ଜଳ ଶକ୍ତି ମନ୍ତ୍ରଣାଳୟ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ସ୍ୱଚ୍ଛଭାରତ ମିଶନ ଏକାଡେମୀ ଉଦ୍‌ଘାଟିତ

• ସ୍ୱଚ୍ଛଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ଓଡିଏଫ୍‌ ପ୍ଲସର ଲକ୍ଷ୍ୟ ହାସଲ ପାଇଁ ବିଶେଷ ସହାୟକ ହେବ ଆଇଭିଆର ଭିତ୍ତିକ ନିଃଶୁଳ୍କ ମୋବାଇଲ ଅନ୍‌ଲାଇନ ଶିକ୍ଷା ପାଠ୍ୟକ୍ରମ

Posted On: 11 AUG 2020 2:13PM by PIB Bhubaneshwar

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ସ୍ୱଚ୍ଛ ଭାରତ ମିଶନ ଏକାଡେମୀକୁ ଏଠାରେ ଉଦ୍‌ଘାଟନ କରିଛନ୍ତି । ଏବେ ଚାଲିଥିବା ସପ୍ତାହବ୍ୟାପୀ ଗନ୍ଦଗୀମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ସ୍ୱରୂପ ଏହି ଏକାଡେମୀ ଉଦ୍‌ଘାଟିତ ହୋଇଛି । ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଏହି ଅଭିଯାନ ଚାଲିଛି । ଶ୍ରୀ ଶେଖାୱତ ଆଇଭିଆର ଟୋଲ ଫ୍ରି ନମ୍ବର ଡାଏଲ କରି ସଂପୃକ୍ତ ଏକାଡେମୀରୁ ହେଲୋ ବାର୍ତ୍ତା ଶୁଣିବା ସହିତ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍ୱଚ୍ଛାଗ୍ରହୀ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ତଥା ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ଏହି ଏକାଡେମୀ ଅନ୍‌ଲାଇନ ପାଠ୍ୟକ୍ରମ ଯୋଗାଇଦେବ । ବିଶେଷକରି ଓଡିଏଫ୍‌ ପ୍ଲସ ବା ବାହ୍ୟ ମଳତ୍ୟାଗ ମୁକ୍ତ ସ୍ଥିତିର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ପୂରଣ ପାଇଁ ଏହି ଏକାଡେମୀ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ସଚେତନ ଓ ଶିକ୍ଷିତ କରାଇବ । ଏଠାରେ ସୂଚନାଯୋଗ୍ୟ ଯେ ଭାରତ ଖୋଲା ମଳତ୍ୟାଗ ମୁକ୍ତ ହେବାପରେ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାକୁ ବଜାୟ ରଖିବା ଏବଂ ଏହି କାର୍ଯ୍ୟକ୍ରମର ନିରନ୍ତରତାକୁ ଅବ୍ୟାହତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶନ (ଜି)ର ପର୍ଯ୍ୟାୟ-2 କାର୍ଯ୍ୟକାରୀ ହେଉଛି ।

ମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ଭାରତକୁ ବଦଳାଇ ଦେଇଛି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପରିଚ୍ଛନ୍ନତା ଓ ସ୍ୱଚ୍ଛତା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମରେ ଭାରତରେ ଯେଉଁ ଗଣଆନ୍ଦୋଳନ ସୃଷ୍ଟି ହୋଇଛି ତାହା ବିଶ୍ୱରେ କ୍ୱଚିତ ଦେଖାଯାଏ । ଏହାଫଳରେ  ସମଗ୍ର ଭାରତରେ ବାହାରେ ମଳତ୍ୟାଗ କରିବାର ପୁରୁଣା ଅଭ୍ୟାସର ଅବସାନ ଘଟିଛି । 2019 ଅକ୍ଟୋବର 2 ତାରିଖରେ କେନ୍ଦ୍ର ସରକାର ସବୁ ଗାଁ, ଜିଲା ଓ ରାଜ୍ୟକୁ ଖୋଲା ମଳତ୍ୟାଗ ମୁକ୍ତ ବା ଓଡିଏଫ୍‌ ଘୋଷଣା କରିଛନ୍ତି । ଏହି ଅସାଧାରଣ ସଫଳତାକୁ ଆଗକୁ ବଢାଇବା ପାଇଁ ଚଳିତବର୍ଷ ପ୍ରାରମ୍ଭରେ ସ୍ୱଚ୍ଛଭାରତ ଗ୍ରାମୀଣ ପର୍ଯ୍ୟାୟ-2 ଆରମ୍ଭ ହୋଇଥିଲା । ଏଥିରେ ଏହି ସଫଳତାକୁ ଜାରି ରଖିବା ଏବଂ ତରଳ ଓ କଠିନ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥିରେ କୌଣସି ଲୋକଙ୍କୁ ଆଉ ଖୋଲାରେ ମଳତ୍ୟାଗ କରିବାକୁ ସୁଯୋଗ ଦିଆଯିବ ନାହିଁ ଏବଂ ପ୍ରତ୍ୟେକଙ୍କୁ ଶୌଚାଳୟର ସୁବିଧା ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ସ୍ୱଚ୍ଛଭାରତ ମିଶନ ଏକାଡେମୀ ଏହାର ମୋବାଇଲ ଭିତ୍ତିକ ଟେକ୍ନୋଲଜି ଦ୍ୱାରା ସ୍ୱଚ୍ଛାଗ୍ରହୀ, ପିଆରଆଇ ସଦସ୍ୟ, ଗୋଷ୍ଠୀଭିତ୍ତିକ ସଂଗଠନ, ଏନ୍‌ଜିଓ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଦକ୍ଷତା ନିର୍ମାଣ ଓ ତାଲିମ ପ୍ରଦାନରେ ସହାୟକ ହେବ । ଏହି କାମ ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ-2 ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିଆ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏସ୍‌ବିଏମ୍‌ଜି-2 ଟିମ୍‌ର ଅଧିକାରୀ, ସଦସ୍ୟ ଓ ଅଗଣିତ ସ୍ୱଚ୍ଛାଗ୍ରହୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୀର୍ଘ 5ବର୍ଷ କାଳ ଏମାନେ ଲୋକଙ୍କ ବ୍ୟବହାର ପରିବର୍ତ୍ତନରେ ଦେଶବ୍ୟାପୀ ଯେଉଁ ପ୍ରୟାସ କରିଛନ୍ତି ତାହାର ସେ ଉଚ୍ଚ ପ୍ରଶଂସା କରିଥିଲେ । ସମାନ ଉତ୍ସାହ ଓ ଶକ୍ତି ଦେଖାଇ ସେମାନେ ଏହି ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପାନୀୟ ଜଳ ଏବଂ ପରିଚ୍ଛନ୍ନତା ବିଭାଗର ସଚିବ ଶ୍ରୀ ପରମେଶ୍ୱରନ୍‌ ଆୟାର ଏସ୍‌ବିଏମ୍‌ ଏକାଡେମୀର କାର୍ଯ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ସେ କହିଥିଲେ ଯେ ଫୋନ ଭିତ୍ତିକ ଏହି ଏକାଡେମୀ ଦେଶର ଯେକୌଣସି ଜାଗାରୁ ଯେକୌଣସି ସଂଗଠନକୁ ଯେକୌଣସି ସମୟରେ ସ୍ୱଚ୍ଛଭାରତ ସଂକ୍ରାନ୍ତ ପ୍ରଶିକ୍ଷଣ ପାଠ୍ୟକ୍ରମ ବିନା ମୂଲ୍ୟରେ ଯୋଗାଇଦେବ । ମୌଳିକ ମୋବାଇଲ ଫୋନରେ ମଧ୍ୟ ଏହି ସୁବିଧା ମିଳିପାରିବ । ଏହି ଆଇଭିଆର ଭିତ୍ତିକ ତାଲିମ ପାଠ୍ୟକ୍ରମରେ  ବିଭିନ୍ନ ବିଷୟକ 60 ମିନିଟ ବିଶିଷ୍ଟ  ମଡ୍ୟୁଲ ରହିଛି । ଏହି ପାଠ୍ରକ୍ରମରେ 4ଟି ଅଧ୍ୟାୟ ଅଛି । ପ୍ରତ୍ୟେକଟିରେ 4 ଗୋଟି ଅଡିଓ ଲେସନ୍‌ ଓ ଗୋଟିଏ ମଲ୍‌ଟିପୁଲ ଚଏସ କୁଇଜ ସ୍ଥାନ ପାଇଛି । ବ୍ୟବହାରକାରୀ ଅତି କମ୍‌ରେ 50 ଶତାଂଶ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରିଲେ ସେମାନେ ତାଲିମରେ ସଫଳ ହେଲେ ବୋଲି ବିବେଚିତ ହେବେ ।

ବର୍ତ୍ତମାନ ଏସ୍‌ବିଏମ୍‌ ଏକାଡେମୀର ବିଷୟବସ୍ତୁ ହିନ୍ଦୀରେ ଉପଲବ୍ଧ । ବ୍ୟବହାରକାରୀ 18001800404 ଟୋଲ ଫ୍ରି ନମ୍ବରକୁ ଫୋନ କଲେ ପୂର୍ଣ୍ଣାଙ୍ଗ ବିଷୟବସ୍ତୁ ନିଜ ମୋବାଇଲରେ ଶୁଣିପାରିବେ । ଏହି ଅବସରରେ ଦୁଇ ମନ୍ତ୍ରୀ କେତେକ ସ୍ୱଚ୍ଛାଗ୍ରହୀ, କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ମୁକ୍ତ ଶୈକ୍ଷିକ ପାଠ୍ୟକ୍ରମର ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଉଭୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

**********



(Release ID: 1645126) Visitor Counter : 223