ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆସନ୍ତା 8 ତାରିଖ ଦିନ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କରିବା ସହ ହାଜିରା ଏବଂ ଘୋଗା ମଧ୍ୟରେ ନୌସେବାର କରିବେ ଶୁଭାରମ୍ଭ

● ରୋ-ପାକ୍ସ ନୌସେବା ଯୋଗୁଁ ଯାତ୍ରା ସମୟ ଓ ରକ୍ଷଣାବେକ୍ଷଣ ବାବଦ ବ୍ୟୟ ହ୍ରାସ ପାଇବା ସହ ପରିବେଶର ହେବ ସୁରକ୍ଷା
● ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆଞ୍ଚଳିକ ପର୍ଯ୍ୟଟନ ବିକାଶରେ ହେବ ସହାୟକ
● ଜଳପଥର ସୁବିନିଯୋଗ କରି ଦେଶର ଆର୍ଥିକ ବିକାଶରେ ଏହାକୁ ସାମିଲ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ କରିବ ସାକାର

Posted On: 06 NOV 2020 2:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଉଦଘାଟନ କରିବା ସହ ଗୁଜରାଟର ହାଜିରା ଓ ଘୋଗା ମଧ୍ୟରେ ରୋ-ପାକ୍ସ ଜଳସେବାର ଶୁଭାରମ୍ଭ କରିବେ । ଆସନ୍ତା 8 ତାରିଖ ଦିନ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହା ସମ୍ପନ୍ନ ହେବ । ଜଳପଥକୁ ଆର୍ଥିକ ବିକାଶ ସହ ସାମିଲ କରି ଉନ୍ନତି ଘଟାଇବାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଲକ୍ଷ୍ୟକୁ ଏହା ପୂରଣ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳସେବା ଉପଯୋଗ କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବାର  କାର୍ଯ୍ୟକ୍ରମ ରହିଛି ।

ରୋ-ପାକ୍ସ ଜଲତରୀ ବା ଭଏଜ ସିମ୍ଫୋନୀ ଏକ ତିନି ଡେକ୍ସ ବିଶିଷ୍ଟ ତରୀ ଯାହାକି 2500 ରୁ 2700 ଟନ ଓ ଏହା 12000 ରୁ 15000 ଜିଟି ଅପସାରଣ କରିପାରିବ । ଏହାର ମୁଖ୍ୟ ଡେକରେ 30 ଟ୍ରକ ବା 50 ଟନ ପର୍ଯ୍ୟନ୍ତ ମାଲ ପରିବହନର କ୍ଷମତା ରହିଥିବା ବେଳେ ଉପର ଡେକରେ 100 ଯାତ୍ରୀ ଓ ପାସେଞ୍ଜର ଡେକରେ 500 ଯାତ୍ରୀ, 34ଜଣ କର୍ମଚାରୀ ଓ ଅନ୍ୟାନ୍ୟ ସେବାକାରୀ ରହିପାରିବେ ।

ହାଜିରା ଘୋଗା ରୋ-ପାକ୍ସ ନୌସେବା ଯୋଗୁଁ ଅନେକ ସୁବିଧା ଉପଲବ୍ଧ ହେବ । ଏହା ପଶ୍ଚିମ ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ପ୍ରବେଶ ଦ୍ଵାର ଭାବେ କାର୍ଯ୍ୟ କରିବ । ଏହି ନୌସେବା ଯୋଗୁଁ ଘୋଗା ଏବଂ ହାଜିରା ମଧ୍ୟରେ ଦୂରତ୍ଵ 370 ରୁ 90 କିଲୋମିଟରକୁ ହ୍ରାସ ପାଇବ । ଏହି ପଣ୍ୟଦ୍ରବ୍ୟ ଓ ଯାତ୍ରୀ ପରିବହନ ଯୋଗୁଁ ସମୟ 10 ରୁ 12 ଘଣ୍ଟା ଲାଗୁଥିବା ବେଳେ ଏବେ ଏହା ମାତ୍ର 4 ଘଣ୍ଟାରେ ସମାପ୍ତ ହୋଇପାରିବ । ଏହି ସେବା ଯୋଗୁଁ ଦିନକୁ ପ୍ରାୟ 9000 ଲିଟର ପର୍ଯ୍ୟନ୍ତ ଇନ୍ଧନ ବଞ୍ଚିବା ସହ ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ । ହାଜିରା ଘୋଗା ପଥରେ ଏହି ନୌସେବା ଦିନକୁ 3ଥର ସମ୍ପନ୍ନ ହୋଇପାରିବ । ଏଥିଯୋଗୁଁ ବାର୍ଷିକ 5 ଲକ୍ଷ ଯାତ୍ରୀ, 80 ହଜାର ଯାତ୍ରୀବାହି ଯାନ, 50 ହଜାର ଦୁଇ ଚକିଆ ଯାନ ଓ 30 ହଜାର ଟ୍ରକ ପରିବହନ କରାଯାଇପାରିବ । ଏହା ଟ୍ରକ ଚାଳକମାନଙ୍କ କ୍ଲେଶ ହ୍ରାସ କରିବା ସହ ସେମାନଙ୍କୁ ଅଧିକ ଯାତ୍ରା ସୁବିଧା ଦେଇ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହାଫଳରେ ଦିନକୁ ହାରାହାରି  24 ମେଟ୍ରିକ  ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ବାୟୁ ମଣ୍ଡଳକୁ ନଛାଡି ବାର୍ଷିକ 8,653 ମେଟ୍ରିକ ଟନ ବାଷ୍ପକୁ ବାୟୁ ମଣ୍ଡଳରେ ମିଶିବାରୁ ରକ୍ଷା କରିବ । ସୌରାଷ୍ଟ୍ର ଅଞ୍ଚଳ ସହ ଯୋଗାଯୋଗ ସହଜ ହେବା ଦ୍ଵାରା ଏହା ପର୍ଯ୍ୟଟନର  ଅଭିବୃଦ୍ଧି ସାଙ୍ଗକୁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ନୌସେବା ଆରମ୍ଭ ହେବା ଯୋଗୁଁ ବନ୍ଦର, ସୌରାଷ୍ଟ୍ର ଏବଂ କଚ୍ଛର ଆସବାବ ପତ୍ର ଓ ସାର କାରଖାନାକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ । ପରିବେଶ ପର୍ଯ୍ୟଟନ ଓ ଗୁଜରାଟର ବିଶେଷକରି ପୋର ବନ୍ଦର, ସୋମନାଥ, ଦ୍ୱାରକା ଓ ପଲଟନା ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ବିକଶିତ ହେବ । ଏହି ନୌସେବା ଫଳରେ ଗୁଜରାଟ ଗିରର ପ୍ରସିଦ୍ଧ ଏସୀୟ ସିଂହ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।

 

**********



(Release ID: 1670755) Visitor Counter : 199