ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଲ୍ ଗେଟ୍ସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

Posted On: 14 MAY 2020 10:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର କୋ-ଚେୟାର ଶ୍ରୀ ବିଲ୍ ଗେଟ୍ସଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । କୋଭିଡ୍-19 ପାଇଁ ବିଶ୍ୱସ୍ତରରେ ନିଆଯାଉଥିବା ପଦକ୍ଷେପ ତଥା ଏହି ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକ ସୃଜନଶୀଳତା ଓ ଆରଏଣ୍ଡଡିରେ ଆବଶ୍ୟକ ଗ୍ଲୋବାଲ ସହଯୋଗିତା ଉପରେ ଉଭୟେ ଆଲୋଚନା କରିଥିଲେ ।

ଏହି ସ୍ୱାସ୍ଥ୍ୟ ସଙ୍କଟ ବିରୋଧରେ ଲଢ଼େଇ ପାଇଁ ଉପଯୁକ୍ତ ମେସେଜିଂ ଜରିଆରେ ଜନସାଧାରଣଙ୍କୁ ନିୟୋଜନ କରିବା ଆଧାରିତ ଭାରତର ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇଥିଲେ । କିଭଳି ଏହି ଜନକୈନ୍ଦ୍ରୀକ ବଟମ୍-ଅପ୍ ଆପ୍ରୋଚ୍ ଶାରିରୀକ ଦୂରତା ପାଳନ କରିବା, ଆଗ ଧାଡ଼ିର କର୍ମୀଙ୍କୁ ସମ୍ମାନ ଜଣାଇବା, ମାସ୍କ ପିନ୍ଧିବା, ଉପଯୁକ୍ତ ପରିମଳ ରଖିବା ଓ ଲକଡାଉନ୍ ବ୍ୟବସ୍ଥାକୁ ସମ୍ମାନ ଜଣାଇବାରେ ସହାୟକ ହୋଇଛି, ସେନେଇ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

କିଭଳି ସରକାରଙ୍କ ଦ୍ୱାରା ପୂର୍ବରୁ ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ଯଥା ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସମ୍ପ୍ରସାରଣ, ସ୍ୱାସ୍ଥ୍ୟସେବାର ଲାଷ୍ଟ ମାଇଲ୍ ଡେଲିଭରି ବ୍ୟବସ୍ଥାକୁ ମଜବୁତ କରିବା, ସ୍ୱଚ୍ଛ ଭାରତ ମିସନ ଜରିଆରେ ସ୍ୱଚ୍ଛତା ଓ ପରିମଳକୁ ଲୋକପ୍ରିୟ କରାଇବା, ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭାରତର ଆୟୁର୍ବେଦ ଜ୍ଞାନର ସମ୍ପ୍ରସାରଣ ଆଦି ଏବେକାର ମହାମାରୀକୁ ରୋକିବାରେ ଭାରତର ଦକ୍ଷ ପ୍ରତିକ୍ରିୟାରେ ସହାୟକ ହୋଇଛି, ପ୍ରଧାନମନ୍ତ୍ରୀ ତାହା ବର୍ଣ୍ଣନା କରିଥିଲେ ।

ଗେଟ୍ସ ଫାଉଣ୍ଡେସନ ପକ୍ଷରୁ କୋଭିଡ୍-19ର ମୁକାବିଲା ପାଇଁ ଗ୍ଲୋବାଲ ସହଯୋଗିତା ଜରିଆରେ କେବଳ ଭାରତରେ ନୁହେଁ ବିଶ୍ୱର ବହୁ ଅଂଶରେ କରାଯାଇଥିବା ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବିଶ୍ୱର ଫାଇଦା ଉଦ୍ଦେଶ୍ୟରେ ଭାରତର କ୍ଷମତା ଓ ଦକ୍ଷତାକୁ କିଭଳି ବ୍ୟବହାର କରାଯାଇପାରିବ, ସେନେଇ ପ୍ରଧାନମନ୍ତ୍ରୀ ଗେଟ୍ସଙ୍କ ପରାମର୍ଶ ଲୋଡ଼ିଥିଲେ ।

ବର୍ତ୍ତମାନର ସମୟରେ ଗ୍ରାମୀଣ ଅଂଚଳରେ ଲାଷ୍ଟ-ମାଇଲ ସ୍ୱାସ୍ଥ୍ୟ ସେବା ଯୋଗାଣ ପାଇଁ ଭାରତର ଅନନ୍ୟ ମଡେଲ, ଭାରତ ସରକାରଙ୍କ ଦ୍ୱାରା ବିକଶିତ ଦକ୍ଷ କଂଟାକ୍ଟ-ଟ୍ରେସିଂ ମୋବାଇଲ ଆପ୍ ଏବଂ ସର୍ବୋପରି ଟିକା ଓ ଥେରାପ୍ଟିକ୍ସ ଉଦ୍ଭାବନ ପରେ ସେଗୁଡ଼ିକର ବ୍ୟାପକ ଉତ୍ପାଦନ ଉଦେ୍ଦଶ୍ୟରେ ଭାରତର ବ୍ୟାପକ ଫାର୍ମାସିଟିକାଲ ଦକ୍ଷତାର ବ୍ୟବହାର ଆଦି କେତେକ ଆଇଡିଆ ଉପରେ ଉଭୟ ପ୍ରତିନିଧି ଆଲୋଚନା କରିଥିଲେ । ବିଶ୍ୱସ୍ତରୀୟ ପଦକ୍ଷେପରେ ଅବଦାନ ମୁଖ୍ୟତଃ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଫାଇଦା ଉଦ୍ଦେଶ୍ୟରେ ଭାରତର ଆଗ୍ରହ ଓ କ୍ଷମତା ରହିଥିବାରୁ ଏହି ମହାମାରୀର ପ୍ରତିକାର ଉଦ୍ଦେଶ୍ୟରେ ବିଶ୍ୱସ୍ତରୀୟ ଆଲୋଚନାରେ ଭାରତକୁ ସାମିଲ କରାଯିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ସହମତ ହୋଇଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ଜୀବନଶୈଳୀ, ଆର୍ଥିକ ସଂଗଠନ, ସାମାଜିକ ବ୍ୟବହାର, ଶିକ୍ଷାଦାନ ଓ ସ୍ୱାସ୍ଥ୍ୟସେବାର ମୋଡ୍ରେ ଆବଶ୍ୟକ ପରିବର୍ତ୍ତନ ସମ୍ପର୍କରେ ବିଶ୍ଳେଷଣ କରିବା ସହ ଏଥିପାଇଁ ଆବଶ୍ୟକ ଚାହିଦାର ସମାଧାନର ଟେକ୍ନୋଲୋଜିକାଲ ଆହ୍ୱାନରେ ସହଯୋଗିତା ପାଇଁ ଗେଟ୍ସ ଫାଉଣ୍ଡେସନ ଅଗ୍ରଦୂତ ହେବା ଉଚିତ । ଏଭଳି ଏକ ବିଶ୍ଳେଷଣାତ୍ମକ କାର୍ଯ୍ୟରେ ନିଜର ଅଭିଜ୍ଞତା ଆଧାରରେ ଅବଦାନ ରଖିବାକୁ ଭାରତ ଖୁସିହେବ ବୋଲି ସେ କହିଥିଲେ ।

 

**********



(Release ID: 1624316) Visitor Counter : 247