ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣସୀସ୍ଥିତ ଏନଜିଓ ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Posted On: 09 JUL 2020 1:42PM by PIB Bhubaneshwar

କରୋନା ସଂକ୍ରମଣ କାଳରେ ବାରାଣସୀରେ ଲୋକମାନଙ୍କୁ ରିଲିଫ ଯୋଗାଇଥିବା ବାରାଣସୀର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି । କରୋନା ବୈଶ୍ଵିକ ମହାମାରୀ ସତ୍ଵେ ଲୋକମାନଙ୍କ ମନରେ ଉତ୍ସାହ ଓ ଆଶା ଉଜ୍ଜୀବିତ କରିଥିବା ପବିତ୍ର ମହାନଗରୀ ବାରାଣସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଖୁବ ସାହସ ଓ ସେବା ମନୋଭାବ ନେଇ ବାରାଣସୀର ଲୋକମାନେ ଯେପରି ଗରିବ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ତାହାର ସମସ୍ତ ଖବର ସେ ରଖିଛନ୍ତି । ସଂକ୍ରମଣକୁ ରୋକିବା, ବିଭିନ୍ନ ଡାକ୍ତରଖାନାର ସୁବିଧା ଅସୁବିଧା, ସଙ୍ଗରୋଧ ବ୍ୟବସ୍ଥା ଓ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଖବର ସେ ପାଉଛନ୍ତି । ସେ କହିଛନ୍ତି ଯେ, ମା ଅନ୍ନପୂର୍ଣ୍ଣା ଓ ବାବା ବିଶ୍ଵନାଥଙ୍କ କୃପାରୁ କାଶୀରେ କୌଣସି ଲୋକ ଭୋକରେ ଶୁଏ ନାହିଁ । ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଈଶ୍ଵର ଆମ ମାଧ୍ୟମରେ ଦରିଦ୍ର ଜନତାଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି ।

ଏହି ପବିତ୍ର ମହାନଗରୀରେ ବିଭିନ୍ନ ଧାର୍ମିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲେ ମଧ୍ୟ ବାରାଣସୀର ଜନସାଧାରଣ କରୋନା ବିରୁଦ୍ଧରେ ସଂଗ୍ରାମ ଓ ଆବଶ୍ୟକ କରୁଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଔଷଧପତ୍ର ବାଣ୍ଟିବାରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବିଭିନ୍ନ ସରକାରୀ ଓ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ସହ ମିଶି ସ୍ଵେଚ୍ଛାସେବୀ ସଂଗଠନମାନେ କରିଥିବା କାର୍ଯ୍ୟର ସେ ଭୂୟସୀ ପ୍ରସଂଶା କରିଥିଲେ ଖୁବ କମ ସମୟ ମଧ୍ୟରେ ପଙ୍ଗତରେ ଲୋକଙ୍କୁ ଖାଇବାକୁ ଦେବା, ହେଲ୍ପଲାଇନ ପ୍ରତିଷ୍ଠା ଓ ବାରାଣସୀ ସ୍ମାର୍ଟ ସିଟିର ବୈଷୟିକ ସହାୟତା ନେବା ଖୁବ ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି । ଡାକ ବିଭାଗ କିଭଳି ପ୍ରଶାସନକୁ ଖାଦ୍ୟ ବାଣ୍ଟିବାରେ ସାହାଯ୍ୟ କରିଥିଲା, ସେ ତାହାର ଉଦାହରଣ ଦେଇଥିଲେ । ସନ୍ଥ କବୀର ଦାସଙ୍କ  ବାଣୀର ଅବତାରଣ କରି ଶ୍ରୀ ମୋଦୀ କହିଥିଲେ ଯେ, ଯିଏ ସେବା କରେ ସେ ଦିନରାତି ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥାଏ ଓ ତା ସେବାର ମୂଲ୍ୟ ଉପରେ କୌଣସି ଆଶା ରଖି ନଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ଷର ବିଶାଳ ଜନସଂଖ୍ୟା ଓ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁଁ ଦେଶ କିଭଳି ଏହି ବୈଶ୍ଵିକ ମହାମାରୀର ମୁକାବିଲା କରିବ ସେନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶର 23-24 କୋଟି ଜନସାଧାରଣଙ୍କୁ ନେଇ ମହାମାରୀର କିଭଳି ମୁକାବିଲା କରାଯିବ ସେ ଭୟ ଲୋକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଯୋଗୁଁ ଦୂର ହୋଇପାରିଛି । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ପ୍ରକୋପ ହ୍ରାସ ପାଇବା ସହ ଅଧିକରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଯୋଗୁଁ ଦେଶର ପ୍ରାୟ 80 କୋଟି ଜନସାଧାରଣ ଖାଦ୍ୟ ସାମଗ୍ରୀ ଠାରୁ ଇନ୍ଧନ ପର୍ଯ୍ୟନ୍ତ ଜିନିଷ ମାଗଣାରେ ପାଇପାରୁଛନ୍ତି ବୋଲି କହିଛନ୍ତି । ଆମେରିକାଠାରୁ ବହୁ ଗୁଣ ଅଧିକା ଜନସଂଖ୍ୟା ଥିବା ଭାରତ ବର୍ଷରେ ଗରିବ ଲୋକମାନଙ୍କ ଠାରୁ ସାହାଯ୍ୟ ପାଇଁ ପଇସାଟିଏ ମଧ୍ୟ ନିଆଯାଉ ନାହିଁ । ଏହି ଯୋଜନାର ମିଆଦକୁ ବର୍ତ୍ତମାନ ଆଗାମୀ ନଭେମ୍ବର ତଥା ଦୀପାବଳି ଓ ଛଟ ପୂଜା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବାରାଣସୀର ବ୍ୟବସାୟୀ ଲୋକଙ୍କ ସମେତ ବିଭିନ୍ନ କାରିଗର ବିଶେଷକରି ବୁଣାକାରମାନଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ କେତେକ ପଦକ୍ଷେପ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଭିତ୍ତିଭୂମି ଓ ପ୍ରକଳ୍ପ ବାବଦକୁ 8000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 

**********

 



(Release ID: 1637606) Visitor Counter : 187