ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

20ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ

• ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରାଞ୍ଚଳକୁ 2021 ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ
• ଜମ୍ମୁ ଓ କଶ୍ମୀର, ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡରେ ଏହି ବ୍ୟବସ୍ଥାର ପରୀକ୍ଷା ମୂଳକ ପ୍ରଚଳନ ଆରମ୍ଭ ହୋଇଛି, ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ
• ପ୍ରବାସୀ ଖାଦ୍ୟ ସୁରକ୍ଷା ହିତାଧିକାରୀ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ କ୍ରୟ କରିପାରିବେ ଖାଦ୍ୟଶସ୍ୟ
• ରାସନକାର୍ଡକୁ ଆଧାର ସହ ସଂଯୁକ୍ତ କରାଯାଇ ଟେକ୍‌ନୋଲଜି ପ୍ରୟୋଗ ଭିତ୍ତିକ ସଂସ୍କାର ପ୍ରକ୍ରିୟା ହେଉଛି କାର୍ଯ୍ୟକାରୀ

Posted On: 18 JUL 2020 12:28PM by PIB Bhubaneshwar

ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ ସୁବିଧା 2019 ଅଗଷ୍ଟରେ ଦେଶର 4ଟି ରାଜ୍ୟରେ ଆରମ୍ଭ ହୋଇଥିଲା । ଏଥିପାଇଁ ଏହିସବୁ ରାଜ୍ୟର ପାରସ୍ପରିକ ପ୍ରବାସୀମାନେ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ । ଏହାର ଅର୍ଥ ଏହିସବୁ ରାଜ୍ୟରେ ରହୁଥିବା ପ୍ରବାସୀମାନେ ସେମାନଙ୍କୁ ମୂଳ ରାଜ୍ୟର କାର୍ଡରେ ରେସନ ସାମଗ୍ରୀ ଉଠାଇ ପାରୁଥିଲେ । ସେବେଠାରୁ  ମୋଟ 20ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା 2020 ଜୁନ୍‌ଠାରୁ କାର୍ଯ୍ୟକାରୀ ହୋଇଛି । ଏହାଫଳରେ ଏସବୁ ରାଜ୍ୟର ସମଗ୍ର ପଡିକାର୍ଡ ବ୍ୟବସ୍ଥା ଏକୀକୃତ ହେବା ସହିତ ଯିଏ ଯେଉଁ ରାଜ୍ୟର ହେଉନା କାହିଁକି ସେ ଯଦି ଅନ୍ୟ ରାଜ୍ୟରେ ରହୁଛି ତାକୁ ସେହି ରାଜ୍ୟରେ ରେସନ ଉଠାଇବାର ସୁବିଧା ମିଳୁଛି । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ହରିଆନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ସିକ୍କିମ, ମିଜୋରାମ, ତେଲଙ୍ଗାନା, କେରଳ, ପଞ୍ଜାବ, ତ୍ରିପୁରା, ବିହାର, ଗୋଆ, ହିମାଚଳପ୍ରଦେଶ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏହା କାର୍ଯ୍ୟକାରୀ ହେଉଛି । ଏବେ ଜମ୍ମୁ କଶ୍ମୀର, ମଣିପୁର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଚାଲିଛି । ଖୁବଶୀଘ୍ର ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜାତୀୟ ପୋର୍ଟେବିଲିଟି ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇ ଏକ ଦେଶ-ଏକ ରେସନ କାର୍ଡ ବ୍ୟବସ୍ଥାରେ ସାମିଲ ହେବେ । ଏହା ବ୍ୟତୀତ ଆନ୍ତଃରାଜ୍ୟ କାରବାର ଏବଂ ସେଗୁଡିକର ତଦାରଖ ପାଇଁ  ଆବଶ୍ୟକ ପଡୁଥିବା ୱେବସେବା ଓ ଡ୍ୟାସବୋର୍ଡକୁ ସକ୍ରିୟ କରାଯାଇଛି । ବାକିସବୁ ଯେଉଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ରହିଲେ ସେଗୁଡିକୁ ଏକ ରାଷ୍ଟ୍ର ଓ ଗୋଟିଏ ରାସନ କାର୍ଡ ବ୍ୟବସ୍ଥାରେ 2021 ମାର୍ଚ୍ଚ ସୁଦ୍ଧା ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।

ଗୋଟିଏ ଦେଶ-ଗୋଟିଏ ରେସନ କାର୍ଡ ସୁବିଧା ବ୍ୟବସ୍ଥା କେନ୍ଦ୍ର ଖାଦ୍ୟ ଓ ଯୋଗାଣ ବିଭାଗର ଏକ ମହତାକାଂକ୍ଷୀ କାର୍ଯ୍ୟକ୍ରମ । ଯେଉଁମାନେ ଖାଦ୍ୟ ସୁରକ୍ଷା ଆଇନ 2013ର ଅନ୍ତର୍ଭୁକ୍ତ ହୋଇଛନ୍ତି, ସେହି ହିତାଧିକାରୀମାନଙ୍କୁ ନିଜ ରାଜ୍ୟ କିମ୍ବା ସେ କାର୍ଯ୍ୟ କରୁଥିବା ରାଜ୍ୟରେ ରାସନ କାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଦେଶବ୍ୟାପୀ ରେସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ସବୁ ରାଜ୍ୟଙ୍କ ସହାୟତାରେ ଏହି କେନ୍ଦ୍ରୀୟ ଯୋଜନାଟି ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା ବା ଆଇଏମ୍‌-ପିଡିଏସ୍‌ ନାମରେ ପରିଚିତ ।

ଏହି ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ, ବିଶେଷକରି ଶ୍ରମିକବର୍ଗ, ଯେଉଁମାନେ ସାମୟିକ ରୋଜଗାର ଆଶାରେ ବିଭିନ୍ନ ରାଜ୍ୟ ଭ୍ରମଣ କରନ୍ତି ସେମାନେ ଏବେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ନିଜର ଖାଦ୍ୟଶସ୍ୟ କୋଟା ଉଠାଇପାରିବେ । ଏଥିପାଇଁ ତାଙ୍କର ନିଜ ରାଜ୍ୟର ରେସନ କାର୍ଡ ବଦଳାଇବାର ଆବଶ୍ୟକତା ନାହିଁ । ସେ ବାୟୋମେଟ୍ରିକ-ଆଧାରଭିତ୍ତିକ ଅଥେନ୍‌ଟିକେସନ ଜରିଆରେ ନିଜ କାର୍ଡରେ ଖାଦ୍ୟ କୋଟା ଉଠାଇପାରିବେ । ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନରେ ବସାଯାଇଥିବା ଇପିଓଏସ୍‌ ମେସିନରେ ସେ ନିଜି ବାୟୋମେଟ୍ରିକ୍ସ ବ୍ୟବହାର କରି ଏହି ସୁବିଧା ପାଇପାରିବେ ।

ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତାରେ ଆଧାର/ବାୟୋମେଟ୍ରିକ୍ସ ଅଥେନ୍‌ଟିକେସନ ବିଶେଷ ସହାୟକ ହେଉଛି । କାର୍ଡଗୁଡିକ ଆଧାର ଓ ବାୟୋମେଟ୍ରିକ ସହିତ ସିଡିଂ ହୋଇଥିବାରୁ ପ୍ରକୃତରେ ହିତାଧିକାରୀ କିଏ ତାହା ଇପିଓଏସ୍‌ ମେସିନରେ ଧରାପଡିଯାଉଛି । ତେଣୁ ନିଜ ନିଜର କୋଟା ଉଠାଇବାରେ କୌଣସି ଅସୁବିଧା ହେଉନାହିଁ । ହିତାଧିକାରୀ କେବଳ ନିଜର କାର୍ଡ ନମ୍ବର କିମ୍ବା ଆଧାର ନମ୍ବର କହିଲେ ଦେଶବ୍ୟାପୀ ଯେକୌଣସି କଣ୍ଟ୍ରୋଲ ଦୋକାନରେ ତାଙ୍କର ସବିଶେଷ ତଥ୍ୟ ମିଳିଯାଉଛି । ଏଥିରେ ଆଉ ଗୋଟିଏ ସୁବିଧା ହେଉଛି ଯେ ହିତାଧିକାରୀ ନିଜର ରେସନ କାର୍ଡ କିମ୍ବା ଆଧାର କାର୍ଡ ମନେ ରଖିଥିଲେ ତାଙ୍କୁ ତାଙ୍କ ନିଜର ରେସନକାର୍ଡ ସାଂଗରେ ନେବା ଦରକାର ନାହିଁ । ଯେକୌଣସି ଗୋଟିଏ ନମ୍ବର କହି ମେସିନରେ ନିଜର ଅଙ୍ଗୁଳି ଛାପ ଦେବା ମାତ୍ରେ ତାଙ୍କ କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍‌ଧ ହୋଇପାରୁଛି ।

 

**********



(Release ID: 1639669) Visitor Counter : 181