ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ୟାଙ୍କ ଏବଂ ଏନବିଏଫସିର ହିତାଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Posted On:
29 JUL 2020 10:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କ ଏବଂ ଏନବିଏଫସିର ହିତାଧିକାରୀମାନଙ୍କ ସହ ଆଗାମୀ ଭବିଷ୍ୟତ ପାଇଁ ଲକ୍ଷ୍ୟ ଏବଂ ରୋଡମ୍ୟାପ ପ୍ରସ୍ତୁତ ଉପରେ ଆୟୋଜିତ ଏକ ଆଲୋଚନାରେ ଉଦବୋଧନ ଦେଇଥିଲେ ।
ଦେଶର ବିକାଶରେ ଅର୍ଥନୈତିକ ଏବଂ ବ୍ୟାଙ୍କିଂ ପ୍ରଣାଳୀର ସହଯୋଗ କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଲଘୁ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକମାନଙ୍କୁ ନିଜର ଋଣ ଆବଶ୍ୟକତା ଏବଂ ବିକାଶ ଲକ୍ଷ୍ୟ ହାସଲ କରିବାକୁ ସଂସ୍ଥାଗତ ଋଣର ସୁବିଧା ନେବା ପାଇଁ ପ୍ରେରିତ କରିବା ଆବଶ୍ୟକ ବୋଲି ଆଲୋଚନାରେ କୁହାଯାଇଛି । ପ୍ରତ୍ୟେକ ବ୍ୟାଙ୍କକୁ ସ୍ଥିର ଋଣ ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆତ୍ମନିରୀକ୍ଷଣ କରିବା ପାଇଁ କୁହାଯାଇଛି । ବ୍ୟାଙ୍କଗୁଡିକ ସମସ୍ତ ପ୍ରସ୍ତାବକୁ ସମାନରୂପେ ବ୍ୟବହାର କରିବା ଅନୁଚିତ । ବ୍ୟାଙ୍କଗୁଡିକ ଅନୁରୂପ ପ୍ରସ୍ତାବଗୁଡିକୁ ଅଲଗା କରିବା ଏବଂ ଚୟନ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ସେମାନଙ୍କୁ ଯୋଗ୍ୟତା ଆଧାରରେ ଧନ ପ୍ରାପ୍ତ ହେବ ଏବଂ ଅତୀତ ଏନପିଏ ପାଇଁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ ।
ସରକାର ଦୃଢତାର ସହିତ ବ୍ୟାଙ୍କିଂ ପ୍ରଣାଳୀ ସପକ୍ଷରେ ରହିଛନ୍ତି । ସରକାର ଏମାନଙ୍କ ସମର୍ଥନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ।
ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକମାନଙ୍କୁ ଡିଜିଟାଲ ପୃଷ୍ଠଭୂମି ଆଡକୁ ଅଗ୍ରସର କରାଇବା ପାଇଁ କେନ୍ଦ୍ରୀକୃତ ଡାଟା ପ୍ଲାଟଫର୍ମ, ଡିଜିଟାଲ ପ୍ରଲେଖନ ଏବଂ ସୂଚନାର ସହଯୋଗାତ୍ମକ ଉପଯୋଗ ଭଳି ଫିନଟେକ ଆପଣାଇବାର ଆବଶ୍ୟକତା ରହିଛି । ଏହାଦ୍ୱାରା କ୍ରେଡିଟ ବୃଦ୍ଧି, ଗ୍ରାହକମାନଙ୍କ ପାଇଁ ବ୍ୟାପକ ସହଜ ଉପାୟ, ବ୍ୟାଙ୍କଗୁଡିକ ପାଇଁ ଖର୍ଚ୍ଚରେ ହ୍ରାସ ହେବା ସହ କମ ଠକେଇ ମାମଲା ପାଇଁ ସହଯୋଗ ମିଳିପାରିବ ।
ଭାରତ ଏକ ମଜବୁତ ଓ କମ ଖର୍ଚ୍ଚରେ ଭିତ୍ତିଭୂମି ଢାଂଚା ପ୍ରସ୍ତୁତ କରିଛି ଯାହା ପ୍ରତ୍ୟେକ ଭାରତୀୟଙ୍କ ବଡ ଡିଜିଟାଲ ନେଣଦେଣକୁ ମଧ୍ୟ ସରଳ କରିବାରେ ସକ୍ଷମ । ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକୁ ନିଜ ଗ୍ରାହକମାନଙ୍କ ମଧ୍ୟରେ ‘ରୂପେ’ ଏବଂ ‘ୟୁପିଆଇ’ର ବ୍ୟବହାରକୁ ସକ୍ରିୟ ଭାବେ ବୃଦ୍ଧି କରାଇବାର ଆବଶ୍ୟକତା ରହିଛି ।
ଏମଏସଏମଇ ପାଇଁ ଜରୁରୀକାଳୀନ କ୍ରେଡିଟ ଲାଇନ, ଅତିରିକ୍ତ କେସିସି କାର୍ଡ, ଏନବିଏଫସି ଏବଂ ଏମଏଫଆଇ ପାଇଁ ଅର୍ଥ ଉପଲବ୍ଧତା ଭଳି ଯୋଜନାଗୁଡିକର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ଅଧିକାଂଶ ଯୋଜନାଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି ବୋଲି ସମୀକ୍ଷାରୁ ଜଣାପଡିଛି । ବ୍ୟାଙ୍କଗୁଡିକୁ ନିଜର ହିତାଧିକାରୀମାନଙ୍କ ସହ ସକ୍ରିୟ ଭାବେ ସଂପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ବର୍ତ୍ତମାନର ସଙ୍କଟ ସ୍ଥିତିରେ ସେମାନଙ୍କୁ ଋଣ ସମର୍ଥନ ଉପଲବ୍ଧ କରାଯାଇ ପାରିବାକୁ ସୁନିଶ୍ଚିତ କରାଯାଇପାରିବ ।
**********
(Release ID: 1642434)
Visitor Counter : 215
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam