ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ବିଶ୍ୱର ସର୍ବବୃହତ ଅନଲାଇନ ହାକାଥନର ଗ୍ରାଣ୍ଡ ଫିନାଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ଉଦ୍‌ଘାଟିତ

• ସ୍ମାର୍ଟ ଇଣ୍ଡିଆ ହାକାଥନ (ସଫ୍ଟୱେୟାର)- 2020ର ଚତୁର୍ଥ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଅଗଷ୍ଟ 1ରୁ 3 ମଧ୍ୟରେ ଅନୁଷ୍ଠିତ ହେବ : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ
• କୋଭିଡ ମହାମାରୀ ଯୋଗୁଁ ଏହା ଅନ୍‌ଲାଇନରେ ହେବ ଅନୁଷ୍ଠିତ
• ପ୍ରତିଯୋଗୀମାନଙ୍କୁ ଯୋଡିବା ନିମନ୍ତେ ସ୍ୱତନ୍ତ୍ର ଉନ୍ନତ ପ୍ଲାଟଫର୍ମ ପ୍ରସ୍ତୁତ
• 36 ଘଣ୍ଟାର ଅନ୍‌ଲାଇନ ଗ୍ରାଣ୍ଡ ଫିନାଲେରେ ଭାଗ ନେବେ 10 ହଜାରରୁ ଅଧିକ ପ୍ରତିଯୋଗୀ
• ସରକାରୀ ବିଭାଗ ଓ ଉଦ୍ୟୋଗ ସମ୍ମୁଖୀନ ହେଉଥିବା ଗୁରୁତର ସମସ୍ୟାର ସମାଧାନ ପାଇଁ ବାହାର କରାଯିବ ସୃଜନାତ୍ମକ ଡିଜିଟାଲ ସଲ୍ୟୁସନ

Posted On: 27 JUL 2020 5:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ 1 ସନ୍ଧ୍ୟା 7ଟାରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ଅନ୍‌ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍‌ଘାଟନ କରିବେ । ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହାକାଥନ 2020 (ସଫ୍ଟୱେୟାର)ର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ପହିଲାରୁ 3 ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ହାକାଥନ ଆୟୋଜିତ ହେଉଛି । ଏଆଇସିଟିଇ, ପର୍ସିସଟେଣ୍ଟ ସିଷ୍ଟମ ଏବଂ ଆଇ-4ସି ସଂସ୍ଥା ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।

ମନ୍ତ୍ରୀ ଶ୍ରୀ ନିଶଙ୍କ ଆଜି ଏହି ହାକାଥନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ପୂର୍ବରୁ ଆୟୋଜିତ ହାକାଥନଗୁଡିକର ସଫଳତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅମିତ ଖରେ, ଏଆଇସିଟିଇର ଅଧ୍ୟକ୍ଷ ଶ୍ରୀ ଅନିଲ ଶହସ୍ରବୁଦ୍ଧେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ରାକେଶ ରଂଜନ ତଥା ମନ୍ତ୍ରଣାଳୟର ମୁଖ୍ୟ ଇନୋଭେଟିଭ ଅଧିକାରୀ ଅଭୟ ଜେରେ ପ୍ରମୁଖ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ନିଶଙ୍କ କହଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ ଏକ ଅଭିନବ ପ୍ରୟାସ ଯାହାଦ୍ୱାରା ନୂଆ ଏବଂ ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲଜି କ୍ଷେତ୍ରରେ ନବସୃଜନ ଆସିପାରିବ । ଏହାଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାରିବା ସମ୍ଭବ ହେବ । ଏହା ଏକ ନିରନ୍ତର ଡିଜିଟାଲ ସାମଗ୍ରୀ ବିକାଶ ପ୍ରତିଯୋଗିତା । ଏଥିରେ ଟେକ୍‌ନୋଲଜିର ଛାତ୍ରଛାତ୍ରୀଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇ ଏହାର ଉତ୍ତମ ସମାଧାନର ସୂତ୍ର ବାହାର କରିବାକୁ କୁହାଯାଏ । ବିଭିନ୍ନ ସରକାରୀ ବିଭାଗ ଏବଂ ଘରୋଇ ସଂଗଠନ ସମ୍ମୁଖୀନ ହେଉଥିବା ସମସ୍ୟାବଳୀର କିପରି ସମାଧାନ କରାଯାଇପାରିବ ସେ ନେଇ ଏହି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ସେମାନେ ନିଜର ବିଦ୍ୟାବୁଦ୍ଧି ପ୍ରୟୋଗ କରି ସମାଧାନର ସୂତ୍ର ବାହାର କରିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କଲେଜସ୍ତରୀୟ ଛାତ୍ରଛାତ୍ରୀଙ୍କ ବଛାବଛି କାର୍ଯ୍ୟ ଜାନୁୟାରୀର ହାକାଥନ ମାଧ୍ୟମରେ ଶେଷ ହୋଇଛି । ସେଥିରେ ଉତ୍ତମ ଆଇଡିଆ ଓ ବିଚାର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଜାତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଆହୁରି ମଧ୍ୟ ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଆଇଡିଆକୁ ବିଶେଷଜ୍ଞ ଓ ମୂଲ୍ୟାୟନକାରୀମାନେ ପରୀକ୍ଷା ନିରୀକ୍ଷା କରି ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହେବ । ଦେଶର ସବୁ ଭାଗରେ ମନୋନୀତ ବିଦ୍ୟାର୍ଥୀମାନଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ବିକଶିତ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏଥର ଏହି ହାକାଥନରେ 10 ହଜାର ଛାତ୍ରଛାତ୍ରୀ ଭାଗ ନେବେ । ସେମାନଙ୍କୁ 243ଟି ସମସ୍ୟା ସମାଧାନ କରିବା ପାଇଁ ଦିଆଯିବ । ସେଥିମଧ୍ୟରୁ 37ଟି କେନ୍ଦ୍ର ସରକାରୀ ବିଭାଗରୁ ସମସ୍ୟା ଆସିଥିବାବେଳେ 17ଟି ରାଜ୍ୟ ସରକାର ଓ 20ଟି ଉଦ୍ୟୋଗ ଏଥିପାଇଁ ମଧ୍ୟ ସମସ୍ୟା ମାନ ପଠାଇଛନ୍ତି । ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି । ସେହିଭଳି ଇନୋଭେସନ ଥିମ୍‌ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 3ଟି ଲେଖାଏଁ ପୁରସ୍କାର ବ୍ୟବସ୍ଥା କରାଯାଇଛି ।  ପ୍ରଥମ ପୁରସ୍କାର ବାବଦରେ 1 ଲକ୍ଷ, ଦ୍ୱିତୀୟ ପାଇଁ 75 ହଜାର ଏବଂ ତୃତୀୟ ପାଇଁ 50 ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି । ସେ କହିଛନ୍ତି ଯେ ଏଭଳି 3ଟି ହାକାଥନ ସରକାର ସଫଳତାର ସହ ଆୟୋଜିତ କରିଛନ୍ତି । 2017ରେ ଅନୁଷ୍ଠିତ ପ୍ରଥମ ହାକାଥନରେ 42 ହଜାର, 2018 ଦ୍ୱିତୀୟ ହାକାଥନରେ ଏକ ଲକ୍ଷ ଏବଂ 2019 ତୃତୀୟ ହାକାଥନରେ 2 ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷର ହାକାଥନ ଆହୁରି ବିରାଟ ଏବଂ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା 4.5 ଲକ୍ଷ । ଦେଶର ଶିକ୍ଷାନୁଷ୍ଠାନଗୁଡିକରେ ନବସୃଜନ ଓ ଉଦ୍ୟମିତାର ଧାରା ସୃଷ୍ଟି କରିବାକୁ ଆମେ ବିଶେଷ ଆଗ୍ରହୀ । ସେଥିପାଇଁ ସରକାରୀ ଓ ବେସରକାରୀ ସହଯୋଗରେ ଉଦ୍ୟମ ଚାଲିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି ।

ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନ ପାଇଁ ଏ ପର୍ଯ୍ୟନ୍ତ ପ୍ରାୟ 331ଟି ପ୍ରକଳ୍ପ (ପ୍ରୋଟୋଟାଇପ) ବିକଶିତ ହୋଇଛି । ଏହାଛଡା 71ଟି ଷ୍ଟାର୍ଟଅପ୍‌ର ତିଆରି ଚାଲିଛି । ଏବେ 19ଟି ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇସାରିଛି । ଆହୁରି ମଧ୍ୟ ବିଭିନ୍ନ ବିଭାଗରେ 39ଟି ସମାଧାନ ସୂତ୍ର ପ୍ରୟୋଗ କରାଯାଇଛି ଏବଂ ଆଉ 64ଟି ସମ୍ଭାବନାପୂର୍ଣ୍ଣ ସଲ୍ୟୁସନ ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ ଦ୍ୱାରା ଯେଉଁସବୁ ଆଇଡିଆ ବାହାରୁଛି ସେଗୁଡିକ ଉପରେ ନିରନ୍ତର ଦୃଷ୍ଟି ରଖି ତାହାର ବିକାଶ ଓ ବିନିଯୋଗ ଦିଗରେ କାର୍ଯ୍ୟ କରାଯିବା ଉଚିତ । ଏଥିପାଇଁ ମେଣ୍ଟରମାନଙ୍କର ବିଶେଷ ଭୂମିକା ରହିଛି । ଏହା ଯେପରି ଅକାରଣ ନ ଯାଏ ସେଥିପାଇଁ ବିଭାଗ ଓ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ସେ କହିଛନ୍ତି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଏ କ୍ଷେତ୍ରରେ ସବୁ ବିଭାଗର ସଚିବଙ୍କ ସହ ସମନ୍ୱୟ ରକ୍ଷାକରି ମନୋନୀତ ଆଇଡିଆଗୁଡିକର ରୂପାୟନ ଦିଗରେ କାର୍ଯ୍ୟ କରିବେ । ଏହିସବୁ ଆଇଡିଆକୁ ଷ୍ଟାର୍ଟଅପ୍‌ରେ ପରିଣତ କରିବା ପାଇଁ ବାହ୍ୟ ସୁଯୋଗ ନମିଳିଲେ ସେଗୁଡିକୁ ସରକାର ବିଭାଗ ଓ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବେ ।

ମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ନବସୃଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି । ସେଥିପାଇଁ ଅଟଳ ଟିଙ୍କରିଂ ଲ୍ୟାବ ମାନ ଖୋଲାଯାଇଛି । ଏ କ୍ଷେତ୍ରରେ ସ୍କୁଲର ଛାତ୍ରଛାତ୍ରୀ ଓ ଇଂଜିନିୟରିଂ କଲେଜ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ରହିଛି ।

 

**********

 



(Release ID: 1641652) Visitor Counter : 194