୍ବଭଳି ଖାଦ୍ୟସାମଗ୍ରୀ କ୍ରୟ କରିପାରିବେ । କୋଭିଡ଼ ମହାମାରୀ ଯୋଗୁ ସିନେମା ହଲମାନଙ୍କ ଉପରେ ଜାରି କଟକଣା ଏବେ ଶେଷ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ଦ୍ୱାରା ଦେଶର ସିନେମା ହଲ୍ ଏବଂ ଥିଏଟର୍ସଗୁଡ଼ିକୁ ଖୋଲିବା ସକାଶେ ଆଦେଶନାମା ସଂଖ୍ୟା. 40-3 /2020-ଡିଏମ-1(ଏ) 27 ଜାନୁଆରୀ, 2021 ପୃଷ୍ଠ ଭୂମିରେ ଏଭଳି ଏସଓପି ଜାରି କରାଯାଇଛି ।

ପ୍ରାରମ୍ଭରୁ, ଏହି ଏସଓପିରେ ଦର୍ଶାଯାଇଛି ଯେ କଣ୍ଟେନମେଣ୍ଟ ଜୋନରେ କୌଣସି ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ଅନୁମତି ପ୍ରଦାନ କରାଯିବ ନାହିଁ ଏବଂ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏ ସଂପର୍କରେ ଅତିରିକ୍ତ କଟକଣା ଲାଗୁ କରିବା ପାଇଁ ଚିନ୍ତା କରିପାରିବେ ଯାହାକି ସେମାନେ ସଂପୃକ୍ତ କ୍ଷେତ୍ରର ସ୍ଥିତି ଆକଳନ କରି ଗ୍ରହଣ କରିପାରିବେ । ଏହି ଏସଓପିରେ ଆହୁରି ଦର୍ଶାଯାଇଛି ଯେ ସିନେମା ହଲଗୁଡ଼ିକରେ ଏଣିକି ଶତ ପ୍ରତିଶତ ଦର୍ଶକଙ୍କ ବସିବା ନିମନ୍ତେ ଅନୁମତି ପ୍ରଦାନ କରାଯିବ ।

ଏହି ଏସଓପିରେ ଏକଥା ସ୍ପଷ୍ଟ କରାଯାଇଛି ଯେ କୋଭିଡ଼ ସଂପର୍କୀତ ସକଳ ପ୍ରକାର ନିରାପତ୍ତା ବ୍ୟବସ୍ଥାକୁ ବିଧିବଦ୍ଧ ଭାବେ ସିନେମା ହଲ୍ ପରିସରରେ ପାଳନ କରାଯିବ । ସାଧାରଣ ଗାଇଡଲାଇନରେ ଆହୁରି ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି ଯେ ନିଃଶ୍ୱାସପ୍ରଶ୍ୱାସ ଜନିତ ସୌଜନ୍ୟ ଆଚରଣ ମଧ୍ୟ ପାଳନ କରାଯିବ । ସେଥି ମଧ୍ୟରେ ମୁହଁରେ ମାସ୍କ ବାନ୍ଧିବା, ଅନ୍ୟୂନ 6 ଫୁଟ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା, ଅଡିଟୋରିୟମ୍ ବାହାରେ, ସାଧାରଣ ସ୍ଥାନରେ ତଥା ପ୍ରତୀକ୍ଷା ସ୍ଥାନରେ ସଦାବେଳେ ଅନୁପାଳନ କରାଯିବ । ସେହିଭଳି କୌଣସି ବ୍ୟକ୍ତି ସିନେମା ହଲ ପରିସର ଭିତରେ ଛେପ ପକାଇପାରିବେ ନାହିଁ ଏବଂ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ କରାଯାଇଛି ।

ସିନେମା ହଲ୍ ଦର୍ଶକମାନଙ୍କର ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ପ୍ରସ୍ଥାନ ଦ୍ୱାର ନିକଟରେ ଜନ ଗହଳିକୁ ଏଡ଼ାଇବା ସକାଶେ ପର୍ଯ୍ୟାୟକ୍ରମିକ ଭାବେ ଲୋକମାନଙ୍କୁ ବାହାରକୁ ଛଡ଼ାଯିବ । ସେହିଭଳି ଗୋଟିକ ପରେ ଗୋଟିଏ ସିନେମା ସୋ ପ୍ରଦର୍ଶନ କରୁଥିବା ଅଥବା ମଲ୍ଟିପ୍ଲେକ୍ସ କ୍ଷେତ୍ରରେ ପ୍ରତ୍ୟେକ ସିନେମା ସ୍କ୍ରିନିଂ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରକ୍ଷା କରାଯିବ ଯଦ୍ୱାରା ଧାଡ଼ି ଆକାରରେ ଦର୍ଶକମାନଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ନିୟନ୍ତ୍ରଣ କରାଯାଇପାରିବ । ଏକାଧିକ ସ୍କ୍ରିନ ଥିବା ହଲ୍ କ୍ଷେତ୍ରରେ ସମୟ ବ୍ୟବଧାନକୁ ବଜାୟ ରଖାଯିବ ଯାହା ଫଳରେ କୌଣସି ସ୍ଥାନରେ ଜନଗହଳି ସୃଷ୍ଟି ହେବନାହିଁ ।

ଏହି ଏସଓପିରେ ସଂସର୍ଗହୀନ ଡିଜିଟାଲ କାରବାର ଉପଯୋଗ ପାଇଁ ପରାମର୍ଶ ଦିଆଯାଇଛି ଯଦ୍ୱାରା ଟିକେଟ କ୍ରୟ, ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ  ମୃଦୁ ପାନୀୟ କିଣା ପାଇଁ ପ୍ରତ୍ୟକ୍ଷ ଅର୍ଥ ଦେଣନେଣକୁ ହ୍ରାସ କରାଯାଇପାରିବ । ସେହିଭଳି ଟିକେଟ କ୍ରୟ ସକାଶେ ଯଥେଷ୍ଟ ସଂଖ୍ୟକ ବକ୍ସ ଅଫିସ୍ କାଉଣ୍ଟର ମଧ୍ୟ ଖୋଲାଯିବ ଯାହାକି ଦିନତମାମ ଖୋଲା ରହିବ ଓ ଅଗ୍ରୀମ ଟିକେଟ ପାଇଁ ଅନୁମତି ଦିଆଯାଇ କାଉଣ୍ଟରରେ ଟିକେଟ ବିକ୍ରି ବେଳେ ଜନଗହଳିକୁ ଏଡ଼ାଯିବ ।

ସିନେମା ହଲ ଓ ଥିଏଟର୍ସର ସମଗ୍ର ପରିସରକୁ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇ ଏସଓପିରେ କୁହାଯାଇଛି ଯେ ଏହିସବୁ ପରିସର, କମନ ଫାସିଲିଟି ତଥା ଯେଉଁସବୁ ସ୍ଥାନମାନଙ୍କ ସଂସ୍ପର୍ଶରେ ଲୋକମାନେ ବାରମ୍ବାର ଆସୁଥିବେ ସେସବୁକୁ ବାରମ୍ବାର ସାନିଟାଇଜ୍ କରାଯିବ । ସେଥି ମଧ୍ୟରେ ହ୍ୟାଣ୍ଡଲ, ରେଲିଂ ଇତ୍ୟାଦି ସାମିଲ । ପ୍ରତ୍ୟେକ ସୋ ପରେ ଅଡ଼ିଟୋରିଅମକୁ ମଧ୍ୟ ସାନିଟାଇଜ୍ କରାଯିବା ବାଧ୍ୟତାମୂଳକ ବୋଲି ଏସଓପିରେ କୁହାଯାଇଛି ।

ଏସଓପିରେ କୋଭିଡ଼ 19 ସଂପର୍କରେ ଜନ ସଚେତନତା ବୃଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କ’ଣ କରିବା ଆବଶ୍ୟକ ଏବଂ କେଉଁ କେଉଁ କାର୍ଯ୍ୟ ବର୍ଜନୀୟ ତାହା ସିନେମା ହଲ ପରିସରରେ ସର୍ବତ୍ର ଘୋଷଣା କରିବା ଓ ଷ୍ଟାଣ୍ଡି, ପୋଷ୍ଟର ଇତ୍ୟାଦି ମାଧ୍ୟମରେ ସୂଚୀତ କରାଯିବ । ଏ ସଂପର୍କୀତ ବିସ୍ତୃତ ଏସଓପି ପଢ଼ିବା ସକାଶେ ନିମ୍ନ ଲିଙ୍କକୁ ଯାଆନ୍ତୁ:

https://mib.gov.in/sites/default/files/FINAL%20SOP%20for%20Exhibition%20of%20Films%20%281%29.pdf

***

SS

 



(Release ID: 1693734) Visitor Counter : 185