ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Posted On:
24 DEC 2020 2:06PM by PIB Bhubaneshwar
ନମସ୍କାର,
ହେ ବିଧାତା, ଦାଓ- ଦାଓ ମୋଦେର ଗୌରବ ଦାଓ. . . ଗୁରୁଦେବ ଏକଦା କରିଥିବା ଏହି କାମନା, ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଥିଲା ।
ଆଜି ବିଶ୍ୱ ଭାରତୀର ଗୌରବମୟ 100 ବର୍ଷ ପୂର୍ତ୍ତି ଅମସରରେ, ମୋ ତରଫରୁ ସଂପୂର୍ଣ୍ଣ ରାଷ୍ଟ୍ର ଏହି ମହାନ ସଂସ୍ଥାନ ନିମନ୍ତେ ଏହି ଶୁଭ କାମନା ପ୍ରକଟ କରୁଛି । ହେ ବିଧାତା, ଦାଓ-ଦାଓ ମୋଦେର ଗୌରବ ଦାଓ. . . ବଙ୍ଗଳାର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼ ଜୀ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଜୀ, କୁଳପତି ପ୍ରଫେସର ବିଦ୍ୟୁତ ଚକ୍ରବର୍ତ୍ତୀ ଜୀ, ସମସ୍ତ ପ୍ରଫେସରଗଣ, ରେଜିଷ୍ଟ୍ରାର, ବିଶ୍ୱ ଭାରତୀର ସମସ୍ତ ଶିକ୍ଷକଗଣ ଏବଂ ଛାତ୍ରଛାତ୍ରୀବୃନ୍ଦ, ଆଲୁମିନି, ଦେବୀ ଓ ସଜ୍ଜନଗଣ ।
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ 100 ବର୍ଷ ପୂରଣ କରିବା, ପ୍ରତ୍ୟେକ ଭାରତବାସୀଙ୍କ ନିମନ୍ତେ ଏକ ବହୁତ ଗର୍ବ ଓ ଗୌରବର କଥା । ମୋ ପାଇଁ ଏହା ଅତ୍ୟନ୍ତ ସୁଖଦ କଥା ଯେ ଆଜି ଏହି ଶୁଭ ଅବସରରେ ଏହି ତପୋଭୂମିର ପୁଣ୍ୟ ସ୍ମରଣ କରିବା ନିମନ୍ତେ ମୋତେ ଅବସର ମିଳିଛି ।
ସାଥୀଗଣ,
ବିଶ୍ୱ ଭାରତୀର ଏକ ଶହ ବର୍ଷର ଏହି ଯାତ୍ରା ଅନେକ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ବହନ କରେ ।
ବିଶ୍ୱ ଭାରତୀ, ମା’ ଭାରତୀ ନିମନ୍ତେ ଗୁରୁଦେବଙ୍କ ଚିନ୍ତନ, ଦର୍ଶନ ଏବଂ ପରିଶ୍ରମର ଏକ ସାକାର ଅବତାର ବୋଲି କହିବା ଉଚିତ ହେବ ।
ଭାରତ ପାଇଁ ଗୁରୁଦେବ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନକୁ ବାସ୍ତବ ସ୍ୱରୂପ ପ୍ରଦାନ କରିବା ନିମନ୍ତେ ଦେଶକୁ ନିରନ୍ତର ଆଲୋକ ପ୍ରଦାନ କରିଆସୁଥିବା ଏହି ଅନୁଷ୍ଠାନ ଏକ ଆରାଧ୍ୟ ସ୍ଥଳୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ଅନେକ ବିଶ୍ୱ ପ୍ରସିଦ୍ଧ ଗୀତକାର- ସଙ୍ଗୀତକାର, କଳାକାର- ସାହିତ୍ୟକାର, ଅର୍ଥଶାସ୍ତ୍ରୀ- ସମାଜଶାସ୍ତ୍ରୀ, ବୈଜ୍ଞାନିକ ଅନେକ ବିତ୍ତ ପ୍ରତିଭାଗଣଙ୍କୁ ଦେଇଥିବା ବିଶ୍ୱ ଭାରତୀ, ନୂତନ ଭାରତର ନିର୍ମାଣ ନିମନ୍ତେ ନିତି ଦିନ ନୂତନ ପ୍ରୟାସ କରି ଚାଲିଛି । ଏହି ସଂସ୍ଥାନକୁ ଏପରି ଶୀର୍ଷରେ ପହଞ୍ଚାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଆଦରପୂର୍ବକ ନମନ କରୁଛି, ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।
ଏକଥା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ବିଶ୍ୱ ଭାରତୀ, ଶ୍ରୀନିକେତନ ଏବଂ ଶାନ୍ତି ନିକେତନ ନିରନ୍ତର ଏହି ଲକ୍ଷ୍ୟମାନଙ୍କୁ ପ୍ରାପ୍ତ କରିବା ସକାଶେ ପ୍ରୟାସ କରିଚାଲିଛି ଯାହା ସେମାନଙ୍କ ନିମନ୍ତେ ଗୁରୁଦେବ ଧାର୍ଯ୍ୟ କରି ଯାଇଛନ୍ତି ।
ବିଶ୍ୱ ଭାରତୀ ଦ୍ୱାରା ଅନେକ ଗ୍ରାମରେ ବିକାଶ କାର୍ଯ୍ୟ ଏକ ପ୍ରକାର କହିବାକୁ ଗଲେ ଗ୍ରାମୋଦୟ କାର୍ଯ୍ୟ ତ ସଦାସର୍ବଦା ଜାରି ରହିଛି ଯାହା ଅତ୍ୟନ୍ତ ପ୍ରଶଂସନୀୟ ଭାବେ ସାକାର ହୋଇଚାଲିଛି ।
ଆପଣମାନେ 2015 ମସିହାରେ ବିଶ୍ୱ ଭାରତୀରେ ଯେଉଁ ଯୋଗ ବିଭାଗ ଆରମ୍ଭ କରିଥିଲେ, ତାହାର ମଧ୍ୟ ଲୋକପ୍ରିୟତା ବେଶ୍ କ୍ଷିପ୍ର ଗତିରେ ବୃଦ୍ଧି ପାଇଚାଲିଛି ।
ପ୍ରକୃତିର ସହିତ ମିଳିମିଶି ଏବଂ ପ୍ରକୃତିର କୋଳରେ ଅଧ୍ୟୟନ ଓ ଜୀବନ, ଉଭୟର ସାକ୍ଷାତ ଉଦାହରଣ ଆପଣମାନଙ୍କ ବିଶ୍ୱବିଦ୍ୟାଳୟ ପରିସରରେ ସଦାସର୍ବଦା ବିଦ୍ୟମାନ ରହିଛି ।
ଆପଣମାନଙ୍କୁ ଏକଥା ଦେଖି ନିଶ୍ଚିତ ରୂପେ ଖୁସି ହେଉଥିବ ଯେ ଆମର ଦେଶ, ବିଶ୍ୱ ଭାରତୀରୁ ବାହାରିଥିବା ସନ୍ଦେଶକୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ପହଞ୍ଚାଇବାରେ ଲାଗିଛି । ଭାରତ ଆଜି ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ମାଧ୍ୟମରେ ପର୍ଯ୍ୟାବରଣ ସଂରକ୍ଷଣ ପ୍ରସଙ୍ଗରେ ସମଗ୍ର ବିଶ୍ୱକୁ ସଚେତନ କରିବା ନିମନ୍ତେ ଏକ ବିଶେଷ ଭୂମିକା ନିର୍ବାହ କରୁଛି । ଭାରତ ଆଜି ସମଗ୍ର ବିଶ୍ୱରେ ଏକମାତ୍ର ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛି ଯିଏ ପ୍ୟାରିସ୍ ଜଳବାୟୁ ରାଜିନାମାର ପର୍ଯ୍ୟାବରଣ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ଉଚିତ ମାର୍ଗରେ ବେଶ୍ ଦ୍ରୁତ ଗତିରେ ଆଗକୁ ଧାବମାନ ରହିଛି ।
ସାଥୀଗଣ,
ଆଜି ଯେତେବେଳେ ଆମେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର 100ତବ ବର୍ଷ ପୂର୍ତ୍ତି ପାଳନ କରୁଛୁ, ସେତେବେଳେ ଥରେ ସେତେବେଳର ପରିସ୍ଥିତି କଥା ସ୍ମରଣ କରିବା ଆବଶ୍ୟକ, ଯାହା ଏହାର ସ୍ଥାପନାର ଆଧାରଶିଳା ହୋଇଥିଲା ।
ସେହି ପରିସ୍ଥିତି କେବଳ ଇଂରେଜ ସରକାରଙ୍କ ଗୋଲାମୀରୁ ଉତ୍ପନ୍ନ ହୋଇଥିଲା, ସେକଥା ନୁହେଁ । ଏହା ପଛରେ ଛପି ରହିଥିବା ଶହ ଶହ ବର୍ଷର ଅନୁଭବ ମଧ୍ୟ ଥିଲା । ଶହ ଶହ ବର୍ଷ ପର୍ଯ୍ୟନ୍ତ ଚାଲି ଆସିଥିବା ଆନ୍ଦୋଳନର ପୃଷ୍ଠଭୂମି ମଧ୍ୟ ରହିଥିଲା । ଆଜି ଆପଣମାନେ ଯେଉଁ ବିଦବତ୍ତାଗଣଙ୍କ ଗହଣରେ, ମୁଁ ଏହାର ବିଶେଷତା ଚର୍ଚ୍ଚା ଏଇଥିପାଇଁ ଚର୍ଚ୍ଚା କରୁଛି , କାରଣ ଏହା ଉପରେ ଖୁବ୍ କମ୍ ଆଲୋଚନା ହୋଇଛି, ଖୁବ୍ କମ୍ ଧ୍ୟାନ ଦିଆଯାଇଛି ।
ଏହା ଉପରେ ଚର୍ଚ୍ଚା ଏଇଥିପାଇଁ ଆବଶ୍ୟକ, କାରଣ ଏହା ସିଧା ସଳଖ ଭାରତର ସ୍ୱତନ୍ତ୍ରତା ଆନ୍ଦୋଳନ ଏବଂ ବିଶ୍ୱ ଭାରତୀର ଲକ୍ଷ୍ୟମାନଙ୍କ ସହିତ ସଂଯୁକ୍ତ ହୋଇ ରହିଛି ।
ସାଥୀଗଣ,
ଆମେ ଯେତେବେଳେ ସ୍ୱତନ୍ତ୍ରତା ସଂଗ୍ରାମ ସଂପର୍କରେ ଆଲୋଚନା କରୁଛୁ ସେତେବେଳେ ଆମ ମନରେ ସିଧା ଉନବିଂଶ ଶତାବ୍ଦୀ ଏବଂ ବିଂଶ ଶତାବ୍ଦୀର ବିଚାର ହିଁ ଆସିଥାଏ । କିନ୍ତୁ ଏହା ମଧ୍ୟ ଏକ ତଥ୍ୟ ଯେ ଏହି ସବୁ ଆନ୍ଦୋଳନମାନଙ୍କର ମୂଳ ଲକ୍ଷ୍ୟ ବହୁତ ପୂର୍ବରୁ ରଖା ଯାଇଥିଲା ।
ଭାରତର ସ୍ୱାଧୀନତା ଆନ୍ଦୋଳନ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଚାଲି ଆସୁଥିଲା ଯାହା ଅନେକ ଆନ୍ଦୋଳନରୁ ହିଁ ଏହାର ଶକ୍ତି ତଥା ଆଲୋକ ଆହରଣ କରିଥିଲା ।
ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏକତାକୁ ଭକ୍ତି ଆନ୍ଦୋଳନ ହିଁ ମଜଭୁତ କରିବାର ଦାୟିତ୍ୱ ନିର୍ବାହ କରିଥିଲା । ଭକ୍ତି ଯୁଗରେ, ଭାରତର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଅଞ୍ଚଳ, ପୂର୍ବ- ପଶ୍ଚମ- ଉତ୍ତର- ଦକ୍ଷିଣ ପ୍ରତ୍ୟେକ ଦିଗରେ ଆମର ସନ୍ଥମାନେ, ସାଧୁମାନେ, ମହନ୍ତମାନେ, ଆଚାର୍ଯ୍ୟମାନେ ଦେଶର ଚେତନାକୁ ଜାଗ୍ରତ କରି ରଖିବା ସକାଶେ ନିରନ୍ତର, ଅବିରାମ ଭାବେ ପ୍ରୟାସ କରିଆସୁଥିଲେ । ଯଦି ଦକ୍ଷିଣ ଭାରତର କଥା କହିବା, ତେବେ ମାଧ୍ୱାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟଙ୍କ ନାମ ଆମ ମନକୁ ଆସିବ, ଯଦି ପଶ୍ଚମ ପ୍ରାନ୍ତ ଉପରେ ନଜର ପକାଇବା ତେବେ ଆମକୁ ମୀରା ବାଈ, ଏକନାଥ, ତୁକାରାମ, ରାମଦାସ, ନରସୀ ମେହଟାଙ୍କ ଭଳି ବ୍ୟକ୍ତିତ୍ୱ ଦୃଶ୍ୟ ହେବେ । ଯଦି ଉତ୍ତର ଭାରତ କଥା ଆଲୋଚନା କରିବା ତେବେ ଆମକୁ ସନ୍ଥ ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀ ଦାସ, ସୁରଦାସ, ଗୁରୁ ନାନକ ଦେବ, ସନ୍ଥ ରୈଦାସଙ୍କ ନାମ ମନକୁ ଆସିବ । ସେହିଭଳି ଅଗଣିତ ମହାପୁରୁଷ ପୂର୍ବ ଦିଗରେ ମଧ୍ୟ ରହିଛନ୍ତି । ସେମାନଙ୍କର ଏତେ ସଂଖ୍ୟକ ନାମ ରହିଛି ଯେ ସମସ୍ତଙ୍କ ନାମ ଉଚ୍ଚାରଣ କରିବା ଅସମ୍ଭବ । ସେମାନଙ୍କ ମଧ୍ୟରୁ ଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀମନ୍ତ ଶଙ୍କର ଦେବଙ୍କ ଭଳି ସନ୍ଥମାନଙ୍କ ବିଚାର ସମାଜକୁ ଆଲୋକବର୍ତ୍ତିକା ପ୍ରଦର୍ଶନ କରିଥିଲା ।
ଭକ୍ତି ଯୁଗର ଏହି କାଳଖଣ୍ଡରେ ରସଖାନ, ସୁରଦାସ, ମଲିକ ମହମ୍ମଦ ଜାୟସୀ, କେଶବଦାସ, ବିଦ୍ୟାପତି ଏବଂ ଆହୁରି କେତେ କେତେ ମହାନ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜର ରଚନାବଳୀ ମାଧ୍ୟମରେ ସମାଜକୁ ସୁଧାରିବା ନିମନ୍ତେ କାର୍ଯ୍ୟ କରି ଯାଇଛନ୍ତି, ଆଗକୁ ବଢ଼ିବାକୁ ପ୍ରୟାସ କରିଛନ୍ତି, ପ୍ରଗତିର ମାର୍ଗ ପ୍ରଦର୍ଶନ କରିଛନ୍ତି । ଭକ୍ତିକାଳରେ ଏହି ପୁଣ୍ୟାତ୍ମାଗଣ ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ଭିତରେ ଏକତାର ସହ ଠିଆ ହେବାର ଚିନ୍ତନ ସୃଷ୍ଟି କରିଥିଲେ । ଏହି କାରଣରୁ ଏ ଆନ୍ଦୋଳନ ପ୍ରତ୍ୟେକ କ୍ଷେତ୍ରର ସୀମା ଡେଇଁ ଭାରତର କୋଣ ଅନୁକୋଣରେ ପହଞ୍ଚିଥିଲା । ପ୍ରତ୍ୟେକ ପନ୍ଥ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଜାତିର ଲୋକ, ଭକ୍ତିର ଅଧିଷ୍ଠାନ ଉପରେ ସ୍ୱାଭିମାନ ଏବଂ ସାଂସ୍କୃତିକ ପରମ୍ପରା ସକାଶେ ଏକଜୁଟ ହୋଇ ଠିଆ ହୋଇଥିଲେ ।
ଭକ୍ତି ଆନ୍ଦୋଳନ ସେହି ଡୋରି ଯାହା ଶତାବ୍ଦୀ ଶତାବ୍ଦୀ ଧରି ସଂଘର୍ଷରତ ଭାରତକୁ ସାମୂହିକ ଚେତନା ଏବଂ ଆତ୍ମବିଶ୍ୱାସରେ ଭରତ ଦେଇଥିଲା ।
ସାଥୀଗଣ,
ଭକ୍ତିର ଏହି ବିଷୟ ସେପର୍ଯ୍ୟନ୍ତ ଆଗକୁ ବଢ଼ିପାରିବ ନାହିଁ ଯେପର୍ଯ୍ୟନ୍ତ ମହାନ କାଳୀ ଭକ୍ତ ଶ୍ରୀରାମକୃଷ୍ଣ ପରମହଂସଙ୍କ ଚର୍ଚ୍ଚା କରାଯିବ ନାହିଁ । ସେହି ମହାନ ସନ୍ଥ ଯାହାଙ୍କ କାରଣରୁ ଭାରତକୁ ସ୍ୱାମୀ ବିବେକାନନ୍ଦ ପ୍ରାପ୍ତ ହୋଇଥିଲା । ସ୍ୱାମୀ ବିବେକାନନ୍ଦ ଭକ୍ତି, ଜ୍ଞାନ ଏବଂ କର୍ମ, ତିନି ଯୋଗରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପିତ କରି ଦେଇଥିଲେ । ସେ ଭକ୍ତିର ମାର୍ଗରେ ଅଗ୍ରସର ହେବା ସହିତ ପ୍ରତ୍ୟେକ ବ୍ୟକ୍ତିକୁ ଦିବ୍ୟତା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ସେ ବ୍ୟକ୍ତି ଏବଂ ସଂସ୍ଥାନର ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରି କର୍ମକୁ ମଧ୍ୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ, ଅନ୍ୟମାନଙ୍କୁ ସେହି ମାର୍ଗରେ ପ୍ରେରିତ କରିଥିଲେ ।
ସାଥୀଗଣ,
ଭକ୍ତି ଆନ୍ଦୋଳନର ଶହ ଶହ ବର୍ଷର କାଳଖଣ୍ଡ ସହିତ ଅଦଶରେ କର୍ମ ଆନ୍ଦୋଳନ ମଧ୍ୟ ଜାରି ରହିଥିଲା । ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଜନସାଧାରଣ ଦାସତ୍ୱ ଏବଂ ସାମ୍ରାଜ୍ୟବାଦ ବିରୋଧରେ ସେମାନଙ୍କର ଅତନ୍ଦ୍ର ସଂଗ୍ରାମ ଜାରି ରଖିଥିଲେ । ସେ ଛତ୍ରପତି ଶିବାଜୀ ମହାରାଜ ହୁଅନ୍ତୁ, ମହାରାଣା ପ୍ରତାପ ହୋଇଥାନ୍ତୁ, ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହୋଇଥାନ୍ତୁ, କିତ୍ତୁରର ରାଣୀ ଚେନମ୍ମା ହୋଇଥାନ୍ତୁ କିମ୍ବା ସେହିଭଳି ଭଗବାନ ବୀରସା ମୁଣ୍ଡାଙ୍କ ସଶସ୍ତ୍ର ସଂଗ୍ରାମ ହୋଇଥାଉ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଦେଶର ସାଧାରଣ ନାଗରିକମାନଙ୍କ ତପସ୍ୟା ଓ ତ୍ୟାଗ ଏବଂ ତର୍ପଣର କର୍ମ, କଠୋର ସାଧାନା ସେତେବେଳେ ଚରମ ସୀମାରେ ଥିଲା । ତାହା ହିଁ ଭବିଷ୍ୟତରେ ଆମର ସ୍ୱତନ୍ତ୍ରତା ସଂଗ୍ରାମକୁ ଢ଼େର ମାତ୍ରାରେ ପ୍ରେରଣା ଯୋଗାଇଥିଲା ।
ସାଥୀଗଣ,
ଯେତେବେଳେ ଭକ୍ତି ଏବଂ କର୍ମର ଧାରା ସଂପୂର୍ଣ୍ଣ ରୂପେ ପ୍ରବାହିତ ହେଉଥିଲା ସେତେବେଳେ ତ ଏଥି ସହିତ ଜ୍ଞାନର ଧାରର ନୂତନ ତ୍ରିବେଣୀ ସଂଗମ, ସ୍ୱାଧୀନତା ଆନ୍ଦୋଳନକୁ ଚେତନା ପ୍ରଦାନ ନିମନ୍ତେ ଏକ ବିରାଟ ଉତ୍ସରେ ପରିଣତ ହୋଇଥିଲା ।
ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ସମର୍ପଣ ଭାବର ସହିତ ଭକ୍ତିର ପ୍ରେରଣା ଉପଲବ୍ଧ ହେଉଥିଲା ତାହା ସମଗ୍ର ଦେଶକୁ ଭରପୂର କରି ଦେଇଥିଲା । ସମୟର ଆବଶ୍ୟକତା ଥିଲା ଯେ ଜ୍ଞାନର ଅଧିଷ୍ଠାନ ଉପରେ ସ୍ୱାଧୀନତାର ସଂଗ୍ରାମରେ ବିଜୟୀ ହେବା ନିମନ୍ତେ ବୈଚାରିକ ଆନ୍ଦୋଳନକୁ ସୁପ୍ରତିଷ୍ଠିତ କରାଯିବା ଆବଶ୍ୟକ ଏବଂ ଏଥି ସହିତ ଭବିଷ୍ୟତର ଉଜ୍ଜ୍ୱଳ ଭାରତର ନିର୍ମାଣ ନିମନ୍ତେ ନୂତନ ପିଢ଼ିଙ୍କୁ ପ୍ରସ୍ତୁତ ମଧ୍ୟ କରାଯିବା ଆବଶ୍ୟକ । ଏବଂ ଏଥିରେ ସବୁଠାରୁ ବଡ଼ ଭୂମିକା ନିର୍ବାହ କରିଥିଲା ସେହି ସମୟରେ ସ୍ଥାପିତ ଅନେକ ପ୍ରତିଷ୍ଠିତ ଶିକ୍ଷଣ ସଂସ୍ଥାନ, ବିଶ୍ୱବିଦ୍ୟାଳୟମାନ ।
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ହୋଇଥାଉ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହୋଇଥାଉ, ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ହୋଇଥାଉ, ନ୍ୟାସନାଲ କଲେଜ ହୋଇଥାଉ ଯାହା ଏବେ ଲାହୋରରେ ରହିଛି, ମହୀଶୂର ବିଶ୍ୱବିଦ୍ୟାଳୟ ହୋଇଥାଉ, ତ୍ରିଚି ନ୍ୟାସନାଲ କଲେଜ ହୋଇଥାଉ, ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ହୋଇଥାଉ, ଗୁଜରାଟ ବିଦ୍ୟାପୀଠ ହୋଇଥାଉ, ୱିଲିଂଡନ୍ କଲେଜ ହୋଇଥାଉ, ଜାମିଆ ମିଲିଆ ଇସଲାମିଆ ହୋଇଥାଉ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ହୋଇଥାଉ, ପାଟନା ବିଶ୍ୱବିଦ୍ୟାଳୟ ହୋଇଥାଉ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହୋଇଥାଉ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ ହୋଇଥାଉ, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ ହୋଇଥାଉ, ଏହିଭଳି ଆହୁରି ଅନେକ ସ୍ଥାନ ସେହି କାଳଖଣ୍ଡରେ ଦେଶର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିଲା । ସେହିସବୁ ବିଶ୍ୱବିଦ୍ୟାଳୟମାନ ଭାରତରେ ଏକ ସଂପୂର୍ଣ୍ଣ ନୂତନ ବିଦ୍ବତ୍ତାର ବିକାଶ ଘଟାଇଥିଲା ।
ସେହିସବୁ ଶିକ୍ଷଣ ସଂସ୍ଥାନମାନ ଭାରତର ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ସେତେବେଳେ ଚାଲୁଥିବା ବୈଚାରିକ ଆନ୍ଦୋଳନକୁ ନୂତନ ଆଲୋକ ପ୍ରଦାନ କରିଥିଲା, ନୂତନ ଦିଶା ନିର୍ଦ୍ଦେଶ କରିଥିଲା, ନୂତନ ଶୀର୍ଷରେ ପହଞ୍ଚାଇଥିଲା ।
ଭକ୍ତି ଆନ୍ଦୋଳନ ଦ୍ୱାରା ଆମେ ସଭିଏଁ ଏକଜୁଟ ହୋଇ ପାରିଥିଲେ, ଜ୍ଞାନ ଆନ୍ଦୋଳନ ଦ୍ୱାରା ଆମକ ବୌଦ୍ଧିକ ସାମର୍ଥ୍ୟ ପ୍ରାପ୍ତ ହୋଇଥିଲା ଏବଂ କର୍ମ ଆନ୍ଦୋଳନ ଆମକୁ ନିଜର ହକ୍ ହାସଲ ନିମନ୍ତେ ଲଢ଼ିବାକୁ ସାମର୍ଥ୍ୟ ଏବଂ ଦୃଢ଼ତା ଯୋଗାଇଥିଲା । ଶହ ଶହ ବର୍ଷର କାଳଖଣ୍ଡ ଧରି ଚାଲି ଆସିଥିବା ଆନ୍ଦୋଳନ ତ୍ୟାଗ, ତପସ୍ୟା ଏବଂ ତର୍ପଣର ଅଭିନବ ଆଲୋକବର୍ତ୍ତିକା ଭାବେ ଆମ ଆଗରେ ଉଦ୍ଭାସିତ ହୋଇଥିଲା । ସେହିସବୁ ଆନ୍ଦୋଳନମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ହଜାର ହଜାର ଲୋକ ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେବା ନିମନ୍ତେ ଜଣକ ପରେ ଜଣେ ଆଗକୁ ଅଗ୍ରସର ହୋଇଥିଲେ ।
ସାଥୀଗଣ,
ଗୁରୁଦେବଙ୍କ ଦ୍ୱାରା ସେହି ଜ୍ଞାନ ଆନ୍ଦୋଳନ ମାଧ୍ୟମରେ ସ୍ଥାପିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଦେଶକୁ ଏକ ନୂତନ ଆଲୋକ ଓ ଶକ୍ତି ଯୋଗାଇଥିଲା ।
ଗୁରୁଦେବ ଏହିଭଳି ଭାବେ ଭାରତର ସଂସ୍କୃତିକୁ ଯୋଡ଼ି, ନିଜର ପରମ୍ପରାମାନଙ୍କୁ ଯୋଡ଼ି ବିଶ୍ୱଭାରତୀକୁ ଯେଉଁ ସ୍ୱରୂପ ପ୍ରଦାନ କରିଥିଲେ, ସେଥିରେ ରାଷ୍ଟ୍ରବାଦର ଏକ ମଜଭୁତ ପରିଚୟ ଦେଶ ସାମ୍ନାରେ ଉପସ୍ଥାପିତ ହୋଇପାରିଥିଲା । ଏହା ସହ, ସେ ବିଶ୍ୱ ବନ୍ଧୁତ୍ୱ ଉପରେ ମଧ୍ୟ ସେତିକି ଗୁରୁତ୍ୱ ଆରୋପ କରିଥିଲେ ।
ସାଥୀଗଣ,
ବେଦ ଠାରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଭାରତର ଚିନ୍ତନର ଧାରା ଗୁରୁଦେବଙ୍କ ରାଷ୍ଟ୍ରବାଦର ଚିନ୍ତନରେ ସୁଦ୍ଧା ମୁଖରିତ ହୋଇଥିଲା ଏବଂ ଏହି ଧାରା ଅନ୍ତର୍ମୁଖୀ ନଥିଲା । ତାହା ଭାରତକୁ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ଠାରୁ ଅଲଗା ରଖିବା ସକାଶେ ଉଦ୍ଦିଷ୍ଟ ନଥିଲା । ଏହାର ଦୂରଦୃଷ୍ଟି ଥିଲା ଯେ ଭାରତ ସର୍ବଶ୍ରେଷ୍ଠ ଏବଂ ସେଥିରୁ ବିଶ୍ୱ ମଧ୍ୟ ଲାଭାନ୍ୱିତ ହୋଇପାରିବ ଏବଂ ଯେଉଁ ଶ୍ରେଷ୍ଠତ୍ୱ ବିଶ୍ୱରେ ଉପଲବ୍ଧ ରହିଛି, ଭାରତ ମଧ୍ୟ ସେଥିରୁ ଫାଇଦା ଉଠାଇ ପାରିବ, ଶିଖି ପାରିବ । ଆପଣମାନେ ବିଶ୍ୱବିଦ୍ୟାଳୟର ନାମକୁ ଲକ୍ଷ୍ୟ କରନ୍ତୁ । ବିଶ୍ୱ ଭାରତୀ । ମା’ ଭାରତୀ ଏବଂ ବିଶ୍ୱର କି ଅପୂର୍ବ ସମନ୍ୱୟ! ଗୁରୁଦେବ ଏକ ସର୍ବ ସମାବେଶୀ ଓ ସର୍ବ ସ୍ପର୍ଶୀ, ସହ ଅସ୍ଥିତ୍ୱ ଓ ସହଯୋଗ ମାଧ୍ୟମରେ ମାନବ କଲ୍ୟାଣର ବୃହତ୍ ଲକ୍ଷ୍ୟକୁ ନେଇ ଆଗକୁ ଅଗ୍ରସର ହେଉଥିଲେ । ବିଶ୍ୱ ଭାରତୀ ନିମନ୍ତେ ଗୁରୁଦେବଙ୍କ ଏହି ଦୂରଦୃଷ୍ଟି ଆତ୍ମନିର୍ଭର ଭାରତର ମଧ୍ୟ ସାରତତ୍ତ୍ୱ । ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ବିଶ୍ୱ କଲ୍ୟାଣ ନିମନ୍ତେ ଭାରତର କଲ୍ୟାଣର ମାର୍ଗ ପାଲଟିଛି । ଏହି ଅଭିଯାନ, ଭାରତକୁ ସଶକ୍ତ କରିବାର ଅଭିଯାନ, ଭାରତର ସମୃଦ୍ଧି ଦ୍ୱାରା ବିଶ୍ୱର ସମୃଦ୍ଧି ଘଟାଇବାର ଏକ ଅଭିନବ ଅଭିଯାନ ।
ଇତିହାସ ଏହାର ସାକ୍ଷୀ ଯେ ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭାରତ ସଦାସର୍ବଦା, ସମଗ୍ର ବିଶ୍ୱ ସମୁଦାୟର କଲ୍ୟାଣ ସାଧନ କରିଥାଏ । ଆମର ବିକାଶ ଏକାକୀ ନୁହେଁ ବରଂ ବୈଶ୍ୱିକ ଏବଂ କେବଳ ସେତିକି ନୁହେଁ, ଆମର ରକ୍ତରେ ତାହା ରହିଛି ଏବଂ ପ୍ରବାହିତ ହେଉଛି, ତାହା ହେଲା- ସର୍ବେ ଭବନ୍ତୁ ସୁଖିନଃ ।
ଭାରତୀ ଏବଂ ବିଶ୍ୱ ମଧ୍ୟରେ ଏହି ସମ୍ବନ୍ଧ ଆପଣମାନଙ୍କ ଠାରୁ ଆଉ କିଏ ଭଲ ଭାବେ ଜାଣିଛି? ଗୁରୁଦେବ ଆମମାନଙ୍କୁ “ସ୍ୱଦେଶୀ ସମାଜ” ଗଠନ ନିମନ୍ତେ ପ୍ରେରିତ କରିଥିଲେ ।
ସେ ଆମର ଗ୍ରାମକୁ, ଆମର କୃଷିକୁ ଆତ୍ମନିର୍ଭର ଭାବେ ଦେଖିବାକୁ ଚାହୁଁଥିଲେ, ସେ ବାଣିଜ୍ୟ ଏବଂ ବ୍ୟାପାରକୁ ଆତ୍ମନିର୍ଭର ଦେଖିବାକୁ ଚାହୁଁଥିଲେ, ସେ କଳା ଓ ସାହିତ୍ୟକୁ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିଲେ । ସେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲ ନିମନ୍ତେ “ଆତ୍ମଶକ୍ତି”ର କଥା କହୁଥିଲେ ।
ଆତ୍ମଶକ୍ତିର ଆଲୋକ ଦ୍ୱାରା ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟକୁ ନେଇ ସେ ଯେଉଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ, ତାହା ଏବେ ସୁଦ୍ଧା ସେତିକି ମାନ୍ୟତା ଓ ଯଥାର୍ଥତା ବହନ କରେ । ସେ କହିଥିଲେ –
“ରାଷ୍ଟ୍ରର ନିର୍ମାଣ, ଏକ ପ୍ରକାର ନିଜର ଆତ୍ମା ପ୍ରାପ୍ତିର ବିସ୍ତାର ଭଳି କାର୍ଯ୍ୟ । ଯେତେବେଳେ ଆପଣମାନେ ନିଜ ବିଚାରଶକ୍ତି ଦ୍ୱାରା, ନିଜର କାର୍ଯ୍ୟ ଦ୍ୱାରା, ନିଜର କର୍ତ୍ତବ୍ୟକୁ ନିର୍ବାହ କରି ଦେଶର ନିର୍ମାଣ କରନ୍ତୁ, ସେତେବେଳେ ଆପଣଙ୍କୁ ଦେଶର ଆତ୍ମାରେ ହିଁ ନିଜର ଆତ୍ମା ଦୃଶ୍ୟ ହେବାକୁ ଲାଗିଥାଏ ।’
ସାଥୀଗଣ,
ଭାରତର ଆତ୍ମା, ଭାରତର ଆତ୍ମନିର୍ଭରଶୀଳତା ଏବଂ ଭାରତର ଆତ୍ମସମ୍ମାନ ପରସ୍ପର ସହିତ ବେଶ୍ ଘନିଷ୍ଠ ଭାବେ ଜଡ଼ିତ ରହିଛି ।
ଭାରତର ଆତ୍ମସମ୍ମାନର ସୁରକ୍ଷା ନିମନ୍ତେ ତ ବଙ୍ଗଳାର ପିଢ଼ି ପରେ ପିଢ଼ି ନିଜକୁ ସମର୍ପିତ କରି ଦେଇଛନ୍ତି । ସ୍ମରଣ କରନ୍ତୁ ଖୁଦିରାମ ବୋଷ ମାତ୍ର 18 ବର୍ଷ ବୟସରେ ଫାଶୀଖୁଣ୍ଟରେ କିଭଳି ଆତ୍ମବଳି ଦେଇଥିଲେ । ପ୍ରଫୁଲ୍ଲ ଚାକି ମାତ୍ର 19 ବର୍ଷ ବୟସରେ ହିଁ ଶହୀଦ ହୋଇଥିଲେ । ବୀଣା ଦାସ, ଯିଏ ବଙ୍ଗଳାର ଅଗ୍ନିକନ୍ୟା ଭାବେ ସୁବିଖ୍ୟାତ ଥିଲେ, ମାତ୍ର 21 ବର୍ଷ ବୟସରେ ତାଙ୍କୁ କାରା ବରଣ କରିବାକୁ ପଡ଼ିଥିଲା ।
ପ୍ରୀତିଲତା ବଡ୍ଡେକରଙ୍କୁ ମାତ୍ର 21 ବର୍ଷ ବୟସରେ ନିଜର ଜୀବନକୁ ତ୍ୟାଗ କରିବାକୁ ପଡ଼ିଥିଲା । ଏହିଭଳି ଅସଂଖ୍ୟ ଲୋକ ଅଛନ୍ତି ହୁଏତ ସେମାନଙ୍କ ନାମ ଇତିହାସ ପୃଷ୍ଠାରେ ଏପର୍ଯ୍ୟନ୍ତ ଦରଜ ହୋଇପାରିନାହିଁ । ସେମାନେ ସମସ୍ତେ ଦେଶର ଆତ୍ମସମ୍ମାନ ନିମନ୍ତେ ପର୍ଯ୍ୟାପ୍ତ ନିର୍ଯ୍ୟାତନା ସହ୍ୟ କରି ଏବଂ ହସି ହସି ମୃତ୍ୟୁକୁ ଗଳାରେ ବରଣ କରିଥିଲେ ।
ଆଜି ସେହି ପ୍ରେରଣାକୁ ଗ୍ରହଣ କରି ଆମେ ଆତ୍ମନିର୍ଭର ଭାରତ ନିମନ୍ତେ ବଞ୍ଚିଛୁ, ଏହି ସଂକଳ୍ପକୁ ସଂପୂର୍ଣ୍ଣ କରିବାକୁ ସ୍ଥିର କରିଛୁ ।
ସାଥୀଗଣ,
ଭାରତକୁ ମଜଭୁତ ଏବଂ ଆତ୍ମନିର୍ଭର କରିବା ସକାଶେ ଆପଣମାନଙ୍କ ପ୍ରତ୍ୟେକ ଯୋଗଦାନ, ସମଗ୍ର ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବ । 2022 ମସିହାରେ ଦେଶ ସ୍ୱତନ୍ତ୍ରତା ପ୍ରାପ୍ତିର 75ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବିଶ୍ୱଭାରତୀର ସ୍ଥାପନାର 27 ବର୍ଷ ପରେ ଭାରତ ସ୍ୱାଧୀନତା ଲାଭ କରିଥିଲା । ଆଜିଠାରୁ 27 ବର୍ଷ ପରେ ଭାରତ ନିଜ ସ୍ୱାଧୀନତା ପ୍ରାପ୍ତିର 100 ବର୍ଷ ପୂର୍ତ୍ତି ପାଳନ କରିବ । ଆମକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ, ନୂତନ ଶକ୍ତି ସଂଗ୍ରହ କରିବାକୁ ହେବ, ନୂତନ ଢ଼ଙ୍ଗରେ ନିଜର ଯାତ୍ରା ଆରମ୍ଭ କରିବାକୁ ପଡ଼ିବ ଏବଂ ଏହି ଯାତ୍ରାରେ ଆମର ମାର୍ଗଦର୍ଶନ ଆଉ କେହି ନୁହନ୍ତି, ବରଂ ସେହି ଗୁରୁଦେବଙ୍କ ଅମର ବାଣୀ ହିଁ କରିବ । ତାଙ୍କର ବିଚାର ଓ ଆଦର୍ଶ ହିଁ କରିବ । ଯେତେବେଳେ ଆମକୁ ସେହି ଦିଗରେ ପ୍ରେରଣା ପ୍ରାପ୍ତ ହେବ, ଆମେ ସଂକଳ୍ପ ନେବା, ସେତେବେଳେ ଆମର ଲକ୍ଷ୍ୟ ମଧ୍ୟ ଆପେ ଆପେ ଧାର୍ଯ୍ୟ ହୋଇଯିବ ।
ବିଶ୍ୱଭାରତୀର କଥା ଯଦି ମୁଁ ଆଲୋଚନା କରେ, ତେବେ ଏହି ବର୍ଷ ଏଠାରେ ଐତିହାସିକ ପୌଷ ମେଳାର ଆୟୋଜନ କରାଯାଇ ପାରିନାହିଁ । 100 ବର୍ଷ ଧରି ଚାଲି ଆସୁଥିବା ଏହି ଯାତ୍ରାରେ ତୃତୀୟ ଥର ପାଇଁ ଏଭଳି ଘଟିଛି ।
ଏହି ମହାମାରୀ ଆମକୁ ଏହି କଥାକୁ ଚେତାଇ ଦେଇଛି- ଭୋକାଲ ଫର୍ ଲୋକାଲ୍ । ପୌଷ ମେଳା ସହିତ ତ ଏହି ମନ୍ତ୍ର ସଦା ସର୍ବଦା ଯୋଡ଼ିହୋଇ ରହିଆସିଛି । ମହାମାରୀ କାରଣରୁ ଚଳିତ ବର୍ଷ ଏହି ମେଳାରେ ଯେଉଁ କଳାକାରମାନେ ସାମିଲ ହେବାକୁ ଆସନ୍ତି, ଯେଉଁ ହସ୍ତକଳାକାରମାନେ ଏଠାକୁ ଆସିଥାନ୍ତି, ସେମାନେ ଆସିପାରି ନାହାନ୍ତି ।
ଯେତେବେଳେ ଆମେ ଆତ୍ମସମ୍ମାନର କଥା ଆଲୋଚନା କରୁଛୁ, ଆତ୍ମ ନିର୍ଭରତାର କଥା ଆଲୋଚନା କରୁଛୁ, ସେତେବେଳେ ସର୍ବ ପ୍ରଥମେ ମୋ ମନରେ ଥିବା ଗୋଟିଏ ଆଗ୍ରହ କଥା ଉଙ୍କି ମାରୁଛି ଏବଂ ଆପଣମାନେ ସମସ୍ତେ ମୋତେ ଏହି କଥାରେ ସହାୟକ ହେବେ, ମୋ ପାଇଁ ସେ କାମଟି କରିବେ । ବିଶ୍ୱ ଭାରତୀର ଛାତ୍ରଛାତ୍ରୀମାନେ ତାହା କରିପାରିବେ । ବିଶ୍ୱ ଭାରତୀର ଛାତ୍ରଛାତ୍ରୀମାନେ, ପୌଷ ମେଳାକୁ ଆସୁଥିବା ସବୁ କଳାକାରମାନଙ୍କ ସହ ସଂପର୍କ ସ୍ଥାପନ କରନ୍ତୁ, ସେମାନଙ୍କ ଉତ୍ପାଦ ସଂପର୍କରେ ଅଧିକ ଜ୍ଞାତବ୍ୟ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ସେହି ଗରିବ କଳାକାରମାନଙ୍କ କଳାସଂସ୍କୃତିକୁ କିଭଳି ଅନଲାଇନ ମାଧ୍ୟମରେ ବିକ୍ରିର ବ୍ୟବସ୍ଥା କରାଯାଇପାରିବ, ସୋସିଆଲ ମିଡ଼ିଆ ଦ୍ୱାରା ଏହାକୁ କିଭଳି ସହାୟତା ଯୋଗାଇ ଦିଆଯାଇପାରିବ, ତାହା ଚିନ୍ତା କରନ୍ତୁ, ତାହା ଉପରେ କାର୍ଯ୍ୟ କରନ୍ତୁ ।
କେବଳ ଏତିକି ନୁହେଁ, ଭବିଷ୍ୟତରେ ସୁଦ୍ଧା ସ୍ଥାନୀୟ କଳାକାର, ହସ୍ତକଳାକାର, ଏହିଭଳି ଭାବେ ସେହିସବୁ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱ ବଜାର ପର୍ଯ୍ୟନ୍ତ ନେଇଯାଇପାରିବେ ସେଥି ପାଇଁ ସେମାନଙ୍କୁ ଆବଶ୍ୟକ ମାର୍ଗ ସଂପର୍କରେ ଶିକ୍ଷାଦାନ କରନ୍ତୁ, ସେମାନଙ୍କ ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ।
ଏହିଭଳି ଭାବେ ଅନେକ ପ୍ରୟାସ ହିଁ ଦେଶକୁ ଆତ୍ମନିର୍ଭର କରିପାରିବ । ଆମେ ଗୁରୁଦେବଙ୍କ ସ୍ୱପ୍ନକୁ ସାକାର କରିପାରିବା । ଆପଣମାନଙ୍କୁ ଗୁରୁଦେବଙ୍କ ସବୁଠାରୁ ପ୍ରେରଣାଦାୟୀ ମନ୍ତ୍ର ସଂପର୍କରେ ମଧ୍ୟ ମୁଁ ସ୍ମରଣ କରାଇ ଦେବାକୁ ଚାହିଁବି –
ଯଦି ତୋର ଡାକ ଶୁନେ କେଉ ନ ଆଶେ ତୋବେ ଏକଲା ଚଲୋ ରେ ।
ଯଦି କେହି ସୁଦ୍ଧା ନ ଆସନ୍ତି, ତଥାପି ନିଜର ଲକ୍ଷ୍ୟ ହାସଲ କରିବା ନିମନ୍ତେ ନିଜକୁ ଏକାକୀ ଚାଲିବାକୁ ପଡ଼େ, ତେବେ ନିଶ୍ଚିତ ଭାବେ ଏକୁଟିଆ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।
ସାଥୀଗଣ,
ଗୁରୁଦେବ କହିଥିଲେ –
“ସଙ୍ଗୀତ ଓ କଳା ବିନା ରାଷ୍ଟ୍ର ନିଜର ଅଭିବ୍ୟକ୍ତିର ବାସ୍ତବିକ ଶକ୍ତି ହରାଇ ବସିଥାଏ ଏବଂ ଏହାର ନାଗରିକମାନଙ୍କର ଉତ୍କୃଷ୍ଟ ଭାବନା ବାହାରକୁ ଆସି ପାରିନଥାଏ । ଗୁରୁଦେବ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପୋଷଣ ତଥା ବିସ୍ତାରଣ ଉପରେ ସଦା ସର୍ବଦା ଗୁରୁତ୍ୱ ଆରୋପ କରୁଥିଲେ ।
ଯଦି ଆମେ ସେହି ସମୟର ବଙ୍ଗଳାର ଦୃଶ୍ୟପଟ୍ଟ ଉପରେ ନଜର ପକାଇବା ତେବେ ଆମକୁ ଏକ ଅଦ୍ଭୁତ କଥା ଦୃଶ୍ୟ ହେବ । ଯେତେବେଳେ ଦେଶର କୋଣ ଅନୁକୋଣରେ ସର୍ବତ୍ର ସ୍ୱାଧୀନତା ଆନ୍ଦୋଳନ ଶିଖର ସ୍ତରରେ ଥିଲା, ସେତେବେଳେ ବଙ୍ଗଳା ସେହି ଆନ୍ଦୋଳନକୁ ଦିଶା ନିର୍ଦ୍ଦେଶ କରିବା ସହିତ ସଂସ୍କୃତିର ପୋଷକ ଭାବେ ସୁଦ୍ଧା ନିଜର କର୍ତ୍ତବ୍ୟ ନିର୍ବାହ କରି ଉଭା ହୋଇଥିଲା । ବଙ୍ଗଳାରେ ପ୍ରତ୍ୟେକ ସ୍ଥାନରେ ସଂସ୍କୃତି, ସାହିତ୍ୟ, ସଙ୍ଗୀତର ଅନୁଭୂତି ଗୋଟିଏ ପଟେ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଯୋଗାଇ ଚାଲିଥିଲା ।
ସାଥୀଗଣ,
ଗୁରୁଦେବ ଅନେକ ଦଶନ୍ଧି ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ- ଏବଂ ସେହି ଭବିଷ୍ୟବାଣୀରେ ସେ କ’ଣ କହିଥିଲେ, “ଓରେ ନୋତୂନ ଭୋରେ,ଦୀଶ ନେ ସୋମୋୟ କରିୟେ ବ୍ରିଥା, ସୋମୋୟ ବିଚାର କୋରେ, ଓରେ ନୋତୁନ ଯୁଗେର ଭୋରେ, ୟେସୋ ଜ୍ଞାନୀ ୟେସୋ କୋର୍ମୀ ନାଶୋ ଭାରୋତୋ-
ଲାଜ ହେ, ବୀରୋ ଘୋରମେ ପୁନ୍ନୋକୋର୍ମେ ବିଶ୍ୱ ହୃଦୟ ରାଜୋ ହେ ।’ ଗୁରୁଦେବଙ୍କର ଏହି ଉପଦେଶକୁ ଏହି ଉଦ୍ଘୋଷକୁ ସାକାର କରିବା ଦାୟିତ୍ୱ ଏବେ ଆମ ସମସ୍ତଙ୍କ କାନ୍ଧ ଉପରେ ନ୍ୟସ୍ତ ।
ସାଥୀଗଣ,
ଗୁରୁଦେବ ବିଶ୍ୱ ଭାରତୀର ସ୍ଥାପନା କେବଳ ବିଦ୍ୟାଦନର ଏକ କେନ୍ଦ୍ର ଭାବେ କରିବାକୁ ଚାହିଁ ନଥିଲେ । ସେ ଏହାକୁ ଏକ “ସାଧନାର ପୀଠ”, ଅଧ୍ୟୟନର ପବିତ୍ର ସ୍ଥାନ ଭାବେ ଦେଖିବାକୁ ଚାହିଁଥିଲେ । ପଢ଼ିବା ଓ ଶିଖିବା, ଉଭୟ ସଂପର୍କରେ ସେ କହିଥିଲେ:
“ମୋର ସ୍ମରଣ ନାହିଁ ଯେ ମୋତେ କ’ଣ ପଢ଼ାଯାଇଥିଲା । ମୋର କେବଳ ଏଇ କଥା ସ୍ମରଣ ଅଛି ଯାହା ମୁଁ ଶିଖିଥିଲି ।”
ଏହାକୁ ମୁଁ ଅଧିକ ବିସ୍ତାରିତ ଭାବେ କହିବି ଯେ ଗୁରୁଦେବ ଟାଗୋର କହିଥିଲେ-
“ଜୀବନରେ ସବୁଠାରୁ ବଡ଼ ଶିକ୍ଷା ତାହାକୁ କୁହାଯିବ ଯାହା ଆମକୁ କେବଳ ସୂଚନା ଦେଉନଥିବ, ବରଂ ଆମକୁ ସମସ୍ତଙ୍କ ସହିତ ଜୀବନ ବଞ୍ଚିବାର ଶିକ୍ଷା ଦେଉଥିବ ।” ତାଙ୍କର ସମଗ୍ର ମାନବ ସମାଜ ନିମନ୍ତେ ସନ୍ଦେଶ ଥିଲ ଯେ ଆମକୁ ଜ୍ଞାନକୁ କେବଳ ସୀମିତ କ୍ଷେତ୍ରରେ ସୀମାବଦ୍ଧ କରି ବାନ୍ଧିବାର ପ୍ରୟାସ କରିବା ଉଚିତ ହେବନାହିଁ ।
ସେ ଜଜୁର୍ବେଦର ମନ୍ତ୍ରକୁ ବିଶ୍ୱ ଭାରତର ମନ୍ତ୍ର ବନାଇଥିଲେ । “ଯତ୍ର ବିଶ୍ୱମ୍ ଭବତେୃକ ନୀଡ଼ମ୍” । ଅର୍ଥାତ୍, ଯେଉଁଠାରେ ସମଗ୍ର ବିଶ୍ୱ ଏକ ନୀଡ଼ ହୋଇ ପାରୁଥିବ, ଆଶ୍ରୟସ୍ଥଳୀ ବନି ପାରୁଥିବ ।
ସେହି ସ୍ଥାନ ଯେଉଁଠାରେ ପ୍ରତି ଦିନ ନୂତନ ଅନୁସନ୍ଧାନ ହେଉଥିବ, ସେହି ସ୍ଥାନ ଯେଉଁଠାରେ ସମସ୍ତେ ମିଳିମିଶି ଆଗକୁ ବଢ଼ୁଥିବେ ଏବଂ ଯାହା ଆମର ଶିକ୍ଷା ମନ୍ତ୍ରୀ ଏବେ ଅତି ବିସ୍ତାରିତ ଭାବେ କହିଥିଲେ । ଗୁରୁଦେବ କହୁଥିଲେ –
“ଚିତ୍ତୋ ଯେଥା ଭୟ ଶୂନ୍ୟୋ, ଉଚ୍ଚୋ ଯେଥା ଶିର, ଜ୍ଞାନ ଯେଥା ମୁକ୍ତୋ’ । ଅର୍ଥାତ୍, ଆମେ ଏଭଳି ଏକ ବ୍ୟବସ୍ଥା ଠିଆ କରିବା ଯେଉଁଠାରେ ଆମର ମନରେ କୌଣସି ଭୟ ନଥିବ, ଆମର ମସ୍ତକ ଉଚ୍ଚ ରହୁଥିବ, ଏବଂ ଜ୍ଞାନ ବନ୍ଧନ ଠାରୁ ମୁକ୍ତ ଥିବ । ଆଜି ଦେଶ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ଏହି ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତ୍ରେ ପ୍ରୟାସ ଜାରି ରଖିଛି । ଏହି ଶିକ୍ଷା ନୀତିକୁ ଲାଗୁ କରିବା ନିମନ୍ତେ ବିଶ୍ୱ ଭାରତୀର ବିଶେଷ ଭୂମିକା ରହିଛି ।
ଆପଣମାନଙ୍କ ନିକଟରେ 100 ବର୍ଷର ଅନୁଭବ ରହିଛି, ବିଦବତ୍ତା ରହିଛି, ଦିଶା ରହିଛି, ଦର୍ଶନ ରହିଛି, ଏବଂ ଗୁରୁଦେବଙ୍କ ଆଶୀର୍ବାଦ ମଧ୍ୟ ରହିଛି । ଯେତେ ଅଧିକ ଶିକ୍ଷା ସଂସ୍ଥାନଙ୍କ ସହ ବିଶ୍ୱ ଭାରତୀକୁ ଏ ସଂପର୍କରେ ସୂଚନା ପ୍ରାପ୍ତ ହୋଇଥିବ, ଅନ୍ୟ ସଂସ୍ଥାନମାନଙ୍କର ମଧ୍ୟ ଜ୍ଞାନ ବଢ଼ିବ, ସେମାନଙ୍କ ପାଇଁ ଆଗକୁ ବଢ଼ିବା ସହଜ ଓ ସୁଗମ ହୋଇପାରିବ ।
ସାଥୀଗଣ,
ମୁଁ ଯେତେବେଳେ ଗୁରୁଦେବଙ୍କ ସଂପର୍କରେ ଆଲୋଚନା କରୁଛି, ସେତେବେଳେ ଗୋଟିଏ ମୋହ ମୋ ଭିତରେ ଆପେ ଆପେ ଆସୁଛି ଯାହାକୁ ରୋକିବାକୁ ମୁଁ ସଂପୂର୍ଣ୍ଣ ଅକ୍ଷମ । ଗତ ଥର ଆପଣମାନଙ୍କ ଗହଣକୁ ମୁଁ ଯେତେବେଳେ ଆସିଥିଲି, ସେତେବେଳେ ଏ ସଂପର୍କରେ ଆପଣମାନଙ୍କୁ ସାମାନ୍ୟ ଅବଗତ କରାଇଥିଲି । ପୁଣି ଥରେ ମୁଁ ଗୁରୁଦେବ ଏବଂ ଗୁଜରାଟର ଆତ୍ମୀୟତା କଥା ସ୍ମରଣ କରାଇ ଦେବାକୁ ଚାହେଁ । ଏକଥାକୁ ବାରମ୍ବାର ସ୍ମରଣ କରିବା ଏଇଥିପାଇଁ ଜରୁରି କାରଣ ଏହା ଆମକୁ ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନା ସଂପର୍କରେ ଭରସା ପ୍ରଦାନ କରିଥାଏ । ଭରସା ଦେଇଥାଏ । ଏକଥା ଦୃଶ୍ୟ ହୋଇଥାଏ ଯେ ଭିନ୍ନ ଭିନ୍ନ ଭାଷା, ଭିନ୍ନ ଭିନ୍ନ ବୋଲି, ଖାଦ୍ୟପେୟ, ପୋଷାକ ପରିଚ୍ଛଦବାଲା ଆମର ଦେଶ, ପରସ୍ପର ସହ କିଭଳି ଅଭିନ୍ନ ଭାବେ ଯୋଡ଼ିହୋଇ ରହିଛି । ଏହା ଦର୍ଶାଇଥାଏ ଯେ କିଭଳି ବିବିଧତାରେ ଭରପୂର ଆମର ଦେଶ ଏକ ଓ ଅଭିନ୍ନ, ପରସ୍ପର ଠାରୁ ଆମର କେତେ ଶିକ୍ଷାଲାଭ କରିବାର ଅଛି ।
ସାଥୀଗଣ,
ଗୁରୁଦେବଙ୍କ ବଡ଼ ଭାଇ ସତ୍ୟେନ୍ଦ୍ରନାଥ ଟାଗୋର ଯେତେବେଳେ ଆଇସିଏସ ଚାକିରୀରେ ଥିଲେ ସେତେବେଳେ ତାଙ୍କର ନିଯୁକ୍ତି ଗୁଜରାଟର ଅହମ୍ମଦାବାଦରେ ହୋଇଥିଲା । ରବୀନ୍ଦ୍ରନାଥ ଟାଗୋର ଜୀ ସେତେବେଳେ ସଦାବେଳେ ଗୁଜରାଟ ଯା’ଆସ କରୁଥିଲେ ଏବଂ ସେ ସେଠାରେ ଦୀର୍ଘ ସମୟ ଧରି ସମୟ ମଧ୍ୟ ବିତାଉଥିଲେ ।
ଅହମ୍ମଦାବାଦରେ ରହିବା ବେଳେ ସେ ଦୁଇଟି ଲୋକପ୍ରିୟ କବିତା “ବନ୍ଦୀ ଓ ଅମାର” ଏବଂ “ନୀରୋବ ରଜନୀ ଦେଖୋ” ରଚନା କରିଥିଲେ ।
ନିଜର ପ୍ରସିଦ୍ଧ ରଚନା “କ୍ଷୁଦିତ ପାଷାନ”ର ଏକ ଅଂଶ ମଧ୍ୟ ସେ ଗୁଜରାଟ ପ୍ରବାସ କାଳରେ ରଚନା କରିଥିଲେ । କେବଳ ସେତିକି ନୁହେଁ, ଗୁଜରାଟର ଏକ କନ୍ୟା, ଶ୍ରୀମତୀ ହଟିସିଂଗ ଗୁରୁଦେବଙ୍କ ଘରକୁ ବୋହୂ ସାଜି ଆସିଥିଲା ।
ଏହା ବ୍ୟତୀତ ଆଉ ଗୋଟିଏ ତଥ୍ୟ ଅଛି ଯାହା ଉପରେ ଆମର ମହିଳା ସଶକ୍ତିକରଣ ସହିତ ସଂଶ୍ଳିଷ୍ଟ ରହିଥିବା ସଂଗଠନମାନଙ୍କ ଅଧ୍ୟୟନ କରିବା ଉଚିତ । ସତ୍ୟେନ୍ଦ୍ରନାଥ ଟାଗୋର ଜୀଙ୍କ ପତ୍ନୀ ଜ୍ଞାନନ୍ଦିନୀ ଦେବୀ ଜୀ ଯେତେବେଳେ ଅହମ୍ମଦାବାଦରେ ଅବସ୍ଥାନ କରୁଥିଲେ, ସେତେବେଳେ ସେ ଦେଖିଥିଲେ ଯେ ସ୍ଥାନୀୟ ମହିଳାମାନେ ନିଜର ଶାଢ଼ୀର କାନିକୁ ଡାହାଣ ପଟ କାନ୍ଧରେ ପକାଇଛନ୍ତି । ଯେତେବେଳେ ସେମାନେ ଡାହାଣ କାନ୍ଧରେ ସେମାନେ କାନିକୁ ରଖୁଥିଲେ ତାହା ସେମାନଙ୍କୁ କାମ କଲାବେଳେ କିଛି ମାତ୍ରାରେ ଅସହଜ ହେଉଥିଲା । ଏକଥା ଦେଖି ଜ୍ଞାନନ୍ଦିନୀ ଦେବୀ ଚିନ୍ତା କଲେ ଯେ କାହିଁକି ଶାଢ଼ୀର କାନିକୁ ବାମପଟ କାନ୍ଧରେ ରଖା ନଯିବ । ଏବେ ମୋତେ ତ ସେକତା ଠିକ୍ ଭାବେ ସ୍ମରଣ ନାହିଁ କିନ୍ତୁ କୁହାଯାଏ କି ବାମ ପଟ କାନ୍ଧରେ ଶାଢ଼ୀ କାନି ପକାଇବା କାଳେ ତାଙ୍କର ଅବଦାନ ଥିଲା । ଜଣେ ଅନ୍ୟ ଜଣଙ୍କ ଠାରୁ ଶିଖିବା, ଜଣେ ଅନ୍ୟ ଜଣଙ୍କ ସହିତ ଖୁସି ମନରେ ରହିବା, ଏକ ପରିବାର ପରି ରହି ହିଁ ଆମେ ନିଜର ସ୍ୱପ୍ନକୁ ସାକାର କରିପାରିବା ଯାହାକି ଆମ ଦେଶର ମହାନ ବ୍ୟକ୍ତିତ୍ୱମାନେ ଆମକୁ ଶିଖାଇଛନ୍ତି ।
ଏହି ସଂସ୍କାରକୁ ଆମେ ମିଳିମିଶି ନିରନ୍ତର ମଜଭୁତ କରିବା ଉଚିତ ।
ସାଥୀଗଣ,
ଆପଣମାନେ ସମସ୍ତେ ଯେଉଁଠାକୁ ବି ଯିବେ, ଯେକୌଣସି କ୍ଷେତ୍ରକୁ ଯିବେ, ଆପଣମାନଙ୍କ ଶ୍ରମ ଦ୍ୱାର ହିଁ ଏକ ନୂତନ ଭାରତ ନିର୍ମିତ ହୋଇପାରିବ । ମୁଁ ଗୁରୁଦେବଙ୍କ ପଂକ୍ତିର ସହ ନିଜର ବକ୍ତବ୍ୟ ସମାପ୍ତ କରିବି । ଗୁରୁଦେବଜୀ କହିଥିଲେ-
“ଓରେ ଗୃହୋ- ବାଶୀ ଖୋଲ ଦାର ଖୋଲ, ଲାଗଲୋ ଜେ ଦୋଲ, ଖୋଲ, ଜୋଲ, ମୋବୋତୋଲେ ଲାଗଲୋ ଜେ ଦୋଲ, ଦାର ଖୋଲ, ଦାର ଖୋଲ!”
ଦେଶରେ ନୂତନ ସମ୍ଭାବନାର ଦ୍ୱାର ଆପଣମାନଙ୍କୁ ଅପେକ୍ଷା କରି ରହିଛି ।
ଆପଣମାନେ ସମସ୍ତେ ସଫଳ ହୋଇ, ଆଗକୁ ଅଗ୍ରସର ହୁଅନ୍ତୁ, ଏବଂ ଦେଶର ସ୍ୱପ୍ନକୁ ସାକାର କରନ୍ତୁ ।
ଏହି ଶୁଭକାମନାର ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଏବଂ ଏହି ଶତାବ୍ଦୀ ବର୍ଷ ଆମର ଆଗାମୀ ଯାତ୍ରା ନିମନ୍ତେ ଏକ ମଜଭୁତ ମାଇଲଖୁଣ୍ଟ ହେଉ । ଆମକୁ ନୂତନ ଶୀର୍ଷରେ ପହଞ୍ଚାଉ ଏବଂ ବିଶ୍ୱଭାରତୀ ଯେଉଁ ସ୍ୱପ୍ନମାନଙ୍କୁ ନେଇ ଜନ୍ମଲାଭ କରିଥିଲା, ସେହିସବୁ ସ୍ୱପ୍ନମାନଙ୍କୁ ସାକାର କରିବା ସହ ବିଶ୍ୱ କଲ୍ୟାଣର ମାର୍ଗକୁ ଆହୁରି ପ୍ରଶସ୍ତ କରିବା ସକାଶେ ଭାରତର କଲ୍ୟାଣର ମାର୍ଗକୁ ମଜଭୁତ କରି ଆଗକୁ ଅଗ୍ରସର ହେଉ । ମୋର ସମସ୍ତଙ୍କୁ ଏହି ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
**********
(Release ID: 1683694)
Visitor Counter : 291
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam