କ୍ୟାବିନେଟ

ଅରୁଣାଚଳ ପ୍ରଦେଶ ଓ ଆସାମର ଦୁଇଟି ଜିଲାରେ ୟୁଏସ୍‌ଏଫ୍‌ ଯୋଜନାରେ ମୋବାଇଲ ସେବା ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ

Posted On: 09 DEC 2020 3:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ  ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡ (ୟୁଏସ୍‌ଏଫ୍‌) ଯୋଜନାରେ ଅରୁଣାଚଳ ପ୍ରଦେଶ ଏବଂ ଆସାମର କର୍ବିଆଙ୍ଗଲମ୍‌ ଓ ଦିମାହାସାଓ ଜିଲାରେ ମୋବାଇଲ ସେବା ଯୋଗାଇ ଦେବା ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି କାର୍ଯ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ପୂର୍ଣ୍ଣାଙ୍ଗ ଟେଲିକମ୍‌ ବିକାଶ ଯୋଜନା ସିଟିଡିପି ଅଧୀନରେ କାର୍ଯ୍ୟକାରୀ ହେବ ।

ପ୍ରକଳ୍ପ ମାଧ୍ୟମରେ ଅରୁଣାଚଳ ପ୍ରଦେଶର 1683 ଏବଂ ଆସାମର ଉପରୋକ୍ତ ଦୁଇଟି ଜିଲାରେ ଥିବା 691ଟି ଗାଁକୁ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ । ଏଥିପାଇଁ 2029 କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ମଧ୍ୟରେ ପରିଚାଳନା ଖର୍ଚ୍ଚ ଅନ୍ତର୍ଭୁକ୍ତ ।

ଏ ବାବଦ ଅର୍ଥ ଟେଲିକମ୍‌ ବିଭାଗର ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ଯୋଗାଇ ଦିଆଯିବ । 2022 ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶ ଓ ଆସାମର ଅନେକ ଦୂରଦୂରାନ୍ତ ଏବଂ ଅଗମ୍ୟ ଗ୍ରାମକୁ ଏ ଯାଏଁ ମୋବାଇଲ ସେବା ଯୋଗାଣ ସମ୍ଭବ ହୋଇପାରିନାହିଁ ।

ସଂପୃକ୍ତ ଗ୍ରାମଗୁଡିକୁ 4ଜି ମୋବାଇଲ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିଯୋଗିତାମୂଳକ ନିଲାମ ବ୍ୟବସ୍ଥାରେ ନିର୍ମାଣକାରୀ ସଂସ୍ଥାକୁ ବଛାଯିବ । ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଅରୁଣାଚଳ ପ୍ରଦେଶ ଓ ଆସାମର ଟେଲିଫୋନ ସୁବିଧା ନ ଥିବା ଏହିସବୁ ଗ୍ରାମରେ ଡିଜିଟାଲ ସଂଯୋଗ ବୃଦ୍ଧି ପାଇବ; ଯାହା ଲୋକଙ୍କୁ ଆତ୍ମନିର୍ଭର ହେବାରେ ସହାୟକ ହେବ । ଏହାଛଡା ସଂପୃକ୍ତ ଗ୍ରାମର ଲୋକମାନେ ଦକ୍ଷତା ବିକାଶ, ବିପର୍ଯ୍ୟୟ ମୁକାବିଲା, ଇ-ପ୍ରଶାସନ, ଇ-ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଉପକୃତ ହୋଇପାରିବେ । ଏହା ମଧ୍ୟ ସଂପୃକ୍ତ ଇଲାକାରେ ସ୍ଥାନୀୟ ଉଦ୍ୟୋଗର ବିକାଶକୁ ପ୍ରୋତ୍ସାହିତ କରିବା ସହ ଡିଜିଟାଲ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ।

**********

 



(Release ID: 1679505) Visitor Counter : 271