ଇସ୍ପାତ ମନ୍ତ୍ରଣାଳୟ

ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ ଇସ୍ପାତ ଉଦ୍ୟୋଗକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ

• ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଓ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ

Posted On: 18 AUG 2020 2:25PM by PIB Bhubaneshwar

ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅଂଶୀଦାର ହେବାକୁ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଉଦ୍ୟୋଗର ନେତୃମଣ୍ଡଳୀକୁ ନିବେଦନ କରିଛନ୍ତି ।  ଆତ୍ମନିର୍ଭର ଭାରତ; ଆବାସ, ନିର୍ମାଣ ଓ ଉଡାଣ ଉଦ୍ୟୋଗରେ ଇସ୍ପାତ ଉଦ୍ୟୋଗର ସହଯୋଗ ଶୀର୍ଷକ ଏକ ୱେବିନାରରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ଆବାସ ଓ ସହରାଞ୍ଚଳ ବିକାଶ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଯୋଜନା କରିଛି ତାହାକୁ ସଫଳ କରିବା ପାଇଁ ଇସ୍ପାତ ଉଦ୍ୟୋଗର ନେତୃମଣ୍ଡଳୀ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ଆଗେଇ ଆସି ଅଂଶୀଦାର ଭିତ୍ତିରେ କାମ କରିବା ଉଚିତ । ଏହି ଯୋଜନାରେ ସରକାର ଏକ ଲକ୍ଷ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଇସ୍ପାତ ଉଦ୍ୟୋଗ ଏଥିରେ ସହଯୋଗ କଲେ ଅଧିକରୁ ଅଧିକ ଲୁହା ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଆହୁରି ଅଧିକ ଆଦର୍ଶ ଗୃହ ନିର୍ମାଣ କରାଯାଇପାରିବ ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହେବ । ସରକାରଙ୍କର ଏଭଳି ଏକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଇସ୍ପାତ ଉଦ୍ୟୋଗ ଭାଗୀଦାର ହେବାକୁ ସେ ନିବେଦନ କରିଛନ୍ତି । ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇସ୍ପାତ ଉଦ୍ୟୋଗ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି ।

ଏହି ୱେବିନାର ଭାରତୀୟ ଶିଳ୍ପ ବଣିକ ସଂଘ (ସିଆଇଆଇ) ସହଯୋଗରେ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ଆବାସ ଓ ସହରାଞ୍ଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ ପୁଲସ୍ତେ ସମ୍ମାନିତ ଅତିଥିଭାବେ ଉଦ୍‌ଘାଟନ ଅଧିବେଶନରେ ଯୋଗଦେଇଥିଲେ । ଏଥିରେ ଇସ୍ପାତ, ଆବାସ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ଅଧିକାରୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି, ସିଆଇଆଇର କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଆବାସ ଓ ସହରାଞ୍ଚ ବିକାଶ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ପ୍ରକାଣ୍ଡ ଗୃହ ନିର୍ମାଣ ପ୍ରକଳ୍ପ ହାତକୁ ନିଆଯାଇଛି ତାହା ଇସ୍ପାତ ମନ୍ତ୍ରଣାଳୟ ପାଇଁ ବଡ ଆନନ୍ଦଦାୟକ ଖବର । ଏହାଦ୍ୱାରା ଦେଶରେ ଇସ୍ପାତ ବ୍ୟବହାରର ଚାହିଦା ଯଥେଷ୍ଟ ବଢିବ । ଦେଶ ବିକାଶ ପଥରେ ଯେତେ ଅଗ୍ରଗତି କରିବ ଇସ୍ପାତ ଚାହିଦା ସେତେ ବଢିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଏକ ବିରାଟ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏଥିରେ ଉଦ୍ୟୋଗ ଜଗତ ଏବଂ ଶିଳ୍ପ ବଣିକ ସଂଘ ସାମିଲ ହୋଇ ରୂପାୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବ । ଏ କ୍ଷେତ୍ରରେ ନାଲିଫିତା ସଂସ୍କୃତିର ଅବସାନ ଘଟାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତୀୟ ଉଦ୍ୟୋଗ ଜଗତ ଆଶାନୁରୂପ ଦକ୍ଷତା ପ୍ରତିପାଦନ କରି ପିପିଇ କିଟ୍ସ, ମାସ୍କ ଓ ଭେଣ୍ଟିଲେଟର ଆଦି ବିପୁଳ ପରିମାଣର ଉତ୍ପାଦନ କରିବାକୁ ସକ୍ଷମ ହୋଇଛି । ଔଷଧ ଉଦ୍ୟୋଗ ମଧ୍ୟ ଘରୋଇ ଆବଶ୍ୟକତା ପୂରଣ କରି 150ଟି ଦେଶକୁ ଔଷଧପତ୍ର ଯୋଗାଇଛି । ସେହି ଧାରାରେ ବିଶ୍ୱର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ଭାରତ ଆବଶ୍ୟକ ପରିମାଣର ଇସ୍ପାତ ଉତ୍ପାଦନ କରି ଘରୋଇ ଆବଶ୍ୟକତା ପୂରଣ କରିପାରିବ । ଦେଶରେ ଏବେ ଉତ୍ତମମାନର ଇସ୍ପାତ ସାମଗ୍ରୀର ଅଭାବ ନାହିଁ । ଘରୋଇଭାବେ ଉତ୍ପାଦିତ ଇସ୍ପାତ ସାମଗ୍ରୀର ବ୍ୟବହାର ବଢିଲେ ଏହି ଉଦ୍ୟୋଗ ସମୃଦ୍ଧ ହେବ ବୋଲି ସେ କହିଛନ୍ତି । ସ୍ୱଳ୍ପ ମୂଲ୍ୟର ସୁଲଭ ଉତ୍ପାଦ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଏସବୁ ସାମଗ୍ରୀର ମାନକୁ ବଜାୟ ରଖିବା ସହ ଏହାର ଉତ୍ପାଦନ ବଢାଇବାକୁ ପଡିବ ଏବଂ ଏଥିରେ ମୂଲ୍ୟ ମିଶ୍ରଣ କରିବାକୁ ହେବ । ମିଶନ ମୋଡରେ ଏହି କାର୍ଯ୍ୟକ୍ରମ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।

ଦେଶରେ ଇସ୍ପାତ ବ୍ୟବହାର ବଢାଇବା ପାଇଁ ଏକ ନୀତି ପ୍ରଣୟନ କରିବା ପାଇଁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଶିଳ୍ପସଂଘ ଓ ଶିକ୍ଷାବିତ୍‌ମାନଙ୍କୁ ସାମିଲ କରିବାକୁ ସେ କିହଛନ୍ତି ।

ୱେବିନାରରେ ଉଦ୍‌ବୋଧନ ଦେଇ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ କହିଛନ୍ତି ଯେ ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବାକୁ ପଡିବ । ସ୍ମାର୍ଟ ସିଟି ମିଶନ, ଅମୃତ, ଆଞ୍ଚଳିକ ବିମାନ ସଂଯୋଗ ଯୋଜନା, ଉଡାଣ ଆଦି କାର୍ଯ୍ୟକ୍ରମରେ ଦେଶରେ ଇସ୍ପାତ ବ୍ୟବହାର ବଢିବ । ଇସ୍ପାତର ବ୍ୟବହାର ବୃଦ୍ଧି ଦେଶର ବିକାଶର ପରିଚାୟକ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଭାରତରେ ଇସ୍ପାତର ବ୍ୟବହାର ମୁଣ୍ଡ ପିଛା ବିଶ୍ୱ ହାର ତୁଳନାରେ କମ୍‌ । ତେଣୁ ଏହାର  ବ୍ୟବହାର ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । ଆବାସ ଓ ସହରାଞ୍ଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ଆମେ ଆମ ବାଟ ବାହାର କରି କରୋନା ସଂକଟରୁ ମୁକୁଳିପାରିବା । ଏଥିପାଇଁ ଆମକୁ ଅଧିକ ନିର୍ମାଣ ଏବଂ ଅଧିକରୁ ଅଧିକ ଔଦ୍ୟୋଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଅନେକ କାର୍ଯ୍ୟକ୍ରମ ଏବେ ଆରମ୍ଭ ହୋଇଛି । ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଅଧିକ ଇସ୍ପାତ ବ୍ୟବହାରର ଆବଶ୍ୟକତା ରହିଛି । ସୁଲଭ ମୂଲ୍ୟରେ ଇସ୍ପାତ ଉତ୍ପାଦନ କରି ଲୋକଙ୍କୁ ଯୋଗାଇ ଦେବାପାଇଁ ନୂଆ ଟେକ୍ନୋଲଜି ଓ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ଭଳି ଜ୍ଞାନକୌଶଳ ବ୍ୟବହାର  ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି  । ଏଥିସହିତ ଉତ୍ତମମାନର ଇସ୍ପାତ ସାମଗ୍ରୀ ନିର୍ମାଣ କରି ଶସ୍ତାରେ ତାହା ଖାଉଟିଙ୍କ ନିକଟରେ ପହଞ୍ଚାଇବା ପାଇଁ କୌଶଳ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଇସ୍ପାତ ମନ୍ତ୍ରଣାଳୟ ବାର୍ଷିକ 300 ନିୟୁତ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି ତାହାର ଫାଇଦା ସହରାଞ୍ଚଳ ବିକାଶ ଏବଂ ବେସାମରିକ ଉଡାଣ ଉଦ୍ୟୋଗ ଉଠାଇପାରିବ ।

ଏହି ୱେବିନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆବାସ, ଭବନ ନିର୍ମାଣ, ସାଧାରଣ ନିର୍ମାଣ ଏବଂ ଉଡାଣ ଉଦ୍ୟୋଗରେ ଦେଶରେ ଉତ୍ପାଦିତ ଇସ୍ପାତର ବ୍ୟବହାର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା । ଏଥିରେ ଦେଶର ବର୍ତ୍ତମାନ ଓ ଭବିଷ୍ୟତର ଇସ୍ପାତ ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ଦେଶରେ ଏବେ ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ସର୍ବାଧିକ ଇସ୍ପାତ ବ୍ୟବହୃତ ହେଉଛି । ଅନ୍ୟାନ୍ୟ କ୍ଷେତ୍ରରେ ଏହାର ବ୍ୟବହାର ବଢାଇବାକୁ ଏଥିରେ ଆଲୋଚନା ହୋଇଥିଲା ।

 

**********

 



(Release ID: 1646840) Visitor Counter : 172