କ୍ୟାବିନେଟ

ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ବ୍ୟବହାର ଓ ଗବେଷଣା ନେଇ ଭାରତ- ନାଇଜେରିଆ ମଧ୍ୟରେ ହୋଇଥିବା ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 21 OCT 2020 3:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବାହ୍ୟ ଆନ୍ତରୀକ୍ଷର ବ୍ୟବହାର ଓ ଗବେଷଣା ସଂକ୍ରାନ୍ତରେ ଭାରତ-ନାଇଜେରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର ନେଇ ସବିଶେଷ ଅବଗତ କରାଯାଇଥିଲା । ଏହି ବୁଝାମଣା ଚଳିତ ବର୍ଷ ଜୁନ ମାସରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବେଙ୍ଗାଲୁରଠାରେ ଓ ଜାତୀୟ ନ୍ତରୀକ୍ଷ ଗବେଷଣା ଓ ବିକାଶ ସଂସ୍ଥା (ଏନଏଏସଆରଡିଏ) ନାଇଜେରିଆର ଆବୁଜାଠାରେ ଚଳିତ ବର୍ଷ ଅଗଷ୍ଟ 13ରେ ସ୍ଵାକ୍ଷରିତ ହୋଇଥିଲା । 

ବିସ୍ତ୍ରୁତ ବିବରଣୀ-

  • ଏହି ବୁଝାମଣାପତ୍ର ଯୋଗୁଁ ପୃଥିବୀର ଦୂରସମ୍ବେଦୀ, ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହ ଭିତ୍ତିକ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ଗ୍ରହ ନକ୍ଷତ୍ର ସମ୍ପର୍କରେ ଗବେଷଣା, ମହାକାଶଯାନର ବ୍ୟବହାର ଓ ଉତକ୍ଷେପଣ ଓ ମହାକାଶ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ଆବଶ୍ୟକୀୟ ବିଶ୍ଳେଷଣ ବା ଦୁଇ ଦେଶର ସହମତିରେ ନିଷ୍ପତ୍ତି ହେଉଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିବ
  • ଏହି ବୁଝାମଣାପାତ୍ର ଯୋଗୁଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯେଉଁଥିରେ କି ଭାରତର ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏ ଏବଂ ନ୍ତରୀକ୍ଷ ବିଭାଗର ଅଧିକାରୀମାନେ ସଦସ୍ୟ ରହିବେ । ସେମାନେ ସମୟଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ ।

କାର୍ଯ୍ୟାନ୍ଵୟନ ରଣନୀତି ଓ ଲକ୍ଷ୍ୟ

ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଯୋଗୁଁ ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏର କାର୍ଯ୍ୟକାରୀ ସଦସ୍ୟମାନେ ସମୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବେ ।

ପ୍ରଭାବ

ଏହି ବୁଝାମଣାପତ୍ର ସ୍ଵାକ୍ଷର ହେବା ଫଳରେ ପୃଥିବୀର ଦୂରସମ୍ବେଦୀ କ୍ଷେତ୍ରରେ ଗବେଷଣା ପାଇଁ କଣ କଣ ଆବଶ୍ୟକ, ଉପଗ୍ରହ ଯୋଗାଯୋଗ ଓ ଦିଗ ନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ବାହ୍ୟ ନ୍ତରୀକ୍ଷ ସମ୍ପର୍କରେ ଅଧିକ ଗବେଷଣା ସମ୍ଭବ ହେବ ।

ବ୍ୟୟ

ବୁଝାମଣାପତ୍ର ସ୍ଵାକ୍ଷରକାରୀ ଦୁଇଦେଶ ଏହି କାର୍ଯ୍ୟକ୍ରମକୁ ସହମତି ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟକ୍ରମ ଅନୁଯାୟୀ ଉଭୟ ଦେଶ ପାରସ୍ପରିକ ଆଲୋଚନା ମାଧ୍ୟମରେ ବ୍ୟୟଭାର ସମ୍ପର୍କରେ ନିଷ୍ପତ୍ତି ନେବେ । ସ୍ଵାକ୍ଷରକାରୀ ଦୁଇଦେଶ ସେମାନଙ୍କ ଆଇନ ଓ ଅନ୍ୟାନ୍ୟ ନିୟମକୁ ଭିତ୍ତିକରି ବ୍ୟୟ ଆବଣ୍ଟନ ସଂକ୍ରାନ୍ତ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ହିତାଧିକାରୀ

ନାଇଜେରିଆ ସରକାରଙ୍କ ସହ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମହାକାଶ ବୈଷୟିକ ଜ୍ଞାନର ପ୍ରୟୋଗାତ୍ମକ ଦିଗ ଉପରେ ଯେଉଁ ଗବେଷଣା କରିବେ ତାହା ସମଗ୍ର ମାନବ ଜାତିର ହିତରେ ଆସିବ । ଏହାଦ୍ଵାରା ଦେଶର ସବୁ ଅଞ୍ଚଳ ଓ ବର୍ଗର ଲୋକ ଉପକୃତ ହେବେ ।

ପୃଷ୍ଠଭୂମି

ବିଗତ ଏକ ଦଶନ୍ଧି ଧରି ମହାକାଶ ସହଯୋଗ ପାଇଁ ଉଭୟ ଦେଶ ଚେଷ୍ଟା କରିଆସୁଥିଲେ । ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପଦକ୍ଷେପ ଫଳରେ ନାଇଜେରିଆ ସରକାରଙ୍କୁ ଏସଂକ୍ରାନ୍ତ ଚିଠା ପ୍ରସ୍ତାବ ବହିର୍ବ୍ୟାପାର ବିଭାଗ ଜରିଆରେ ଦିଆଯାଇଥିଲା । ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ଏହାର ଚୁଡାନ୍ତ ଚିଠା ପ୍ରସ୍ତୁତ ହୋଇଥିଲା । ମାତ୍ର ଦୁଇଦେଶର ପ୍ରତିନିଧିମାନଙ୍କ ଗସ୍ତ 2019 ଓ 2020 ରେ ରଦ୍ଦ ହେବା ତଥା କୋଭିଡ ବୈଶ୍ଵିକ ମହାମାରୀର ଆଗମନ ଯୋଗୁଁ ବୁଝାମଣାପତ୍ର ସ୍ଵାକ୍ଷରିତ ପ୍ରକ୍ରିୟା ବିଳମ୍ଭିତ ହୋଇଥିଲା ।

 

**********



(Release ID: 1666550) Visitor Counter : 194