ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଜକୋଟ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ରାଜକୋଟ ଏମ୍ସ ଗୁଜରାଟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ସହ ରାଜ୍ୟରେ ନିଯୁକ୍ତି ସୁବିଧା ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

କୋଭିଡ୍‍ ବିରୋଧୀ ସଂଗ୍ରାମରେ ଗୁଜରାଟ ରାସ୍ତା ଦେଖାଇଛି : ଶ୍ରୀ ମୋଦୀ

ଦେଶରେ ଆଉ 10ଟି ନୂଆ ଏମ୍ସ ଏବଂ ସୁପର ସ୍ପେଶାଲିଟି ହସ୍‍ପିଟାଲ ନିର୍ମାଣ ଚାଲିଛି: ପ୍ରଧାନମନ୍ତ୍ରୀ

2020 ସ୍ୱାସ୍ଥ୍ୟ ପ୍ରତି ଥିଲା ଆହ୍ୱାନର ବର୍ଷ, 2021 ହେବ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନର ବର୍ଷ: ଶ୍ରୀ ମୋଦୀ

2021ରେ ଭାରତ ବିଶ୍ୱର ସ୍ୱାସ୍ଥ୍ୟ ନାଭିକେନ୍ଦ୍ରଭାବେ ନିଜର ଭୂମିକାକୁ ସୁଦୃଢ କରିବ: ପ୍ରଧାନମନ୍ତ୍ରୀ

ବର୍ଷର ଶେଷ ଦିବସରେ ପ୍ରଧାନମନ୍ତ୍ରୀ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ସ୍ମରଣ କଲେ

Posted On: 31 DEC 2020 12:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଗୁଜରାଟର ରାଜକୋଟଠାରେ ନିର୍ମିତ ହେବାକୁ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ସଂଗ୍ରାମରେ ସାମିଲ ହୋଇଥିବା ନିୟୁତ ନିୟୁତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ଅନ୍ୟାନ୍ୟ ସମ୍ମୁଖ ଧାଡିର କରୋନା ଯୋଦ୍ଧାଙ୍କୁ ମନେ ପକାଇଛନ୍ତି । ନିଜ ଜୀବନକୁ ବିପନ୍ନ କରି ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଥିବା ଏହି ଯୋଦ୍ଧାମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଏହାଛଡା କରୋନା ମହାମାରୀକାଳରେ ବୈଜ୍ଞାନିକଗଣ ଯେଉଁ ଅବଦାନ ରଖିଛନ୍ତି ଏବଂ ବିଶେଷକରି ଯେଉଁ ଲୋକମାନେ ଗରିବ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ସେମାନଙ୍କ ଭୂମିକାକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷଟି ଦେଖାଇଦେଲା ଯେ ଯେତେବେଳେ ଭାରତ ଏକାଠି ହୁଏ ସେତେବେଳେ ଏହା ଅତି କଷ୍ଟସାଧ୍ୟ ସଂକଟର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଥାଏ । ସଫଳ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଫଳରେ କରୋନା ବିରୋଧୀ ଲଢେଇରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଏଠାରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅନ୍ୟାନ୍ୟ ଆଗୁଆ  ଦେଶ ତୁଳନାରେ ଆନୁପାତିକଭାବେ ବହୁତ ଭଲ ଅଛି । ସବୁଠୁ ବଡ଼ କଥା ହେଉଛି ଅନେକ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କରୋନା ଟିକା ପ୍ରଦାନ ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଭାରତରେ ତିଆରି ଟିକା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । ସେ କହିଛନ୍ତି ଯେ ଟିକାକରଣ କାର୍ଯ୍ୟ ପାଇଁ ଭାରତରେ ପୁରାଦମ୍‍ରେ କାମ ଚାଲିଛି । କାରଣ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍‍ ଟିକାକରଣ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆମେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ଯେଉଁଢଙ୍ଗରେ ପ୍ରସ୍ତୁତି ଆରମ୍ଭ କରିଥିଲୁ ଏଥର ସେହି ଢଙ୍ଗରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟମରତ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ରାଜକୋଟ ଏମ୍ସ ଗୁଜରାଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବ । ଏହାଦ୍ୱାରା ଡାକ୍ତରୀ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରୋତ୍ସାହିତ ହେବା ସହିତ ରାଜ୍ୟରେ ନିଯୁକ୍ତି ସୁବିଧା ମଧ୍ୟ ସୃଷ୍ଟି ହେବ । ଏହି ଏମ୍ସ ଦ୍ୱାରା 5 ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ସୁବିଧା ସୃଷ୍ଟି ହେବ । ଗୁଜରାଟର କରୋନା ବିରୋଧୀ ଲଢେଇକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ମହାମାରୀର କିପରି ସଫଳ ମୁକାବିଲା କରାଯାଇପାରେ ଗୁଜରାଟ ତାହା ପ୍ରମାଣକରି ଦେଖାଇଛି । ଏହି ସଫଳତା ପାଇଁ ସେ ଗୁଜରାଟର ବ୍ୟାପକ ତଥା ଦୃଢ ଚିକିତ୍ସା ଭିତ୍ତିଭୂମି ଏବଂ କରୋନା ମହାମାରୀର ଉତ୍ତମ ପରିଚାଳନାକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ଗୁଜରାଟରେ ଦୁଇ ଦଶନ୍ଧିର ନିରନ୍ତର ଉଦ୍ୟମ, ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ସଂକଳ୍ପ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ   ସଫଳତାର ମୂଳ ମନ୍ତ୍ର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ହାସଲର ଦୀର୍ଘକାଳ ପରେ ମଧ୍ୟ ଦେଶରେ ମାତ୍ର 6ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା । 2003ରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଆଉ 6ଟି ଏମ୍ସ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ 6 ବର୍ଷ ମଧ୍ୟରେ ଦେଶରେ 10ଟି ନୂଆ ଏମ୍ସର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ସେଥିମଧ୍ୟରୁ ଅଧିକାଂଶ ସଂପୂର୍ଣ୍ଣ ହୋଇ ଉଦ୍ଘାଟିତ ହେଲାଣି । ଏହିସବୁ ନୂଆ ଏମ୍ସ ବ୍ୟତୀତ ଦେଶରେ 20ଟି ସୁପର ସ୍ପେଶାଲିଟି ହସ୍‍ପିଟାଲ ମଧ୍ୟ ନିର୍ମିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2014 ପୂର୍ବରୁ ଆମ ସ୍ୱାସ୍ଥ୍ୟ ଉଦ୍ୟୋଗର ବିଭିନ୍ନ ଦିଗ ଏବଂ ବିଭାଗ ଭିନ୍ନ ଭିନ୍ନ ଆଭିମୁଖ୍ୟ ଓ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା । 2014 ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ବିବିଧତାର ଅବସାନ ଘଟାଇ ଏହାକୁ ସାମଗ୍ରିକ ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀରେ ପରିଚାଳନା କରାଯାଉଛି । ଏଥିରେ ଚିକିତ୍ସା ସହିତ ରୋଗର ଦୂରୀକରଣ ଅଗ୍ରାଧିକାର ପାଇଛି । ଏହାଛଡା ଦେଶରେ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଣକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚକୁ ସରକାର ହ୍ରାସ କରିବା ସହିତ ଚିକିତ୍ସକମାନଙ୍କର ସଂଖ୍ୟା ବଢାଇବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ସମଗ୍ର ଦେଶରେ 15 ଲକ୍ଷ ହେଲ୍ଥ ଏଣ୍ଡ ୱେଲନେସ ସେଣ୍ଟର ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ ସେଥିରୁ 50 ହଜାର କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି । କେବଳ ଗୁଜରାଟରେ 5 ହଜାର ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି । ଦେଶରେ 7 ହଜାର ଜନଔଷଧୀ କେନ୍ଦ୍ର ମାଧ୍ୟମରେ 3.5 ଲକ୍ଷ ଗରିବ ରୋଗୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଅବସରରେ ତାହାର ଏକ ତାଲିକା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2020 ସ୍ୱାସ୍ଥ୍ୟସେବା ପାଇଁ ଆହ୍ୱାନର ବର୍ଷ ଥିଲା । 2021 ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ବର୍ଷ ହେବାକୁ ଯାଉଛି । ଅଧିକ ସଚେତନତାର ସହ ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଅଗ୍ରସର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ 2020ରେ ସୃଷ୍ଟ କରୋନା ମହାମାରୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଭାରତ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ସେହି ଢଙ୍ଗରେ ଆଗାମୀ ଦିନରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ । 2021ରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତର ଅବଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ସମସ୍ୟାର ବ୍ୟାପକ ପରିସର ଏବଂ ତାହାର ସଫଳ ସମାଧାନ ସୂତ୍ର ବିଶେଷ ଗୁରୁତ୍ୱ ଲାଭ କରିବ । ଭାରତୀୟ ପେସାଦାର ଚିକିତ୍ସକଙ୍କ ଦକ୍ଷତା ଏବଂ ସେବା ପରାୟଣତା ସହିତ ଗଣଟିକାଦାନର ଉତ୍ତମ ଅଭିଜ୍ଞତା ବଳରେ ଭାରତ ଏ କ୍ଷେତ୍ରରେ ବିଶ୍ୱକୁ ଏକ ସୁଲଭ ଏବଂ ଚମତ୍କାର ସମାଧାନ ସୂତ୍ର ଯୋଗାଇବାରେ ସକ୍ଷମ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ଗୁଡିକ ସ୍ୱାସ୍ଥ୍ୟ ସମସ୍ୟା ଓ ସେଗୁଡିକର ସମାଧାନ ପାଇଁ ଟେକ୍‍ନୋଲଜିର ଉପଯୋଗ କରି ସ୍ୱାସ୍ଥ୍ୟସେବାକୁ ସୁଗମ କରିପାରିଛନ୍ତି । ଅତଏବ ଭାରତ ଉଭୟ ସ୍ୱାସ୍ଥ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ରୋଗବ୍ୟାଧିର ସଂକ୍ରମଣ ବିଶ୍ୱବ୍ୟାପୀ ରୂପ ନେଉଛି । ତେଣୁ ଏହି ବୈଶ୍ୱିକ ସଂକ୍ରମଣର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସମନ୍ୱୟ ରକ୍ଷା ଏବଂ ବ୍ୟାଧିର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଭାରତ ଯାହା ସବୁ କରିଛି ବିଶ୍ୱର ଏକ ଅଂଶୀଦାରଭାବେ ସେ ଏହି ଦାୟିତ୍ୱ ନିର୍ବାହ କରିଛି । ଚାହିଦା ଦେଖି ଭାରତ ନିଜକୁ ପରିସ୍ଥିତି ସହ ଖାପ୍‍ ଖୁଆଇଛି, ନୂଆ ଉପାୟ ବାହାର କରିଛି ଏବଂ ତାହାକୁ ସଂପ୍ରସାରିତ କରିପାରିଛି । ବିଶ୍ୱ ସହିତ ଭାରତ ଏ କ୍ଷେତ୍ରରେ ଆଗକୁ ଯାଇଛି ଏବଂ ସାମୂହିକ ଉଦ୍ୟମରେ ଯଥାର୍ଥ ସହଯୋଗ ଯୋଗାଇଛି । ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱ ସ୍ୱାସ୍ଥ୍ୟର ନାଭିକେନ୍ଦ୍ରଭାବେ ଆତ୍ମପ୍ରକାଶ କରୁଛି । 2021ରେ ଭାରତର ଏହି ଭୂମିକାକୁ ଆମକୁ ଆହୁରି ଅଧିକ ସୁଦୃଢ କରିବାକୁ ପଡିବ ।

 

**********

DS/AK/TM



(Release ID: 1685171) Visitor Counter : 217