ରେଳ ମନ୍ତ୍ରଣାଳୟ

ଘରୋଇ ଟ୍ରେନ ପ୍ରକଳ୍ପ ଉପରେ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜିତ
• 16ଜଣ ଭାବୀ ଆବେଦନକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି
• ଘରୋଇ-ସରକାରୀ ଅଂଶୀଦାରୀରେ ଚାଲିବ ଟ୍ରେନ
• ଏହି ଉଦ୍ୟମ ନୂଆ ଟେକ୍‌ନୋଲଜି ଆଣିବ, ରାଜସ୍ୱ ବଢାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
• ଏବେ ଘରୋଇ ଉଦ୍ୟମରେ ଚାଲିଥିବା ଟ୍ରେନ ସହ ଆଉ 151ଟି ସାମିଲ ହେବ
• ଭାବୀ ଆଦେନକାରୀଙ୍କ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରି ରେଳବାଇ ମନ୍ତ୍ରଣାଳୟ ଓ ନୀତି ଆୟୋଗ ପକ୍ଷରୁ ଦିଆଗଲା ଉତ୍ତର
• ଟ୍ରେନ ଚଳାଚଳରେ ମଲ୍‌ଟିପୁଲ ଅପରେଟର ସାମିଲ ହେଲେ ପ୍ରତିଯୋଗିତା ବଢିବ ଓ ସେବା ଯୋଗାଣରେ ଉନ୍ନତି ଆସିବ

Posted On: 21 JUL 2020 6:26PM by PIB Bhubaneshwar

ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘରୋଇ ଟ୍ରେନ ଚଳାଚଳ ସଂପର୍କରେ ଏକ ପ୍ରାକ୍‌ ଆବେଦନକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ 16ଜଣ ସମ୍ଭାବ୍ୟ ଆବେଦନକାରୀ ଅଂଶଗ୍ରହଣ କରିଥିଲେ ।

ରେଳବାଇ ମନ୍ତ୍ରଣାଳୟ ଏବେ କେତେକ ରୁଟ୍‌ରେ ଘରୋଇ ଉଦ୍ୟମରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛି । ଏହାଛଡା ଆଉ 109ଟି ଲାଇନରେ 151ଟି ଆଧୁନିକ ଟ୍ରେନ ଚଳାଚଳର ବ୍ୟବସ୍ଥା ଘରୋଇ ଉଦ୍ୟମରେ କରିବାକୁ ପ୍ରୟାସ ଆରମ୍ଭ କରିଛି । ଘରୋଇ ସହଯୋଗ ପାଇଁ ରେଳବାଇ 12ଟି ଆବେଦନକାରୀଙ୍କ ଯୋଗ୍ୟତାକୁ ବିଚାରକୁ ନେଇଛି । ସେମାନେ ରେଳଯାତ୍ରୀ ସେବା ଯୋଗାଇବାକୁ ଇଚ୍ଛୁକ । ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଘରୋଇ ଉଦ୍ୟୋଗରେ ଯାତ୍ରୀ ପରିବହନ କରିବାର ଏହା ପ୍ରଥମ ଉଦ୍ୟମ । ଏହି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳବାଇରେ ପ୍ରାୟ 30 ହଜାର କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି । ଏହି ପ୍ରୟାସରେ ଦେଶର ଲୋକଙ୍କୁ ଉତ୍ତମ ରେଳ ପରିବହନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ଆଧୁନିକ ଟେକ୍‌ନୋଲଜି, ରେଳକୋଚ୍‌ ଓ ଇଞ୍ଜିନ ଆଦିର ବ୍ୟବସ୍ଥା କରାଯିବ । ଟ୍ରେନ ଯାତ୍ରା କ୍ଷେତ୍ରରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ସେମାନଙ୍କ ଯାତ୍ରାକୁ ସରସ ସୁନ୍ଦର କରିବାକୁ ଲକ୍ଷ୍ୟ ରଖାଯାଇଛି । ରେଳ ପରିବହନ କ୍ଷେତ୍ରରେ ଏକାଧିକ ପରିବହନକାରୀ ବା ମଲ୍‌ଟିପୁଲ ଅପରେଟର ରହିଲେ ପ୍ରତିଯୋଗିତା ବଢିବ ଏବଂ ସେବା ପ୍ରଦାନରେ ଉନ୍ନତି ଆସିବ । ଏହାଛଡା ଯାତ୍ରୀ ପରିବହନ କ୍ଷେତ୍ରରେ ଚାହିଦା ଓ ଯୋଗାଣ କ୍ଷେତ୍ରରେ ଯେଉଁ ଅଭାବ ରହିଛି ତାହା ଯଥେଷ୍ଟ ହ୍ରାସ ପାଇବ ।

ଯେଉଁ ଘରୋଇ ସଂସ୍ଥା ବା ବ୍ୟକ୍ତିବିଶେଷ ଏହି ପ୍ରକଳ୍ପରେ ସାମିଲ ହେବେ ସେମାନଙ୍କୁ ବାଛିବା ପାଇଁ ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ  ନିଲାମ ବ୍ୟବସ୍ଥା କରାଯାଇଛି । ପ୍ରଥମରେ ସେମାନେ ଏଥିପାଇଁ ଯୋଗ୍ୟ କି ନୁହେଁ, ସେଥି ନିମନ୍ତେ ଆବେଦନ କରିବେ ଯାହା ଆରଏଫ୍‌କ୍ୟୁ ନାମରେ ପରିଚିତ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର ମନୋନୀତ ଆବେଦନକାରୀ ପ୍ରକଳ୍ପରେ ସାମିଲ ହେବାକୁ ଆବେଦନ କରିପାରିବେ ଏବଂ ତଦନୁସାରେ ନିଲାମରେ ଅଂଶଗ୍ରହଣ କରିବେ । ଏହା ଆର୍‌ଏଫ୍‌ପି ନାମରେ ପରିଚିତ ।

ନିଲାମ ପ୍ରକ୍ରିୟାର ଅଂଶସ୍ୱରୂପ ରେଳବାଇ ଇତିମଧ୍ୟରେ ଜୁଲାଇ 21 ତାରିଖରେ ପ୍ରଥମ ପ୍ରାକ୍‌ ଆବେଦନ ସମ୍ମିଳନୀ ଆୟୋଜନ କରିଥିଲା । ଏଥିରେ 16 ଜଣ ସମ୍ଭାବ୍ୟ ଆବେଦନକାରୀ ଭାଗ ନେଇଥିଲେ । ଏହି ସଂଖ୍ୟା ବେଶ ଭଲ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏହିସବୁ ସମ୍ଭାବ୍ୟ ଆବେଦନକାରୀ ପ୍ରକଳ୍ପ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ରେଳବାଇ ଓ ନୀତି ଆୟୋଗର ଅଧିକାରୀମାନେ ସେମାନଙ୍କୁ ସେ ବିଷୟରେ ସ୍ପଷ୍ଟଭାବେ ବୁଝାଇଥିଲେ । ଏଥିରେ ପ୍ରକଳ୍ପର ରୂପରେଖ, ନିଲାମରେ ଅଂଶଗ୍ରହଣ କରିବାର ନୀତିନିୟମ, ଆବେଦନକାରୀଙ୍କ ଯୋଗ୍ୟତା, ନିଲାମର ପ୍ରକି୍ରୟା, ରେଳଡବା କ୍ରୟ ଓ ସଂଗ୍ରହ, ଟ୍ରେନ ଚଳାଚଳ, କେଉଁ କେଉଁ ଲାଇନରେ ଏହି ରେଳ ଚଳାଚଳ କରିବ ସେ ସଂପର୍କରେ ସେମାନେ ପଚାରି ବୁଝିଥିଲେ ।

ଏହି ସମ୍ମିଳନୀରେ ପାରଉତ୍ତାର ଭଡା ବା ହାଓଲେଜ୍‌ ଚାର୍ଜ ଉପରେ ପ୍ରଶ୍ନ ଉଠିଥିଲା । ଏଥିରେ ରେଳବାଇ ଅଧିକାରୀମାନେ କହିଥିଲେ ଯେ ଏ ନେଇ ସରକାର ଏକ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏ କ୍ଷେତ୍ରରେ ରିଆତି ଦେବାର ବ୍ୟବସ୍ଥା ଚିନ୍ତା କରାଯାଉଛି । ତେଣୁ ହାଓଲେଜ୍‌ ଚାର୍ଜ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

ଯେଉଁସବୁ ରେଳପଥରେ ଘରୋଇ ଉଦ୍ୟୋଗ ସହାୟତାରେ ଯାତ୍ରୀସେବା ଆରମ୍ଭ ହେବାକୁ ଯାଉଛି ସେ ସଂପର୍କରେ ସବିଶେଷ ସୂଚନା ଆଗ୍ରହୀ ଅଂଶୀଦାରମାନଙ୍କୁ ଯୋଗାଇ ଦିଆଯିବ । ଏହା ଫଳରେ ସେମାନେ ଏହି ରୁଟ୍‌ରେ ନିଜର ପରିବହନ ସେବାର ଲାଭକ୍ଷତି ସଂପର୍କରେ ଅବଗତି ହୋଇପାରିବେ । ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ପ୍ରକଳ୍ପରେ ଯେଉଁସବୁ ଟ୍ରେନ ଚଳାଚଳ କରିବ ସେସବୁ ଟ୍ରେନକୁ ଘରୋଇ ସଂସ୍ଥାମାନେ କିଣିବେ କିମ୍ବା ଲିଜ୍‌ଭିତ୍ତିରେ ନେବେ । ରେଳ ଚଳାଚଳ କ୍ଷେତ୍ରରେ ଯେଉଁସବୁ ବିପଦ ବା ସମ୍ଭାବ୍ୟ କ୍ଷୟକ୍ଷତି ରହିଛି ତାହାକୁ ସମାନଭାବେ ସଂପୃକ୍ତ ଘରୋଇ ପକ୍ଷ ଏବଂ ରେଳବାଇ ଆନୁପାତିକ ଭିତ୍ତିରେ ବହନ କରିବେ ।

ରେଳବାଇ ମନ୍ତ୍ରଣାଳୟ ସମ୍ଭାବ୍ୟ ଆବେଦନକାରୀଙ୍କଠାରୁ ଯେଉଁସବୁ ପ୍ରଶ୍ନ ପାଇଛି ଜୁଲାଇ 31 ତାରିଖ ସୁଦ୍ଧା ସେସବୁର ଲିଖିତ ଉତ୍ତର ପ୍ରଦାନ କରିବ । ଦ୍ୱିତୀୟ ପ୍ରାକ୍‌ ଆବେଦନକାରୀ ସମ୍ମିଳନୀ ଆସନ୍ତା ଅଗଷ୍ଟ 12 ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

 

**********

 



(Release ID: 1640260) Visitor Counter : 41