ଆୟୁଷ

ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଅବସରରେ “ ମୋ ଜୀବନ ମୋ ଯୋଗ” ଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Posted On: 31 MAY 2020 5:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି  ତାଙ୍କର ମାସିକ ମନ୍‌ କୀ ବାତ୍‌କାର୍ଯ୍ୟକ୍ରମ ଅବସରରେ  ମୋ ଜୀବନ ମୋ ଯୋଗ”  ଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଭାବ ବିନିମୟ କରିବା ଅବସରରେ ସେ ଦେଶର ସମସ୍ତଙ୍କୁ ଏହି ପ୍ରତିଯୋଗିତାରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏବଂ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ (ଆଇସିସିଆର) ମିଳିତ ସହଯୋଗୀତାରେ ଏହି ଭିଡ଼ିଓ ବ୍ଲଗିଂର ଶୁଭାରମ୍ଭ କରିଛନ୍ତି । ଯୋଗ କିଭଳି ଭାବେ ସମସ୍ତ  ବ୍ୟକ୍ତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଘଟାଇଛି  ତାହା ଉପରେ  ଏହି ପ୍ରତିଯୋଗିତାରେ ଗୁରୁତ୍ବାରୋପ କରାଯାଇଛି । ଚଳିତ ବର୍ଷ 2020 ଜୁନ 21 ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଏହାକୁ ଏକ କାର୍ଯ୍ୟକ୍ରମ ଭାବେ ସାମିଲ କରାଯିବ । ଏହି ପ୍ରତିଯୋଗିତାକୁ ଆୟୁଷ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ହାଣ୍ଡଲରେ ମେ 31, 2020 ତାରିଖରେ ଅର୍ଥାତ୍‌, ଆଜି ସିଧାସଳଖ ପ୍ରସାରଣ କରାଯାଇଛି ।

ବିଗତ ବର୍ଷମାନଙ୍କରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଦେଶର ହଜାର ହଜାର ଲୋକ ସୁସଂଗତ ତଥା ମିଳିତ ଭାବେ ସର୍ବସାଧାରଣ ସ୍ଥାନମାନଙ୍କରେ ଏକତ୍ରିତ ହୋଇ ଯୋଗାଭ୍ୟାସ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଚଳିତ ବର୍ଷ ବୈଶ୍ୱିକ ମହାମାରୀ  କୋଭିଡ଼-19 ସଂକ୍ରମଣ ଯୋଗୁ ଏଭଳି ଗଣ ସମାବେଶର ଆୟୋଜନ କରାଯିବା ସମୀଚୀନ ହେବନାହିଁ । ତେଣୁ, ଚଳିତ ବର୍ଷ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ନିଜ ନିଜ ଘରେ ଯୋଗାଭ୍ୟାସ କରିବା ସକାଶେ ପ୍ରୋତ୍ସାହିତ କରାଯାଉଛି । ଏହି ଯୋଗାଭ୍ୟାସରେ ପରିବାରର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିପାରିବେ । ମୋ ଜୀବନ - ମୋ ଯୋଗଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତା ମାଧ୍ୟମରେ ଆୟୁଷ ମନ୍ତ୍ରଣାଳୟ ଏବଂ ଆଇସିସିଆର ଯୋଗ ପ୍ରତି ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରୟାସ କରୁଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ 2020 ପାଳନ ସକାଶେ ନିଜକୁ ପ୍ରସ୍ତୁତ କରିବା ଏବଂ ସେଥିରେ ସକ୍ରିୟତାର ସହ ଅଂଶଗ୍ରହଣ କରିବା ନିମନ୍ତେ ଏହି ପ୍ରତିଯୋଗିତା ସହାୟକ ହେବ ।  ଏହି ପ୍ରତିଯୋଗିତା ସାମାଜିକ ଗଣ ମାଧ୍ୟମ ପ୍ଲାଟଫର୍ମ  ଯଥା ଫେସବୁକ୍‌, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ଲୋକମାନଙ୍କ ଯୋଗଦାନକୁ ସହଯୋଗ କରିବ । ଏହି ଭିଡ଼ିଓ ପ୍ରତିଯୋଗିତା ଦେଶର ସମସ୍ତ ପ୍ରତିଯୋଗୀଙ୍କ ପାଇଁ ମୁକ୍ତ ରଖାଯାଇଛି ।

ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ । ପ୍ରଥମ ଚରଣରେ ଏକ ଅନ୍ତରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତା ରଖାଯାଇଛି ଯେଉଁଥିରେ ବିଜୟୀ ପ୍ରତିଯୋଗୀମାନେ ଦେଶ ଭିତରୁ ଚୟନ କରାଯିବେ । ଏହା ପରେ ବୈଶ୍ୱିକ ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯିବ ଯାହାକି ବିଭିନ୍ନ ରାଷ୍ଟ୍ରରୁ ହୋଇଥିବେ ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ନାମ ପଞ୍ଜିକରଣ ନିମନ୍ତେ ତିନୋଟି ବର୍ଗ ରଖାଯାଇଛି । ସେଥିରେ ଯୁବ (18 ବର୍ଷ ଆୟୁସୀମା ମଧ୍ୟରେ), ପ୍ରୌଢ଼ (18 ବର୍ଷରୁ ଅଧିକ ବୟସର) ଏବଂ ଯୋଗ ପ୍ରଫେସନାଲମାନେ ରହିଛନ୍ତି । ସେହିଭଳି ପୃଥକ୍‌ ଭାବେ ପୁରୁଷ ଏବଂ ମହିଳା ପ୍ରତିଯୋଗୀମାନଙ୍କ ପାଇଁ ପୃଥକ୍‌ ବର୍ଗୀକରଣର ବ୍ୟବସ୍ଥା କରାଯାଇଛି । ସର୍ବମୋଟ ଏଥିରେ ଛଅଗୋଟି ବର୍ଗ ରହିଛନ୍ତି । ଭାରତର ପ୍ରତିଯୋଗୀମାନଙ୍କ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ନିମନ୍ତେ 1 ଲକ୍ଷ ଟଙ୍କା, 50 ହଜାର ଟଙ୍କା ଓ 25 ହଜାର ଟଙ୍କା ରଖାଯାଇଛି ଯାହାକି ପ୍ରଥମ ଚରଣରେ ଘୋଷିତ ପ୍ରତ୍ୟେକ ବର୍ଗର ବିଜୟୀଙ୍କୁ ପ୍ରଦାନ କରାଯିବ । ଖୁବ୍‌ ଶୀଘ୍ର ବୈଶ୍ୱିକ ପୁରସ୍କାର ସଂପର୍କୀତ ସବିଶେଷ ବିବରଣୀ ଘୋଷଣା କରାଯିବ ଯାହାକି ଆୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲରେ ଉପଲବ୍ଧ ହେବ ।

ଏହି ପ୍ରତିଯୋଗିତା ବିଶ୍ୱବ୍ୟାପୀ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଉନ୍ମୁକ୍ତ । ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ସକାଶେ ତିନିଗୋଟି ଧରଣର ଯୋଗର (କ୍ରିୟା, ପ୍ରାଣାୟାନ ଏବଂ ବନ୍ଧ ଅଥବା ମୁଦ୍ରା)ର ତିନିମିନିଟ ସମୟ ଯୋଗାଭ୍ୟାସ କରାଯାଇଥିବା ଭିଡ଼ିଓ ଅପ୍‌ଲୋଡ଼ କରିବାକୁ ପଡ଼ିବ । ସେଥିରେ ସଂକ୍ଷିପ୍ତ ଭିଡ଼ିଓ ବାର୍ତ୍ତା/ ବର୍ଣ୍ଣନା ଯଥା ଯୋଗାଭ୍ୟାସ କିଭଳି ଭାବେ ପ୍ରତିଯୋଗୀମାନଙ୍କର ଜୀବନକୁ ପ୍ରଭାବିତ କରିଛି ତାହା ରହିଥିବା ବାଂଛନୀୟ । ଏହି ଭିଡ଼ିଓକୁ ଫେସବୁକ୍‌, ଟ୍ୱିଟର କିମ୍ବା ଇନଷ୍ଟାଗ୍ରାମରେ ଥିବା ହାସଟ୍ୟାଗ #MyLifeMyYogaINDIAରେ ଏବଂ ଉପଯୁକ୍ତ ବର୍ଗର ହାସଟ୍ୟାଗରେ ଅପ୍‌ଲୋଡ଼ କରାଯାଇପାରିବ । ଅଂଶଗ୍ରହଣ କରିବା ସଂପର୍କୀତ ବିସ୍ତୃତ ଗାଇଡ଼ ଲାଇନ ଆୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲ (https://yoga.ayush.gov.in/yoga/) ରେ ଉପଲବ୍ଧ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପ୍ରତିଯୋଗିତାର ଘୋଷଣା କରିବା ପରେ ଯୋଗ ପ୍ରତି ଲୋକମାନଙ୍କ ମନରେ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟି ହୋଇଛି । ଆୟୁଷ ମନ୍ତ୍ରଣାଳୟ ଦୃଢ଼ତା ପ୍ରକଟ କରିଛି ଯେ ଏହାଦ୍ୱାରା ଜନସାଧାରଣ ଏଥିରୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟଗତ ଉପକାର ପାଇପାରିବେ । ଯୋଗଭ୍ୟାସ ଦ୍ୱାରା କୋଭିଡ଼-19 ପରିଚାଳନାକୁ ମଧ୍ୟ ଯଥେଷ୍ଟ ସହଯୋଗ ମିଳିବ ବୋଲି ଲୋକମାନଙ୍କ ମନରେ ଏବେସୁଦ୍ଧା ଧାରଣା ସୃଷ୍ଟି ହୋଇଛି ।

**********



(Release ID: 1628213) Visitor Counter : 211