ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଗ୍‌ଲ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତରେ ଚାଲିଥିବା କୋଭିଡ ବିରୋଧୀ ଲଢେଇକୁ ପିଚାଇଙ୍କ ପ୍ରଶଂସା
• ଭାରତରେ ଗୁଗ୍‌ଲର ବିପୁଳ ପୁଞ୍ଜିନିବେଶ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ପିଚାଇ
• ଚାଷୀଙ୍କ ପାଇଁ ଟେକ୍‌ନୋଲଜି ବିଶେଷ ସହାୟକ ହୋଇଛି; କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍‌ସର ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ
• ଟେକ୍‌ନୋଲଜିରେ ସ୍ଥାନୀୟ ଭାଷାର ସୁବିଧା ପ୍ରଦାନ ଏବଂ ଅନ୍‌ଲାଇନ ଶିକ୍ଷାର ପରିସର ବୃଦ୍ଧି ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା

Posted On: 13 JUL 2020 2:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଗୁଗ୍‌ଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଆଲୋଚନ କରିଛନ୍ତି । ଶ୍ରୀ ପିଚାଇ କୋଭିଡ-19 ସଂପର୍କରେ ସଚେତନତା ସୃଷ୍ଟି ଏବଂ ବିଶ୍ୱସନୀୟ ତଥ୍ୟ ପ୍ରଦାନ ପାଇଁ ଗୁଗ୍‌ଲ ପକ୍ଷରୁ ଚାଲିଥିବା ଉଦ୍ୟମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ୍‌ଡାଉନ ଭଳି ଗ୍ରହଣ କରାଯାଇଥିବା ଦୃଢ ପଦକ୍ଷେପ ଭାରତରେ କରୋନା ମହାମାରୀ ବିରୋଧୀ ଲଢେଇ ପାଇଁ ଏକ ସଦୃଢ ମୂଳଦୁଆ ସ୍ଥାପନ କରିଛି । ମହାମାରୀ ସଂପର୍କରେ ଯେଉଁସବୁ ଗୁଜବ ଓ ଅଖବର ପ୍ରଚାରିତ ହେଉଛି ତାହାକୁ ଦୂରକରି ଲୋକଙ୍କୁ ଠିକ୍‌ ତଥ୍ୟ ଯୋଗାଇବା ସହିତ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗୁଗ୍‌ଲ ଯେଉଁ ଉଦ୍ୟମ ଚଳାଇଛି ପ୍ରଧାନମନ୍ତ୍ରୀ ତାହାକୁ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତ ଟେକ୍‌ନୋଲଜି ବ୍ୟବହାର ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁଗ୍‌ଲ ସିଇଓଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟମାନେ ନୂଆ ଟେକ୍‌ନୋଲଜିକୁ ଖୁବ୍‌ଶୀଘ୍ର ଗ୍ରହଣ କରିବା ସହ ସେଥିରେ ଅଭ୍ୟସ୍ତ ହୋଇପାରୁଛନ୍ତି । ଚାଷୀମାନେ କିପରି ଏହି ଟେକ୍‌ନୋଲଜି ଦ୍ୱାରା ଉପକୃତ ହେଉଛନ୍ତି ସେ ସଂପର୍କରେ ଉଲ୍ଲେଖ କରି କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ପ୍ରୟୋଗ ତଥା ଏହାର ସମ୍ଭାବ୍ୟ ଉପକାର ସଂପର୍କରେ ପ୍ରଧାନମନ୍ତ୍ରୀ ପିଚାଇଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଲ୍ୟାବର ପରିକଳ୍ପନା ସଂପର୍କରେ ପିଚାଇଙ୍କୁ ଅବଗତ କରିଛନ୍ତି । ଏହା ହୋଇପାରିଲେ ଛାତ୍ରଛାତ୍ରୀ ଓ ଚାଷୀଙ୍କ ଦ୍ୱାରା ସହଜରେ ବ୍ୟବହୃତ ତାହା ହୋଇପାରିବ ବୋଲି ସେ କହିଛନ୍ତି ।  ଶ୍ରୀ ପିଚାଇ ଭାରତରେ ଗୁଗ୍‌ଲ ଦ୍ୱାରା ପ୍ରସ୍ତୁତ ଓ ପ୍ରବର୍ତ୍ତିତ ହେବାକୁ ଥିବା ନୂଆ ଉତ୍ପାଦ ଏବଂ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁଠାରେ ଏକ ଆର୍ଟିଫିସିଆଲ ଇଣ୍ଟିଲିଜେନସ ରିସର୍ଚ୍ଚ ଲ୍ୟାବ କାର୍ଯ୍ୟକ୍ଷମ ହେବା ଘେନି ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହାଛଡା ବନ୍ୟା ପୂର୍ବାଭାସ ସଂପର୍କରେ ଗୁଗ୍‌ଲ କିପରି ବିଶେଷ ଉପଯୋଗୀ ହେବ ସେ ସଂପର୍କରେ ମଧ୍ୟ ଜଣାଇଛନ୍ତି ।

ଭାରତରେ ଗୁଗ୍‌ଲ ଏକ ବୃହତ୍‌ ନିବେଶକ ପାଣ୍ଠି ଆରମ୍ଭ କରିବା ନେଇ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପିଚାଇ ଅବଗତ କରାଇଛନ୍ତି । ଏହାଛଡ଼ା ଗୁଗ୍‌ଲ ମଧ୍ୟ ଭାରତ ସହ ରଣକୌଶଳାତ୍ମକ ଅଂଶୀଦାରୀ ବଢାଇବାକୁ ଆଗ୍ରହୀ ଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ୱର ସବୁଠୁ ମୁକ୍ତ ଅର୍ଥନୀତି ମଧ୍ୟରୁ ଅନ୍ୟତମ । କୃଷି କ୍ଷେତ୍ରରେ ସଂସ୍କାର ଆଣିବା ସହ ନୂତନ ନିଯୁକ୍ତି ସୃଷ୍ଟି ତଥା ରି-ସ୍କିଲିଂ ସଂପର୍କରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ କହିଛନ୍ତି ।

ଏହି କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଡେଟା ନିରାପତ୍ତା ତଥା ପ୍ରାଇଭେସିର ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ଯେଉଁ ବିଶ୍ୱାସର ଅଭାବ ରହୁଛି ତାହାକୁ ଦୂର କରିବା ପାଇଁ ସବୁ ଆଇଟି କଂପାନୀ ଉଦ୍ୟମ କରିବା ଉଚିତ । ସାଇବର ଆକ୍ରମଣ ଓ ସାଇବର ଅପରାଧ ଆଦି ସଂପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଅନଲାଇନ ଶିକ୍ଷା, ମାତୃଭାଷାରେ ଟେକ୍‌ନୋଲଜିର ଆକ୍ସେସ, କ୍ରୀଡା କ୍ଷେତ୍ରରେ ଷ୍ଟାଡିୟମରେ ବସି ଖେଳ ଦେଖିବା ଭଳି ଅଭିଜ୍ଞତା ଯୋଗାଉଥିବା ଟେକ୍‌ନୋଲଜିର ବିକାଶ ଓ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ନୂଆ ଟେକ୍‌ନୋଲଜି ଯୋଗାଣ ତଥା ଏହାର ପରିସର ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ପିଚାଇଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ।

 

**********



(Release ID: 1638339) Visitor Counter : 209