ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଅନ୍ତର୍ଦେଶୀୟ ଜଳ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଜଳପଥ ବ୍ୟବହାର ଦେୟ ଉଠାଇଲା

• ପରିବେଶ ଅନୁକୂଳ ଏବଂ ଶସ୍ତା ପରିବହନ ବେପାର ବଣିଜକୁ ସହଜ କରିବ : ମନ୍ତ୍ରୀ ମନସୁଖ ମାଣ୍ଡଭିୟ

Posted On: 24 JUL 2020 3:12PM by PIB Bhubaneshwar

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଦେଶୀୟ ଜଳ ପରିବହନ କ୍ଷେତ୍ରରେ ଲାଗୁ ହେଉଥିବା ଜଳପଥ କରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଭାରତ ସରକାର ଏ କ୍ଷେତ୍ରରେ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ଏହି ଟିକସ ଆଦାୟ ହେବନାହିଁ । ଜଳପଥରେ ପରିବହନ ପରିବେଶ ଅନୁକୂଳ ଏବଂ ଶସ୍ତା ହୋଇଥିବାରୁ ଏହାକୁ ପ୍ରୋତ୍ସାହିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି ।

କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଦେଶର ମୋଟ ମାଲ ପରିବହନର ମାତ୍ର 2 ଶତାଂଶ ଏବେ ଅନ୍ତର୍ଦେଶୀୟ ଜଳପଥରେ ହେଉଛି । ଏବେ ଜଳପଥ ପରିବହନ କ୍ଷେତ୍ରରେ ଟିକସ ଉଚ୍ଛେଦ ହୋଇଥିବାରୁ ଶିଳ୍ପ ସଂସ୍ଥାମାନେ ସେମାନଙ୍କର ମାଲପତ୍ର ପରିବହନ ପାଇଁ ଜାତୀୟ ଜଳପଥଗୁଡିକୁ ବ୍ୟବହାର କରିବା ପାଇଁ ଆଗ୍ରହୀ ହେବେ । ଏହି ଜଳ ପରିବହନ ବ୍ୟବସ୍ଥା ପରିବେଶ ଅନୁକୂଳ ତଥା ଶସ୍ତା ହୋଇଥିବାରୁ ଏହା ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାର ବୋଝ ହ୍ରାସ କରିବା ସହ ବେପାର ବଣିଜକୁ ସୁଗମ କରିବାରେ ସହାୟକ  ହେବ । ସମସ୍ତ ଜାତୀୟ ଜଳପଥରେ ନୌ-ଚଳାଚଳ ପାଇଁ ପୂର୍ବରୁ ଏକ ବ୍ୟବହାର ଦେୟ (ଟିକସ) ଭରିବାକୁ ପଡୁଥିଲା । ଏହା ନୌ-ଚଳାଚଳ ପରିଚାଳନା ଏବଂ ଟ୍ରାଫିକ ଡାଟା ସଂଗ୍ରହ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ପୂର୍ବରୁ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (ଆଇଡବ୍ଲୁଏଆଇ) ଯେଉଁ ଟିକସ ଧାର୍ଯ୍ୟ କରିଛି ତାହା ଦୁଇ ପ୍ରକାରର । ଗୋଟିଏ ବ୍ୟବସ୍ଥାରେ ପୋତକୁ ମୋଟ ପରିବହନ କରୁଥିବା ସାମଗ୍ରୀ ଉପରେ ପ୍ରତି କିଲୋମିଟର ପାଇଁ ଟନ ପିଛା 0.02 ଟଙ୍କା ଦେୟ ଆକାରରେ ଭରିବାକୁ ପଡୁଥିଲା । କ୍ରୁଜ ଭେସଲ୍‌ କ୍ଷେତ୍ରରେ ଏହା ଥିଲା କିଲୋମିଟର ପିଛା 0.05 ପଇସା ।

ଏହି ନିଷ୍ପତ୍ତି ଫଳରେ ଅନ୍ତଦେର୍ଶୀୟ ଜଳପଥରେ ମାଲ ପରିବହନ ବଢିବ ବୋଲି ଆଶା କରାଯାଉଛି । 2019-20 ଆର୍ଥିକ ବର୍ଷରେ ଏହି ଜଳପଥରେ ମୋଟ 72 ଏମ୍‌ଏମ୍‌ଟି ମାଲ ପରିବହନ ହୋଇଥିଲା । 2022-23 ସୁଦ୍ଧା ଏହା 110 ଏମ୍‌ଏମ୍‌ଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହା ଫଳରେ ସଂପୃକ୍ତ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢିବା ସହ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

 

**********



(Release ID: 1641006) Visitor Counter : 211