ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ମୋବାଇଲ ଆପ୍‌ ଉନ୍ମୋଚିତ; ଷ୍ଟ୍ରିଟ ଭେଣ୍ଡରଙ୍କୁ ଏହା ମାଧ୍ୟମରେ କ୍ଷୁଦ୍ର ଋଣ ଯୋଗାଣ ସୁବିଧା ଘର ପାଖରେ ଯୋଗାଇ ଦିଆଯିବ

• ଏକ ଲକ୍ଷ 54 ହଜାରରୁ ଅଧିକ ଷ୍ଟ୍ରିଟ ଭେଣ୍ଡର ଏହି ଋଣ ପାଇଁ ଆବେଦନ କରିଛନ୍ତି, 48 ହଜାରଙ୍କୁ ଏଯାବତ୍‌ ଋଣ ମଞ୍ଜୁର ହୋଇଛି

Posted On: 17 JUL 2020 5:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାରେ ବେପାର କରୁଥିବା ଲୋକ (ଷ୍ଟ୍ରିଟ ଭେଣ୍ଡର)ଙ୍କୁ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ମୋବାଇଲ ଆପ୍‌ ଆଜି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ରଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଉନ୍ମୋଚିତ ହୋଇଛି । ଏହାର ନାମ ରଖାଯାଇଛି ପିଏମ୍‌ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍‌ ସ୍ୱନିଧି ଆପ୍‌ । ଏହି ଆପ୍‌ରେ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥା ଓ ସେମାନଙ୍କର କ୍ଷେତ୍ରଭିତ୍ତିକ ଅଧିକାରୀଙ୍କ ସଂପର୍କରେ ସୂଚନା ଦିଆଯିବା ସହ କିପରି ଏହି ଋଣ ପାଇଁ ଷ୍ଟ୍ରିଟ ଭେଣ୍ଡରମାନେ ଆବେଦନ କରିପାରିବେ ତଥା ଋଣ ମଂଜୁରୀର ବିଭିନ୍ନ  ଦିଗ ସଂପର୍କରେ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଏହା ବ୍ୟବହାର ପାଇଁ ଅତ୍ୟନ୍ତ ସରଳ ଓ ସହଜ । ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି ଉନ୍ମୋଚନ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ସହରାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରମୁଖ ସଚିବଗଣ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଗଣ ଭାଗ ନେଇଥିଲେ । ପିଏମ୍‌ ସ୍ୱନିଧି ମୋବାଇଲ ଆପ୍‌, ଡିଜିଟାଲ ଟେକ୍‌ନୋଲଜି ବ୍ୟବହାରକୁ ଅଧିକ ଲୋକପ୍ରିୟ ଓ ପ୍ରସାରିତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଏହାକୁ ବିଭିନ୍ନ ଋଣପ୍ରଦାନକାରୀ ସଂସ୍ଥାର କାର୍ଯ୍ୟକର୍ତ୍ତା ଯଥା ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେନ୍ସ, ଅଣବ୍ୟାଙ୍କିଂ ବିତ୍ତୀୟ ସଂସ୍ଥାର ଏଜେଣ୍ଟ ଏବଂ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନର ଏଜେଣ୍ଟମାନେ ମଧ୍ୟ ସହଜରେ ବ୍ୟବହାର କରିପାରିବେ । ଷ୍ଟ୍ରିଟ ଭେଣ୍ଡରମାନଙ୍କ ସହିତ ଏମାନଙ୍କର ସଂପର୍କ ଥିବାରୁ ଏହି ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ଲୋକ ପାଇପାରିବେ ସେଦିଗରେ କାର୍ଯ୍ୟ ସେମାନେ କରିବେ । ଆଶା କରାଯାଉଛି ଯେ ଏହି ଆପ୍‌ର ପ୍ରବର୍ତ୍ତନ ସ୍ୱନିଧି ଯୋଜନାର ରୂପାୟନ କାର୍ଯ୍ୟକୁ ସଫଳ କରିପାରିବ । ଏହା ମଧ୍ୟ କାଗଜପତ୍ରର ପୁରୁଣାକାଳିଆ ପଦ୍ଧତି ବଦଳରେ ଡିଜିଟାଲ ସୁବିଧା ମାଧ୍ୟମରେ ଷ୍ଟ୍ରିଟ ଭେଣ୍ଡରଙ୍କ କ୍ଷୁଦ୍ର ଋଣ ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ ।

ଇତିମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍‌ 29 ତାରିଖରେ ଏକ ୱେବ ପୋର୍ଟାଲ ଆରମ୍ଭ କରାଯାଇଛି । ଏହି ନୂଆ ଆପ୍‌ର ବିଭିନ୍ନ ଫିଚର୍ସ ପିଏମ୍‌ ସ୍ୱନିଧି ପୋର୍ଟାଲ ସହିତ ସମାନ ରହିଛି । ଏଥିରେ ପୋର୍ଟେବିଲିଟି ଅତି ସହଜ । ଏହିସବୁ ଫିଚରଗୁଡିକ ମଧ୍ୟରେ ସର୍ଭେ ଡାଟାରେ ଭେଣ୍ଡର ସର୍ଚ୍ଚ, ଆବେଦନକାରୀଙ୍କ ଇ-କେୱାଇସି ଆବେଦନପତ୍ର ପ୍ରୋସେସିଂ ବ୍ୟବସ୍ଥା ଏବଂ ରିଅଲ ଟାଇମ ମନିଟରିଂ ସୁବିଧା ଆଦି ରହିଛି । ଋଣ ଯୋଗାଣକାରୀ ସଂସ୍ଥା ଏବଂ ସେମାନଙ୍କର କ୍ଷେତ୍ର କର୍ମଚାରୀମାନେ ଏହି ଆପ୍‌କୁ ଗୁଗ୍‌ଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରି ବ୍ୟବହାର କରିପାରିବେ । ଜୁଲାଇ 2 ତାରିଖରୁ ପିଏମ୍‌ ସ୍ୱନିଧି ଋଣ ଯୋଗାଣ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ 1 ଲକ୍ଷ 54 ହଜାର ଷ୍ଟ୍ରିଟ ଭେଣ୍ଡର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ କାର୍ଯ୍ୟକାରୀ ପୁଞ୍ଜି ଋଣ ଆଦି ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ 48 ହଜାରଙ୍କୁ ଇତିମଧ୍ୟରେ ଋଣ ମଂଜୁର କରାଯାଇଛି ।

ପିଏମ୍‌ ସ୍ୱନିଧି ଯୋଜନା 2020 ଜୁନ୍‌ 1 ତାରିଖରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା । କରୋନା ଲକ୍‌ଡାଉନ ଯୋଗୁଁ ଯେଉଁ ଷ୍ଟ୍ରିଟ ଭେଣ୍ଡରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପୁନର୍ବାର ନିଜର ବେପାର ବଣିଜ ଆରମ୍ଭ କରିବା ପାଇଁ ଜରୁରୀ ପଡୁଥିବା କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । 2020 ମାର୍ଚ୍ଚ 24 ପୂର୍ବରୁ ଦେଶରେ ଯେଉଁ 50 ଲକ୍ଷରୁ ଅଧିକ ଭେଣ୍ଡର ରାସ୍ତାରେ ବେପାର ବଣିଜ କରୁଥିଲେ ସେମାନଙ୍କୁ ଉପକୃତ କରିବା ଏହି ଯୋଜାନାର ଲକ୍ଷ୍ୟ । ଏଥିରେ ସହରାଞ୍ଚଳ ଉପକଣ୍ଠ ଏବଂ ଗ୍ରାମାଞ୍ଚଳର ଷ୍ଟ୍ରିଟ ଭେଣ୍ଡରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତ୍ୟେକ ଭେଣ୍ଡର 10 ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ପାଇପାରିବେ । ସେମାନଙ୍କୁ ମାସିକ କିସ୍ତିରେ ବର୍ଷକ ଭିତରେ ଏହି ଋଣ ଶୁଝିବାକୁ ପଡିବ । ଯେଉଁମାନେ ଠିକ୍‌ ସମୟରେ କିମ୍ବା ଆଗୁଆ ଋଣ ପରିଶୋଧ କରିବେ ସେମାନଙ୍କୁ ସୁଧ ଉପରେ 7 ଶତାଂଶ ବାର୍ଷିକ ରିଆତି ଦିଆଯିବ । ଏହି ରିଆତି ଅର୍ଥ  ଡିବିଟି ବ୍ୟବସ୍ଥାରେ 3 ମାସରେ ଥରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । କେହି ଯଦି ଆଗୁଆ ଋଣ ଶୁଝିଦିଏ ତାବିରୋଧରେ କୌଣସି ଦଣ୍ଡ ବିଧାନ କରାଯିବ ନାହିଁ । ଏହି ଯୋଜନାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ମାସିକ ଏକଶହ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ଯେଉଁମାନେ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ପରିଶୋଧ କରିବେ ସେମାନେ ଏହି ପ୍ରୋତ୍ସାହନ ରାଶି ଏକଶତ ଟଙ୍କା ପ୍ରତି ମାସରେ ପାଇପାରିବେ ।

 

**********



(Release ID: 1639429) Visitor Counter : 247