ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାରରେ 14 ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
● ରାଜ୍ୟର ସମସ୍ତ ଗ୍ରାମ ପାଇଁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ପ୍ରକଳ୍ପର ଶୁଭାରମ୍ଭ
● କୃଷିରେ ସଂସ୍କାର ଯୋଗୁଁ କୃଷକର ସଶକ୍ତିକରଣ ହେବା ସହ ଯେକୌଣସି ସ୍ଥାନରେ ନିଜ ଉତ୍ପାଦର ବିକ୍ରିବଟା କରିପାରିବେ – ପ୍ରଧାନମନ୍ତ୍ରୀ
● ଏମଏସପି ପୂର୍ବଭଳି ବଳବତ୍ତର ରହିବ – ପ୍ରଧାନମନ୍ତ୍ରୀ
● ସଂସ୍କାରର ଭଲ ଦିଗଗୁଡିକୁ ଭୁଲ ବୋଲି କହି ବିଭ୍ରାନ୍ତିକର କରୁଛନ୍ତି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ
Posted On:
21 SEP 2020 3:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 14 ହଜାର କୋଟି ଟଙ୍କା ବ୍ୟୟରେ ବିହାରର 9ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହାଛଡା ରାଜ୍ୟର ସମସ୍ତ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅପ୍ଟିକାଲ ଫାଇବର ପଦ୍ଧତିର ମଧ୍ୟ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜପଥ ପ୍ରକଳ୍ପଗୁଡ଼ିକ ବିହାରର ସଡକ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଉନ୍ନତି ଆଣିବ । ଏହି ପ୍ରକଳ୍ପ ମଧ୍ୟରେ 3ଟି ବୃହତ ସେତୁ, ରାଜପଥଗୁଡିକୁ ଚାରି ଓ ଛଅ ଲେନ କରିବା ଅନ୍ତର୍ଭୁକ୍ତ । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ବିହାରର ସମସ୍ତ ନଦୀ ଉପରେ ସେତୁ ଓ ମୁଖ୍ୟ ରାଜପଥଗୁଡିକୁ ପ୍ରଶସ୍ତ କରାଯିବା ଏହି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦିନ କେବଳ ବିହାର ପାଇଁ ଐତିହାସିକ ନୁହେଁ ବରଂ ସମଗ୍ର ଦେଶକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ନେଇ ସରକାରଙ୍କ ଯେଉଁ ସ୍ଵପ୍ନ ରହିଛି ତାହା ଆଜିଠାରୁ ବିହାରରେ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଅଧୀନରେ ଦେଶର 6 ଲକ୍ଷ ଗ୍ରାମକୁ 1000 ଦିନ ମଧ୍ୟରେ ଅପ୍ଟିକାଲ ଫାଇବର ଜରିଆରେ ଇଣ୍ଟରନେଟ ଯୋଗାଇ ଦିଆଯିବ । ବିହାରର 45,945ଟି ଗ୍ରାମ ଏହି ଇଣ୍ଟରନେଟ ସୁବିଧା ପାଇପାରିବେ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଏତେ ବଢିଯିବ ତାହା କଳ୍ପନା ବାହାରେ ଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ନେଣଦେଣ କ୍ଷେତ୍ରରେ ଭାରତ ବିଶ୍ଵର ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । କେବଳ ଗତ ଅଗଷ୍ଟ ମାସରେ 3 ଲକ୍ଷ କୋଟି ଟଙ୍କାର ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଇଣ୍ଟରନେଟର ବ୍ୟବହାର ବୃଦ୍ଧି ସହିତ ଦେଶର ଗ୍ରାମାଞ୍ଚଳରେ ଲୋକମାନେ କିପରି ଉତ୍ତମ ସେବାଯୁକ୍ତ ଇଣ୍ଟରନେଟ ସଂଯୋଗ ପାଇବେ ତାହା ବର୍ତ୍ତମାନ ଏକ ପ୍ରମୁଖ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଅପ୍ଟିକାଲ ଫାଇବର ସେବା ଦେଶର 1.5 ଲକ୍ଷ ଗ୍ରାମ ପଞ୍ଚାୟତ ଓ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ପହଞ୍ଚିପାରିଛି ।
ଦ୍ରୁତ ସଂଯୋଗୀକରଣର ସୁବିଧା ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ କହିହଛନ୍ତି ଯେ, ଏହା ଛାତ୍ରାଛାତ୍ରୀଙ୍କ ପାଠପଢା ପାଇଁ ଖୁବ ଫଳପ୍ରଦ ହେବ । ଏହାଛଡା ଲୋକମାନେ ଟେଲି ମେଡ଼ିସିନ, ମଞ୍ଜି ଓ ଚାରା ସମ୍ପର୍କିତ ତଥ୍ୟ, ବଜାରଗୁଡିକର ନୂତନ ପଦ୍ଧତି, ପାଣିପାଗ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଖୁବ ଶୀଘ୍ର ତଥ୍ୟମାନ ପାଇପାରିବେ । କୃଷକମାନେ ମଧ୍ୟ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଦେଶ ଓ ଦେଶ ବାହାରକୁ ଖୁବ କମ ସମୟରେ ପରିବହନ କରିପାରିବେ । ଦେଶର ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ସମସ୍ତ ସୁବିଧା ଉପଲବ୍ଧ କରାଇବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବରୁ ଭିତ୍ତିଭୂମି ବ୍ୟବସ୍ଥା ଅସଜଡା ଭାବରେ ଥିଲା । ଯେତେବେଳେ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସେତେବେଳେ ଭିତ୍ତିଭୂମିକୁ ରାଜନୀତିଠାରୁ ଅଧିକ ଗୁରୁତ୍ଵ ଦିଆଗଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବହୁମୂଖୀ ପରିବହନ ବ୍ୟବସ୍ଥା ବିକଶିତ କରିବାର ସମୟ ଆସିଛି । ଭିତ୍ତିଭୂମି ସହ ଯୋଡିହୋଇଥିବା ପ୍ରକଳ୍ପଗୁଡ଼ିକୁ ବର୍ତ୍ତମାନ ଯେପରି ପ୍ରାଧାନ୍ୟ ଦିଆଯାଉଛି ତାହା ଆଗରୁ କେବେ ଦେଖାଯାଇନଥିଲା । 2014 ପୂର୍ବ ତୁଳନାର ଆଜି ରାଜପଥଗୁଡିକୁ ଦ୍ଵିଗୁଣିତ ଗତିରେ ନିର୍ମାଣ କରାଯାଉଛି ଏବଂ ସେତେବେଳ ତୁଳନାରେ ବର୍ତ୍ତମାନ 5ଗୁଣ ଅଧିକ ଅର୍ଥ ଏହି ବାବଦରେ ଖର୍ଚ୍ଚ ହେଉଛି । ସେ କହିଛନ୍ତି ଯେ, ଆସନ୍ତା 4 ରୁ 5 ବର୍ଷ ମଧ୍ୟରେ ସରକାର ଭିତ୍ତିଭୂମିର ବିକାଶ ନେଇ 110 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ସେଥିରୁ 19 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ କେବଳ ରାଜପଥ ବିକାଶ ବାବଦକୁ ଖର୍ଚ୍ଚ ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଡକ ଓ ସଂଯୋଗୀକରଣ ବାବଦକୁ ଯେଉଁ ଖର୍ଚ୍ଚ ହେଉଛି ବିହାର ମଧ୍ୟ ସେଥିରୁ ଲାଭବାନ ହେବ । 2015ରେ ଘୋଷିତ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ ସଡକ କ୍ଷେତ୍ରରେ 3 ହଜାର କିଲୋମିଟର ଜାତୀୟ ରାଜପଥର ପ୍ରସ୍ତାବ ରହିଥିଲା । ଏଥିସହିତ ଭାରତମାଳା ପ୍ରକଳ୍ପ ଅଧୀନରେ ଜାତୀୟ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି । ଆଜି ବିହାରରେ ଜାତୀୟ ରାଜପଥ କ୍ଷେତ୍ରରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ବ ଓ ପଶ୍ଚିମ ବିହାରକୁ ସଂଯୋଗ କରିବା ପାଇଁ 5ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ଉତ୍ତର ଭାରତ ଓ ଦକ୍ଷିଣ ଭାରତକୁ ସଂଯୋଗ କରିବା ପାଇଁ 4 ଲେନ ଯୁକ୍ତ 6ଟି ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି ।
ସେ କହିଛନ୍ତି ଯେ, ବିହାରରେ ସଂଯୋଗୀକରଣ ପାଇଁ ବନ୍ୟା ସବୁଠାରୁ ବିଶେଷ ଅନ୍ତରାୟ ସୃଷ୍ଟି କରୁଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ପ୍ୟାକେଜ ଘୋଷଣା କରିବା ବେଳେ ପୋଲ ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଗଙ୍ଗା ନଦୀ ଉପରେ 17ଟି ପୋଲ ତିଆରି ଚାଲିଛି ଓ ସେଥିମଧ୍ୟରୁ ଅଧିକାଂଶର କାମ ପ୍ରାୟ ଶେଷ ହେବାକୁ ଲାଗିଛି । ଗଣ୍ଡକ ଓ କୋଶୀ ନଦୀରେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାଟଣା ରିଙ୍ଗ ରୋଡ ଏବଂ ମହାତ୍ମା ଗାନ୍ଧୀ ସେତୁର ସମାନ୍ତରାଳରେ ଥିବା ବିକ୍ରମଶିଳା ସେତୁ ଓ ଭାଗଲପୁର ସଂଯୋଗୀକରଣକୁ ଅଧିକ ମହତ୍ଵ ପ୍ରଦାନ କରିବ । ଗତକାଲି ସଂସଦରେ ପାରିତ ହୋଇଥିବା କୃଷି ବିଧେୟକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନଙ୍କୁ ବିଭିନ୍ନ ଅଭାବ ଅସୁବିଧାରୁ ମୁକ୍ତ କରିବା ପାଇଁ ଏଭଳି ବିଧେୟକର ଆବଶ୍ୟକ ରହିଥିଲା । ଏହି ଆଇନ ଦ୍ଵାରା କୃଷକମାନଙ୍କୁ ଦେଶରେ ଯେକୌଣସି ସ୍ଥାନରେ ନିଜ ସାମଗ୍ରୀର ବିକ୍ରିବଟା ପାଇଁ କୌଣସି କଟକଣା ରହିବ ନାହିଁ । ଆଗରୁ ଥିବା ବ୍ୟବସ୍ଥାରେ ଚାଷୀମାନେ ନ୍ୟସ୍ତ ସ୍ଵାର୍ଥ ଲୋକଙ୍କର ଚକ୍ରାନ୍ତର ଶିକାର ହେଉଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ନୂତନ ସଂସ୍କାର ଯୋଗୁଁ କୃଷି ମଣ୍ଡିକୁ ଛାଡିଦେଲେ ଚାଷୀ ପାଇଁ ଅନେକ ବିକଳ୍ପ ରାସ୍ତା ଖୋଲିପାରିଛି । ବର୍ତ୍ତମାନ ଚାଷୀ ଯେକୌଣସି ସ୍ଥାନରେ ନିଜର ସାମଗ୍ରୀକୁ ବିକ୍ରି କରି ଅଧିକ ଲାଭ ପାଇପାରିବ । ମଧ୍ୟପ୍ରଦେଶର ଆଳୁଚାଷୀ ଓ ରାଜସ୍ଥାନର ତୈଳବୀଜ ଚାଷୀମାନଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂସ୍କାର ପଦ୍ଧତି ଯୋଗୁଁ ଚାଷୀମାନେ ଶତକଡା 15 ରୁ 30 ଭାଗ ଅଧିକ ଲାଭ ପାଇବେ । ସେ କହିଛନ୍ତି ଯେ, ଏହିସବୁ ରାଜ୍ୟରେ ତେଲ ମିଲ ମାଲିକାମାନେ ସିଧାସଳଖ କୃଷକମାନଙ୍କଠାରୁ ତୈଳ ବୀଜ କିଣିଥାନ୍ତି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ବଳକା ଡାଲି ଉତ୍ପାଦିତ ରାଜ୍ୟଗୁଡିକରେ କୃଷକମାନେ 15 ରୁ 25 ଭାଗ ପର୍ଯ୍ୟନ୍ତ ଅଧିକ ଲାଭ ଗତ ବର୍ଷ ତୁଳନାରେ ପାଇଛନ୍ତି । କାରଣ ଡାଲି ମିଲ ମାଲିକମାନେ କୃଷକଙ୍କ ଠାରୁ ଏହାକୁ ପ୍ରତ୍ୟକ୍ଷ ଭାବେ କିଣିଥାନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୃଷି ମଣ୍ଡିଗୁଡିକ ବନ୍ଦ ନହୋଇ ପୂର୍ବ ଭଳି କାର୍ଯ୍ୟ କରିବ । ସରକାର ଗତ 6 ବର୍ଷ ଧରି ମଣ୍ଡିଗୁଡିକର ଆଧୂନିକୀକରଣ ଓ କମ୍ପ୍ୟୁଟରିକରଣ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଶ୍ରୀ ମୋଦୀ ଦେଶର ପ୍ରତ୍ୟେକ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ନ୍ୟୁନତମ ସହାୟକ ମୂଲ୍ୟ (ଏମଏସପି) ପୂର୍ବ ଭଳି ବଳବତ୍ତର ରହିବ । ଚାଷୀ ମାନଙ୍କୁ ଆଗରୁ ହଇରାଣ କରୁଥିବା ନ୍ୟସ୍ତ ସ୍ଵାର୍ଥର ଲୋକମାନେ ସ୍ଵାମୀନାଥନ କମିଟି ଦ୍ଵାରା ନିର୍ଦ୍ଧାରିତ ଏମଏସପିକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଆସିଛନ୍ତି । ବର୍ତ୍ତମାନ ଭଳି ସରକାର ପ୍ରତିବର୍ଷ ଫସଲ ଅମଳ ଅନୁସାରେ ଏହାର ନ୍ୟୁନତମ ସହାୟକ ମୂଲ୍ୟ ଘୋଷଣା କରିବେ ।
ଦେଶରେ କୃଷକମାନଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଶତକଡା 85 ଭାଗ କୃଷକ କ୍ଷୁଦ୍ର ବା ନାମମାତ୍ର ଚାଷୀ । ସେମାନଙ୍କର ଖର୍ଚ୍ଚ ଅନୁସାରେ ବା ସ୍ୱଳ୍ପ ଉତ୍ପାଦନ ଯୋଗୁଁ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ପାଇ ପାରୁନାହାନ୍ତି । ଯଦି ଚାଷୀମାନେ ଏକ ସଂଘ ତିଆରି କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ବିତ ହେବେ । ସେମାନେ ସାମଗ୍ରୀ କ୍ରେତାଙ୍କ ସହ ନିଜ ଇଚ୍ଛା ଅନୁସାରେ ମୂଲଚାଲ କରିବେ । ଏହି ସଂସ୍କାର କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗ ଯୋଗୁଁ କୃଷକର ଉତ୍ପାଦିତ ସାମଗ୍ରୀ ଆନ୍ତର୍ଜାତିକ ବଜାରରେ ସହଜରେ ପହଞ୍ଚିପାରିବ । କିପରି ନିକଟରେ ବିହାରର 5ଟି କୃଷି ଉତ୍ପାଦନ ସଂଗଠନ ଏକ ଚାଉଳ କମ୍ପାନୀ ସହ ରାଜିନାମା କରିଥିଲେ ତାହାର ଉଦାହରଣ ଶ୍ରୀ ମୋଦୀ ଦେଇଥିଲେ । ଏହି ରାଜିନାମା ଅନୁସାରେ କୃଷକ ସଂଗଠନ ଦ୍ଵାରା 4 ହଜାର ଟନ ଧାନ ପର୍ଯ୍ୟନ୍ତ ଉତ୍ପାଦିତ ହୋଇପାରିବ । ସେହିପରି ଦୁଗ୍ଧଜାତ ସାମଗ୍ରୀ ଓ ଦୁଗ୍ଧ ପ୍ରକଳ୍ପଗୁଡିକ ମଧ୍ୟ ଏହି ସଂସ୍କାର ଯୋଗୁଁ ଲାଭବାନ ହୋଇପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀଗୁଡିକରେ ମଧ୍ୟ ସଂସ୍କାର ଅଣାଯାଇଛି । ଆଇନର କେତେକ ସର୍ତ୍ତାବଳୀ ଯୋଗୁଁ ଚାଷୀମାନଙ୍କ ସ୍ଵାଧୀନତା ବାଧାପ୍ରାପ୍ତ ହେଉଥିଲା । ଆଇନର ଏହି କଟକଣା ମଧ୍ୟରୁ ଡାଲି, ତୈଳବୀଜ, ଆଳୁ, ପିଆଜ ଇତ୍ୟାଦିକୁ ବାଦ ଦିଆଯାଇଛି । ଏହାଫଳରେ ଚାଷୀ ବର୍ତ୍ତମାନ ଏସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ଶୀତଳ ଭଣ୍ଡାରରେ ଗଚ୍ଛିତ କରିପାରିବେ । ଆମ ଦେଶରେ ଭଣ୍ଡାରଣ ନେଇ ଥିବା ଆଇନଗତ ସମସ୍ୟା ଉଠାଯିବା ପରେ ଶୀତଳ ଭଣ୍ଡାର ସୃଷ୍ଟିର ପଥ ସୁଗମ ହୋଇପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷି କ୍ଷେତ୍ରରେ ହୋଇଥିବା ଏହି ଐତିହାସିକ ସଂସ୍କାରକୁ କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ବିରୋଧ କରୁଛନ୍ତି । 2014 ପୂର୍ବରୁ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ଯେତିକି ଉତ୍ପାଦିତ ହେଉଥିଲା ଗତ 5 ବର୍ଷ ମଧ୍ୟରେ ଏହା ତାହାର 24 ଗୁଣ ବୃଦ୍ଧି ପାଇଛି । ଏପରିକି କରୋନା ସମୟରେ ମଧ୍ୟ ଚାଷୀମାନେ ରେକର୍ଡ ପରିମାଣରେ ଗହମ ଉତ୍ପାଦନ କରିଛନ୍ତି । ଚଳିତ ବର୍ଷ ରବି ଋତୁରେ କୃଷକମାନଙ୍କୁ ଗହମ, ଡାଲି ଓ ତୈଳବୀଜ ଜାତୀୟ ଫସଲ ଏମଏସପି ବାବଡକୁ 1.13 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 30 ପ୍ରତିଶତ ଅଧିକ ।
କରୋନା କାଳରେ ସରକାର କେବଳ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ସଂଗ୍ରହ କରିନାହାନ୍ତି ବରଂ ଚାଷୀମାନଙ୍କୁ ସହାୟକ ମୂଲ୍ୟ ପ୍ରଦାନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି । ଆଧୁନିକ ଚିନ୍ତାଧାରାକୁ ପାଥେୟ କରି ଏହି ନୂତନ ପଦ୍ଧତିରେ ଅବଲମ୍ବନ ସ୍ୱରୂପ ଏକବିଂଶ ଶତାବ୍ଦୀରେ କୃଷକମାନଙ୍କ ବିକାଶ ହୋଇପାରିବ ।
**********
(Release ID: 1657462)
Visitor Counter : 267
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam