ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର 25ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଭାଷଣ
Posted On:
01 JUN 2020 12:19PM by PIB Bhubaneshwar
ଏହି ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ପଚିଶତମ ସ୍ଥାପନା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ମୋତେ ଅଶେଷ ଆନନ୍ଦ ପ୍ରଦାନ କରିଛି । ମୁଁ ଏହି ଅବସରରେ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ସମସ୍ତ ମେଡ଼ିକାଲ ଓ ବୈଜ୍ଞାନିକ ଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଉଛି ।
ବିଗତ ବର୍ଷମାନଙ୍କରେ ଆପଣମାନେ ଶିକ୍ଷାକ୍ଷେତ୍ରରେ ଅବିଶ୍ୱସନୀୟ କାର୍ଯ୍ୟ ତଥା ଚିକିତ୍ସା ବ୍ୟବସ୍ଥା ତାଲିମ କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।
25 ବର୍ଷ ପୂରଣ କରିବା ଅର୍ଥ ହେଉଛି ଏବେ ଏହି ବିଶ୍ୱବିଦ୍ୟାଳୟ ତା’ର ଯୌବନାବସ୍ଥାରେ ପଦାର୍ପଣ କରିଛି । ଏହି ବୟସ ହେଉଛି ଅଧିକରୁ ଅଧିକ ଚିନ୍ତା କରିବା ଏବଂ ଆହୁରି ଅଧିକରୁ ଅଧିକ ଉତ୍ତମ କାର୍ଯ୍ୟ କରିବାର ଅବସର । ମୋର ଦୃଢ଼ବିଶ୍ୱାସ ଯେ ଏହି ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ନୂଆ ନୂଆ ଶୀର୍ଷ ହାସଲ କରିବ । ମୁଁ କର୍ଣ୍ଣାଟକ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବାକୁ ଏଇଥି ପାଇଁ ଚାହେଁ ଯେ ସେମାନେ କୋଭିଡ଼ 19 ସଂକ୍ରମଣ ସ୍ଥିତିକୁ ବେଶ ସଫଳତାର ସହ ମୁକାବିଲା କରିଛନ୍ତି । ବନ୍ଧୁଗଣ, ସ୍ୱାଭାବିକ ସମୟରେ, ଏହି ଉତ୍ସବ ହୁଏତ ଅଧିକ ବଡ଼ ଆକାରରେ କରାଯାଇଥାନ୍ତା । ଯଦି ଅଧୁନା ଏହି ବୈଶ୍ୱିକ ମହାମାରୀ ଆମ ମାନଙ୍କୁ ଆକ୍ରାନ୍ତ କରିନଥାନ୍ତା, ତେବେ ମୁଁ ଆପଣମାନଙ୍କ ଗହଣରେ ବେଙ୍ଗାଲୁରୁରେ ଉପସ୍ଥିତ ହେବାରେ ଅଧିକ ଖୁସି ହୋଇଥାନ୍ତି । ଏହି ବିଶେଷ ଦିନର ଉତ୍ସବରେ ସାମିଲ ହୋଇଥାନ୍ତି ।
କିନ୍ତୁ, ଆଜି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବିଶ୍ୱ ଏବେ ଅଧିକ ବଡ଼ ଏକ ସଂକଟର ସମ୍ମୁଖୀନ ହୋଇଛି । ଯେମିତି ବିଶ୍ୱ ଯୁଦ୍ଧ ପୂର୍ବ ଓ ପର ଅବସ୍ଥାରେ ପୃଥିବୀରେ ଆମୂଳଚୂଳ ପରିବର୍ତ୍ତନ ଘଟିଥିଲା, ସେମିତି କୋଭିଡ଼ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ବିଶ୍ୱରେ ଆମେ ଏକ ଭିନ୍ନ ପୃଥିବୀକୁ ସାମନା କରିବାକୁ ଯାଉଛେ ।
ବନ୍ଧୁଗଣ, ଏଭଳି ସଂକଟର ଘଡ଼ିରେ, ସମଗ୍ର ବିଶ୍ୱ ଡାକ୍ତର, ନର୍ସ, ମେଡ଼ିକାଲ କର୍ମଚାରୀ ଏବଂ ବୈଜ୍ଞାନିଗୋଷ୍ଠୀଙ୍କ ଆଡ଼କୁ ଆଶା ଓ କୃତଜ୍ଞତାର ଦୃଷ୍ଟିରେ ଅନାଇ ରହିଛି । ପୃଥିବୀବାସୀ ସେମାନଙ୍କଠାରୁ ସେବା ଓ ଉପଚାର ଆଶା କରନ୍ତି ।
ବନ୍ଧୁଗଣ, କୋଭିଡ଼ 19 ବିରୋଧରେ ଭାରତର ଲଢ଼ୁଆ ସଂଗ୍ରାମର ମୂଳରେ ରହିଛି ଏହି ମେଡ଼ିକାଲ କର୍ମଚାରୀ ଏବଂ କରୋନା ଯୋଦ୍ଧାମାନଙ୍କର କଠିନ ଶ୍ରମ । ସତ କହିଲେ, ଡାକ୍ତରମାନେ ଏବଂ ମେଡ଼ିକାଲ କର୍ମଚାରୀମାନେ ପ୍ରକୃତରେ ସୈନିକର ଭୂମିକା ଗ୍ରହଣ କରିଛନ୍ତି । ସେମାନେ ସୈନିକ ଭଳି ଫୌଜି ପୋଷାକ ପିନ୍ଧି ନାହାନ୍ତି ସତ, କିନ୍ତୁ ସେମାନଙ୍କ ଲଢ଼େଇ ସୈନିକମାନଙ୍କଠାରୁ କୌଣସି ଗୁଣେ ଊଣା ନୁହେଁ । କରୋନା ଭୂତାଣୁ ହୁଏତ ଆମ ଆଖିକୁ ଅଦୃଶ୍ୟ ହୋଇପାରେ, କିନ୍ତୁ ଆମର କରୋନା ଯୋଦ୍ଧାମାନେ, ମେଡ଼ିକାଲ କର୍ମଚାରୀମାନେ ଅଜେୟ । ଏହି ଅଦୃଶ୍ୟ ଭୂତାଣୁମାନଙ୍କ ସହ ଲଢ଼େଇରେ ଆମର ମେଡ଼ିକାଲ କର୍ମଚାରୀମାନେ ନିଶ୍ଚିତ ରୂପେ ବିଜୟୀ ହେବେ । ବନ୍ଧୁଗଣ, ପୂର୍ବରୁ, ଜଗତୀକରଣ କଥା ଆଲୋଚନା ହେଲା ବେଳେ କେବଳ ଆର୍ଥିକ ପ୍ରସଙ୍ଗରେ ମତ ପ୍ରକାଶ ପାଉଥିଲା । କିନ୍ତୁ ବର୍ତ୍ତମାନ, ବିଶ୍ୱକୁ ଏବେ ଏକଜୁଟ ହୋଇ ମାନବ ସମାଜ କୈନ୍ଦିକ ବିକାଶ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିବାକୁ ହେବ ।
ଯେଉଁ ରାଷ୍ଟ୍ରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେତେ ପ୍ରଗତି କରିଛନ୍ତି ତାହା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱର ସହ ବିବେଚନା କରାଯିବ । ବନ୍ଧୁଗଣ, ବିଗତ ଛଅ ବର୍ଷ ମଧ୍ୟରେ, ଆମେ ଭାରତରେ ସ୍ୱାସ୍ଥ୍ୟସେବା ଏବଂ ମେଡ଼ିକାଲ ଶିକ୍ଷାକ୍ଷେତ୍ରରେ ଢ଼େର୍ ପୁଂଜି ନିବେଶ କରିଛୁ ।
ଆମେ ମୁଖ୍ୟତଃ ଏହାର ଚାରୋଟି ସ୍ତମ୍ଭକୁ ମଜଭୁତ କରିବାକୁ କାର୍ଯ୍ୟ କରୁଛୁ:
ପ୍ରଥମଟି ହେଲା – ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା । ଏଥିରେ ଯୋଗ, ଆୟୁର୍ବେଦ ଓ ସାଧାରଣ ଭାବେ ଲୋକଙ୍କ ସୁସ୍ଥତାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏବେ ଦେଶରେ ପ୍ରାୟ ଚାଳିଶ ହଜାରରୁ ଅଧିକ ନିରାମୟ କେନ୍ଦ୍ରଖୋଲା ଯାଇଛି ଯେଉଁଠାରେ ଜୀବନ ଶୈଳୀ ସଂପର୍କୀତ ରୋଗର ଉପଶମ ଉପରେ ପ୍ରାଧାନ୍ୟ ଦିଆଯାଉଛି । ସ୍ୱଚ୍ଛଭାରତ ଅଭିଯାନ ହେଉଛି ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବାର ଆଉ ଗୋଟିଏ ମୁଖ୍ୟ ଅଂଶ ।
ଦ୍ୱିତୀୟଟି ହେଉଛି – ସୁଲଭ ସ୍ୱାସ୍ଥ୍ୟ ସେବା । ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ ତ୍ସ୍ୱାସ୍ଥ୍ୟ ଯୋଜନା ଯାହା ଏବେ ଭାରତରେ ହିଁ ପ୍ରବର୍ତ୍ତନ କରାଯାଉଛି । ମାତ୍ର ଦୁଇ ବର୍ଷରୁ କମ ସମୟ ମଧ୍ୟରେ, ଏହି ଯୋଜନା ମାଧ୍ୟମରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇ ପାରିଛନ୍ତି । ମହିଳା ଓ ଅନ୍ୟ ଯେଉଁମାନେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ସେମାନେ ହେଲେ ଏହି ଯୋଜନାର ପ୍ରମୁଖ ହିତାଧିକାରୀ ।
ତୃତୀୟ ସ୍ତମ୍ଭଟି ହେଲା- ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ । ଆମଭଳି ଏକ ବିଶାଳ ରାଷ୍ଟ୍ରର ଉପଯୁକ୍ତ ଚିକିତ୍ସା ଭିତ୍ତିଭୂମି ଏବଂ ମେଡ଼ିକାଲ ଶିକ୍ଷା ସଂସାଧନ ଉପଲବ୍ଧ ହେବା ଆବଶ୍ୟକ । ଦେଶର ପ୍ରତ୍ୟେକ ଜିଲ୍ଲାରେ କିଭଳି ଗୋଟିଏ ଲେଖାଏଁ ମେଡ଼ିକାଲ କଲେଜ କିମ୍ବା ପୋଷ୍ଟଗ୍ରାଜୁଏଟ ମେଡ଼ିକାଲ ପ୍ରତିଷ୍ଠାନ ସ୍ଥାପନ ହୋଇପାରିବ ସେ ଦିଗରେ ଏବେ କାର୍ଯ୍ୟ ଜାରିରହିଛ ।
ଦେଶର ବିଭିନ୍ନ ଭାଗରେ 22ଟି ଅଧିକ ଏମ୍ସ ସ୍ଥାପନ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଆମେ ସଭିଏଁ ଦେଖୁଛେ । ଗତ ପାଞ୍ଚ ବର୍ଷ ଭିତରେ, ଆମେ ଦେଶର ବିଭିନ୍ନ ମେଡ଼ିକାଲ କଲେଜରେ ତିରିଶ ହଜାରରୁ ଅଧିକ ଏମବିବିଏସ ସିଟ୍ ଏବଂ ପନ୍ଦର ହଜାରରୁ ଅଧିକ ପୋଷ୍ଟଗ୍ରାଜୁଏସନ ସିଟି ଯୋଡ଼ି ପାରିଛୁ । ସ୍ୱାଧୀନତା ପରଠାରୁ କୌଣସି ସରକାରଙ୍କ ଅମଳରେ ପାଞ୍ଚ ବର୍ଷ ଭିତରେ ଏତେ ସଂଖ୍ୟକ ସିଟ ବୃଦ୍ଧି ଏକ ରେକର୍ଡ଼ । ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆକୁ ହଟାଯାଇ ଏହା ସ୍ଥାନରେ ଏକ ନୂତନ ଜାତୀୟ ମେଡ଼ିକାଲ କମିଶନ ସ୍ଥାପନ କରାଯାଇଛି ଯାହାକି ସଂସଦରେ ଏକ ଆଇନ ପାରିତ ହୋଇ ଏହାକୁ ସାକାର କରାଯାଇଛି । ଏହା ଦେଶରେ ମେଡ଼ିକାଲ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଘଟାଇବାରେ ସହାୟକ ହେବା ସହ ଏହାକୁ ଅନ୍ତରାଷ୍ଟ୍ରୀୟମାନର କରିପାରିବ ।
ଚତୁର୍ଥ ସ୍ତମ୍ଭଟି ହେଲା - ମିଶନ ମୋଡ଼ରେ ପ୍ରବର୍ତ୍ତନ । କାଗଜରେ ଲିଖିତ ଏକ ସୁଚିନ୍ତିତ ଯୋଜନା ହିଁ ଯେ କୌଣସି ଯୋଜନାକୁ ଉତ୍ତମ ବୋଲି ସାବ୍ୟସ୍ତ କରିଥାଏ । ଏବଂ ଯେଉଁ ଯୋଜନାକୁ ଉତ୍ତମରୂ ପେ ରୂପାୟିତ କରାଯାଇ ପାରେ ତାହା ହିଁ ସମୟକ୍ରମେ ସବୁଠାରୁ ସଫଳ ଯୋଜନା ବୋଲି ବିବେଚିତ ହୋଇଥାଏ । ତେଣୁ ଯୋଜନାର ରୂପାୟନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।
ଏଠାରେ ମୁଁ ଭାରତର ଜାତୀୟ ପୌଷ୍ଟିକ ଅଭିଯାନର ସଫଳତା ସଂପର୍କରେ ଗୁରୁତ୍ୱର ସହ ଉଲ୍ଲେଖ କରିବାକୁ ଚାହେଁ । କାରଣ ଏହା କେବଳ ଶିଶୁମାନଙ୍କୁ ନୁହେଁ ସେମାନଙ୍କର ମାତାମାନଙ୍କୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଆସୁଛି । 2025 ମସିହା ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗ ଉନ୍ମୂଳନ କରିବା ସକାଶେ ଭାରତ ଅହୋରାତ୍ର କାର୍ଯ୍ୟ କରୁଛି । ଏହା ବିଶ୍ୱ ଲକ୍ଷ୍ୟ ସମୟ ସୀମା, 2030 ଠାରୁ ପାଞ୍ଚ ବର୍ଷ କମ୍ । ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ବାର୍ଷିକ ଟୀକାକରଣ ପ୍ରବର୍ତ୍ତନ ହାରକୁ ଚାରିଗୁଣ ବୃଦ୍ଧି କରିଛି । ବନ୍ଧୁଗଣ, କେନ୍ଦ୍ରସରକାର ନିକଟରେ ଏକ ନୂତନ ଆଇନ ଜରିଆରେ 50 ପ୍ରକାରର ବିଭିନ୍ନ ସଂପର୍କୀତ ଓ ସ୍ୱାସ୍ଥ୍ୟସେବା ପେଶାଦାରଙ୍କ ଶିକ୍ଷାକୁ ସଂପ୍ରସାରଣ କରିବାକୁ ପ୍ରୟାସ କରୁଛନ୍ତି । ଥରେ ଏହି ଆଇନ ଗୃହୀତ ହୋଇଗଲେ ଦେଶରେ ଆବଶ୍ୟକ ପଡୁଥିବା ପାରାମେଡ଼ିକାଲ କର୍ମଚାରୀଙ୍କ ଅଭାବ ଆଉ ଅନୁଭୂତ ହେବନାହିଁ । ଭାରତ ସେତେବେଳେ ଅନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ତାଲିମପ୍ରାପ୍ତ ମାନବ ସମ୍ବଳ ଯୋଗାଇବାକୁ ସକ୍ଷମ ହେବ ।
ବନ୍ଧୁଗଣ, ଆଜି ମୁଁ ତିନୋଟି ପ୍ରସଙ୍ଗ ଉପରେ ସର୍ବାଧିକ ଆଲୋଚନା ଓ ଅଂଶଗ୍ରହଣ ସକାଶେ ଆପଣମାନଙ୍କୁ ନିବେଦନ କରିବି ।
ସେଥିରୁ ପ୍ରଥମଟି ହେଲା– ଟେଲିମେଡ଼ିସିନ୍ । ଆମେ କ’ଣ ଏକ ନୂଆ ମଡ଼େଲ କଥା ଚିନ୍ତା କରିପାରିବା ଯାହା ଫଳରେ ଟେଲି ମେଡ଼ିସିନ ବ୍ୟାପକ ଭାବେ ଲୋକପ୍ରିୟ ଓ ଆଦୃତ ହୋଇପାରିବ ।
ଅନ୍ୟଟି ହେଲା ସ୍ୱାସ୍ଥ୍ୟ କ୍ଷେତ୍ରରେ “ମେକ୍ ଇନ୍ ଇଣ୍ଡିଆ” ସଂପର୍କୀତ । ଏଥିରୁ ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ସଫଳତା ମୋତେ ଅଧିକ ଆଶାବାଦୀ କରି ପକାଇଛି । ଆମର ଘରୋଇ ଉତ୍ପାଦନକାରୀ ମାନେ ଏବେ ପିପିଇ ଉତ୍ପାଦନ ଆରମ୍ଭ କରିଛନ୍ତି ଏବଂ କୋଭିଡ଼ ଯୋଦ୍ଧାମାନଙ୍କୁ ପ୍ରାୟ ଏକ କୋଟି ପିପିଇ ଯୋଗାଇଛନ୍ତି । ସେହିଭଳି, ଆମେ ସମସ୍ତ ରାଜ୍ୟକୁ “ମେକ୍ ଇନ୍ ଇଣ୍ଡିଆ”ଏନ-95 କିଷମର ପ୍ରାୟ 1.2 କୋଟି ମାସ୍କ ଯୋଗାଇଛୁ ।
ତୃତୀୟଟି ହେଲା- ଆଇଟି ସଂପର୍କୀତ ଉପକରଣ ଯାହା ଏକ ସୁସ୍ଥ ସମାଜ ଗଠନ ସକାଶେ ଏକାନ୍ତ ଜରୁରି । ମୋର ଦୃଢ଼ ବିଶ୍ୱାସ ଯେ ଆପଣ ମାନଙ୍କ ସମସ୍ତଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ରହିଛି । 12 କୋଟି ସ୍ୱାସ୍ଥ୍ୟ ସଚେତନ ନାଗରିକ ଏହାକୁ ଡାଉନଲୋଡ କରିସାରିଛନ୍ତି । ଏହା କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼େଇ କରିବା ସକାଶେ ବେଶ୍ ଉପକାର ସିଦ୍ଧ ବୋଲି ପ୍ରମାଣିତ ହୋଇଛି ।
ବନ୍ଧୁଗଣ, ମୁଁ ଏଭଳି ଏକ କ୍ଷେତ୍ର ସଂପର୍କରେ ଅବଗତ ଅଛି ଯାହା ଆପଣ ମାନଙ୍କ ସମସ୍ତଙ୍କ ପାଇଁ ବେଶ ଚିନ୍ତାର ବିଷୟ । କିଛି ଲୋକଙ୍କ ମାନସିକତା ଯୋଗୁ, ଯେଉଁମାନେ ଛାମୁଆ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନେ ଡାକ୍ତର ଭାବେ, କିମ୍ବା ନର୍ସ ଭାବେ, ସଫେଇ କର୍ମଚାରୀ ଭାବେ ଅବା ଅନ୍ୟାନ୍ୟ ଯେ କୌଣସି ଯୋଦ୍ଧା ଭାବେ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି, ବେଳେ ବେଳେ ସେମାନେ ହିଂସାର ସମ୍ମୁଖୀନ ହେଉଛନ୍ତି । ମୁଁ ଏଠାରେ ସ୍ପଷ୍ଟ ଭାବେ ସୂଚୀତ କରିବାକୁ ଚାହେଁ – ହିଂସା, ଗାଳିଗୁଲଜ କିମ୍ବା କୌଣସି ପ୍ରକାର ଦୁର୍ବବ୍ୟହାର କଦାପି ଗ୍ରହଣୀୟ ନୁହେଁ । ଆପଣ ମାନଙ୍କୁ ସେଭଳି ହିଂସାରୁ ସୁରକ୍ଷିତ ରଖିବା ସକାଶେ ପଦକ୍ଷେପ ମାନ ନିଆ ଯାଇସାରିଛି । ଯେଉଁମାନେ ଛାମୁଆ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଆମେ ପଚାଶ ଲକ୍ଷ ଟଙ୍କାର ବୀମା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛୁ ।
ବନ୍ଧୁଗଣ, ଏହି ବିଶ୍ୱବିଦ୍ୟାଳୟର 25 ବର୍ଷର ସଫଳ ଯାତ୍ରା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି ସମୟ ମଧ୍ୟରେ ଏଠାରୁ ହଜାର ହଜାର ସଂଖ୍ୟକ ଚିକିତ୍ସକ ଓ ପାରା ମେଡ଼ିକାଲ ଷ୍ଟାଫ୍ ଉତ୍ତୀର୍ଣ୍ଣ ହୋଇ ଗରିବ ଓ ଅବହେଳିତ ଲୋକମାନଙ୍କୁ ଚାଲେଞ୍ଜିଂ ସମୟରେ ସେବା ଯୋଗାଇ ଦେଇଛନ୍ତି । ମୋର ଦୃଢ଼ବିଶ୍ୱାସ ଯେ ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟ ଆହୁରି ଅନେକ ଉତ୍ସର୍ଗୀକୃତ ଓ ଉତ୍ତମ ସ୍ୱାସ୍ଥ୍ୟକର୍ମ ଓ ଡାକ୍ତର ସୃଷ୍ଟି କରିବ ଏବଂ ସେମାନେ ରାଜ୍ୟ ତଥା ସମଗ୍ର ଦେଶକୁ ନିଜ ନିଜ ସେବାରେ ଗୌରବାନ୍ୱିତ କରିବେ । ଆପଣମାନଙ୍କୁ ଧନ୍ୟବାଦ । ଆପଣ ମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।
*****************
(Release ID: 1628319)
Visitor Counter : 228
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam