ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜମ୍ମୁ କଶ୍ମୀରରେ ସମସ୍ତଙ୍କ ପାଇଁ ଆୟୁଷ୍ମାନ ଭାରତ ପିଏମ୍‌-ଜେଏୱାଇ ସେହତ୍‌ କାର୍ଯ୍ୟକ୍ରମ ଡିସେମ୍ବର 26ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ

Posted On: 24 DEC 2020 6:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ 26 ତାରିଖରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କ ପାଇଁ ପିଏମ୍‌ ଜନଆରୋଗ୍ୟ ଯୋଜନା ସେହତ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେହିଦିନ ମଧ୍ୟାହ୍ନ 12ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ । ଏହି ଯୋଜନାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଯୋଜନାର ହିତାଧିକାରୀମାନେ ସ୍ୱାସ୍ଥ୍ୟବୀମା ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଉପସ୍ଥିତ ରହିବେ ।

ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ଓ ଚିକିତ୍ସା ଖର୍ଚ୍ଚ ବୀମା କଂପାନୀ ବହନ କରିବେ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ସବୁ ନାଗରିକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ଏଥିରେ ଅତିରିକ୍ତ ପ୍ରାୟ 15 ଲକ୍ଷ ପରିବାର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଏହି ବୀମା ସୁବିଧା ପାଇବେ ବା ପାଇଛନ୍ତି ସେମାନେ ଦେଶର ଯେକୌଣସି ସ୍ଥାନରେ ଥିବା ହସ୍‌ପିଟାଲରେ ନିଜର ଚିକିତ୍ସା ବ୍ୟବସ୍ଥା କରିପାରିବେ । ତେବେ କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଓ ସରକାରୀ ହସପିଟାଲରେ ଏହି ସୁବିଧା ମିଳିବ ।

ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ଲକ୍ଷ୍ୟ ହାସଲ ପଥେ

ଭାରତରେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରେ ଉତ୍ତମମାନର ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଓ ରୋଗ ଦୂରୀକରଣ, ଚିକିତ୍ସା ଓ ପରବର୍ତ୍ତୀ ଥଇଥାନ ତଥା ଯତ୍ନ ଆଦି ଅନ୍ତର୍ଭୁକ୍ତ । ଅର୍ଥାଭାବରୁ କୌଣସି ନାଗରିକ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରୋଗବ୍ୟାଧି ଯୋଗୁଁ ଅନେକ ପରିବାର ଅର୍ଥ ଖର୍ଚ୍ଚକରି ଉଜୁଡି ଯିବା ସହ ଲୋକେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଉଥିବାରୁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି; ଯାହା ଆୟୁଷ୍ମାନ ଭାରତ ନାମରେ ପରିଚିତ । ଏଥିରେ ଦୁଇଟି ଭାଗ ରହିଛି । ଗୋଟିଏ ହେଲା ସ୍ୱାସ୍ଥ୍ୟ ଓ ୱେଲନେସ୍‌ ସେଣ୍ଟର ଏବଂ ଅନ୍ୟଟି ହେଲା ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । ଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରୁଛନ୍ତି ।

 

**********



(Release ID: 1683420) Visitor Counter : 209