ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ମହାମାରୀ ବେଳେ ଏଏମୟୁର ଅବଦାନକୁ ପ୍ରଶଂସା

ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ଏବଂ ସମସ୍ତେ ଏହାର ଲାଭ ପାଇବା ଉଚିତ: ପ୍ରଧାନମନ୍ତ୍ରୀ

ଧର୍ମ ଆଧାରରେ ଜଣେ ବି କାହାକୁ ପଛରେ ଛାଡ଼ି ଦିଆଯିବନି: ପ୍ରଧାନମନ୍ତ୍ରୀ

Posted On: 22 DEC 2020 12:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମର ସ୍ମାରକ ସ୍ୱରୂପ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର ସୟଦଙ୍କ ମନ୍ତବ୍ୟକୁ ସ୍ମରଣ କରି କହିଥିଲେ ନିଜ ଦେଶ କଥା ଚିନ୍ତା କରୁଥିବା ଲୋକଙ୍କ ପ୍ରଥମ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ସବୁ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା ; ଧର୍ମ, ଜାତି ଓ ବର୍ଣ୍ଣ ନିର୍ବିଶେଷରେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆଜି ଏଭଳି ଏକ ମାର୍ଗରେ ଅଗ୍ରସର ହେଉଛି, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଦିଆଯାଉଛି ଏବଂ ଧର୍ମ ଆଧାରରେ କାହାକୁ ବି ପଛକୁ ଛାଡ଼ି ଦିଆଯାଉ ନାହିଁ । ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ଏହା ହିଁ ମୂଳ ସଂକଳ୍ପ । ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ଉଦାହରଣ ଦେଇଥିଲେ, ଯେଉଁଥିରେ କୌଣସି ବାଛବିଚାର କରା ନ ଯାଇ ସୁବିଧା ଯୋଗାଇ ଦିଆଯାଉଛି । 2 କୋଟିରୁ ଅଧିକ ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି, ତାହା ବି କୌଣସି ଭେଦଭାବ ବିନା । ବିନା ଭେଦଭାବରେ 8 କୋଟିରୁ ଅଧିକ ମହିଳା ଗ୍ୟାସ ସଂଯୋଗ ହାସଲ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ପାଖାପାଖି 50 କୋଟି ଲୋକଙ୍କୁ ମାଗଣାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ନାଗରିକଙ୍କର ଏବଂ ଏହାର ଲାଭ ସମସ୍ତେ ପାଇବା ଆବଶ୍ୟକ । ଏହାକୁ ବୁଝି ହିଁ ଆମ ସରକାର କାର୍ଯ୍ୟ କରୁଛି ।

ନବ ଭାରତର ଲକ୍ଷ୍ୟ ହେଉଛି କୌଣସି ରାଜନୈତିକ ଲକ୍ଷ୍ୟ ନ ରଖି ରାଷ୍ଟ୍ର ଓ ସମାଜର ବିକାଶ ପାଇଁ କାମ କରିବା । ତେଣୁ ମିଥ୍ୟା ପ୍ରଚାର ବିରୋଧରେ ସଜାଗ ରହି ସମସ୍ତେ ରାଷ୍ଟ୍ର ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ । ରାଜନୀତି ଅପେକ୍ଷା କରିପାରିବ, କିନ୍ତୁ ସମାଜ ନୁହେଁ, ସେହିଭଳି ଯେ କୌଣସି ବର୍ଗର ଗରିବ ଲୋକ ହୁଅନ୍ତୁ ନା କାହିଁକି, ସେମାନେ ଅପେକ୍ଷା କରିପାରିବେ ନାହିଁ । ଆମେ ସମୟ ନଷ୍ଟ କରିପାରିବା ନାହିଁ ଏବଂ ଆତ୍ମନିର୍ଭର ଭାରତ ସୃଷ୍ଟି କରିବା ପାଇଁ ମିଳିମିଶି କାମ କରିବା ଆବଶ୍ୟକ । ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ସକାଶେ, ସବୁ ପ୍ରକାର ମତଭେଦକୁ ପଛରେ ଛାଡ଼ିଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

କରୋନା ମହାମାରୀ ସମୟରେ ସମାଜକୁ ଅଭୂତପୂର୍ବ ଅବଦାନ ପାଇଁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ବେଳେ ହଜାର ହଜାର ଲୋକଙ୍କର ମାଗଣାରେ ନମୁନା ପରୀକ୍ଷା ହୋଇଛି, ସଙ୍ଗରୋଧ ୱାର୍ଡ ନିର୍ମାଣ କରାଯାଇଛି, ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି ଏବଂ ପିଏମ କେୟାର ଫଣ୍ଡକୁ ମୋଟା ଅଙ୍କର ଟଙ୍କା ଆସିଛି । ଏଥିରୁ ଜଣାପଡୁଛି ଯେ ସମାଜ ପ୍ରତି ଆପଣମାନଙ୍କର ଯଥେଷ୍ଟ ଦାୟିତ୍ୱବୋଧ ରହିଛି । ଏଭଳି ସଂଗଠିତ ପ୍ରଚେଷ୍ଟା ଯୋଗୁ କରୋନା ଭଳି ବିଶ୍ୱ ମହାମାରୀର ସଫଳତା ପୂର୍ବକ ମୁକାବିଲା କରାଯାଇ ପାରିଛି ଏବଂ ଦେଶ ସୁରକ୍ଷିତ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 100 ବର୍ଷ ହେଲା ବିଶ୍ୱର ଅନେକ ରାଷ୍ଟ୍ର ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବାରେ ଏଏମୟୁ କାର୍ଯ୍ୟ କରିଛି । ଏଠାରେ ଉର୍ଦ୍ଦୁ, ଆରବିକ ଓ ପାର୍ସି ଭାଷା ଉପରେ ବ୍ୟାପକ ଗବେଷଣା, ଇସଲାମ ସାହିତ୍ୟ ଉପରେ ଗବେଷଣା, ସମଗ୍ର ଇସଲାମିକ ବିଶ୍ୱ ସହ ଭାରତର ସାଂସ୍କୃତିକ ସମ୍ପର୍କକୁ ନୂଆ ଶକ୍ତି ପ୍ରଦାନ କରିଛି । ବିଶ୍ୱବିଦ୍ୟାଳୟର ନରମ ଶକ୍ତିକୁ ଆହୁରି ସମୃଦ୍ଧ କରିବା ଏବଂ ରାଷ୍ଟ୍ର ଗଠନ ଦାୟିତ୍ୱ ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର ଦୁଇଗୁଣା ଦାୟିତ୍ୱ ରହିଛି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପାଇଖାନା ବିନା 70%ରୁ ଅଧିକ ମୁସଲିମ ବାଳିକା କିଭଳି ପାଠପଢ଼ା ଛାଡ଼ିଥିଲେ, ତାହା ସ୍ମରଣ କରିଛନ୍ତି । ସେ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ସରକାର ସ୍କୁଲ ଯାଉଥିବା ଛାତ୍ରୀଙ୍କ ପାଇଁ ମିଶନ ମୋଡରେ ପୃଥକ ପାଇଖାନା ନିର୍ମାଣ କରିଥିଲା । ଏହାଦ୍ୱାରା ବର୍ତ୍ତମାନ ମୁସଲିମ ଝିଅଙ୍କ ପାଠପଢ଼ା ଛାଡ଼ିବା ହାର ପାଖାପାଖି 30%କୁ ହ୍ରାସ ପାଇଛି । ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍କୁଲ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଉଥିବା ବ୍ରିଜ କୋର୍ସଗୁଡ଼ିକର ସେ ପ୍ରଶଂସା କରିଛନ୍ତି । ମୁସଲିମ ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ଗତ 6 ବର୍ଷରେ ପାଖାପାଖି 1 କୋଟି ମୁସଲିମ ଝିଅଙ୍କୁ ସରକାରଙ୍କ ଦ୍ୱାରା ମେଧାବୃତ୍ତି ପ୍ରଦାନ କରାଯାଇଛି । ଲିଙ୍ଗ ଦୃଷ୍ଟିକୋଣରୁ କୌଣସି ପ୍ରକାର ଭେଦଭାବ କରାଯିବା ଉଚିତ ନୁହେଁ ବୋଲି କହିବା ସହ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଦେଶ ବିକାଶର ଫାଇଦା ସମସ୍ତଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ତିନ ତଲାକ ପ୍ରଥାକୁ ଶେଷ କରି ଏକ ଆଧୁନିକ ମୁସଲିମ ସମାଜ ନିର୍ମାଣ କରିବା ଦିଗରେ ରାଷ୍ଟ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସେ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଯେ ଯଦି ଜଣେ ମହିଳା ଶିକ୍ଷିତ ହୁଅନ୍ତି, ତେବେ ପୂରା ପରିବାର ଶିକ୍ଷିତ ହୋଇଥାଏ । ଶିକ୍ଷା ନିଜ ସହିତ ନିଯୁକ୍ତି ଓ ଔଦ୍ୟୋଗିକତା ଧରି ମଧ୍ୟ ଆସିଥାଏ । ନିଯୁକ୍ତି ଏବଂ ଔଦ୍ୟୋଗିକତା ସେମାନଙ୍କ ସହ ଅର୍ଥନୈତିକ ସ୍ୱାଧୀନତା ଆଣି ଆସିଥାଏ । ଅର୍ଥନୈତିକ ସ୍ୱାଧୀନତା ଦ୍ୱାରା ସଶକ୍ତୀକରଣ ପାଇଁ ବାଟ ଫିଟିଥାଏ । ଜଣେ ସଶକ୍ତ ମହିଳା ସବୁ ସ୍ତରରେ ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣରେ ଅନ୍ୟମାନଙ୍କ ଭଳି ସମାନ ଭାବେ ଯୋଗଦାନ ରଖିଥାନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଏମୟୁ ଉଚ୍ଚଶିକ୍ଷାରେ ନିଜ ସମକାଳୀନ ପାଠ୍ୟକ୍ରମ ଦ୍ୱାରା ଅନେକଙ୍କୁ ଆକର୍ଷିତ କରିଛି । ସେ କହିଛନ୍ତି, ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବହୁବିଷୟକ ବିଷୟ ସ୍ଥାନ ପାଇଛି, ଯାହା ବିଶ୍ୱବିଦ୍ୟାଳୟରେ ପୂର୍ବରୁ ପଢ଼ାଯାଇଛି । ସେ କହିଛନ୍ତି, ରାଷ୍ଟ୍ର ସର୍ବାଗ୍ରେ ନୀତିରେ ଆମ ଦେଶର ଯୁବପିଢ଼ି ଦେଶ ବିକାଶ ପାଇଁ ପ୍ରତିବଦ୍ଧ । ଭାରତର ଯୁବପିଢ଼ିଙ୍କ ଏଭଳି ଆକାଂକ୍ଷାକୁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପ୍ରାଥମିକତା ଦିଆଯାଇଛି । ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅନେକ ପ୍ରବେଶ ଓ ପ୍ରସ୍ଥାନ ବିନ୍ଦୁ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ସମ୍ପର୍କରେ ନିର୍ଣ୍ଣୟ ନେବାରେ ସହ ହୋଇପାରିବ । ପୂରା ପାଠ୍ୟକ୍ରମର ଫିବାବଦରେ ଚିନ୍ତା ନ କରି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଷ୍ପତ୍ତି ସ୍ୱାଧୀନ ଭାବେ ନେଇପାରିବେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଉଚ୍ଚଶିକ୍ଷାରେ ନାମଲେଖା ସଂଖ୍ୟା ବୃଦ୍ଧି ଏବଂ ସିଟ ବଢ଼ାଇବା ପାଇଁ ଲଗାତାର ଭାବେ କାମ କରୁଛି । ଶିକ୍ଷା ଅନଲାଇନ ହେଉ ବା ଅଫଲାଇନ, ଏହା ଯେମିତି ପ୍ରତ୍ୟେକଙ୍କ ନିକଟରେ ଉପଯୁକ୍ତ ଭାବେ ପହଞ୍ଚି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣେ, ତାହା ଉପରେ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏହି ଶତବାର୍ଷିକୀ ସମାରୋହ ଅବସରରେ ଏଏମୟୁର 100 ହଷ୍ଟେଲ ଏକ ପାଠ୍ୟେତ୍ତର କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା ଭାରତ ସ୍ୱାଧୀନତାର 75ତମ ବର୍ଷ ଅବସରରେ ଭଲ ଭାବେ ଲୋକଲୋଚନକୁ ଆସି ନ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବାବଦରେ ଗବେଷଣା ହୋଇପାରିବ ।

 

**********



(Release ID: 1682782) Visitor Counter : 192