ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ 1 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ

• “ଆୟୁଷ୍ମାନ ଭାରତ: 1କୋଟି ଚିକିତ୍ସା ଏବଂ ଆଗକୁ” ୱେବିନାରକୁ ସମ୍ବୋଧିତ କଲେ ଡ. ହର୍ଷବର୍ଦ୍ଧନ

Posted On: 21 MAY 2020 6:16PM by PIB Bhubaneshwar

ଭାରତ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଅନ୍ତର୍ଗତ ଆଜି 1 କୋଟି ଚିକିତ୍ସା ସେବା ପ୍ରଦାନ କରାଯାଇଛି। ଏହି ଉପଲବ୍ଧି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଏଠାରେ ବିଭିନ୍ନ ଜନ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଖୋଲା ଆଲୋଚନା ପାଇଁ ଗଠନ କରାଯାଇଥିବା ୱେବିନାର ସିରିଜ ‘ଧରା’ର ଉଦଘାଟନ କରିଥିଲେ। ଏହି ୱେବିନାରର ନାମ “ଆୟୁଷ୍ମାନ ଭାରତ: 1 କୋଟି ଚିକିତ୍ସା ଏବଂ ଆଗକୁ” ରଖାଯାଇଥିଲା। ଏହି ଅବସରରେ କେନ୍ଦ୍ର  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ।

ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଏ)ର ସିଇଓ ଡ. ଇନ୍ଦୁ ଭୂଷଣ ଏହି ଅବସରରେ ଏବି-ପିଏମଜେଏୱାଇର ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆଗକୁ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।  ଏନଏଚଏର ସମସ୍ତ ସରକାରୀ ସାମାଜିକ ଗଣମାଧ୍ୟମ ପୃଷ୍ଠା ଜରିଆରେ ଏହି ୱେବିନାରଗୁଡ଼ିକୁ ୱେବକାଷ୍ଟ କରାଯାଇଥିଲା ଏବଂ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥିଲା।

ଏହି ଅବସରରେ ଡ. ହର୍ଷ ବର୍ଦ୍ଧନ କହିଥିଲେ, ଦୁଇ ବର୍ଷ ପୂର୍ବେ ଆୟୁଷ୍ମାନ ଭାରତ ପିଏମଜେଏୱାଇ ଯୋଜନାର ଆରମ୍ଭ ହୋଇଥିଲା। ଦେଶର ସବୁଠୁ ଗରିବ ପରିବାରଗୁଡ଼ିକ ମଧ୍ୟରୁ 1 କୋଟି ଲୋକଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବା ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି 21,565 ସରକାରୀ ଓ ଘରୋଇ ପଞ୍ଜିକୃତ ଡାକ୍ତରଖାନା ଜରିଆରେ ଏହି ଚିକିତ୍ସା ପାଇଁ 13,412 କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

ସେ ଆହୁରି କହିଥିଲେ ଯେ ଏବି-ପିଏମଜେଏୱାଇ 2018ରେ ଶୁଭାରମ୍ଭ ହେବା ପୂର୍ବରୁ ଆମ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ରହିଆସିଛି। ଏହି ଯୋଜନାରେ ଗରିବ ଓ ବଞ୍ଚିତ ଭାରତୀୟ ନାଗରିକମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ସହାୟତା ଯୋଗାଇ ଦିଆଯାଉଛି। ଏହା ମାଧ୍ୟମରେ ଦେଶର 10.74 କୋଟି ସବୁଠୁ ଦରିଦ୍ର ଓ ଦୁର୍ବଳ ପରିବାରକୁ ଚିକିତ୍ସା ପାଇଁ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଉଛି। କୋଭିଡ-19 ଭଳି ଅପ୍ରତ୍ୟାଶିତ ସମୟରେ ମଧ୍ୟ ବିଭିନ୍ନ ରାଜ୍ୟ ଏହି ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ପରୀକ୍ଷା ସୁବିଧା ବୃଦ୍ଧି ଲାଗି ଭାରତ ସରକାର ପ୍ରୟାସ କରିବା ସହିତ 53 କୋଟି ଆୟୁଷ୍ମାନ ଭାରତ ପିଏମଜେଏୱାଇ ହିତାଧିକାରୀମାନଙ୍କୁ କୋଭିଡ-19 ଚିକିତ୍ସା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ଅବସରରେ ଡ. ହର୍ଷ ବର୍ଦ୍ଧନ ‘ଆସ୍କ ଆୟୁଷ୍ମାନ’ ଚାଟ ବୋଟ ହ୍ଵାଟ୍ସ ଆପରେ ଶୁଭାରମ୍ଭ କରିଥିଲେ। ଏହାଏକ 24 ଘଣ୍ଟିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଯୁକ୍ତ ସହାୟକ ସେବା ଯାହା ଏବି-ପିଏମଜେଏୱାଇ ସଂକ୍ରାନ୍ତରେ ସମସ୍ତ ପ୍ରକାର ସୂଚନା ଉପଲବ୍ଧ କରାଇବ। ଏହା ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ସେହିପରି ହିତାଧିକାରୀଙ୍କ ମତାମତ ଆଧାରରେ ପଞ୍ଜିକୃତ ହସ୍ପିଟାଲଗୁଡ଼ିକୁ ରାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଆଣିବା ନିମନ୍ତେ ଏକ ଡ୍ୟାଶବୋର୍ଡର ଶୁଭାରମ୍ଭ କରିଥିଲେ।

1 କୋଟି ହିତାଇକାରୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଉପଲବ୍ଧିକୁ ପ୍ରଦର୍ଶନ କରୁଥିବା ଏବି-ପିଏମଜେଏୱାଇ ହିତାଧିକାରୀ କାର୍ଡର ଏକ ସ୍ଵତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ଏବି-ପିଏମଜେଏୱାଇ ୱେବସାଇଟର ହିନ୍ଦୀ ସଂସ୍କରଣକୁ ମଧ୍ୟ ଶୁଭାରମ୍ଭ କରିଥିଲେ। ଏହାଦ୍ଵାରା ବହୁସଂଖ୍ୟକ ଜନସାଧାରଣ ହିନ୍ଦୀ ଭାଷାରେ ଯୋଜନା ସମ୍ପର୍କରେ ତଥ୍ୟ ହାସଲ କରିପାରିବେ।

 

*********



(Release ID: 1625963) Visitor Counter : 238