ନୀତି ଆୟୋଗ

ପରିବହନ କ୍ଷେତ୍ରକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ପ୍ରୟାସ

• ଅଳ୍ପ ପ୍ରଦୂଷଣକାରୀ ମାର୍ଗ ବିକଶିତ କରିବାକୁ ଭାରତରେ ଆନ୍ତର୍ଜାତିକ ପ୍ରକଳ୍ପ

Posted On: 22 JUN 2020 12:50PM by PIB Bhubaneshwar

ଭାରତରେ ପରିବହନ କ୍ଷେତ୍ରକୁ ପ୍ରଦୂଷଣମୁକ୍ତ କରିବା ସହ ଅଙ୍ଗାରକାମ୍ଲ ଓ CO2 ନିର୍ଗମନକୁ କମାଇବା ପାଇଁ ନୀତି ଆୟୋଗ ଜୁନ 24 ତାରିଖରୁ ଆନ୍ତର୍ଜାତିକ ପରିବହନ ଫୋରମର ମିଳିତ ଆନୁକୂଲ୍ୟରେ ଡିକାର୍ବୋନାଇଜ ଟ୍ରାନ୍ସପୋର୍ଟ ଇନ ଇଣ୍ଡିଆ ପ୍ରକଳ୍ପ ଆରମ୍ଭ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ସ୍ୱଳ୍ପ ଅଙ୍ଗାରକାମ୍ଲ ନିର୍ଗମନକାରୀ ଇନ୍ଧନ ପରିବହନ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଉପାୟ ବାହାର କରାଯିବ । ଭାରତ, ଆନ୍ତର୍ଜାତିକ ପରିବହନ ଫୋରମ ବା ଆଇଟିଏଫର ଜଣେ ସଦସ୍ୟଭାବେ କାର୍ଯ୍ୟ କରୁଛି । ଏହି ସଂଗଠନ 2008ରୁ ପରିବହନ ନୀତି ସଂପର୍କରେ ଆନ୍ତଃ ସରକାରୀ ସଂଗଠନଭାବେ କାର୍ଯ୍ୟ କରିଆସୁଛି ।

ସଂଗଠନର ମହାସଚିବ ୟଙ୍ଗ ତାଏ କିମ ଏବଂ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ  ଅନଲାଇନ ବ୍ୟବସ୍ଥାରେ ଏହାର ଉଦଘାଟନ କରିବେ । ଆବାସ ଏବଂ ସହରାଞ୍ଚଳ ବ୍ୟାପାର, ସଡକ, ରାଜମାର୍ଗ ଓ ପରିବହନ ମନ୍ତ୍ରଣାଳୟ ତଥା ଆଇଟିଏଫର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେବେ ।

ଏହି ଅନଲାଇନ କାର୍ଯ୍ୟକ୍ରମରେ ଭାରତରେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥା ଓ ସଂଗଠନ ତଥା ପରିବହନ କ୍ଷେତ୍ରର ସଂପୃକ୍ତ ପକ୍ଷଙ୍କୁ ପ୍ରକଳ୍ପର ଯୋଜନା ଓ ଲକ୍ଷ୍ୟ ସଂପର୍କରେ ଅବଗତ କରାଯିବ । ଭାରତୀୟ ପରିବହନ କ୍ଷେତ୍ରର ବିଭିନ୍ନ ସମସ୍ୟା ବିଶେଷକରି ପରିବେଶର କ୍ଷତି ସାଧନ କରୁଥିବା CO2 ଭଳି ଗ୍ୟାସର ନିର୍ଗମନ ହ୍ରାସ କରିବା ସଂପର୍କରେ ଏହି କାର୍ଯ୍ୟକ୍ରମରେ ତଥ୍ୟ ଉପସ୍ଥାପିତ ହେବ । ଭାରତ ପରିବହନର ନିର୍ଦ୍ଦିଷ୍ଟ କେଉଁ କ୍ଷେତ୍ରରେ ଉନ୍ନତି ଚାହୁଁଛି ଏବଂ ତାହାର ସାମଧାନ କିପରି ହୋଇପାରିବ ତାହା ଉପରେ ଆଲୋଚନା ହୋଇ ପ୍ରକଳ୍ପର କାର୍ଯ୍ୟକ୍ରମ ଚୂଡାନ୍ତ ହେବ । ଭାରତରେ ବିପିଆଇ ପ୍ରକଳ୍ପ ଯାନବାହନରୁ ନିର୍ଗତ ପ୍ରଦୂଷଣକାରୀ ଧୂଆଁ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥର ଆକଳନ କରି ତାହାର ସମାଧାନ ପାଇଁ ବାଟ ବାହାର କରିବ । CO2 ନିର୍ଗମନ ଜନିତ ବର୍ତ୍ତମାନର ସମସ୍ୟା ଏବଂ ଦେଶର ଭବିଷ୍ୟତର ପରିବହନ ଆବଶ୍ୟକତା ଆଦିକୁ ବିଚାରକୁ ନେଇ ଏହି ପ୍ରକଳ୍ପ କାର୍ଯ୍ୟ କରିବ । ଏହା ମଧ୍ୟ ଏ କ୍ଷେତ୍ରରେ କିଛି ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିବ ।

ସୂଚନାଯୋଗ୍ୟ ଯେ ଆନ୍ତର୍ଜାତିକ ପରିବହନ ଫୋରମ ଏକ ବୃହତ୍ତର କ୍ଷେତ୍ରରେ କାର୍ଯ୍ୟ କରୁଛି । ତାହାର ଭାରତୀୟ ପ୍ରକଳ୍ପ କାର୍ଯ୍ୟ ପରିସର ମଧ୍ୟ ବେଶ ବ୍ୟାପକ । ବିଶ୍ୱର ବିଭିନ୍ନ ବିକାଶଶୀଳ ଅର୍ଥନୀତିରେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏହି ସଂଗଠନର ମୁଖ୍ୟ ଦାୟିତ୍ୱ । ଭାରତ ଏହାର ସଦସ୍ୟ ତଥା ଏକ ବିକାଶଶୀଳ ଅର୍ଥନୀତି ହୋଇଥିବାରୁ ଡିଟିଆଇ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱ ପରିବହନ ଫୋରମ ଭାରତ ବ୍ୟତୀତ ଆର୍ଜେଣ୍ଟିନା, ଆଜରବୈଜାନ ଓ ମରକ୍କୋରେ ମଧ୍ୟ ଏଭଳି ପ୍ରୟାସ ଆରମ୍ଭ କରିଛି । ବିଶ୍ୱର ପ୍ରମୁଖ ବିକାଶଶୀଳ ଅର୍ଥନୀତିରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଯେଉଁ ପ୍ରୟାସ ଚାଲିଛି ତାହାକୁ ଆନ୍ତର୍ଜାତିକ ପରିବହନ ଫୋରମ ସହ ୟୁପର୍ଟାଲ ପ୍ରତିଷ୍ଠାନ ଆନ୍ତର୍ଜାତିକ କ୍ଲାଇମେଟ ଇନିସିଏଟିଭ ସଂସ୍ଥା ଆଦି ସହଯୋଗ କରୁଛନ୍ତି ।

 

**********

 



(Release ID: 1633412) Visitor Counter : 195