କ୍ୟାବିନେଟ

୮୫୦ ମେଗାୱାଟ ରତଲେ ଜଳ ବିଦୁ୍ୟତ ପ୍ରକଳ୍ପ ପାଇଁ ୫୨୮୧.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

Posted On: 20 JAN 2021 5:09PM by PIB Bhubaneshwar

ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ ପାୱାର କର୍ପୋରେସନ (ଏନଏଚପିସି) ଏବଂ ଜମ୍ମୁ-କାଶ୍ମୀର ରାଜ୍ୟ ବିଦ୍ୟୁତ ଉନ୍ନୟନ ନିଗମ ଲିମିଟେଡ (ଜେକେଏସପିଡିସି)ର ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଯୋଗଦାନରେ ଗଠିତ ଏକ ନୂଆ ଯୌଥ ଉଦ୍ୟୋଗ କମ୍ପାନି (ଜେଭିସି) ଦ୍ୱାରା ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର କିସ୍ତୱାର ଜିଲ୍ଲାଠାରେ ଚେନାବ ନଦୀ ନିକଟରେ ୮୫୦ ମେଗାୱାଟ ରତଲେ ଜଳ ବିଦ୍ୟୁତ (ଏଚଇ) ପ୍ରକଳ୍ପ ପାଇଁ ୫୨୮୧.୯୧ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

 

ପ୍ରମୁଖ ବିଶେଷତ୍ୱ

 

ରତଲେ ଏଚଇ ପ୍ରକଳ୍ପ (୮୫୦ ମେଗାୱାଟ) ନିର୍ମାଣ ପାଇଁ ଜେଭିସି ଗଠନ ନିମନ୍ତେ ଜେକେଏସପିଡିସିର ଇକ୍ୱିଟି ଯୋଗଦାନ ପୂର୍ବକ ୭୭୬.୪୪ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଉଛନ୍ତି । ଏନଏଚପିସି ୮୦୮.୧୪ କୋଟି ଟଙ୍କା ଇକ୍ୱିଟି ଏହାର ନିଜସ୍ୱ ଆଭ୍ୟନ୍ତରୀଣ ଉତ୍ସରୁ ନିବେଶ କରିବ । ୬୦ ମାସର ଅବଧି ମଧ୍ୟରେ ରତଲେ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ପ୍ରକଳ୍ପରୁ ଉତ୍ପାଦନ ହେବାକୁ ଥିବା ବିଦୁ୍ୟତ ଗ୍ରୀଡରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ ଏବଂ ବିଦ୍ୟୁତ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବ ।

 

କାର୍ଯ୍ୟାନ୍ୱୟନ ରଣନୀତି

ପ୍ରକଳ୍ପକୁ ବିଶେଷ ଭାବେ ବ୍ୟବହାର୍ଯ୍ୟ କରିବା ପାଇଁ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଜଳ ବ୍ୟବହାର ପାଇଁ ଦେୟ ଛାଡ଼ କରିବେ, ରାଜ୍ୟ ଜିଏସଟି ଭାଗ (ଯାହା କି ଏସଜିଏସଟି) ଭରଣା କରିବେ, ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଏକ କ୍ରମାଗତ ହ୍ରାସ ପଦ୍ଧତିରେ ମାଗଣା ବିଜୁଳି ଯୋଗାଣ ଛାଡ଼ କରିବେ, ଯାହା କି, ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣା ବିଦ୍ୟୁତ ଯୋଗାଣ ୧% ହେବ ଏବଂ ଦ୍ୱାଦଶ ବର୍ଷରେ ଏହା ବାର୍ଷିକ ୧%ରୁ ୧୨% ହେବ ।

 

ଲକ୍ଷ୍ୟ

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକଳାପ ମାଧ୍ୟମରେ ପାଖାପାଖି ୪୦୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ । ଆହୁରି ମଧ୍ୟ, ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ୫୨୮୯ କୋଟି ଟଙ୍କା ମୂଲ୍ୟର ମାଗଣା ବିଦ୍ୟୁତ ପାଇ ଉପକୃତ ହେବ ଏବଂ ପ୍ରକଳ୍ପର ୪୦ ବର୍ଷର ଜୀବନଚକ୍ର ସମୟରେ ରତଲେ ଜଳ ବିଦ୍ୟୁତ ପ୍ରକଳ୍ପରୁ ୯୫୮୧ କୋଟି ଟଙ୍କା ମୂଲ୍ୟର ଜଳ ବ୍ୟବହାର ଦେୟ ହାସଲ କରିବ ।

***

SR



(Release ID: 1690832) Visitor Counter : 194