ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

Posted On: 06 SEP 2020 6:34PM by PIB Bhubaneshwar

ଚଳିତ ସେପ୍ଟେମ୍ବରରେ ସମଗ୍ର ଦେଶରେ ତୃତୀୟ ପୋଷଣ ମାସ ପାଳିତ ହେଉଛି । ପ୍ରତିବର୍ଷ ପୋଷଣ ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ସାମଗ୍ରିକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଥାଏ । ଏହା 2018ରେ ଆରମ୍ଭ ହୋଇଥିଲା । ପୋଷଣ ଅଭିଯାନର ନୋଡାଲ ମନ୍ତ୍ରଣାଳୟଭାବେ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କୁ ଅଂଶୀଦାରଭାବେ ଗ୍ରହଣ କରାଯାଇ ଜାତୀୟ, ପ୍ରାଦେଶିକଜିଲା ଏବଂ ସମାଜର ତଳସ୍ତରରେ ପୋଷଣ ମାସ ପାଳିତ ହେଉଛି । ପୋଷଣ ମାସ ପାଳନର ଲକ୍ଷ୍ୟ ହେଲା ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଜନଭାଗିଦାରୀ ସୃଷ୍ଟି କରି ଏହାକୁ ଏକ ଗଣଆନ୍ଦୋଳନର ରୂପ ଦେବା ଏବଂ ଛୋଟ ଛୋଟ ପିଲା ଓ ମହିଳାମାନଙ୍କୁ କୁପୋଷଣରୁ ରକ୍ଷା କରିବା ସହ ସେମାନଙ୍କୁ ସୁସ୍ଥସବଳଭାବେ ଗଢି ତୋଳିବା ।

ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଅଗଷ୍ଟ 30 ତାରିଖରେ କହିଥିଲେ । ପୁଷ୍ଟିସାଧନ ଦ୍ୱାରା ପିଲା ଏବଂ ଛାତ୍ରଛାତ୍ରୀମାନେ କିପରି ସେମାନଙ୍କର ଦକ୍ଷତାର ସର୍ବାଧିକ ଉପଯୋଗ କରିପାରିବେ ସେ ବିଷୟରେ ସେ ଉଲ୍ଲେଖ କରିଥିଲେ । ଏହାଛଡା ବିଗତ ଦିନରେ ଗ୍ରାମାଞ୍ଚଳରେ ପୋଷଣ ମାସ ଓ ପୋଷଣ ଅଭିଯାନ ପାଳନ ଦ୍ୱାରା ଲୋକେ କିପରି ଅଧିକରୁ ଅଧିକ ସଚେତନ ହେଉଛନ୍ତି ଏବଂ ଏଥିରେ ଅଂଶଗ୍ରହଣ କରୁଛନ୍ତି ସେ ସଂପର୍କରେ ସେ ଉଲ୍ଲେଖ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଗତ ଅଗଷ୍ଟ 27 ତାରିଖରେ ଅନୁଷ୍ଠିତ ଏକ ଆନ୍ତଃମନ୍ତ୍ରଣାଳୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମନ୍ତ୍ରଣାଳୟର ସଚିବ ଶ୍ରୀ ରାମମୋହନ ମିଶ୍ର, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହ ପୋଷଣ ମାସ ପାଳନ ଓ ପ୍ରସ୍ତୁତି ସଂପର୍କରେ ମତବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁସଂହତଭାବେ ପାଳନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ମାତ୍ରାଧିକ କୁପୋଷଣ ଦ୍ୱାରା ପ୍ରଭାବିତ ମହିଳା ଏବଂ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ପୁଷ୍ଟିସାଧନ ବ୍ୟବସ୍ଥା କରିବା, ପୋଷଣ ବାଟିକା ପାଇଁ ବୃକ୍ଷରୋପଣ କରିବା ଆଦି କାର୍ଯ୍ୟକ୍ରମ ପୋଷଣ ମାସରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତଦନୁସାରେ ଏବେ ଏସବୁକାର୍ଯ୍ୟ ଚାଲିଛି । ଏହାଛଡା ପିଲାଙ୍କୁ ମାକ୍ଷୀର ଖୁଆଇବା, ଜୀବନର ପ୍ରଥମ ହଜାରେ ଦିନ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ ଏହି ପୋଷଣ ମାସରେ ଉଦ୍ୟମ ଚାଲିଛି ।

ଏହି କାର୍ଯ୍ୟକ୍ରମରେ ସବୁ ସଂପୃକ୍ତ ମନ୍ତ୍ରଣାଳୟ ମଧ୍ୟ ସାମିଲ ହୋଇ ପୋଷଣ ମାସକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ନିଜସ୍ୱ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ପୁଷ୍ଟିସାଧନ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି । ସ୍କୁଲ ଶିକ୍ଷା ବିଭାଗ ଏବଂ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଏହି ମାସରେ ସ୍କୁଲ ପିଲାଙ୍କ ମଧ୍ୟରେ ପୁଷ୍ଟିସାଧନ ସଂକ୍ରାନ୍ତ ଇ-କୁଇଜ ଏବଂ ମେମେ ମେକିଂ ପ୍ରତିଯୋଗିତା ଆଦି ଆୟୋଜିତ କରିବାକୁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ ସ୍କୁଲ ସ୍ତରରେ ଏହି କାମ ଚାଲିଛି । ସେହିଭଳି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଚଳିତ ପୋଷଣ ମାସରେ ସ୍ୱତନ୍ତ୍ର କମିଟି ବୈଠକମାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ସହାୟତାରେ ପୋଷଣ ବାଟିକାମାନ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି । ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଜୀବନ ଶୈଳୀ ତିଆରି କରିବା ପାଇଁ ଯୋଗ ଓ ପୁଷ୍ଟିସାଧନ ସଂକ୍ରାନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୋଷଣ ମାସକୁ ସଫଳ କରିବା ନିମନ୍ତେ ସବୁ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ଏବେ ସମଗ୍ର ଦେଶରେ କରୋନ ମହାମାରୀ ସଂକ୍ରମଣ ଚାଲିଥିବାରୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୋଷଣ ମାସ ପାଳନ ପାଇଁ ସବୁ ସଂପୃକ୍ତ ପକ୍ଷଙ୍କୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛି । ସୋସିଆଲ ମିଡିଆ, ଅନ୍‌ଲାଇନ କାର୍ଯ୍ୟକ୍ରମ, ପଡକ୍ୟାଷ୍ଟ ଏବଂ ଇ-ସମ୍ବାଦ ଆଦି ଜରିଆରେ ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ସଂପର୍କରେ ଲୋକଙ୍କୁ ସୂଚନା ଯୋଗାଇ ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏକ ୱେବିନାରର ଆୟୋଜନ କରାଯାଇଛି । ଏଥିରେ ବିଷୟ ବିଷାରଦମାନେ ମହିଳା ଓ ଶିଶୁମାନଙ୍କ ନିମନ୍ତେ  ପୋଷଣର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବେ ।

 

**********



(Release ID: 1651850) Visitor Counter : 260