ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଆଣ୍ଡାମାନ-ନିକୋବର ସହ ସମୁଦ୍ର ତଳ କେବ୍‌ଲ ସଂଯୋଗ ବ୍ୟବସ୍ଥାର ଉଦ୍‌ଘାଟନ କରିବେ

• ଏହାଦ୍ୱାରା ଆଣ୍ଡାମାନ-ନିକୋବର ସହିତ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ସଂଯୋଗ ସୁବିଧା ମିଳିବ
• ସମୁଦ୍ର ଭିତରେ 2300 କିଲୋମିଟର ଲମ୍ବ କେବ୍‌ଲ ଚେନ୍ନଇରୁ ପୋଟବ୍ଲେୟାର ଏବଂ 7ଟି ଦ୍ୱୀପକୁ ବିଛାଯାଇଛି
• ଇ-ପ୍ରଶାସନ, ପର୍ଯ୍ୟଟନ ଏବଂ ଆଇଟି କ୍ଷେତ୍ର ପାଇଁ ଏକ ବଡ଼ ପ୍ରୋତ୍ସାହନ

Posted On: 07 AUG 2020 2:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର  ମୋଦୀ ଆସନ୍ତା ସୋମବାର (ଅଗଷ୍ଟ 10) ଆଣ୍ଡାମାନ ଓ ନିକୋବର ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡର ସମୁଦ୍ର ତଳ (ସବ୍‌ମେରାଇନ) ଅପ୍‌ଟିକାଲ ଫାଇବର କେବ୍‌ଲ (ଓଏଫ୍‌ସି) ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିବେ । ଚେନ୍ନଇରୁ ପୋର୍ଟବ୍ଳେୟାର ଯାଏଁ ଏହି କେବ୍‌ଲ ସଂଯୋଗ କରାଯାଇଛି । ଏହାଛଡା ପୋର୍ଟବ୍ଲେୟାରରୁ ସ୍ୱରାଜ ଦ୍ୱୀପ, ଲିଟିଲ୍‌ ଆଣ୍ଡାମାନ, କାର ନିକୋବର, କାମର୍ତ୍ତା, ଗ୍ରେଟ ନିକୋବର, ଲଙ୍ଗ୍‌ ଆଇଲାଣ୍ଡ ଓ ରଙ୍ଗତ୍‌ ଆଦି 7ଟି ଦ୍ୱୀପକୁ ଏହି ସମୁଦ୍ରତଳ କେବ୍‌ଲ ସେବା ସଂପ୍ରସାରିତ ହୋଇଛି । ଏକ ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ସେବାକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ । ଏହା ଫଳରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡରୁ ବିଶ୍ୱାସଯୋଗ୍ୟ ଏବଂ ତ୍ୱରିତ ମୋବାଇଲ ତଥା ଲ୍ୟାଣ୍ଡଲାଇନ ଟେଲିକମ୍‌ ସେବା ଉପଲବ୍‌ଧ ହୋଇପାରିବ । 2018 ଡିସେମ୍ବର 30ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୋର୍ଟବ୍ଲେୟାରଠାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ।

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାପରେ ଏହି ସବ୍‌ମେରାଇନ ଓଏଫ୍‌ସି ଚେନ୍ନଇ ଓ ପୋର୍ଟବ୍ଲେୟାର ମଧ୍ୟରେ ସେକେଣ୍ଡ ପିଛା 2x200 ଜିଗାବିଟ୍‌ ବ୍ୟାଣ୍ଡୱିଥ୍‌ ପ୍ରଦାନ କରିବାରେ ସକ୍ଷମ ହେବ । ପୋର୍ଟବ୍ଲେୟାର ଓ ଅନ୍ୟାନ୍ୟ ଦ୍ୱୀପ ମଧ୍ୟରେ ଏହି ଜିବିପିଏସ୍‌ 2x100 ରହିବ । ଏହା ଫଳରେ ସଂପୃକ୍ତ ଦ୍ୱୀପଗୁଡିକ ମଧ୍ୟରେ ଏବଂ ଭାରତର ମୁଖ୍ୟ ଭୂଖଣ୍ଡ ସହିତ ବିଶ୍ୱସ୍ତ, ନିର୍ଭରଶୀଳ, ହାଇସ୍ପିଡ୍‌, ଟେଲିକମ୍‌ ଓ ବ୍ରଡବ୍ୟାଣ୍ଡ ସେବା ଉପଲବ୍‌ଧ ହୋଇପାରିବ । ଏହାଦ୍ୱାରା କେବଳ ଲୋକେ ବା ଉପଭୋକ୍ତା ଉପକୃତ ହେବେ ନାହିଁ, ରଣକୌଶଳ ଓ ପ୍ରଶାସନିକ ଦୃଷ୍ଟିରୁ ଏହାମଧ୍ୟ ବିଶେଷ ସହାୟକ ହୋଇପାରିବ । ସେହିସବୁ ଦ୍ୱୀପାଞ୍ଚଳକୁ ଏବେ 4ଜି ମୋବାଇଲ ସେବା ସହଜରେ ଯୋଗାଇ ଦେଇହେବ ।

ଟେଲିକମ୍‌ ଓ ବ୍ରଡବ୍ୟାଣ୍ଡ ସେବାର ଉନ୍ନତି ଫଳରେ ଆଣ୍ଡାମାନ ଓ ନିକୋବରରେ ପର୍ଯ୍ୟଟନର ବିକାଶ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହା ସେଠାକାର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ଏବଂ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ । ଏହା ମଧ୍ୟ ଇ-ପ୍ରଶାସନ ସେବା, ଟେଲି ମେଡିସିନ୍‌, ଟେଲି ଏଜୁକେସନ, ଇ-ଲର୍ଣ୍ଣିଂ ଏବଂ ବିଭିନ୍ନ ପ୍ରକାର ଉଦ୍ୟୋଗୀକ ବିକାଶରେ ସହାୟକ ହେବ ।

ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ଏହି ପ୍ରକଳ୍ପ ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଅର୍ଥ ଯୋଗାଇ ଦିଆଯାଇଛି । ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ଏହାକୁ କାର୍ଯ୍ୟକାରୀ କରିଥିବାବେଳେ ଟିସିଆଇଏଲ୍‌ ଏଥିପାଇଁ ବୈଷୟିକ ପରାମର୍ଶ ଯୋଗାଇ ଦେଇଛି । ଏହି ପ୍ରକଳ୍ପରେ 1224 କୋଟି ଟଙ୍କା ବ୍ୟୟରେ 2300 କିମି ଲମ୍ବର କେବ୍‌ଲ ସମୁଦ୍ର ତଳେ ବିଛାଯାଇଛି । ଏହା ସବ୍‌ମେରାଇନ ଓଏଫ୍‌ସି କେବ୍‌ଲ ସଞ୍ଚାର ନାମରେ ପରିଚିତ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପର କାମ ଶେଷ ହୋଇଛି ।

 

**********



(Release ID: 1644231) Visitor Counter : 261