ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେଦାରନାଥ ପୁନଃନିର୍ମାଣ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 10 JUN 2020 1:47PM by PIB Bhubaneshwar

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରାଖଣ୍ଡ ସରକାରଙ୍କ ସହିତ କେଦାରନାଥ ଧାମର ବିକାଶ ଏବଂ ପୁନଃନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ଏହି ତୀର୍ଥସ୍ଥଳର ପୁନଃନିର୍ମାଣରେ ନିଜର ପରିକଳ୍ପନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ କେଦାରନାଥ ଏବଂ ବଦ୍ରିନାଥ ଭଳି ପବିତ୍ର ସ୍ଥଳଗୁଡ଼ିକର ବିକାଶ ପ୍ରକଳ୍ପଗୁଡ଼ିକର ପରିକଳ୍ପନା ସହିତ ତାହାର ଡିଜାଇନ ଏଭଳି ଭାବେ ପ୍ରସ୍ତୁତ କରିବା ଆବଶ୍ୟକ ଯାହା ସମୟର କସଟି ପଥରରେ ସଠିକ ପ୍ରମାଣିତ ହେବ, ପର୍ଯ୍ୟାବରଣ ଅନୁକୂଳ ହେବ ଏବଂ ପ୍ରକୃତି ଏହାର ଆଖପାଖର ପରିବେଶ ସହିତ ତାଳମେଳ ରକ୍ଷା କରିପାରିବ ।

ବର୍ତ୍ତମାନର ସ୍ଥିତି ଏବଂ ଏହିସବୁ ତୀର୍ଥସ୍ଥଳଗୁଡ଼ିକରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କର ସଂଖ୍ୟାରେ ତୁଳନାତ୍ମକ ଭାବେ ଆସିଥିବା ହ୍ରାସକୁ ଧ୍ୟାନରେ ରଖି, ପ୍ରଧାନମନ୍ତ୍ରୀ  ପରାମର୍ଶ ଦେଇଛନ୍ତି ଯେ, ବର୍ତ୍ତମାନ ସମୟର ଉପଯୋଗ କରି ଶ୍ରମିକମାନଙ୍କୁ ଉଚିତ ଭାବେ କାର୍ଯ୍ୟ ବିତରଣ ଦ୍ୱାରା ପଡିରହିଥିବା କାମଗୁଡ଼ିକୁ ପୂରଣ କରାଯାଇ ପାରିବ, କିନ୍ତୁ ଏହା ସହିତ ଆମକୁ ସାମାଜିକ ଦୂରତା ବଜାୟ ରଖିବାର ନିୟମକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଏହାଫଳରେ ଆଗାମୀ ବର୍ଷମାନଙ୍କରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଉନ୍ନତ ମୌଳିକ ଢ଼ାଂଚା ଏବଂ ସୁବିଧା ସବୁ ପ୍ରସ୍ତୁତ କରିବାରେ ସାହାଯ୍ୟ ମିଳି ପାରିବ ।

ପ୍ରଧାନମନ୍ତ୍ରୀ ରାମବନରୁ କେଦାରନାଥ ପର୍ଯ୍ୟନ୍ତ ରହିଥିବା ସ୍ଥାନ ମଧ୍ୟରେ ଅନ୍ୟାନ୍ୟ ଐତିହ୍ୟ ଏବଂ ଧାର୍ମିକ ସ୍ଥଳ ଗୁଡ଼ିକର ଆହୁରି ଅଧିକ ବିକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କେଦାରନାଥଙ୍କ ମୁଖ୍ୟ ମନ୍ଦିରର ପୁର୍ନବିକାଶ ପରେ ଅତିରିକ୍ତ ଭାବେ ହେବ ।

ବୈଠକରେ ଶ୍ରଦ୍ଧାଳୁମାନଙ୍କର ସ୍ୱାଗତ ପାଇଁ ବ୍ରହ୍ମ କମଳ ବାଟିକା ଏବଂ ସଂଗ୍ରହାଳୟର ବିକାଶର ସ୍ଥିତି ସମ୍ବନ୍ଧିତ ବିବରଣୀ ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହେଲା ଯାହାକି ବାସୁକୀ ତାଳ ରାସ୍ତାରେ ରହିଛି । ଏହା ସହିତ ପୁରୁଣା କୋଠାଘରଗୁଡ଼ିକ ଏବଂ ବାସ୍ତୁକଳା ଦୃଷ୍ଟିରୁ ଐତିହାସିକ ମହତ୍ୱ ବହନ କରୁଥିବା ସମ୍ପତ୍ତି ସବୁର ପୁର୍ନବିକାଶ ବ୍ୟତୀତ ଅନ୍ୟ ସୁବିଧା ଓ ମନ୍ଦିରରୁ ଉପଯୁକ୍ତ ଦୂରତାରେ ଏବଂ ନିୟମିତ ବ୍ୟବଧାନରେ ପରିବେଶ ଅନୁକୂଳ ପାର୍କିଂ ସ୍ଥଳ ବିଷୟରେ ମଧ୍ୟ ଆଲୋଚନା ହୋଇଛି ।

ଏହି ଆଲୋଚନାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

 

**********



(Release ID: 1630726) Visitor Counter : 192