ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହିମାଚଳ ପ୍ରଦେଶର ଶିଶୁଠାରେ ଅନୁଷ୍ଠିତ ଆଭାର ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
● ଅଞ୍ଚଳର ଜନସାଧାରଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଅଟଳ ଟନେଲ – ପ୍ରଧାନମନ୍ତ୍ରୀ
● ବିକାଶର ସୁଫଳ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ଅଙ୍ଗୀକାରବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ
● ଭୋଟ ପାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ନୀତି, ଯେପରି କୌଣସି ଭାରତୀୟ ପଛରେ ରହି ନ ଯାଆନ୍ତି, ତାହା ଦେଖିବା ସରକାରଙ୍କ କର୍ତ୍ତବ୍ୟ – ପ୍ରଧାନମନ୍ତ୍ରୀ
● ଲାହୋଲ-ସ୍ଫୀତି ଦେବ ଦର୍ଶନ ଓ ବୁଦ୍ଧ ଦର୍ଶନର ମହାମିଳନ ସ୍ଥଳୀ - ପ୍ରଧାନମନ୍ତ୍ରୀ
Posted On:
03 OCT 2020 1:35PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିଶୁ ଓ ଲାହୋଲ-ସ୍ଫୀତିଠାରେ ଅନୁଷ୍ଠିତ ଆଭାର ସମାରୋହରେ ଆଜି (03.10.2020) ଅଂଶଗ୍ରହଣ କରିଛନ୍ତି ।
ଟନେଲର ପରିବର୍ତ୍ତିତ ପ୍ରଭାବ
ରୋହତଙ୍ଗ ଗିରିପଥ ଶୀତଦିନେ ଗମନାଗମନ ପାଇଁ ବନ୍ଦ ହୋଇଯାଉଥିବାରୁ କିପରି ବୁଲାଣି ବାଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦଳର ଜଣେ କର୍ମକର୍ତ୍ତା ଭାବେ ସେଠାକୁ ଯାଇଥିଲେ ଆଜି ତାହାର ସ୍ମୃତିଚାରଣ କରିଛନ୍ତି । ସେ ଠାକୁରସେନ ନେଗୀଙ୍କ ସହ ସେତେବେଳେ ଯେଉଁ ମତ ବିନିମୟ କରିଥିଲେ ତାହାର ମଧ୍ୟ ଅବତାରଣା କରିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ସେତେବେଳର ସମସ୍ୟା ସମ୍ପର୍କରେ ଭଲଭାବରେ ଅବଗତ ଥିଲେ ଏବଂ 2000ରେ ଏହାର ନିର୍ମାଣ ପାଇଁ ଘୋଷଣା କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି 9 କିଲୋମିଟର ଦୀର୍ଘ ଟନେଲ ଯୋଗୁଁ ପ୍ରାୟ 45 ରୁ 46 କିଲୋମିଟର ଦୂରତ୍ଵ ହ୍ରାସ ପାଇଛି । ଏହି ସୁଡଙ୍ଗ ନିର୍ମାଣର ପ୍ରଭାବ ଯୋଗୁଁ ସେ ଅଞ୍ଚଳର ଲୋକମାନଙ୍କ ଜୀବନମାନରେ ଅନେକ ପରିବର୍ତ୍ତନ ଆସିବ । ଲାହୋଲ-ସ୍ଫୀତି ଓ ପାଙ୍ଗି ପ୍ରଭୁତି ଅଞ୍ଚଳର ଚାଷୀ, ଉଦ୍ୟାନକୃଷି ଓ ପଶୁପାଳନରେ ସଂଶ୍ଳିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କ ପାଇଁ ଏହି ସୁଡଙ୍ଗ ବହୁମାତ୍ରାରେ ଉପାଦେୟ ହେବ । ଉତ୍ପାଦିତ ସାମଗ୍ରୀ ନଷ୍ଟ ହେବା ପୂର୍ବରୁ ଶୀଘ୍ର ବଜାରରେ ପହଞ୍ଚିପାରିବ । ସେ ଅଞ୍ଚଳରେ ଉପଲବ୍ଧ ଚନ୍ଦ୍ରମୁଖୀ ଆଳୁ ନୂତନ ବଜାର ଓ କ୍ରେତାଙ୍କ ପାଖରେ ମଧ୍ୟ ପହଞ୍ଚିପାରିବ । ଲାହୋଲ-ସ୍ଫୀତି ଅଞ୍ଚଳରେ ଉପଲବ୍ଧ ଔଷଧୀୟ ଗୁଳ୍ମରାଜି ସହଜରେ ବିଶ୍ଵବ୍ୟାପୀ ଏହାର ପରିଚୟ ସୃଷ୍ଟି କରିପାରିବ । ଏହି ଟନେଲ ଯୋଗୁଁ ପିଲାମାନଙ୍କ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ସୁଗମ ହେବ ।
ପର୍ଯ୍ୟଟନ ଓ ନିଯୁକ୍ତି ସୁଯୋଗ
ସେ ଅଞ୍ଚଳର ପର୍ଯ୍ୟଟନ ବିଭବ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଛନ୍ତି । ଲାହୋଲ-ସ୍ଫୀତି ବର୍ତ୍ତମାନ ଦେବ ଦର୍ଶନ ଓ ବୁଦ୍ଧ ଦର୍ଶନର ମିଳନସ୍ଥଳରେ ପରିଣତ ହେବାକୁ ଯାଉଛି । ସ୍ଫୀତି ଇଲାକାରେ ଅବସ୍ଥିତ ବୌଦ୍ଧ ମଠକୁ ବିଶ୍ଵର ଅଧିକାଂଶ ଅଞ୍ଚଳରୁ ପର୍ଯ୍ୟଟକ ପରିଦର୍ଶନରେ ଆସିପାରିବେ । ଏହି ଅଞ୍ଚଳ ପୂର୍ବ-ଏସିଆ ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଏକ ବୌଦ୍ଧ ପରିଦର୍ଶନ ସ୍ଥଳରେ ପରିଣତ ହେବ । ପର୍ଯ୍ୟଟନର ଅଭିବୃଦ୍ଧି ଯୋଗୁଁ ଯୁବଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ ।
ସମସ୍ତଙ୍କ ପାଖରେ ପହଞ୍ଚ
ଅଟଳ ଟନେଲ ସରକାରଙ୍କ ଏକ ଅଙ୍ଗୀକାରବଦ୍ଧତାର ପ୍ରତୀକ ବୋଲି ବିବେଚନା କରି ପ୍ରତ୍ୟେକ ନାଗରିକଙ୍କ ପାଖରେ ଯେପରି ବିକାଶର ସୁଫଳ ପହଞ୍ଚିବ ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲାହୋଲ-ସ୍ଫୀତି ଭଳି ଅନେକ ଅଞ୍ଚଳ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ବହୁ ଦିନରୁ ଅବହେଳିତ ହୋଇ ରହିଥିଲା । ଦେଶରେ ବର୍ତ୍ତମାନ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଘଟିଛି । କେବଳ ଭୋଟକୁ ଚାହିଁ ନୀତି ନିର୍ଦ୍ଧାରଣ କରାଯାଉନାହିଁ ବରଂ ଦେଶର କେହି ଯେପରି ପଛରେ ନ ରହିଯାଆନ୍ତି, ସେଥିପ୍ରତି ଅଗ୍ରାଧିକାର ଦିଆଯାଉଛି । ଲାହୋଲ-ସ୍ଫୀତି ଏହାର ଏକ ବଳିଷ୍ଠ ଉଦାହରଣ ବୋଲି ସେ କହିଛନ୍ତି । ଏହା ଏପରି ଏକ ଜିଲ୍ଲା ଯେଉଁଠି ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ସୁନିଶ୍ଚିତ କରାଯାଇଛି ।
ଦେଶର ଦଳିତ, ଆଦିବାସୀ ଓ ବଞ୍ଚିତ ଶ୍ରେଣୀର ଲୋକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏଠାରେ ଦୋହରାଇଛନ୍ତି । ଗ୍ରାମାଞ୍ଚଳ ବିଦ୍ୟୁତିକରଣ, ଏଲପିଜି ଗ୍ୟାସର ଉପଲବ୍ଧତା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଭଳି କେତକ ସରକାରଙ୍କ ଉଚ୍ଚାଭିଳାଷୀ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣ ସତର୍କ ରହିବାକୁ ଆହ୍ଵାନ ଦେଇ ସେ ତାଙ୍କର ମନ୍ତବ୍ୟ ଶେଷ କରିଛନ୍ତି ।
**********
(Release ID: 1661433)
Visitor Counter : 237
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam