ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ମହାବାତ୍ୟା ଅମ୍ଫନ ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ସଂକଟ ପରିଚାଳନା (ଏନସିଏମସି) କମିଟିର ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
19 MAY 2020 1:55PM by PIB Bhubaneshwar
ସାମୁଦ୍ରିକ ଝଡ଼ ଅମ୍ଫନର ପ୍ରସ୍ତୁତି ନେଇ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟିର ତୃତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ମହାବାତ୍ୟା ଆସନ୍ତା କାଲି (20/5/2020) ଅପରାହ୍ନ ବା ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ତଟରେ ଅବତରଣ କରିବ । ଏହି ସମୟରେ ଘଣ୍ଟାପ୍ରତି 155 ରୁ 165 ଓ ସର୍ବାଧିକ 185 କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ଏଥିସହ ପ୍ରବଳ ବର୍ଷା ସାଙ୍ଗକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ 4ରୁ 5 ମିଟର ଉଚ୍ଚତାରେ ଜୁଆର ଆସିବାର ସମ୍ଭାବନା ଅଛି । ପୂର୍ବ ମେଦିନାପୁର, ଦକ୍ଷିଣ ଓ ଉତ୍ତର 24 ପ୍ରଗଣା, ହାୱଡା, ହୁଗୁଳି ଓ କୋଲକାତା ଏହାଦ୍ୱାରା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ନଭେମ୍ବର 9, 2019 ମସିହାରେ ପଶ୍ଚିମବଙ୍ଗ ଉପକୂଳରେ ହୋଇଥିବା ବାତ୍ୟା ବୁଲବୁଲଠାରୁ ଏହାର ଅଧିକ ବିନାଶକାରୀ କ୍ଷମତା ରହିଥିବା ଅନୁମାନ କରାଯାଉଛି ।
ବାତ୍ୟା ଯୋଗୁ ଓଡ଼ିଶାର ଉପକୂଳବର୍ତ୍ତୀ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ଓ ସାମୁଦ୍ରିକ ପବନ ସାଙ୍ଗକୁ ଝଡ଼ ହେବାର ସମ୍ଭାବନା ରହିଛି ।
ଜାତୀୟ ସଂକଟ ପରିଚାଳନା କମିଟିରେ ଓଡ଼ିଶାର ଶାସନ ସଚିବ ଏବଂ ପଶ୍ଚିବବଙ୍ଗର ଅତିରିକ୍ତ ଶାସନ ସଚିବ ବାତ୍ୟା ପୂର୍ବରୁ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ । ସେମାନେ ଜଣାଇଛନ୍ତି ଯେ, ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଖାଦ୍ୟ ଶସ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖାଯାଇଛି । ବିଦ୍ୟୁତ ଓ ଦୂରସଂଚାର ସେବାର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ସ୍ଥଳେ ଏହାର ମରାମତି କାର୍ଯ୍ୟକୁ ପରିଚାଳନା କରିବା ପାଇଁ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି ।
ରାଜ୍ୟ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ବାତ୍ୟାର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରି କ୍ୟାବିନେଟ ସଚିବ ଯେଉଁ ଅଞ୍ଚଳ ଦେଇ ବାତ୍ୟାର ଗତିପଥ ରହିବ ସେଠାରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ, ପାନୀୟ ଜଳ ଏବଂ ଔଷଧପତ୍ର ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି । ରାସ୍ତା ସଫା ଓ ପୁନରୁଦ୍ଧାର କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଉଭୟ ରାଜ୍ୟରେ ବର୍ତ୍ତମାନ 36ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି । ସେନା, ନୌସେନାର ଜାହାଜ ଏବଂ ବାୟୁସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ରଖାଯାଇଛି । ଅତ୍ୟାବଶ୍ୟକୀୟ ସେବା ଯେପରି ବ୍ୟାହତ ନହୁଏ, ସେଥିପାଇଁ ଦୂରସଂଚାର ଓ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି ।
ଓଡ଼ିଶାର ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକରେ ଯୋଗ ଦେଇଥିଲେ । ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ପ୍ରତିରକ୍ଷା, ଜାହାଜ ଚଳାଚଳ, ଶକ୍ତି, ଦୂରସଂଚାର, ପାଣିପାଗ ବିଭାଗ, ସ୍ୱାସ୍ଥ୍ୟ, ଏନଡିଏମଏ ଓ ଏନଡିଆରଏଫର ବରିଷ୍ଠ ଅଧିକାରୀଗଣ ଏହି ବୈଠକରେ ଯୋଗ ଦେଇଥିଲେ ।
ପରିସ୍ଥିତି ସମ୍ପର୍କରେ ଅବଗତ ହେବା ନିମନ୍ତେ ଜାତୀୟ ସଂକଟ ପରିଚାଳନା କମିଟିର ବୈଠକ ପୁଣି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
******************
(ରିଲିଜ ଆଡି: 1625126)
ପରିଦର୍ଶକ କାଉଣ୍ଟର : 240
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Gujarati
,
Urdu
,
Marathi
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Malayalam