ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
3 କୋଟି ଅତିକ୍ରମ କଲା ଭାରତର ନମୁନା ପରୀକ୍ଷଣ
• ନିୟୁତ ପିଛା ପରୀକ୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି 21,769ରେ ପହଞ୍ଚିଛି
Posted On:
17 AUG 2020 2:46PM by PIB Bhubaneshwar
କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ ଭାରତ 3 କୋଟି ନମୁନା ପରୀକ୍ଷା କରି ଆଜି ରେକର୍ଡ ସୃଷ୍ଟି କରିଛି । ରୋଗ ନିରୂପଣ ପରୀକ୍ଷାଗାରର ସମ୍ପ୍ରସାରଣ ଓ ସଅଳ ପରୀକ୍ଷଣ ସୁବିଧା ଯୋଗୁଁ ଏଥିରେ ଉଲ୍ଲେଖନୀୟ ସଫଳତା ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 7,31,697 ନମୁନା ପରୀକ୍ଷା କରାଯାଇଛି । ଏହାଫଳରେ ଏକ ନିୟୁତ ପିଛା ନମୁନା ପରୀକ୍ଷଣ ଦ୍ରୁତ ଗତିରେ ବୃଦ୍ଧି ପାଇ 21,769ରେ ପହଞ୍ଚିଛି ।
ଗତ ଜୁଲାଇ 14ରେ ନମୁନା ପରୀକ୍ଷା 1.20 କୋଟିରେ ପହଞ୍ଚିଥିବା ବେଳେ ଗତକାଲି ସୁଦ୍ଧା (16.08.2020) ଏହି ସଂଖ୍ୟା 3 କୋଟି ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ଏହା ଶତକଡା 7.5ରୁ 8.81 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ନମୁନା ପରୀକ୍ଷା ଯୋଗୁଁ ସ୍ଵାଭାବିକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଦିଲ୍ଲୀରେ ନିଆଯାଇଥିବା ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ, କ୍ରମାଗତ ସଙ୍ଗରୋଧ, ଚିହ୍ନଟିକରଣ ଓ ସମୟୋଚିତ ଉପଚାର ବଳରେ ଏହା କ୍ରମଶଃ ହ୍ରାସ ପାଇବ ।
ବ୍ୟାପକ ପରୀକ୍ଷଣ ଯୋଗୁଁ ସଅଳ ଚିହ୍ନଟିକରଣ ଓ ସଂକ୍ରମିତ ରୋଗୀଙ୍କ ସଙ୍ଗରୋଧ ଶୀଘ୍ର କରାଯାଇ ପାରୁଛି । ଏଥିସହ ଦକ୍ଷ ଉପଚାର ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ସେଦୃଷ୍ଟିରୁ ଅଧିକ ଓ ସମୟୋଚିତ ପରୀକ୍ଷା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହ ମୃତ୍ୟୁ ସଂଖ୍ୟା ହ୍ରାସରେ ମଧ୍ୟ ସହାୟକ ହେଉଛି । ରୋଗ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ଦ୍ରୁତ ସମ୍ପ୍ରସାରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗତ ଜାନୁଆରୀ ମାସରେ ଦେଶରେ ପୁଣେରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ 969ଟି ସରକାରୀ ଓ 501ଟି ଘରୋଇ ଏହିଭଳି ମୋଟ 1470ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଇପାରୁଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।
*********
(Release ID: 1646516)
Visitor Counter : 235