ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଚୀନ ସୀମାନ୍ତ କ୍ଷେତ୍ର ପରିସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ କଲେ ସର୍ବଦଳୀୟ ବୈଠକରେ ଆଲୋଚନା

• ଲଦାଖରେ ଆମର 20 ଜଣ ସାହସୀ ସୈନିକ ଚରମ ବଳିଦାନ ଦେଇଛନ୍ତି କିନ୍ତୁ ଯେଉଁମାନେ ଆମ ମାତୃଭୂମି ଆଡ଼କୁ ଚାହିଁବାର ସାହସ କରିଛନ୍ତି ସେମାନଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି : ପ୍ରଧାନମନ୍ତ୍ରୀ
• ଆମ ସୀମା ଭିତରେ କେହି ଜଣେ ହେଲେ ନାହାନ୍ତି କିମ୍ବା ଆମର କୌଣସି ସୀମାନ୍ତ ପୋଷ୍ଟ କେହି ଅଧିକାର କରିନାହାନ୍ତି : ପ୍ରଧାନମନ୍ତ୍ରୀ
• ଭାରତ ସଦାବେଳେ ଶାନ୍ତି ଓ ବନ୍ଧୁତା ଚାହେଁ, କିନ୍ତୁ ଆମର ସାର୍ବଭୌମତ୍ୱର ସୁରକ୍ଷା ସର୍ବପ୍ରଥମ : ପ୍ରଧାନମନ୍ତ୍ରୀ
• ସକଳ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଶସ୍ତ୍ର ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି : ପ୍ରଧାନମନ୍ତ୍ରୀ
• ଆମର ସୀମାନ୍ତକୁ ଅଧିକ ସୁରକ୍ଷିତ କରିବା ସକାଶେ ସୀମା କ୍ଷେତ୍ରର ଭିତ୍ତିଭୂମିର ବିକାଶ ଉପରେ ସରକାର ଅଗ୍ରପ୍ରାଧାନ୍ୟ ଆରୋପ କରନ୍ତି : ପ୍ରଧାନମନ୍ତ୍ରୀ
• କ୍ଷିପ୍ରତାର ସହ ସକଳ ପ୍ରକାର ଜାତୀୟ ସୁରକ୍ଷା ଏବଂ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ : ପ୍ରଧାନମନ୍ତ୍ରୀ
• ସମସ୍ତ ରାଜନୈତିକ ଦଳ ସରକାରଙ୍କ ସହ ଐକ୍ୟବଦ୍ଧ ହୋଇ ଠିଆ ହେବାର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି

Posted On: 19 JUN 2020 9:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସର୍ବଦଳୀୟ ବୈଠକରେ ଭାରତ-ଚୀନ ସୀମାନ୍ତ କ୍ଷେତ୍ରର ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ ।

ସଶସ୍ତ୍ର ସେନାଙ୍କ ବୀରତ୍ୱ

ଏହି ବୈଠକରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆମେ ସମସ୍ତେ ଏବେ ଏକମନରେ ଦେଶର ସୀମାକୁ ସୁରକ୍ଷା ପ୍ରଦାନ କରୁଥିବା ବୀର ଯବାନମାନଙ୍କ ସହ ଠିଆ ହୋଇଛୁ ଓ ସେମାନଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରୁଛୁ । ସେମାନଙ୍କର ସାହସ ଓ ବୀରତ୍ୱକୁ ଭୂୟସୀ ପ୍ରଶଂସା କରୁଛୁ । ଏହି ସର୍ବଦଳୀୟ ବୈଠକ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ଦେଶ ଏବେ ସଶସ୍ତ୍ର ସେନାଙ୍କ ପଛରେ ଠିଆ ହୋଇଛି ।

ସର୍ବ ପ୍ରଥମେପ୍ରଧାନମନ୍ତ୍ରୀ ଏକଥା ସ୍ପଷ୍ଟ କରିଥିଲେ ଯେ କୌଣସି ଜଣେ ହେଲେ କେହି ଆମ ଦେଶ ସୀମା ଭିତରେ ନାହାନ୍ତି କିମ୍ବା ଆମର କୌଣସି ସୀମାନ୍ତ ପୋଷ୍ଟକୁ କେହି ଅକ୍ତିଆର କରିନାହାନ୍ତି । ସେ କହିଲେ ଯେ ଲଦାଖରେ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ଆମର କୋଡ଼ିଏ ଜଣ ବୀର ସୈନିକ ଚରମ ବଳିଦାନ ଦେଇଛନ୍ତି । କିନ୍ତୁ ଯେଉଁମାନେ ଆମ ମାତୃଭୂମି ଆଡ଼କୁ ଚାହିଁବାର ଅପଚେଷ୍ଟା କରିଛନ୍ତି ଆମ ସୈନିକମାନେ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି । ସେମାନଙ୍କ ସାହସ ଓ ବୀରତ୍ୱକୁ ରାଷ୍ଟ୍ର ସଦାବେଳେ ସ୍ମରଣ ରଖିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ରାଷ୍ଟ୍ର ଏବେ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଗ୍ରହଣ କରିଥିବା କାର୍ଯ୍ୟରେ କ୍ଷୁବ୍ଧ ଏବଂ କ୍ରୋଧିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ନେତୃବର୍ଗଙ୍କୁ ଦୃଢ଼ ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ ଆମର ସଶସ୍ତ୍ର ସେନା ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା କରିବା ସକାଶେ କୌଣସି ପ୍ରୟାସ ଛାଡ଼ୁନାହାନ୍ତି । ତାହା ସେନା ମୁତୟନ ହେଉ, କାର୍ଯ୍ୟାନୁଷ୍ଠାନ କିମ୍ବା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ; ଜଳ, ସ୍ଥଳ ଓ ଆକାଶ ସୀମାରେ ଆମର ସେନା ମାତୃଭୂମିର ସୁରକ୍ଷା ନିମନ୍ତେ ସକଳ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆଜି ଦେଶ ଏଭଳି କ୍ଷମତାର ଅଧିକାରୀ ହୋଇଛି ଯେ ଆମ ଦେଶର ଇଞ୍ଚେ ସୁଦ୍ଧା ଭୂମିକୁ ନେବା ଲାଗି କେହି କେବେ ସାହସ କରିପାରିବେ ନାହିଁ ।  ସେ କହିଲେ ଯେ ଆଜି, ଭାରତୀୟ ସେନା ସେକ୍ଟର ପରେ ସେକ୍ଟର ଅତୀକ୍ରମ କରିବାକୁ ସଂପୂର୍ଣ୍ଣ ସକ୍ଷମ । ଅନ୍ୟ ପକ୍ଷରେ, ସେନାଙ୍କୁ ଆବଶ୍ୟକ ସ୍ଥଳେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଭାରତ ନିଜର ସ୍ଥିତି ସଂପର୍କରେ ଚୀନକୁ କୂଟନୈତିକ ମାର୍ଗରେ ସ୍ପଷ୍ଟ ଭାବେ ଅବଗତ କରାଇ ଦେଇଛି ।

ସୀମାନ୍ତ ଭିତ୍ତିଭୂମିର ବ୍ୟାପକ ବିକାଶ

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଭାରତ ସଦାବେଳେ ଶାନ୍ତି ଏବଂ ବନ୍ଧୁତା ଚାହେଁ, କିନ୍ତୁ ଦେଶର ସାର୍ବଭୌମତ୍ୱ ରକ୍ଷା ସର୍ବାଗ୍ରେ । ସେ କହିଲେ ଯେ ସରକାର ସୀମାନ୍ତ କ୍ଷେତ୍ରର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ସୀମାକୁ ଅଧିକ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରୁଛନ୍ତି । ଲଢ଼ୁଆ ବିମାନ, ଅତ୍ୟାଧୁନିକ ହେଲିକପ୍ଟର, କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ଏବଂ ସଶସ୍ତ୍ର ସେନାଙ୍କ ପାଇଁ ଆବଶ୍ୟକ ଅନ୍ୟ ସକଳ ପ୍ରକାର ଆବଶ୍ୟକତା ପୂରଣ ସକାଶେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ।  ନିକଟରେ ବିକଶିତ ଭିତ୍ତିଭୂମି ଯୋଗୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପହରା କ୍ଷମତାକୁ ବୃଦ୍ଧି କରାଯାଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ମାଧ୍ୟମରେ ଆମେ ଏଲଏସିରେ ହେଉଥିବା ସବୁ ପ୍ରକାର କାର୍ଯ୍ୟବିଧି ସଂପର୍କରେ ଅଧିକ ମାତ୍ରାରେ ଅବଗତ ହୋଇପାରୁଛୁ ଏବଂ ପରିଣାମତଃ ଏହାକୁ ମନିଟର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛୁ । ପୂର୍ବରୁ ଯେଉଁମାନଙ୍କ ଗତିବିଧି ସେହିସବୁ ସ୍ଥାନରେ ଜାରି ରହିଥିଲା ତାହା ଏବେ ବନ୍ଦ ହୋଇପାରିଛି ଏବଂ ସେମାନେ କୌଣସି ପ୍ରକାର ବିବାଦ ସୃଷ୍ଟି କରିପାରୁନାହାନ୍ତି । ଆମର ଯବାନମାନେ ତାହାକୁ ନିୟନ୍ତ୍ରଣ କରିପାରିଛନ୍ତି । ପୂର୍ବରୁ ସେହିଭଳି ଘଟଣାକୁ ନେଇ ନାନା ପ୍ରକାର ଉତ୍ତେଜନା ସୃଷ୍ଟି ହେଉଥିଲା । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଦୁର୍ଗମ କ୍ଷେତ୍ରରେ ଅବସ୍ଥାପିତ ଯବାନମାନଙ୍କ ପାଇଁ ଉନ୍ନତ ଭିତ୍ତିଭୂମି, ଆବଶ୍ୟକ ସାମଗ୍ରୀ ଓ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଣ ଦ୍ୱାରା ତାହା ସମ୍ଭବପର ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ସରକାର ଦେଶ ତଥା ପ୍ରତ୍ୟେକ ନାଗରିକଙ୍କ ସକଳ ପ୍ରକାର କଲ୍ୟାଣ ନିମନ୍ତେ ସଂକଳ୍ପବଦ୍ଧ । ତାହା ବାଣିଜ୍ୟ କ୍ଷେତ୍ରରେ ହୋଇଥାଉ ଅବା ସଂଯୋଗ ବା ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମ । କୌଣସି ପ୍ରକାର ବାହ୍ୟ ଚାପର ବଶବର୍ତ୍ତୀ ନହୋଇ ସରକାର ଦୃଢ଼ ଭାବେ ନିଜର କାର୍ଯ୍ୟପନ୍ଥା ଗ୍ରହଣ କରିଆସୁଛନ୍ତି । ସେ ଦୃଢ଼ ଆଶ୍ୱାସନା ପ୍ରଦାନ କରି କହିଛନ୍ତି ଯେ ଜାତୀୟ ନିରାପତ୍ତା ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆବଶ୍ୟକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ତ୍ୱରତି ସଂପାଦନ କରାଯିବ । ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କୁ ଦୃଢ଼ତାର ସହ ପ୍ରତିଶ୍ରୁତି ପ୍ରଦାନ କରି ସେ କହିଛନ୍ତି ଯେ ଆମର ସୀମାନ୍ତକୁ ସୁରକ୍ଷିତ ରଖିବା ସକାଶେ ଆମର ସଶସ୍ତ୍ର ସେନା ସଂପୂର୍ଣ୍ଣ ଭାବେ ସକ୍ଷମ ଏବଂ ଉପଯୁକ୍ତ ସମୟରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି ।

ଏହି ବୈଠକରେ ନିଜର ମତ ରଖି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଲେ ଯେ ଶହୀଦମାନଙ୍କ ବଳିଦାନକୁ ରାଷ୍ଟ୍ର କଦାପି ଭୁଲିବ ନାହିଁ । ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏହି ବୈଠକରେ ସମସ୍ତଙ୍କୁ ଭାରତ ଚୀନ ସୀମାନ୍ତ ପରିଚାଳନା ସଂପର୍କରେ ସ୍ୱାକ୍ଷରିତ ରାଜିନାମା ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ ଯେ 2014 ମସିହାରେ ପ୍ରଧାନମନ୍ତ୍ରୀ ସୀମାନ୍ତ କ୍ଷେତ୍ରର ଭିତ୍ତିଭୂମିର ବିକାଶ ଘଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯେଉଁ ଯେଉଁ କ୍ଷେତ୍ରରେ ତାହା କାର୍ଯ୍ୟକାରୀ କରାଯିବା ସେ ସଂପର୍କୀତ ପ୍ରସ୍ତାବକୁ କ୍ୟାବିନେଟ 1999ରେ ମଂଜୁରି ପ୍ରଦାନ କରିଛନ୍ତି । ନିକଟ ଅତୀତରେ ଘଟିଥିବା ପରିସ୍ଥିତି ସଂପର୍କରେ ସେ ସମସ୍ତଙ୍କୁ ବିସ୍ତୃତ ଭାବେ ସୂଚୀତ କରିଥିଲେ ।

ବିଭିନ୍ନ ରାଜନୈତିକ ଦଳରେ ନେତୃବୃନ୍ଦଙ୍କ ବକ୍ତବ୍ୟ

ଲଦାଖରେ ଭାରତୀୟ ସେନା ପ୍ରଦର୍ଶନ କରିଥିବା ସାହସିକତାକୁ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଭୂୟସୀ ପ୍ରଶଂସା କରିଥିଲେ । ସେମାନେ ଏଭଳି ଆବଶ୍ୟକତାର ଘଡ଼ିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ଏବଂ ସରକାରଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବା ନିମନ୍ତେ ନିଜ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ସେମାନେ ସ୍ୱ ସ୍ୱ ଚିନ୍ତନ ଓ ଧାରଣା ସରକାରଙ୍କୁ ଅବଗତ କରାଇଥିଲେ ।

ସୁଶ୍ରୀ ମମତା ବାନାର୍ଜୀ ନିଜ ମତ ରଖି କହିଲେ ଯେ ତାଙ୍କ ଦଳ ଏହି ପ୍ରସଙ୍ଗରେ ସରକାରଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛି । ଶ୍ରୀ ନୀତିଶ କୁମାର କହିଛନ୍ତି ଯେ ଏଭଳି ପ୍ରସଙ୍ଗରେ ରାଜନୈତିକ ଦଳ କିମ୍ବା ନେତାଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ନରହିବା ଉଚିତ ଏବଂ ଆମମାନଙ୍କ ଅନୈକ୍ୟ ମନୋଭାବରୁ ଅନ୍ୟ କୌଣସି ରାଷ୍ଟ୍ର ଫାଇଦା ଉଠାଇବାକୁ ଅପଚେଷ୍ଟା କରିପାରିବନାହିଁ । ଶ୍ରୀ ଚିରାଗ ପାସ୍ୱାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ନିଜକୁ ସୁରକ୍ଷିତ ମଣୁଛି । ଶ୍ରୀ ଉଦ୍ଧବ ଠାକରେ ନିଜର ମତ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହ ସମଗ୍ର ଦେଶ ଏକ ମନରେ ଠିଆ ହୋଇଛି ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଶ୍ରୀମତୀ ସୋନିଆ ଗାନ୍ଧୀ କହିଲେ ଯେ ବିଭିନ୍ନ ଦଳର ନେତାମାନେ ଏବେସୁଦ୍ଧା ପରିସ୍ଥିତି ସଂପର୍କରେ ଅନ୍ଧାରରେ ଅଛନ୍ତି ଏବଂ ସରକାରଙ୍କ ଗୁଇନ୍ଦା ରିପୋର୍ଟ ଓ ଅନ୍ୟାନ୍ୟ ସଂପର୍କୀତ ବ୍ୟବସ୍ଥା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ଶରଦ ପାୱାର ଗୁରୁତ୍ୱ ଆରୋପ କରି କହିଲେ ଯେ ସୀମାନ୍ତରେ ମୁତୟନ ଥିବା ସୈନିକମାନେ ହାତରେ ଅସ୍ତ୍ରଶସ୍ତ୍ର ଧରିବେ କି ନାହିଁ ତାହା ଅନ୍ତରାଷ୍ଟ୍ରୀୟ ରାଜିନାମା ଦ୍ୱାରା ସ୍ଥୀରୀକୃତ ହୋଇଥାଏ ଏବଂ ଏଭଳି ପ୍ରସଙ୍ଗରେ ଥିବା ସ୍ପର୍ଶକାତର ବିଷୟ ପ୍ରତି ନେତୃବର୍ଗ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଶ୍ରୀ କୋନାର୍ଡ଼ ସାଙ୍ଗମା କହିଲେ ଯେ ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳର ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟରତ ଅଛନ୍ତି ଏବଂ ସେହି ଧାରା ଜାରି ରହିବା ଉଚିତ । ସୁଶ୍ରୀ ମାୟାବତୀ ନିଜର ମତ ରଖି କହିଲେ ଯେ ଏହା ରାଜନୀତି କରିବାର ଅବସର ନୁହେଁ ଏବଂ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ଭାବେ ସମର୍ଥନ କରୁଛନ୍ତି । ସେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବେ ତାହା ତାଙ୍କ ଦ୍ୱାରା ସ୍ୱୀକାର୍ଯ୍ୟ ହେବ । ଶ୍ରୀ ଏମ କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନିକଟରେ ଏହି ପ୍ରସଙ୍ଗରେ ଦେଇଥିବା ବକ୍ତବ୍ୟକୁ ସ୍ୱାଗତ କରିଥିଲେ ।

ଏହି ବୈଠକରେ ଯୋଗ ଦେଇଥିବାରୁ ଏବଂ ନିଜ ନିଜ ଭାବ ବ୍ୟକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

**********



(Release ID: 1632829) Visitor Counter : 178