ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇପିଏଫଓରେ ଗତ ଦୁଇ ଆର୍ଥିକ ବର୍ଷରେ 1.39 କୋଟି ସଦସ୍ୟ ସାମିଲ ହୋଇଛନ୍ତି

Posted On: 22 JUN 2020 4:13PM by PIB Bhubaneshwar

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫଓ ପକ୍ଷରୁ ନିକଟରେ ଏହାର ସଦସ୍ୟମାନଙ୍କର ନିଯୁକ୍ତି ଓ ଦରମା ସଂକ୍ରାନ୍ତ ତଥ୍ୟାବଳୀ ବା ପେ-ରୋଲ ଡେଟା ପ୍ରକାଶ ପାଇଛି । ଏହା ଅସ୍ଥାୟୀ (ପ୍ରଭିଜନାଲ) ହୋଇଥିଲେ ମଧ୍ୟ ଏଥିରୁ ମିଳିଥିବା ସୂଚନା ଅନୁସାରେ 2017 ସେପ୍ଟେମ୍ବର ପରଠାରୁ ଏହି ସଂଗଠନରେ ଅଧିକରୁ ଅଧିକ ସଦସ୍ୟ ଯୋଗଦେଉଥିବା ଜଣାପଡିଛି । ଏହି ତଥ୍ୟାବଳୀ 2018-19 ଓ 2019-20 ଆର୍ଥିକ ବର୍ଷର ହିସାବକୁ ନେଇ ପ୍ରସ୍ତୁତ କରାଯାଇଛି । 2018-19ରେ ଏହି ସଂଗଠନର ସଦସ୍ୟ ସଂଖ୍ୟାରେ ନିଟ ଯୋଗଦାନ 61.12 ଲକ୍ଷ ହୋଇଥିବାବେଳେ 1920ରେ ଏହା 28 ଶତାଂଶ ବଢି 78.58 ଲକ୍ଷରେ ପହଞ୍ଚିଛି । ଯେଉଁମାନେ ନୂଆକରି ସଂଗଠନରେ ଯୋଗ ଦେଇଛନ୍ତି ଭବିଷ୍ୟନିଧି ପାଣ୍ଠିକୁ ସେମାନଙ୍କର ଅଂଶ ଆସୁଛି ଓ କେବଳ ସେହିମାନଙ୍କ ହିସାବ ସ୍ଥାନ ପାଇଛି । ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ଇପିଏଫଓରେ ଅଧିକ ସଂଖ୍ୟାରେ କର୍ମଚାରୀ ଯୋଗ ଦେଉଥିବାବେଳେ ସଂଗଠନ ଛାଡ଼ୁଥିବା କର୍ମଚାରୀଙ୍କ ସଂଖ୍ୟା କମ । 2019-20 ବର୍ଷ ପାଇଁ 8.5 ଶତାଂଶ ଟିକସମୁକ୍ତ ସୁଧ ବ୍ୟବସ୍ଥା ଯୋଗୁଁ ଅଧିକ ସଦସ୍ୟ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ଦେଶରେ ଏବେ ଯେତେ ସବୁ ସାମାଜିକ ନିରାପତ୍ତା ପାଣ୍ଠି ଓ ଜମା ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ଇପିଏଫଓ ସର୍ବାଧିକ ସୁଧ ଏହାର ଜମାକାରୀଙ୍କୁ ପ୍ରଦାନ କରୁଛି । ଫଳରେ ଏହି ସଂସ୍ଥା ଛାଡିବାକୁ କର୍ମଚାରୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ନାହିଁ । 2019-20 ଆର୍ଥିକ ବର୍ଷରେ ପୂର୍ବବର୍ଷ ତୁଳନାରେ ମାତ୍ର 10 ଶତାଂଶ କର୍ମଚାରୀ ଇପିଏଫଓ ସଦସ୍ୟତା ଛାଡିଥିଲେ ।

ଅଧିକନ୍ତୁ ସଂସ୍ଥା ଛାଡିଥିବା ସଦସ୍ୟମାନଙ୍କ ପୁନଃ ଯୋଗଦାନ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । 2018-19ରେ ଯେତେ ସଂଖ୍ୟକ କର୍ମଚାରୀ ଇପିଏଫଓ ଛାଡିଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ 75 ଶତାଂଶ ଏଥିରେ ପୁନର୍ବାର ଯୋଗଦେଇଛନ୍ତି । 2018-19ରେ ଏମାନଙ୍କ ସଂଖ୍ୟା 43.78 ଲକ୍ଷ ଥିବାବେଳେ 2019-20ରେ 78.15 ଲକ୍ଷରେ ପହଞ୍ଚଛି । ଇପିଏଫଓରେ ପ୍ରଚଳିତ ଅଟୋ ଟ୍ରାନ୍ସଫର ବ୍ୟବସ୍ଥା ସଂପୂର୍ଣ୍ଣ ଜଞ୍ଜାଳ ମୁକ୍ତ । ଏହା ମାଧ୍ୟମରେ ଚାକିରି ପରିବର୍ତ୍ତନରେ ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ ପୁରୁଣା ଆକାଉଣ୍ଟରୁ ନୂଆ ଆକାଉଣ୍ଟକୁ ଆପଣାଛାଏଁ ପରିବର୍ତ୍ତିତ ହୋଇଥାଏ । ଫଳରେ ଚାକିରି ପରିବର୍ତ୍ତନରେ କର୍ମଚାରୀଙ୍କ ସଦସ୍ୟତା ବଜାୟ ରହୁଛି ।

2019-20ରେ ହୋଇଥିବା ବୟସୱାରୀ ଅନୁଶୀଳନ ଅନୁସାରେ 26ରୁ 28, 29ରୁ 35 ଓ 35ରୁ ଉର୍ଦ୍ଧ୍ଵ ବୟସର କର୍ମଚାରୀଙ୍କ ଯୋଗଦାନ ହାର ପୂର୍ବବର୍ଷ ତୁଳନାରେ 50 ପ୍ରତିଶତ ବଢିଛି । ଅନଲାଇନ ବ୍ୟବସ୍ଥାରେ ଉତ୍ତମମାନର ସେବା ପ୍ରଦାନ ଯୋଗୁଁ ଇପିଏଫଓ ପ୍ରତି କର୍ମଚାରୀଙ୍କ ଆଗ୍ରହ ବଢୁଛି । ଆହୁରି ମଧ୍ୟ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଏଣିକି ଆଉ ଅଣଉଠାଣ ଧନଭାବେ ବିବେଚିତ ହେଉନାହିଁ । ନିଜର ଆବଶ୍ୟକତା ଅନୁସାରେ ମଝିରେ ମଝିରେ ଏହାକୁ ଉଠାଇବାକୁ କର୍ମଚାରୀ ସୁବିଧା ପାଉଛନ୍ତି । କୋଭିଡ ସଂକ୍ରମଣ ସମୟରେ କର୍ମଚାରୀମାନଙ୍କୁ ନିଜ ଜମାରୁ ଅଗ୍ରିମ ଦେବାପାଇଁ ଏକ ନୂଆ ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ମାତ୍ର 3ଦିନ ମଧ୍ୟରେ ଆବେଦନକାରୀଙ୍କୁ ଅର୍ଥ ମିଳିଯାଉଛି । ଫଳରେ ସଂକଟ କାଳରେ ଏହି ଅର୍ଥ ସେମାନଙ୍କ କାମରେ ଲାଗୁଛି ଏବଂ ସେମାନେ ନିଜ ଜମାକୁ ଆଉ ଅଣଉଠାଣ ପୁଞ୍ଜିଭାବେ ବିଚାର କରୁନାହାନ୍ତି । ଆହୁରି ମଧ୍ୟ ନିଯୁକ୍ତି ନଥିବାବେଳେ ବା ପିଲାଙ୍କ ବିବାହ ଓ ପାଠପଢ଼ା ଆଦି ଖର୍ଚ୍ଚ ତୁଲାଇବାରେ ତଥା ଘର କରିବା ଓ ଚିକିତ୍ସା ଆବଶ୍ୟକାତ ପୂରଣ କରିବା ପାଇଁ ସଦସ୍ୟମାନେ ନିଜ ଭବିଷ୍ୟନିଧି ପାଣ୍ଠିରୁ ଟଙ୍କା ଉଠାଣର ସୁବିଧା ପାଉଛନ୍ତି ।

ପ୍ରକାଶିତ ତଥ୍ୟ ଅନୁସାରେ ଏହି ସଂଗଠନରେ ମହିଳା କର୍ମଚାରୀଙ୍କ ଯୋଗଦାନ ବଢୁଛି । 2019-20ରେ ପୂର୍ବବର୍ଷ ତୁଳନାରେ 22 ପ୍ରତିଶତ ମହିଳା ଏଥିରେ ଯୋଗଦେଇଛନ୍ତି । ଏଥିରୁ ଆନୁଷ୍ଠାନିକ ଶ୍ରମଶକ୍ତିରେ ମହିଳାଙ୍କ ଅଧିକ ଯୋଗଦାନର ସୂଚନା ମିଳୁଛି । ତଥ୍ୟ ଅନୁସାରେ 2018-19 ଓ 2019-20ରେ 1.13 ଲକ୍ଷ ନୂଆ ପ୍ରତିଷ୍ଠାନ ପ୍ରଥମ ଥର ପାଇଁ କର୍ମଚାରୀ ଭବିଷ୍ୟନିଧି ଦେୟ ବାବଦ ସେମାନଙ୍କର ଅଂଶ ପ୍ରଦାନ କରିଛନ୍ତି । ଏହି ଅର୍ଥ ଜମା ପ୍ରକ୍ରିୟା ସରଳ ଓ ସହଜ ହୋଇଥିବାରୁ ଅଧିକରୁ ଅଧିକ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ପୋର୍ଟାଲ ମାଧ୍ୟମରେ ସେମାନେ ପାଇଥିବା ପ୍ରୋଭିଡେଣ୍ଟ ଫଣ୍ଡ କୋଡ ବ୍ୟବହାର କରି ନିଜର ଦେୟ ଦେଇପାରୁଛନ୍ତି । ଆହୁରି ମଧ୍ୟ ଇସିଆର ଅନଲାଇନ ବ୍ୟବସ୍ଥାରେ ଅନୁଷ୍ଠାନମାନେ ସ୍ୱେଚ୍ଛାକୃତଭାବେ କର୍ମଚାରୀମାନଙ୍କ ଦେୟ ପ୍ରଦାନର ସୁବିଧା ପାଇଛନ୍ତି ।

ଶିଳ୍ପୋଦ୍ୟୋଗର ବର୍ଗୀକରଣ ଅନୁସାରେ ହସପିଟାଲ ଓ ବିତ୍ତୀୟ ପ୍ରତିଷ୍ଠାନଙ୍କ ନିଯୁକ୍ତି ପ୍ରଦର୍ଶନ ଭଲ ରହିଛି । ଏସବୁ ସଂସ୍ଥାଙ୍କ ନିଯୁକ୍ତି ଅଭିବୃଦ୍ଧି 50 ଶତାଂଶରୁ ଅଧିକ ଅଛି । ସେହିଭଳି ତାଲିମ ଓ ବ୍ୟାବସାୟିକ ପ୍ରତିଷ୍ଠାନ, ବୟନ ଉଦ୍ୟୋଗ, ପରିଷ୍କାର ପରିଚ୍ଛନ୍ନତା ସେବା ଯୋଗାଉଥିବା ସଂସ୍ଥାଙ୍କ ନିଯୁକ୍ତି ଅଭିବୃଦ୍ଧି ହାର ନିଟ୍‌ ନିଯୁକ୍ତିର 20 ଶତାଂଶରୁ ଅଧିକ ହୋଇଛି । ଏଥିରୁ ପ୍ରତୀୟମାନ ହେଉଛି ଯେ ଭାରତୀୟ ନିଯୁକ୍ତି ବଜାରରେ ଚାକିରିର ଅଧିକ ଆନୁଷ୍ଠାନିକୀକରଣ ହେଉଛି । 2019-20 ଅର୍ଥନୀତିକ ସର୍ଭେ ରିପୋର୍ଟ ମଧ୍ୟ ଏହି ତଥ୍ୟକୁ ସମର୍ଥନ କରୁଛି ।

 

**********



(Release ID: 1633400) Visitor Counter : 228