PIB Headquarters

ପ୍ରବାସ ଫେରନ୍ତା ଶ୍ରମିକଙ୍କୁ ଜୀବିକା ଯୋଗାଣ ସୁବିଧା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଘରୋଇ ଟ୍ୟାପ ସଂଯୋଗ କାମ ପ୍ରଦାନ କରାଯିବ

Posted On: 05 JUL 2020 1:56PM by PIB Bhubaneshwar

ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ବିରାଟ ଆହ୍ୱାନକୁ ଏକ ସୁଯୋଗରେ ପରିଣତ କରୁଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଜୀବିକା ଅର୍ଜନ ବ୍ୟବସ୍ଥା କରାଯିବା ସହ ଗ୍ରାମ୍ୟ ଅର୍ଥନୀତିକୁ ମଜଭୁତ କରିବାକୁ ସେ ଚେଷ୍ଟା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଚଳିତବର୍ଷ ଜୁନ୍‌ 20ରୁ ଆରମ୍ଭ ହୋଇଛି । ଏଥିରେ ପ୍ରବାସ ଫେରନ୍ତା ଶ୍ରମିକମାନଙ୍କୁ ଉପାର୍ଜନର ପନ୍ଥା ଯୋଗାଇଦେବାକୁ ବ୍ୟାପକ ସରକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଯୋଜନାରେ ସ୍ଥାନୀୟ ପ୍ରଭାବିତ ଗ୍ରାମାଞ୍ଚଳବାସୀ ମଧ୍ୟ ଉପକୃତ ହେବେ । ଏହା ଏକ ସମୟଭିତ୍ତିକ ଅଭିଯାନ ଏବଂ ଏହାର ଅବଧି 125 ଦିନ । ଦେଶର 27ଟି ଆକାଂକ୍ଷୀ ଜିଲ୍ଲା ସମେତ 116ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଆକାଂକ୍ଷୀ ଜିଲ୍ଲାଗୁଡିକ ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ରହିଛି ।

ଏହି ଅଭିଯାନର ଅଂଶସ୍ୱରୂପ ଜଳଜୀବନ ମିଶନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯିବ । ଏହି କାମରେ ପାଣି ପାଇପ କ୍ଷେତ୍ରରେ କାମ କରୁଥିବା କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ବିଶେଷକରି ପ୍ରବାସରୁ ଫେରିଥିବା ଶ୍ରମିକମାନେ ନିଯୁକ୍ତି ସୁବିଧା ପାଇପାରିବେ । ଏହାଛଡ଼ା ସେମାନଙ୍କୁ ପାନୀୟଜଳ ଯୋଗାଣ ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟରେ ରୋଜଗାର ସୁଯୋଗ ଯୋଗାଇ ଦିଆଯିବ । ଏହା ଫଳରେ ସେମାନେ କାମ ପାଇବେ ଏବଂ ଗ୍ରାମୀଣ ପରିବାରଗୁଡିକ ସୁବିଧାରେ ପାଇପ ଜଳ ପାଇପାରିବେ । ବିଭିନ୍ନ ରାଜ୍ୟରେ ଏବେ ଯେଉଁସବୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ଚାଲିଛି ସେସବୁକୁ ସାମାନ୍ୟ ବଦଳାଇ ତା ମାଧ୍ୟମରେ ଏହି ଯୋଜନାକୁ ସାମୟିକଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାଫଳରେ ହର୍‌ ଘର ଜଳ ଗାଓଁ କାର୍ଯ୍ୟକ୍ରମ ବା ଗାଁର ସବୁ ଘରକୁ ପାଣି ସୁବିଧା ଯୋଗାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଏଥିରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଟ୍ୟାପ ସଂଯୋଗ ଯୋଗାଣର ବ୍ୟବସ୍ଥା ରହିଛି । ଏହି ଯୋଜନାକୁ ସାମାନ୍ୟ ଫେରବଦଳ କରି କାର୍ଯ୍ୟକାରୀ କଲେ ଗ୍ରାମାଞ୍ଚଳର ଗରିବ, ଉପେକ୍ଷିତ ଓ ଦୁର୍ବଳ ଶ୍ରେଣୀର ଲୋକେ ବିଶେଷ ଉପକୃତ ହୋଇପାରିବେ ।

ଏହି ଅଭିଯାନଟି ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ଆବଶ୍ୟକ ଯୋଜନା, ବ୍ୟୟ ଅଟକଳ, କାର୍ଯ୍ୟକାରିତା ବ୍ୟବସ୍ଥା ଏବଂ ଶତପ୍ରତିଶତ ପାଣ୍ଠି ବିନିଯୋଗ ପାଇଁ ପ୍ରୟାସ ଚାଲିଛି । ପ୍ରବାସ ଫେରନ୍ତା ଲୋକ ଯଥା ପ୍ଲମ୍ବର, ରାଜମିସ୍ତ୍ରି, ଇଲେକ୍ଟ୍ରି ମିସ୍ତ୍ରି ଏବଂ ସେମାନଙ୍କ ସାହାଯ୍ୟକାରୀମାନଙ୍କୁ ଏଥିରେ ରୋଜଗାର ଯୋଗାଇଦେବାକୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ପମ୍ପଚାଳକ, ଇଲେକ୍ଟ୍ରିସିଆନ ଓ ଅନ୍ୟାନ୍ୟ କୁଶଳୀ ଲୋକ ଯେପରି ନିଯୁକ୍ତି ସୁବିଧା ପାଆନ୍ତି ତାହା ନିଶ୍ଚିତ କରିବାକୁ କୁହାଯାଇଛି । ସରକାରଙ୍କ ଯୋଜନା ଅନୁସାରେ ଯୋଜନାର କାର୍ଯ୍ୟକାରିତା ଗ୍ରାମପଞ୍ଚାୟତ, ଗ୍ରାମ୍ୟ ଜଳ ଓ ପରିମଳ କମିଟି, ପାଣି ସମିତି ଆଦି ବୁଝାବୁଝି କରିବେ । ଏଥିପାଇଁ ଯେଉଁ ଗ୍ରାମ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି ସେଥିରେ ଦକ୍ଷତା ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଦେଶର ଆକାଂକ୍ଷୀ ଜିଲ୍ଲାଗୁଡିକରେ ଏହି ଯୋଜନାର କାର୍ଯ୍ୟକାରିତାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ।  ଜଳଜୀବନ ମିଶନର ପ୍ରଥମ ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟର ସ୍ଥିତି ଓ ଆକାଂକ୍ଷୀ ଜିଲ୍ଲାଗୁଡିକରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ସମୀକ୍ଷା କରାଯାଇଥିଲା । ଯୋଜନାର ଅଗ୍ରଗତି ସଂପର୍କରେ ଜିଲ୍ଲା ଏବଂ ଗ୍ରାମୱାରୀ 15 ଦିନିଆ ରିପୋର୍ଟ ପ୍ରସ୍ତୁତ କରିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମହତ୍‌କାଂକ୍ଷୀ ଅଭିଯାନ ଦ୍ୱାରା ପାନୀୟ ଜଳ ଯୋଗାଇ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଧାରଣରେ କେବଳ ଉନ୍ନତି ଆସିବ ନାହିଁ; ଏହା ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କୁ ନିୁଯୁକ୍ତି ସୁବିଧା ଦେଇ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବ ।

 

**********



(Release ID: 1636722) Visitor Counter : 197