ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

• ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ସିନେଟର କମଳା ହ୍ୟାରିସଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

• ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୈତିକ ସହଯୋଗିତାକୁ ଆହୁରି ସମୃଦ୍ଧ କରିବା ଏବଂ ଦ୍ୱିପାକ୍ଷିକ ମୂଲ୍ୟବୋଧ ଓ ଉଭୟଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ନେତାମାନେ ସହମତି ପ୍ରକାଶ କଲେ

Posted On: 17 NOV 2020 11:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତାନ୍ତ୍ରିକ ପରମ୍ପରାର ଶକ୍ତି ଏବଂ ନମନୀୟତାର ଏହା ହେଉଛି ଏକ ପ୍ରମାଣ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ସିନେଟର କମଳା ହ୍ୟାରିସଙ୍କୁ ମଧ୍ୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ 2014 ଏବଂ 2016ରେ ଆମେରିକାକୁ ସରକାରୀ ଗସ୍ତରେ ଯାଇଥିବା ବେଳେ ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ହୋଇଥିବା ଆଲୋଚନାକୁ ସ୍ମରଣ କରିଛନ୍ତି । 2016 ଗସ୍ତ ବେଳେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଯୋଶେଫ ଆର. ବାଇଡେନ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ ।

ଟେଲିଫୋନ ବାର୍ତ୍ତାଳାପ ଅବସରରେ ଉଭୟ ନେତା ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୈତିକ ସହଯୋଗିତାକୁ ଆହୁରି ସମୃଦ୍ଧ କରିବା ଏବଂ ଦ୍ୱିପାକ୍ଷିକ ମୂଲ୍ୟବୋଧ ଓ ଉଭୟଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ । ଏଥିସହ କୋଭିଡ-19 ମହାମାରୀର ମୁକାବିଲା, ସୁଲଭ ଦରରେ ଟିକା ଯୋଗାଣ, ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱୟ ବୃଦ୍ଧି ଭଳି ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ ।

 

**********



(Release ID: 1673884) Visitor Counter : 149