ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିହାରରେ ‘ନମାମି ଗଙ୍ଗେ’ ଓ ‘ଅମୃତ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Posted On: 15 SEP 2020 3:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ଆଜି ଉଦ୍‌ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍‌ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ ବିହାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନିରବଚ୍ଛିନ୍ନଭାବେ କାର୍ଯ୍ୟକାରୀ ହେଉଛି । ନିକଟ ଅତୀତରେ ବିହାରରେ ଶହ ଶହ କୋଟି ଟଙ୍କାରେ ନିର୍ମିତ ଯେଉଁସବୁ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି ତଦ୍ଦ୍ୱାରା ରାଜ୍ୟର ଚାଷୀ ବିଶେଷ ଉପକୃତ ହେବେ । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ଆଜି ଇଂଜିନିୟର ଦିବସ ହୋଇଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିକାଶରେ ଯନ୍ତ୍ରୀମାନଙ୍କର ଭୂମିକାର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଦିବସଟି ପ୍ରସିଦ୍ଧ ଆଧୁନିକ ସିଭିଲ ଇଂଜିନିୟର ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱଶ୍ୱେରାୟାଙ୍କ ସ୍ମୃତିରେ ପାଳନ କରାଯାଉଛି । ଶ୍ରୀ ମୋଦୀ କହିଛନ୍ତି ଯେ, ବିହାର ଲକ୍ଷ ଲକ୍ଷ ଇଂଜିନିୟର ସୃଷ୍ଟିକରି ଦେଶର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ଏକ ଐତିହାସିକ ନଗରୀର ରାଜ୍ୟ । ଏହି ରାଜ୍ୟରେ ହଜାର ହଜାର ବର୍ଷର ଐତିହ୍ୟ ରହିଛି । ସ୍ୱାଧୀନତା ପରେ ଦୂରଦ୍ରଷ୍ଟା ନେତାମାନେ ବିହାରର ନେତୃତ୍ୱ ନେଇଛନ୍ତି । ଦାସତ୍ୱ କାଳରେ ଯେଉଁ ତ୍ରୁଟିମାନ ଘଟିଥିଲା ତାହାକୁ ଦୂର କରିବାରେ ଏହି ନେତାମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାପରେ ଏହି ରାଜ୍ୟରେ ଏକପାକ୍ଷିଆ ବିକାଶ ଘଟି ଅଗ୍ରାଧିକାର କ୍ଷେତ୍ରଗୁଡିକ ଅବହେଳିତ ହୋଇଗଲା । ଫଳରେ ସହରାଞ୍ଚଳ ଭିତ୍ତିଭୂମିର ଅବକ୍ଷୟ ଘଟିବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବ୍ୟବସ୍ଥା ଭୁଶୁଡି ପଡିଲା ।

ଶ୍ରୀ ମୋଦୀ କହିଛନ୍ତି ଯେ ଶାସନରେ ଯେତେବେଳେ ସ୍ୱାର୍ଥପରତା ବଢିଯାଏ ଏବଂ ଭୋଟବ୍ୟାଙ୍କ ରାଜନୀତି  ଆରମ୍ଭ ହୁଏ ସେତେବେଳେ ଅବହେଳିତ ଓ ବଞ୍ଚିତ ବର୍ଗର ଲୋକେ ଅଧିକ ପ୍ରଭାବିତ ହୁଅନ୍ତି । ସେ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ବିହାରର ଜନସାଧାରଣ ପାଣି ଓ ସ୍ୱେରେଜ ଭଳି ମୌଳିକ ସମସ୍ୟାର ସମାଧାନ ସୁବିଧା ନ ପାଇ ଯନ୍ତ୍ରଣା ଭୋଗିଛନ୍ତି । ବାଧ୍ୟବାଧକତାରେ ଅପରିସ୍କାର ପାଣି ପିଇ ଲୋକେ ରୋଗରେ ପଡିଥାନ୍ତି ଏବଂ ସେମାନଙ୍କ ରୋଜଗାରର ଏକ ବଡ଼ ଅଂଶ ଚିକିତ୍ସାରେ ଖର୍ଚ୍ଚ ହୁଏ । ଏଭଳି ପରିସ୍ଥିତିରେ ବିହାର ଜନସଂଖ୍ୟାର ଏକ ବଡ଼ ଭାଗ କରଜ, ବ୍ୟାଧି, ଅଶିକ୍ଷା ଓ ଅସହାୟତାକୁ ଆଦରି ପଡିରହିବାକୁ ବାଧ୍ୟ ହୋଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ କେତେ ବର୍ଷ ଧରି ବିହାରରେ ଚାଲିଥିବା ଦୁର୍ଦ୍ଦଶାର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମଜର ସୁବଠୁ ପ୍ରଭାବିତ ବର୍ଗର ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯାଇଛି । ଆମର ଝିଅମାନଙ୍କୁ ଶିକ୍ଷିତ କରାଇବା ପାଇଁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷାଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତିରାଜଠାରୁ ଆରମ୍ଭ କରି ବିଭିନ୍ନ ସ୍ୱୟଂଶାସନାଧୀନ ସଂସ୍ଥାରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅବହେଳିତ ଲୋକଙ୍କୁ ଅଂଶଗ୍ରହଣ ଓ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଫଳରେ ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇଛି । 2014 ପରଠାରୁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାଗୁଡିକରୁ ଭିତ୍ତିଭୂମି ସମ୍ବନ୍ଧୀୟ ଯୋଜନାଗୁଡିକ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରାଯାଇଛି । ଏବେ ଯୋଜନାଠାରୁ ଆରମ୍ଭ କରି ତାହାର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଲୋକାଲ ବଡିକୁ ଦାୟିତ୍ୱ ଦିଆଯାଇଛି । ଏହା ଫଳରେ ପାନୀୟ ଜଳଯୋଗାଣ ଏବଂ ସହରରେ ନାଳନର୍ଦ୍ଦମାର ଉନ୍ନତି ଭଳି କାର୍ଯ୍ୟ ତ୍ୱରାନ୍ୱିତଭାବେ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 4-5 ବର୍ଷ ହେଲା ଅମୃତ ଯୋଜନାରେ ବିହାରର ସହରାଞ୍ଚଳରେ ଲକ୍ଷ ଲକ୍ଷ ପରିବାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ବିଭିନ୍ନ ଯୋଜନାର ଅବଦାନ ରହିଛି । ଆଗାମୀ ବର୍ଷଗୁଡିକରେ ବିହାରର ସବୁ ପରିବାରକୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଯୋଗାଇ ଦିଆଯିବ ଏବଂ ଏହି ରାଜ୍ୟ ଏ କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟଗୁଡିକ ସହ ସମକକ୍ଷ ହୋଇପାରିବ । ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ବିହାରର ଜନସାଧାରଣ ନିରନ୍ତରଭାବେ କାମ କରି ବୃହତ୍ତର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗତ କେଇମାସ ମଧ୍ୟରେ ରାଜ୍ୟରେ 57 ଲକ୍ଷରୁ ଅଧିକ ପରିବାରକୁ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ଏହା ମୁଖ୍ୟତଃ ରାଜ୍ୟର ଗ୍ରାମାଞ୍ଚଳରେ ସମ୍ଭବ ହୋଇଛି । ମହାମାରୀ ଫଳରେ ପ୍ରବାସରୁ ଫେରିଆସି ଗାଁଗହଳିରେ ରହୁଥିବା ଶ୍ରମିକ ଏବଂ ସ୍ଥାନୀୟ ଶ୍ରମଜୀବୀମାନେ ଏହି ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସାମିଲ ହୋଇ ଜଳଯୋଗାଣ ଯୋଜନାକୁ ସଫଳ କରିବାରେ ବଡ଼ ଅବଦାନ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଜଳଜୀବନ ମିଶନ ବିହାରର ଏହି କଠିନ ପରିଶ୍ରମ କରୁଥିବା ସହକର୍ମୀଙ୍କ ପାଇଁ ଉତ୍ସର୍ଗୀକୃତ । ଗତ ଏକ ବର୍ଷ ମଧ୍ୟରେ 2 କୋଟିରୁ ଅଧିକ ଜଳ ସଂଯୋଗ ସୁବିଧା ସମଗ୍ର ଦେଶରେ ଜଳଜୀବନ ମିଶନରେ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଆଜି ମଧ୍ୟ 1 ଲକ୍ଷରୁ ଅଧିକ  ପରିବାରକୁ ପାଇପ ଜଳଯୋଗାଣ ନୂଆକରି ଦୈନିକ ଯୋଗାଇ ଦିଆଯାଉଛି । ସ୍ୱଚ୍ଛ ଜଳ କେବଳ ଗରିବଙ୍କ ଜୀବନକୁ ଉନ୍ନତ କରେ ନାହିଁ, ଏହା ମଧ୍ୟ ସେମାନଙ୍କୁ ବିଭିନ୍ନ ଗୁରୁତର ବ୍ୟାଧିରୁ ସୁରକ୍ଷିତ ରଖେ । ସେ କହିଛନ୍ତି ଯେ ବିହାରର ସହରାଞ୍ଚଳରେ ମଧ୍ୟ ଅମୃତ ଯୋଜନାରେ 12 ଲକ୍ଷ ପରିବାରକୁ ଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ସେଥିମଧ୍ୟରୁ 6 ଲକ୍ଷ ପରିବାରଙ୍କୁ ଏହି ସୁବିଧା ମିଳିସାରିଲାଣି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏବେ ସହରାଞ୍ଚଳ ଜନସଂଖ୍ୟା ଦ୍ରୁତବେଗରେ ବୃଦ୍ଧି ପାଉଛି । ଅଧିକରୁ ଅଧିକ ଲୋକ ସହର ମୁହାଁ ହେଉଛନ୍ତି ଏବଂ ବିଭିନ୍ନ ସହର ଗଢି ଉଠୁଛି । ନଗରାୟନ ଏବେ ଏକ ନୂଆ ବାସ୍ତବତାରେ ପରିଣତ ହୋଇଛି । ତେବେ ବହୁ ଦଶନ୍ଧି ଧରି ସହରାୟନକୁ ଏକ ପ୍ରତିବନ୍ଧକଭାବେ ବିଚାର କରାଯାଉଥିଲା । ବାବା ସାହେବ ଆମ୍ବେଦକର ଯିଏ କି ସହରାୟନର ଏକ  ଜଣେ ବଡ଼ ସମର୍ଥକ ଥିଲେ; ତାଙ୍କ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା ସାହେବ ନଗରାୟନକୁ ଏକ ସମସ୍ୟାଭାବେ ବିଚାର କରୁ ନ ଥିଲେ । ତାଙ୍କ କଳ୍ପିତ ସହରରେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଁ ବଞ୍ଚି ରହୁ ଏବଂ ଏକ ଭଲ ଜୀବନ ଜୀଉଁ  ବୋଲି ଆମ୍ବେଦକର କହୁଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରଗୁଡିକ ଏପରି ହେବା ଉଚିତ ଯେଉଁଠି ପ୍ରତ୍ୟେକ, ବିଶେଷକରି ଆମର ଯୁବବର୍ଗ ଆଗକୁ ବଢିବା ପାଇଁ ନୂଆ ଏବଂ ଅସୀମ ସମ୍ଭାବନାର ସୁଯୋଗ ପାଇବା ଆବଶ୍ୟକ । ସହରଗୁଡିକ ଏପରି ହେବା ଉଚିତ ଯେ ଯେଉଁଠି ପ୍ରତ୍ୟେକ ପରିବାର ସମୃଦ୍ଧି ଓ ଆନନ୍ଦର ସହ ବଞ୍ଚିବାର ସୁଯୋଗ ପାଉ । ଗରିବ, ଦଳିତ, ଅନଗ୍ରସର, ମହିଳା ପ୍ରତ୍ୟେକ ବ୍ୟକ୍ତି ସେହି ସହରରେ ଏକ ମର୍ଯ୍ୟାଦାଜନକ ଜୀବନଯାପନର ସୁଯୋଗ ପାଇବାର ଆବଶ୍ୟକତା ରହିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ଆମେ ଦେଶରେ ନୂଆ ସହରାୟନର ପ୍ରକ୍ରିୟା ଦେଖୁଛୁ ଏବଂ ନଗରୀଗୁଡିକ ନିଜର ଉପସ୍ଥିତିକୁ ଜାହିର କରୁଛନ୍ତି । କିଛି ବର୍ଷ ପୂର୍ବେ ସହର ବିକାଶ କେବଳ ସହରର ଅଳ୍ପ କିଛି ଅଞ୍ଚଳ ଉନ୍ନୟନରେ ସୀମିତ ରହୁଥିଲା । ଏହା ପୁଣି କେତେକ ବଛା ବଛା ସହରରେ ସୀମିତ ଥିଲା । ଏବେ ସେ ବିଚାର ବଦଳିଯାଇଛି । ବିହାରର ଜନସାଧାରଣ ଭାରତର ନଗରାୟନରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଆମର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସହରଗୁଡିକ ପ୍ରସ୍ତୁତ ହେବା ଉଚିତ । ବର୍ତ୍ତମାନର ଆବଶ୍ୟକତା ପୂରଣ କରି ଭବିଷ୍ୟତ କଥା ଭୁଲିଗଲେ ସହରର ବାସ୍ତବ ବିକାଶ ହୁଏନାହିଁ । ତେଣୁ ସେହି ବିଚାରରେ ସହରଗୁଡିକର ବିକାଶ ପ୍ରକ୍ରିୟା ଚାଲିଛି । ଏହାଦ୍ୱାରା ଆତ୍ମନିର୍ଭର ବିହାର ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ । ଏହି ବିଚାର ସହ ଅମୃତ ମିଶନରେ ବିହାରର ଅନେକ ସହରରେ ମୌଳିକ ସୁବିଧା ସୁଯୋଗ ବିକାଶ ପାଇଁ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ ହେଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ବିହାରରେ 4.5 ଲକ୍ଷ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ 100ରୁ ଅଧିକ ମୁନିସିପାଲିଟିରେ ଲଗାଯାଇଛି । ଏହାଦ୍ୱାରା ଆମ ଛୋଟ ଛୋଟ ସହରଗୁଡିକର ରାସ୍ତାଘାଟ ଅଧିକ ଆଲୋକିତ ହେଉଛି । ଏହା ଫଳରେ ବିଜୁଳି ବ୍ୟବହାର କମିଛି ଏବଂ କୋଟି କୋଟି ଟଙ୍କା ସଂଚୟ ହୋଇପାରିଛି । ଲୋକଙ୍କ ଜୀବନ ମଧ୍ୟ ଉନ୍ନତତର ହୋଇଛି । ସେ କହିଛନ୍ତି ଯେ ରାଜ୍ୟର 20ଟି ବଡ଼ ଗୁରୁତ୍ୱପୂର୍ଣ୍ଣ ସହର ଗଙ୍ଗାନଦୀ କୂଳରେ ଅବସ୍ଥିତ । ତେଣୁ ଏହିସବୁ ସହରରେ ବସବାସ କରୁଥିବା କୋଟି କୋଟି ଲୋକଙ୍କ ଜୀବନ ଉପରେ ପରିଷ୍କୃତ ଗଙ୍ଗା ଏବଂ ଏହାର ସ୍ୱଚ୍ଛ ଜଳର ସିଧାସଳଖ ପ୍ରଭାବ ରହିଛି । ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଗଙ୍ଗାର ପରିସ୍କରଣ କାର୍ଯ୍ୟ ଚାଲିଛି । ସେଥିମଧ୍ୟରୁ 6 ହଜାର କୋଟି ଟଙ୍କାର 50ରୁ ଅଧିକ ପ୍ରକଳ୍ପ ବିହାର ପାଇଁ ଅନୁମୋଦିତ ହୋଇଛି । ରାଜ୍ୟରେ ଅନେକ ଜଳବିଶୋଧନ କେନ୍ଦ୍ର ସ୍ଥାପନ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଗଙ୍ଗାକୂଳରେ ଥିବା ସବୁ ସହରରେ ଏହାକୁ କାର୍ଯ୍ୟକାରୀ କରିବାକୁ କାର୍ଯ୍ୟ ଚାଲିଛି । ଏହା ଫଳରେ ସହରରୁ ନିର୍ଗତ ଦୂଷିତଜଳ ସିଧାସଳଖ ଗଙ୍ଗାରେ ମିଶିପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଟନାର ବେଉର ଓ କରମ-ଲିଛକ୍‌ରେ ଆଜି ଯେଉଁ ଦୁଇଟି ପ୍ରକଳ୍ପ ଉଦ୍‌ଘାଟିତ ହେଲା ତଦ୍ଦ୍ୱାରା ଲକ୍ଷ ଲକ୍ଷ ଲୋକେ ଉପକୃତ ହେବେ । ଏହା ସହିତ ଗଙ୍ଗାକୂଳରେ ଥିବା ଗାଁଗୁଡିକୁ ଗଙ୍ଗାଗ୍ରାମଭାବେ ବିକଶିତ କରାଯାଉଛି ।

 

**********



(Release ID: 1654699) Visitor Counter : 153