ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ପ୍ରସ୍ତୁତ 50,000 ଭେଣ୍ଟିଲେଟର କୋଭିଡ଼-19 ବିରୋଧରେ ଲଢ଼ିବ

Posted On: 23 JUN 2020 11:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ କେୟାର୍ସ କାର୍ଯ୍ୟକ୍ରମ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ଦେଶରେ ପ୍ରସ୍ତୁତ 50,000 ଭେଣ୍ଟିଲେଟର ଦେଶରେ କୋଭିଡ଼-19 ବିରୋଧରେ ଲଢ଼ିବା ସକାଶେ ନିୟୋଜିତ କରାଯିବ । ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ଥିବା ସରକାରୀ କୋଭିଡ଼ ହସପିଟାଲକୁ ଏହିସବୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ । ଏଥିପାଇଁ ସରକାର 2000 କୋଟି ଟଙ୍କା ମଂଜୁର କରିଛନ୍ତି ।

ଏହି 50,000 ହଜାର ଭେଣ୍ଟିଲେଟର ମଧ୍ୟରୁ 30,000 ଭେଣ୍ଟିଲେଟର ମେସର୍ସ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ଦ୍ୱାରା ନିର୍ମିତ କରାଯିବ । ଅବଶିଷ୍ଟ 20,000 ଭେଣ୍ଟିଲେଟର  ଆଗଭା ହେଲ୍ଥ କେୟାର (10,000), ଏଏମଟିଜେଡ଼ ବେସିକ (5650), ଏଏମଟିଜେଡ଼ ହାଇ ଏଣ୍ଡ (4000) ଏବଂ ଆଲାଏଡ଼ ମେଡ଼ିକାଲ (350) ଦ୍ୱାରା ପ୍ରସ୍ତୁତ କରାଯିବ । ଏପର୍ଯ୍ୟନ୍ତ 2923ଟି ଭେଣ୍ଟିଲେଟର ଉତ୍ପାଦିତ ହୋଇଛି ଏବଂ ସେଥି ମଧ୍ୟରୁ 1340ଟି ଭେଣ୍ଟିଲେଟର ରାଜ୍ୟ ତଥା କେନ୍ଦ୍ରଶସିତ କ୍ଷେତ୍ରମାନଙ୍କୁ ଯୋଗାଇ ଦିଆଯାଇଛି ।  ଯେଉଁସବୁ ରାଜ୍ୟ ଏଭଳି ଭେଣ୍ଟିଲେଟରର ସିଂହଭାଗ ପାଇଛନ୍ତି ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର (275), ଗୁଜରାଟ (175), ବିହାର (100), କର୍ଣ୍ଣାଟକ (90) ଏବଂ ରାଜସ୍ଥାନ (75) ଅଛନ୍ତି । 2020 ଜୁନ ମାସ ସୁଦ୍ଧା ଅତିରିକ୍ତ 14,000 ଭେଣ୍ଟିଲେଟର ଉତ୍ପାଦନ କରାଯାଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଯୋଗାଇ ଦିଆଯିବ ।

ଅଧିକନ୍ତୁ, 1,000 କୋଟି ଟଙ୍କା ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ପାଇଁ ମଂଜୁର କରାଯାଇଛି ଯାହାକି ସେମାନେ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ବିନିଯୋଗ କରିବେ । ଏହି ପାଣ୍ଠି ବଣ୍ଟନ ଫର୍ମୁଲା ଅନୁସାରେ 2011 ମସିହାର ଜନଗଣନା ରିପୋର୍ଟକୁ 50% ମାନ୍ୟତା ପ୍ରଦାନ କରାଯିବା ବେଳେ 40% ମାନ୍ୟତା କୋଭିଡ଼-19 ପଜିଟିଭ ପାଇଁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ 10% ପ୍ରାଧାନ୍ୟ ସମାନ ଭାବେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏହି ସହାୟତା ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରହଣି, ଖାଦ୍ୟ, ସେମାନଙ୍କର ମେଡ଼ିକାଲ ଚିକିତ୍ସା ଓ ପରିବହନ ନିମନ୍ତେ ବ୍ୟୟ କରାଯିବ । ଏହି ପାଣ୍ଠିରୁ ସିଂହ ଭାଗ ପ୍ରଦାନ କରାଯାଇଥିବା ରାଜ୍ୟଗୁଡ଼ିକ ହେଲେ, ମହାରାଷ୍ଟ୍ର (181 କୋଟି), ଉତ୍ତର ପ୍ରଦେଶ (103 କୋଟି), ତାମିଲ ନାଡ଼ୁ (83 କୋଟି), ଗୁଜରାଟ (66 କୋଟି), ଦିଲ୍ଲୀ (55 କୋଟି), ପଶ୍ଚିମ ବଙ୍ଗ (53 କୋଟି), ବିହାର (51 କୋଟି), ମଧ୍ୟ ପ୍ରଦେଶ (50 କୋଟି), ରାଜସ୍ଥାନ (50 କୋଟି) ଏବଂ କର୍ଣ୍ଣାଟକ (34 କୋଟି) ।

 

**********



(Release ID: 1633720) Visitor Counter : 248