ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମରିସସ ସୁପ୍ରିମକୋର୍ଟର ନୂଆ ଭବନ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ

Posted On: 30 JUL 2020 1:16PM by PIB Bhubaneshwar

ମରିସସ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମାନ୍ୟବର ପ୍ରବିନ୍ଦକୁମାର ଜଗନ୍ନାଥ ଜୀ, ମରିସସର ବରିଷ୍ଠ ମନ୍ତ୍ରୀଗଣ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ସମ୍ମାନନୀୟ ଅତିଥିଗଣ । ସମସ୍ତଙ୍କୁ ନମସ୍କାର, ବଞ୍ଜୁର ।

ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପ୍ରଥମତଃ କୋଭିଡ୍‌ର ସୁପରିଚାଳନା ପାଇଁ ମୁଁ ମରିସସ୍‌ର ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଖୁସୀ ଯେ ଏହି କାର୍ଯ୍ୟରେ ଭାରତ ମରିସସ୍‌କୁ ଉଚିତ ସମୟରେ ଔଷଧପତ୍ର ଓ ଅଭିଜ୍ଞତା ଯୋଗାଇ ଏଥିରେ ସହାୟତା କରିବାକୁ ସମର୍ଥ ହୋଇଛି ।

ବନ୍ଧୁଗଣ, ଭାରତ ଓ ମରିସସ୍‌ ମଧ୍ୟରେ ଯେଉଁ ସ୍ୱତନ୍ତ୍ର ମୈତ୍ରୀ ରହିଛି ସେଥିରେ ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଏକ ସ୍ୱତନ୍ତ୍ର ଦିବସ ଆଜି ଆମେ ପାଳନ କରୁଛୁ । ଦେଶର ରାଜଧାନୀ ପୋର୍ଟଲୁଇଠାରେ ସୁପ୍ରିମକୋର୍ଟର ଯେଉଁ ନୂଆ ଭବନ ନିର୍ମିତ ହୋଇଛି ତାହା ଆମର ସହଯୋଗ ଓ ସମ୍ମିଳିତ ମୂଲ୍ୟବୋଧର ଏକ ପ୍ରତୀକ । ଉଭୟ ଭାରତ ଓ ମରିସସ୍‌ ସ୍ୱାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି । ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଏହି ଆକର୍ଷଣୀୟ ନୂଆ ଭବନ, ଏହାର ଆଧୁନିକ ଡିଜାଇନ ଓ ନିର୍ମାଣ ଏ ସମସ୍ତ ସମ୍ମାନର ପ୍ରତୀକ । ମୁଁ ଖୁସୀ ଯେ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି ଏବଂ ଏଥିରେ ପ୍ରାରମ୍ଭିକ ଅନୁମାନ ଅନୁସାରେ ଯେଉଁ ଅର୍ଥ ଖର୍ଚ୍ଚ ହେବାର ଥିଲା ସେହି ସୀମା ମଧ୍ୟରେ ଏହା ନିର୍ମିତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଜଗନ୍ନାଥ ଜୀ ଏହି ଅଳ୍ପ କେଇମାସ ପୂର୍ବରୁ ଆମେ ମିଳିତଭାବେ ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ପ୍ରକଳ୍ପ ଏବଂ ଏକ ନୂଆ ଅତ୍ୟାଧୁନିକ ହସ୍ପିଟାଲ ଉଦ୍‌ଘାଟନ କରିଥିଲେ । ଏହି ଦୁଇଟିଯାକ ପ୍ରକଳ୍ପ ମରିସସ୍‌ବାସୀଙ୍କ ସେବାରେ ଉଚିତଭାବେ ବିନିଯୋଗ ହୋଇଥିବା ଜାଣି ମୁଁ ଆନନ୍ଦିତ ।

ବନ୍ଧୁଗଣ, ମୁଁ ପ୍ରଥମେ ମରିସସ୍‌ରେ ଭାରତର ସାଗରଯୋଜନା ସଂପର୍କରେ କହିଥିଲି । ସାଗରର ପୂର୍ଣ୍ଣାଙ୍ଗ ଅର୍ଥ ହେଉଛି ଏହି ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କର ନିରାପତ୍ତା ଓ ଅଭିବୃଦ୍ଧି ବା ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର୍‌ ଅଲ୍‌ ଇନ୍‌ ଦି ରିଜିଅନ । ଏକଥା ମୁଁ ଏଇଥି ପାଇଁ କହିଥିଲି ଯେ ମରିସସ୍‌ ଭାରତ ମହାସାଗର ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଯୋଜନାର କେନ୍ଦ୍ରରେ ରହିଛି । ଆଜି ମୁଁ ଏଥିରେ ଆଉ ପଦେ ଯୋଡିବାକୁ ଚାହୁଁଛି ଯେ ବିକାଶ ଅଂଶୀଦାରୀରେ ଭାରତ ମଧ୍ୟ ମରିସସ୍‌କୁ ହୃଦୟରେ ରଖିବାକୁ ଚାହୁଁଛି ।

ବନ୍ଧୁଗଣ, ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ ଆମେ ସମଗ୍ର ବିଶ୍ୱ ପରିପ୍ରେକ୍ଷୀରେ ଚିନ୍ତା କରିବାକୁ ଆଗ୍ରହୀ । ମୋ ଦେଶପ୍ରେମ ମଧ୍ୟରେ ମାନବଜାତିର କଲ୍ୟାଣ, ମୋଟାମୋଟି ଭାବେ ନିହିତ । ତେଣୁ ଭାରତ ପାଇଁ ମୋ ସେବାର ଅର୍ଥ ମାନବ ଜାତି ପାଇଁ ସେବା। ଏହା ଭାରତର ପ୍ରମୁଖ ଦର୍ଶନ ହୋଇଆସିଛି । ଭାରତ ବିକାଶ ପାଇଁ ଆଗ୍ରହୀ । ଏଥିସହିତ ଅନ୍ୟମାନଙ୍କୁ ସେମାନଙ୍କ ବିକାଶ ପ୍ରକ୍ରିୟାରେ ସହାୟତା କରିବାକୁ ମଧ୍ୟ ଚାହେଁ ।

ବନ୍ଧୁଗଣ, ବିକାଶ ପ୍ରତି ଭାରତର ଆଭିମୁଖ୍ୟ ମୁଖ୍ୟତଃ ମାନବ କୈନ୍ଦ୍ରିକ । ଆମେ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ କାମ କରିବାକୁ ଆଗ୍ରହୀ । ଇତିହାସ ଆମକୁ ଶିକ୍ଷା ଦେଇଛି ଯେ ବିକାଶ ଭାଗିଦାରୀ ନାମରେ ରାଷ୍ଟ୍ର ସମୂହ ନିର୍ଭରଶୀଳ ଅଂଶୀଦାର ହେବାକୁ ବାଧ୍ୟ ହୋଇଛନ୍ତି । ଏହା ଫଳରେ ଉପନିବେଶବାଦ ଓ ସାମ୍ରାଜ୍ୟବାଦୀ ଶାସନର ଉଦ୍ଭବ ଘଟିଛି । ଏହା ବିଶ୍ୱରେ କ୍ଷମତାକେନ୍ଦ୍ର ସୃଷ୍ଟି କରିଛି ଏବଂ ଏହାଦ୍ୱାରା ମାନବିକତାକୁ ଦୁଃଖ ପହଞ୍ଚିଛି । ବନ୍ଧୁଗଣ, ଭାରତ ବିକାଶମୂଳକ ଅଂଶୀଦାରୀ ସୃଷ୍ଟି କରୁଛି ଏବଂ ସେଥିରେ ସମ୍ମାନ, ବିବିଧତା, ଭବିଷ୍ୟତ ପାଇଁ ଯତ୍ନ ଏବଂ ନିରନ୍ତର ବିକାଶ ଅଗ୍ରାଧିକାର ପାଉଛି । 

ବନ୍ଧୁଗଣ, ଭାରତ ପାଇଁ ବିକାଶମୂଳକ ସହଯୋଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ନୀତି ହେଲା ନିଜ ଅଂଶୀଦାରକୁ ସମ୍ମାନ ଦେବା । ଏହି ବିକାଶମୂଳକ ଶିକ୍ଷାରେ ଅନ୍ୟକୁ ଅଂଶୀଦାରୀ  କରିବା ଆମର ଏକମାତ୍ର ପ୍ରେରଣା । ସେଇଥିପାଇଁ ଆମର ବିକାଶମୂଳକ ସହଯୋଗିତାରେ କୌଣସି ସର୍ତ୍ତ ନଥାଏ । ଏହା ରାଜନୈତିକ ଓ ବ୍ୟାବସାୟିକ ବିଚାରରେ ପ୍ରଭାବିତ ହୁଏ ନାହିଁ ।

ବନ୍ଧୁଗଣ, ଭାରତର ବିକାଶ ଅଂଶୀଦାରୀ ବିବିଧ, ବାଣିଜ୍ୟଠାରୁ ଆରମ୍ଭକରି ସଂସ୍କୃତି, ଉର୍ଜ୍ଜାଠାରୁ ଆରମ୍ଭ କରି ଇଂଜିନିୟରିଂ, ସ୍ୱାସ୍ଥ୍ୟରୁ ଆବାସ, ଆଇଟିରୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର, କ୍ରୀଡାରୁ ବିଜ୍ଞାନ ଏଭଳି ବିବିଧ କ୍ଷେତ୍ରରେ ଭାରତ ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହିତ ମିଳିତଭାବେ କାର୍ଯ୍ୟ କରୁଛି । ଭାରତ ଯଦି ଆଫଗାନିସ୍ଥାନରେ ପାର୍ଲାମେଣ୍ଟ ଭବନ ନିର୍ମାଣ କରି ନିଜକୁ ଭାଗ୍ୟବାନ ମଣୁଛି । ସମାନଭାବେ ନାଇଜରରେ ମହାତ୍ମା ଗାନ୍ଧୀ କନ୍‌ଭେନସନ ସେଣ୍ଟର ନିର୍ମାଣରେ ସଂପୃକ୍ତ ହୋଇ ଗର୍ବ ଅନୁଭବ କରୁଛି । ନେପାଳରେ ଏକ ଜରୁରୀ ଟ୍ରମା ହସ୍‌ପିଟାଲ ନିର୍ମାଣ କରି ତଦ୍ଦ୍ୱାରା ସେଠାକାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ ଆମେ ଆନନ୍ଦିତ । ଆମେ ମଧ୍ୟ ଶ୍ରୀଲଙ୍କାର 9ଟି ପ୍ରଦେଶରେ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପ୍ରଚଳନରେ ସହାୟତା ଯୋଗାଇ ସମାନଭାବେ ଖୁସୀ ।

ଆମେ ଆନନ୍ଦିତ ଯେ ନେପାଳ ସହିତ ମିଶି ଯେଉଁ ତୈଳ ପାଇପ ନିର୍ମାଣ କରୁଛୁ ତଦ୍ଦ୍ୱାରା ସେ ଦେଶରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ । ସେହିଭଳି ମଧ୍ୟ ମାଳଦ୍ୱୀପର 34ଟି ଦ୍ୱୀପରେ ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଯୋଗାଣରେ ସହଯୋଗ କରି ଆମେ ଆନନ୍ଦିତ । ଆଫଗାନିସ୍ଥାନ ଏବଂ ଗାଏନାରେ ଷ୍ଟାଡିୟମ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ନିର୍ମାଣ କରି ସେଠାରେ କ୍ରିକେଟକୁ ଲୋକପ୍ରିୟ କରିବାକୁ ଆମେ ଚେଷ୍ଟା କରିଛୁ ।

ଭାରତରେ ତାଲିମ ନେଉଥିବା ଯୁବ ଆଫଗାନ କ୍ରିକେଟ ଦଳର ସଦସ୍ୟମାନଙ୍କ ପ୍ରଦର୍ଶନ ଦେଖି ଆମେ ଅତ୍ୟନ୍ତ ଉତ୍ସାହିତ । ସେମାନଙ୍କ ପ୍ରତିଭାକୁ ନ୍ୟୁନ କରିହେବ ନାହିଁ । ଆମେ ଏବେ ମାଳଦ୍ୱୀପରେ ଅନୁରୂପ ପଦକ୍ଷେପ ନେଇ ସେଠାକାର କ୍ରିକେଟ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରୁଛୁ । ଶ୍ରୀଲଙ୍କାରେ ଏକ ବୃହତ୍‌ ଆବାସିକ ପ୍ରକଳ୍ପ ନିର୍ମାଣରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଏହା ଆମ ପାଇଁ ଏକ ଗୌରବର ବିଷୟ । ଆମର ବିକାଶମୂଳକ ସହଭାଗୀତା ଆମର ସାଥୀ ରାଷ୍ଟ୍ରଙ୍କ ବିକାଶରେ ପ୍ରତିଫଳିତ ହେଉଛି ।

ବନ୍ଧୁଗଣ, ଆପଣଙ୍କୁ ଆପଣଙ୍କର ବର୍ତ୍ତମାନର ଆବଶ୍ୟକତା ପୂରଣ ପାଇଁ ଭାରତ ସାହାଯ୍ୟ କରି କେବଳ ଗର୍ବିତ ନୁହେଁ, ବରଂ ଆମେ ଏହାକୁ ଆମର ଦାୟିତ୍ୱ ଓ ସୁଯୋଗ ଭାବି ଆପଣଙ୍କ ଯୁବଶକ୍ତି ପାଇଁ ଏକ ଉତ୍ତମ ଭବିଷ୍ୟତ ନିର୍ମାଣ କରିବାର ଦାୟିତ୍ୱ ନିର୍ବାହ କରିଛୁ । ସେଥିପାଇଁ ଆମ ସହଯୋଗଭିତ୍ତିକ ଅଂଶୀଦାରୀରେ ତାଲିମ ଓ ଦକ୍ଷତା ବିକାଶ ଅଗ୍ରାଧିକାର ପାଇଛି । ଏହା ଫଳରେ ଯୁବକମାନେ ଅଧିକ ଯୋଗ୍ୟ ଓ ସମର୍ଥ ହୋଇ ସହଯୋଗଭିତ୍ତିରେ ଦୁଇ ଦେଶର ସଂପର୍କକୁ ନୂଆ ଶିଖରକୁ ନେଇପାରିବେ ।

ବନ୍ଧୁଗଣ, ନିରନ୍ତର ବିକାଶ ହିଁ ଭବିଷ୍ୟତ । ମଣିଷର ଆବଶ୍ୟକତା ଏବଂ ଆକାଂକ୍ଷା ତାହାର ପରିବେଶର ଶତ୍ରୁ ହୋଇପାରିବ ନାହିଁ । ସେଇଥିପାଇଁ ଆମେ ମାନବ ସଶକ୍ତୀକରଣ ଓ ପରିବେଶର ଯତ୍ନ ଉପରେ ବିଶ୍ୱାସ କରୁ । ଏହି ଦର୍ଶନ ଆଧାରରେ ଭାରତ ନୂଆ ନୂଆ ପ୍ରୟାସରେ ସାମିଲ ହୋଇଛି । ଆନ୍ତର୍ଜାତିକ ସୌର ମେଣ୍ଟ ଭଳି ଅନୁଷ୍ଠାନ ଗଠନ କରିଛୁ । ସୂର୍ଯ୍ୟଙ୍କର ସେହି ଉଜ୍ଜ୍ୱଳ କିରଣ ମାନବର ବିକାଶ ଯାତ୍ରାକୁ ଉଜ୍ଜ୍ୱଳ କରୁ । ଆମେ ମଧ୍ୟ ବିଶ୍ୱରେ ଦୃଢ଼ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଗଠନ କରିବାକୁ ଅନ୍ୟ ଦେଶଙ୍କ ସହ ମିଶି ଉଦ୍ୟମ ଚଳାଇଛୁ । ଏହି ଦୁଇଟିଯାକ ପ୍ରୟାସ ଦ୍ୱୀପରାଷ୍ଟ୍ରଗୁଡିକ ପାଇଁ ବିଶେଷ ମହତ୍ୱ ରଖେ । ଏହିସବୁ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ଆନ୍ତର୍ଜାତିକ ସମୁଦାୟ ଯେଉଁ ସହଯୋଗ ଯୋଗାଉଛି ତାହା ଅତି ଉତ୍ସାହଜନକ ।

ବନ୍ଧୁଗଣ, ଏହିସବୁ ମୂଲ୍ୟବୋଧ ଯାହାସବୁ କହିଲି ସେସବୁ ମରିସସ୍‌ ସହ ଥିବା ଆମର ବନ୍ଧୁତ୍ୱ ଓ ଅଂଶୀଦାରୀରୁ ଆସିଛି । ମରିସସ୍‌ ସହ ଆମେ କେବଳ ଭାରତ ମହାସାଗର ଜଳରାଶି ଦ୍ୱାରା ସଂଯୁକ୍ତ ନୁହେଁ; ଏଥିରେ ସଂସ୍କୃତି, ଭାଷା, ଐତିହ୍ୟ ଓ କୁଟୁମ୍ବଗତ ସଂପର୍କ ରହିଛି । ଆମ ମୈତ୍ରୀ ଅତୀତରୁ ଶକ୍ତି ସଂଗ୍ରହ କରୁଛି ଏବଂ ଭବିଷ୍ୟତ ଆଡକୁ ଦୃଷ୍ଟି ରଖିଛି । ମରିସସ୍‌ ଜନସାଧାରଣଙ୍କ ଉପଲବ୍‌ଧିରେ ଭାରତ ଗର୍ବିତ । ଅପ୍ରବାସୀ ଘାଟର ଏକ ସଂକୀର୍ଣ୍ଣ ପାହାଚରୁ ମରିସସର ଏହି ଆଧୁନିକ ଭବନ । ମରିସସ୍‌ ତାହାର ସଫଳତା କଠୋର ପରିଶ୍ରମ ଏବଂ ନବସୃଜନ ଦ୍ୱାରା ନିର୍ମାଣ କରିଛି । ମରିସସ୍‌ର ଚେତନା ଓ ଉତ୍ସାହ ପ୍ରେରଣାଦାୟୀ । ଆଗାମୀ ଦିନରେ ଆମର ମୈତ୍ରୀ ଓ ଅଂଶୀଦାରୀ ଆହୁରି ଉଚ୍ଚକୁ ଯିବା ବିଧି ନିର୍ଦ୍ଦିଷ୍ଟ । ବିବ୍‌ ଲାମିତେ ଏନ୍ତ୍ର ଲାନ୍ଦ ଏ ମୋରିସ୍‌ଭାରତ ଔର ମରିସସ୍‌ ମୈତ୍ରୀ ଅମର ରହେ। ଧନ୍ୟବାଦ ।

 

**********



(Release ID: 1642418) Visitor Counter : 186