ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଚ୍ଚକ୍ଷମତା ବିଶିଷ୍ଟ କୋଭିଡ-19 ପରୀକ୍ଷଣ ବ୍ୟବସ୍ଥା କରିବେ ଉଦ୍‌ଘାଟନ

Posted On: 26 JUL 2020 1:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁଲାଇ 27) ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥାରେ ଉଚ୍ଚକ୍ଷମତା ସଂପନ୍ନ କୋଭିଡ-19 ଟେଷ୍ଟିଂ ସୁବିଧା ଉଦ୍‌ଘାଟନ କରିବେ । ଏହି ବ୍ୟବସ୍ଥା ଦ୍ୱାରା ଦେଶରେ କରୋନା ଭୂତାଣୁ ଟେଷ୍ଟିଂ ଦକ୍ଷତା ଓ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି ପାଇବ । ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମିତଙ୍କୁ ଆଗୁଆ ଚିହ୍ନଟ ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସୁଗମ ହେବା ସହ ମହାମାରୀ ସଂକ୍ରମଣକୁ ରୋକି ହେବ ।

ଦେଶର 3ଟି ଯାଗାରେ ଏହି ଉଚ୍ଚକ୍ଷମତା ସଂପନ୍ନ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ନୋଏଡାସ୍ଥିତ ଆଇସିଏମ୍‌ଆର ଜାତୀୟ କର୍କଟ ଦୂରୀକରଣ ଓ ଗବେଷଣା ପ୍ରତିଷ୍ଠାନରେ ସ୍ଥାପନ କରାଯାଇଥିବାବେଳେ ଦ୍ୱିତୀୟଟି ମୁମ୍ବାଇସ୍ଥିତ ଆଇସିଏମ୍‌ଆରର ଜାତୀୟ ପ୍ରଜନନ ସ୍ୱାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ସ୍ଥାପନ କରାଯାଇଛି । ତୃତୀୟଟି କୋଲକାତାସ୍ଥିତ ଆଇସିଏମ୍‌ଆରର ଜାତୀୟ ହଇଜା ଏବଂ ପେଟରୋଗ ପ୍ରତିରୋଧ  ପ୍ରତିଷ୍ଠାନରେ ସ୍ଥାପିତ ହୋଇଛି ।  ଏହି 3ଟି ଉଚ୍ଚକ୍ଷମତା ସଂପନ୍ନ ଟେଷ୍ଟିଂ ପରୀକ୍ଷାଗାର ଫଳରେ ଦୈନିକ 10 ହଜାର ନମୁନା ପରୀକ୍ଷା ହୋଇପାରିବ । ଆହୁରି ମଧ୍ୟ ଏହି ପରୀକ୍ଷାଗାରରେ ପରୀକ୍ଷାଜନିତ ସମୟ ହ୍ରାସ ସହିତ ସଂପୃକ୍ତ କର୍ମଚାରୀଙ୍କ ସଂକ୍ରମଣ ସମ୍ଭାବନା ଯଥେଷ୍ଟ କମିବ । ଏହି ପରୀକ୍ଷାଗାରରେ କୋଭିଡ ମହାମାରୀ ପରେ ହେପାଟାଇଟିସ୍‌ ବି’, ‘ସି’, ଏଚ୍‌ଆଇଭି, ମାଇକ୍ରୋ ବ୍ୟାକ୍ଟୋରିୟମ୍‌ ଟିବି, ସାଇଟୋମେଗାଲୋ ଭାଇରସ୍‌, କ୍ଲାମିବିୟା, ନେଇସେରିଆ ଏବଂ ଡେଙ୍ଗୁ ଆଦିର ପରୀକ୍ଷା କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ବିଜ୍ଞାନ କାରିଗରୀ ମନ୍ତ୍ରୀଙ୍କ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତ୍ତପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

 

**********



(Release ID: 1641422) Visitor Counter : 221