PIB Headquarters

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ “ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ 2020- 21 ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାରମାନଙ୍କ ପାଇଁ 4000 କୋଟି ଟଙ୍କା ମଞ୍ଜୁର

• କେତେକ ରାଜ୍ୟକୁ ପାଣ୍ଠି ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି
• ନାବାର୍ଡ଼ ସହ ଅଣୁ ଜଳସେଚନ ପାଇଁ 5000 କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି; ଏହି ଅର୍ଥ ସ୍ୱତନ୍ତ୍ର ଓ ଅଭିନବ ପ୍ରକଳ୍ପମାନ ପ୍ରତିଷ୍ଠା କରିବା ନିମନ୍ତେ ବ୍ୟୟ କରାଯିବ
• ଏହା ଅଣୁ ଜଳସେଚନ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବ ଯାହାକି ପିଏମକେଏସୱାଇ- ପିଡ଼ିଏମସି ପରିସର ବହିର୍ଭୂତ

Posted On: 10 JUN 2020 12:28PM by PIB Bhubaneshwar

କେନ୍ଦ୍ର ସରକାରଙ୍କ କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମ ଅଧୀନରେ ପ୍ରତି ବୁନ୍ଦା ଅଧିକ ଉତ୍ପାଦନଯୋଜନା କାର୍ଯ୍ୟକାରୀ କରାଯାଉଛି । କୃଷିକ୍ଷେତ୍ରରେ ଅଣୁ ଜଳସେଚନ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଜଳର ସର୍ବାଧିକ ଉପଯୋଗ କରାଯିବା ଉପରେ ଏଥିରେ ଗୁରୁତ୍ୱ ଆରୋପ କରାଯାଉଛି । ଡ୍ରିପ୍ ଅଣୁ ଜଳସେଚନ ପ୍ରଯୁକ୍ତି  ଦ୍ୱାରା କେବଳ ଜଳ ସଂଚୟ କରାଯାଇନଥାଏ ଅପରନ୍ତୁ ଏହି ବ୍ୟବସ୍ଥା ଉପଯୋଗ ଦ୍ୱାରା କମ୍ ସାର, କମ୍ ଶ୍ରମ ବ୍ୟୟ ଏବଂ ଅନ୍ୟାନ୍ୟ ଚାଷଜନିତ ବ୍ୟୟ ମଧ୍ୟ ହ୍ରାସ ହୋଇଥାଏ ।

ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ 4000  କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ତାହା ରାଜ୍ୟ ସରକାରମାନଙ୍କୁ ପ୍ରଦାନ ଆରମ୍ଭ ହୋଇସାରିଛି । ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀ ଚୟନ କରିସାରିଛନ୍ତି । 2020-21 ଆର୍ଥିକ ବର୍ଷ ନିମନ୍ତେ କେତେକ ରାଜ୍ୟ ପାଇଁ ପାଣ୍ଠି ଯୋଗାଣ ପ୍ରକ୍ରିୟା ଏବେ ସୁଦ୍ଧା ଆରମ୍ଭ କରାଯାଇଛି ।

ଅଧିକନ୍ତୁ, ଅଣୁ ଜଳସେତନ ପାଣ୍ଠି କର୍ପସ ପାଇଁ 5000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ନାବାର୍ଡ଼ ସହଯୋଗରେ ସୃଷ୍ଟି କରାଯାଇଛି । ଏହି ପାଣ୍ଠି ସୃଷ୍ଟିର ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କୁ ଅଣୁ ଜଳସେଚନର କ୍ଷେତ୍ର ସଂପ୍ରସାରଣ ପାଇଁ ସମ୍ବଳ ଯୋଗାଣ କରିବା । ସେଥିପାଇଁ ସ୍ୱତନ୍ତ୍ର ଏବଂ ଅଭିନବ ପ୍ରକଳ୍ପମାନ ସୃଷ୍ଟି କରାଯିବ । ପିଏମକେଏସୱାଇ- ପିଡ଼ିଏମସି ଅଧୀନରେ ଯେଉଁଭଳି ପାଣ୍ଠି ଯୋଗାଣର ବ୍ୟବସ୍ଥା ରହିଛି ତାହା ବାହାରେ ଏଭଳି ପ୍ରୋତ୍ସାହନ ରାଶି ଯୋଗାଣ କରାଯିବ । ଏହାଦ୍ୱାର କୃଷକମାନେ ସେମାନଙ୍କ କୃଷିକ୍ଷେତରେ ଅଣୁ ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହିତ ହେବେ । ଏପର୍ଯ୍ୟନ୍ତ, ଅଣୁ ଜଳସେଚନ ପାଣ୍ଠି ରାଶି ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଭଳି ରାଜ୍ୟଙ୍କୁ ଯୋଗାଇ ଦିଆଯାଇଛି । ଏହି ଦୁଇ ରାଜ୍ୟକୁ ନାବାର୍ଡ଼ ମାଧ୍ୟମରେ ଯଥାକ୍ରମେ 616.14 କୋଟି ଏବଂ 478.79 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏଥିରେ ଆନ୍ଧ୍ର ପ୍ରଦେଶରେ 1.021 ଲକ୍ଷ ହେକ୍ଟର ଏବଂ ତାମିଲ ନାଡ଼ୁରେ 1.76 ଲକ୍ଷ ହେକ୍ଟର ଜମିରେ ଅଣୁ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କାର୍ଯ୍ୟକାରୀ ହୋଇପାରିବ ।

ଗତ ପାଞ୍ଚ ବର୍ଷ ( 2015-16 ଠାରୁ 2019-20) ମଧ୍ୟରେ 46.96 ଲକ୍ଷ ହେକ୍ଟର ଜମିରେ ପିଏମକେଏସୱାଇ- ପିଡ଼ିଏମସି ମାଧ୍ୟମରେ ଅଣୁ ଜଳସେଚନ ବ୍ୟବସ୍ଥା କରାଯାଇଛି ।

 

**********

 



(Release ID: 1630735) Visitor Counter : 228