ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରାଖଣ୍ଡରେ ନମାମି ଗଙ୍ଗେ ଅଧୀନରେ 6ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
● “Rowing Down the Ganges” ପୁସ୍ତକ ହେବ ଉନ୍ମୋଚନ
● ଗଙ୍ଗା ଉପରେ ସ୍ଵତନ୍ତ୍ର ସଂଗ୍ରହାଳୟ ଗଙ୍ଗା ଅବଲୋକନକୁ କରିବେ ଉଦଘାଟନ
Posted On:
28 SEP 2020 5:18PM by PIB Bhubaneshwar
ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 29.09.2020 ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ 68 ଏମଏଲଡି ଏସଟିପି ନିର୍ମାଣ, ହରିଦ୍ଵାରର ଜଗଜିତପୁରଠାରେ ଥିବା 27 ଏମଏଲଡି ଏସଟିପିର ଉନ୍ନତିକରଣ ଏବଂ ହରିଦ୍ଵାରର ସରାଇଠାରେ 18 ଏମଏଲଡି ଏସଟିପିର ନିର୍ମାଣ ଅନ୍ତର୍ଭୁକ୍ତ । 68 ଏମଏଲଡି ଏସଟିପି ଜଗଜିତପୁର ପ୍ରକଳ୍ପ ରାଜ୍ୟର ପ୍ରଥମ ସ୍ବେରେଜ ପ୍ରକଳ୍ପ ଯାହାକି ସରକାରୀ ଓ ଘରୋଇ ଭାଗିଦାରୀତାରେ ସଂପୂର୍ଣ୍ଣ ହୋଇଛି । ଏହା ବ୍ୟତୀତ ଋଷିକେଶର ଲାକଡାଘାଟଠାରେ 26 ଏମଏଲଡି ଏସଟିପିର ମଧ୍ୟ ଉଦଘାଟନ କରିବେ ।
ହରିଦ୍ଵାର ଋଷିକେଶ ଜୋନରୁ ଗଙ୍ଗା ନଦୀରେ ଶତକଡା 80 ଭାଗ ବର୍ଜ୍ୟ ଜଳ ନିଷ୍କାସିତ ହୋଇଥାଏ । ଗଙ୍ଗା ନଦୀକୁ ନିର୍ମଳ ରଖିବା ପାଇଁ ଏହି ଏସଟିପିଗୁଡିକର ଉଦଘାଟନ ବିଶେଷ ସହାୟକ ହେବ ।
ମୁନି କି ରେଟି ସହରର ଚନ୍ଦ୍ରେଶ୍ଵର ନଗରରେ 7.5 ଏମଏଲଡି ଏସଟିପି ଦେଶର ପ୍ରଥମ 4 ମହଲା ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟର ମାନ୍ୟତା ପାଇବ । ଏହା 900 ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ ଏହାଛଡା ଚୁରପାଣିଠାରେ 5 ଏମଏଲଡି ଏସଟିପି ଓ ବଦ୍ରିନାଥଠାରେ 1 ଏମଏଲଡି ଏସଟିପି ଓ 0.01 ଏମଏଲଡି ଏସଟିପି ସାମର୍ଥ୍ୟ ବିଶିଷ୍ଟ ଆଉ ଦୁଇଟି ଏମଏଲଡି ଏସଟିପି ମଧ୍ୟ ଉଦଘାଟନ କରିବେ । ଏହାକୁ ମିଶାଇ ଉତ୍ତରାଖଣ୍ଡର ମୋଟ 30ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଶତକଡା 100 ଭାଗ କାର୍ଯ୍ୟ ଏହି ଗଙ୍ଗାନଦୀ ତଟବର୍ତ୍ତୀ 17ଟି ସହରରେ ସଂପୂର୍ଣ୍ଣ ହେବା ଏକ ପ୍ରମୁଖ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ଅବଲୋକନ ନାମରେ ଏକ ସଂଗ୍ରହାଳୟର ଉଦଘାଟନ ହରିଦ୍ଵାରର ଚଣ୍ଡୀଘାଟଠାରେ କରିବେ । ଦେଶରେ ପ୍ରଥମଥର ପାଇଁ ସ୍ଥାପିତ ଏହିପରି ଏକ ସଂଗ୍ରହାଳୟରେ ଗଙ୍ଗାନଦୀର ପୁନରୁଦ୍ଧାର, ଜୈବ ବିବିଧତା, ସଂସ୍କୃତି ଇତ୍ୟାଦି ସନ୍ନିବେଶିତ ହେବ ।
ଏହି ଅବସରରେ ଜାତୀୟ ଗଙ୍ଗା ପରିମଳ ମିଶନ ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ପୁସ୍ତକ ‘Rowing down the Ganges’ ଉନ୍ମୋଚିତ ହେବ । ଗଙ୍ଗାକୂଳର ସଂସ୍କୃତି ଓ ଜୈବ ବିବିଧତା ବିଷୟବସ୍ତୁମାନ ଏହି ପୁସ୍ତକରେ ରଙ୍ଗୀନ ଫଟୋ ସହିତ ଦର୍ଶାଯାଇଛି । ଏହି ପୁସ୍ତକରେ ଗଙ୍ଗାର ଉତ୍ପତ୍ତିସ୍ଥଳ ଗୋମୂଖଠାରୁ ଆରମ୍ଭ କରି ସାଗରରେ ବିଲୀନ ହୋଇଥିବା ଗଙ୍ଗା ସାଗର ପର୍ଯ୍ୟନ୍ତ ନୌଯାତ୍ରାର ପରିକଳ୍ପନା କରାଯାଇଛି ।
ଏହାଛଡା ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନର ଲୋଗୋ ଓ ଗ୍ରାମପଞ୍ଚାୟତଗୁଡିକର ମାର୍ଗଦର୍ଶିକା ଓ ଜଳ ଜୀବନ ମିଶନ ଅନ୍ତର୍ଗତ ପାଣି ସମିତି ସମ୍ପର୍କିତ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ।
ଏହି ଲିଙ୍କhttps://pmevents.ncog.gov.in/ରେ ଯୋଡି ହୁଅନ୍ତୁ ।
**********
(Release ID: 1659853)
Visitor Counter : 224
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam