ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ସମ୍ପର୍କିତ ମନ୍ତ୍ରୀଗୋଷ୍ଠୀ ସ୍ତରୀୟ ସମୀକ୍ଷା ବୈଠକ

• ବିଶ୍ଵର ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ, ତେବେ ଏଥିରେ କୋହଳତାର କୌଣସି ସ୍ଥାନ ନାହିଁ- ଡଃ ହର୍ଷ ବର୍ଦ୍ଧନ
• ଶାରୀରିକ ଦୂରତ୍ଵ, ହାତଧୁଆ, ମାସ୍କ ପିନ୍ଧିବା ଭଳି ପ୍ରତିଷେଧକକୁ ଭୁଲିବା ଅନୁଚିତ

Posted On: 09 JUN 2020 4:22PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-19 ସଂକ୍ରାନ୍ତ 16ତମ ମନ୍ତ୍ରୀଗୋଷ୍ଠୀ ସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ଜରିଆରେ ଆଜି (09.06.2020) ଅନୁଷ୍ଠିତ ହୋଇଯାଇଛି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କ ସମେତ  ପ୍ରତିରକ୍ଷା ମୁଖ୍ୟ ଶ୍ରୀ ବିପିନ ରାୱତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମାଜିକ ଦୂରତ୍ଵ ରକ୍ଷା କରି ବୈଠକରେ ଯୋଗଦେଇଥିଲେ ।

ଦେଶରେ କୋଭିଡ-19ର ସବିଶେଷ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ଦଳ (ଜିଓଏମ)ଙ୍କୁ ବୈଠକରେ ଅବଗତ କରାଯାଇଥିଲାଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବଂ ଲକଡାଉନ ଯୋଗୁଁ ରୋଗ ପରିଚାଳନାରେ ମିଳିଥିବା ସଫଳତା ସମ୍ପର୍କରେ ଏଥିରେ ଦର୍ଶାଯାଇଥିଲା । ଦେଶରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ କରାଯାଇଥିବା ସତ୍ଵେ କୋଭିଡ-19 ପାଇଁ ଥିବା ପ୍ରତିଷେଧକ ବ୍ୟବସ୍ଥାରେ ଯେପରି ସାଲିସ ନକରାଯାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଓଏମ ଅଧ୍ୟକ୍ଷ ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଦେଶ ବର୍ତ୍ତମାନ ଅନଲକ -1 ପର୍ଯ୍ୟାୟରେ ପହଞ୍ଚିଛି । ସେଦୃଷ୍ଟିରୁ ଅନେକ କଟକଣା ମଧ୍ୟ ହଟାଯାଇଛି, ତେବେ ଆମକୁ ଅଧିକ ଶୃଙ୍ଖଳିତ ରହି ସାମାଜିକ ଦୁରତ୍ଵ, ସର୍ବସାଧାରଣ ସ୍ଥାନରେ ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ନିୟମ ମାନିବାକୁ ହେବ । ଏଥିରେ କୌଣସି କୋହଳତା ଅବଲମ୍ବନ କରିବା ଅନୁଚିତ ବୋଲି ସେ ଦୃଢ ଭାବେ କହିଛନ୍ତି ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରୁଥିବାରୁ ସମସ୍ତ ବିଭାଗୀୟ ମୁଖ୍ୟ ସାମାଜିକ ପ୍ରତିଷେଧକ ବ୍ୟବସ୍ଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସେ ନିବେଦନ କରିଛନ୍ତି । ଏହାଛଡା ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରି ନିଜ ଆଡୁ ଥିବା କୋଭିଡ-19 ସଂକ୍ରାନ୍ତ ବିପଦରୁ ସୁରକ୍ଷିତ ରହିବା ପାଇଁ ସେ ସ୍ମରଣ କରାଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ 12.55 କୋଟିରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ କରିଛନ୍ତି ।

ଜିଓଏମକୁ ଦେଶରେ କ୍ରମବର୍ଦ୍ଧିଷ୍ଣୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ଅବଗତ କରାଯାଇଥିଲା । ଆଜିସୁଦ୍ଧା (09.06.2020) କୋଭିଡ ସମ୍ପର୍କିତ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ରମଶଃ ଦୃଢୀଭୂତ ହେବା ସହ 958ଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲରେ 1,67,883ଟି ଏକାନ୍ତବାସ ଶଯ୍ୟା, 21,614ଟି ଆଇସିୟୁ ଶଯ୍ୟା ଏବଂ 73,469 ଅମ୍ଳଜାନ ସହାୟକ ଶଯ୍ୟାର ବ୍ୟବସ୍ଥା ରହିଛି । 2,313ଟି ଉତ୍ସର୍ଗିକୃତ କୋଭିଡ-19 ସ୍ୱାସ୍ଥ୍ୟ କେନ୍ଦ୍ରରେ 1,33,037ଟି ଏକାନ୍ତବାସ ଶଯ୍ୟା, 10,748ଟି ଆଇସିୟୁ ଶଯ୍ୟା ଏବଂ 46,635ଟି ଅମ୍ଳଜାନ ସହାୟକ ଶଯ୍ୟା କାର୍ଯ୍ୟକ୍ଷମ ରହିଛି । ଅଧିକନ୍ତୁ 7,525 କୋଭିଡ ଯତ୍ନ କେନ୍ଦ୍ରରେ 7,10,642 ଶଯ୍ୟା ବର୍ତ୍ତମାନ ଦେଶରେ ଉପଲବ୍ଧ ରହିଛି । ଏଥିସହ 21,494ଟି ଭେଣ୍ଟିଲେଟରଯୁକ୍ତ ଶଯ୍ୟା ମଧ୍ୟ ଉପଲବ୍ଧ ରହିଛି ।

କେନ୍ଦ୍ର 128.48 ଲକ୍ଷ ଏନ-95 ମାସ୍କ, 104.74 ଲକ୍ଷ ପିପିଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଦେଇଛି । ଏହାଛଡା କେନ୍ଦ୍ର ସରକାର ଆଉ 60,848ଟି ଭେଣ୍ଟିଲେଟର ପାଇଁ ମଧ୍ୟ ବହିନା ଦେଇଛନ୍ତି । 553ଟି ସରକାରୀ ଓ 231ଟି ଘରୋଇ ଏହିପରି ମୋଟ 784 ପରୀକ୍ଷାଗାର ସହ ଆଇସିଏମଆରର ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 49 ଲକ୍ଷ ପରୀକ୍ଷଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 1,41,682 ନମୁନା ପରୀକ୍ଷା କରାଯାଇଛି । ଏହି ବୈଶ୍ଵିକ ମହାମାରୀର ମୁକାବିଲା ସତ୍ଵେ ଜରୁରୀକାଳିନ ଜିନିଷ ଦେଶରେ କିଭଳି ଉପଲବ୍ଧ କରାଯାଇପାରିଛି ସେ ସମ୍ପର୍କରେ କ୍ଷମତା ସମ୍ପନ୍ନ ଗ୍ରୁପ-5ର ଅଧ୍ୟକ୍ଷ ଶ୍ରୀ ପରମେଶ୍ଵର ନାୟାର ସୂଚନା ଦେଇଥିଲେ । ଆଇସିଏମଆରର ସଂକ୍ରାମକ ରୋଗ ତତ୍ଵବିତ ଡଃ ରମଣ ଗଙ୍ଗା ଖେଡକର ଦେଶରେ ନମୁନା ପରିକ୍ଷଣର ବୃଦ୍ଧି, ପରୀକ୍ଷାଗାର ଗୁଡିକର ସ୍ଥିତି ଏବଂ ରେମ୍ଡେସିଭିଆର ଏବଂ ହାଇଡ୍ରୋକ୍ସି କ୍ଲୋରୋକୁଇନ ଭଳି ରୋଗ ପ୍ରତିଷେଧକର ବ୍ୟବହାର ଉପରେ ଆଲୋକପାତ କରିଥିଲେ ।

ଏପର୍ଯ୍ୟନ୍ତ ଦେଶରେ 1,29,214 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 4,785 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ଆରୋଗ୍ୟ ଲାଭ 48.47%କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା 1,29,917 ରହିଛି ।  

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପ୍ରୀତି ସୁଦନ, ଓଏସଡି ରାଜେଶ ଭୂଷଣ, ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ଆହୁଜା ଏବଂ ଆଇସିଏମଆରରୁ ଡଃ ରମଣ ଗଙ୍ଗା ଖେଡକର ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ । 

 

**********



(Release ID: 1630548) Visitor Counter : 256