ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋବାସ୍‌ 6800 ଟେଷ୍ଟିଙ୍ଗ ମେସିନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

• ଦେଶର 500ରୁ ଅଧିକ ଲାବ୍‌ରେ ପ୍ରାୟ 20 ଲକ୍ଷରୁ ଅଧିକ କୋଭିଡ଼-19 ପରୀକ୍ଷା ସଂପନ୍ନ
• ଗତ ତିନିଦିନ ମଧ୍ୟରେ ଦୋହରା ସମୟ ପ୍ରାୟ 14 ଦିନ ପର୍ଯ୍ୟନ୍ତ ମନ୍ଥର ହୋଇପାରିଛି

Posted On: 14 MAY 2020 3:53PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡ଼ିସି) ପରିଦର୍ଶନ କରି ସେଠାରେ ସ୍ଥାପନ କରାଯାଇଥିବା କୋବାସ୍‌ 6800 ଟେଷ୍ଟିଙ୍ଗ ମେସିନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ଏକମାତ୍ର ମେସିନ୍‌ ଯାହାକୁ ସରକାର କେବଳ କୋଭିଡ଼-19 ନମୁନା ପରୀକ୍ଷା ପାଇଁ ମଗାଇଛନ୍ତି ଏବଂ ଏହା ଜାତୀୟ ରୋଗ ନିୟନ୍ତଣ କେନ୍ଦ୍ର (ଏନସିଡ଼ିସି) ଠାରେ ସ୍ଥାପନ କରାଯାଇଛି ।

ଏହି ପରିଦର୍ଶନ ଅବସରରେ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସେଠାକାର କଣ୍ଟ୍ରୋଲ ରୁମ୍‌ ଓ ଟେଷ୍ଟିଙ୍ଗ ପରୀକ୍ଷାଗାର ବୁଲି ଦେଖିବା ସହ କୋଭିଡ଼-19ର ସାମ୍ପ୍ରତିକ ସ୍ଥିତି ସଂପର୍କରେ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର ଏସ କେ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । ଏହି ମେସିନ୍‌ ଦ୍ୱାରା ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା କାର୍ଯ୍ୟକୁ ପ୍ରଶଂସା କରି ସେ କହିଲେ ଯେ ଆମେ ଏବେ ଗୋଟିଏ ଦିନରେ 1,00,000 ନମୁନା ପରୀକ୍ଷା କରିବା କ୍ଷମତା ହାସଲ କରିପାରିଛୁ । ଆଜି ଆଉ ଏକ ମାଇଲଖୁଣ୍ଟ ଆମେ ହାସଲ କରିଛୁ । ତାହା ହେଲା ଦେଶରେ ଥିବା 500ରୁ ଅଧିକ ପରୀକ୍ଷାଗାରରେ ଏବେସୁଦ୍ଧା 20 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ସେଥି ମଧ୍ୟରେ 359ଟି ସରକାରୀ ପରୀକ୍ଷାଗାର ଏବଂ 145ଟି ଘରୋଇ ପରୀକ୍ଷାଗାର ସାମିଲ ରହିଛନ୍ତି ।ସେ କହିଲେ ଯେ ଏନସିଡ଼ିସିରେ ଏବେ କୋବାସ 6800 ଭଳି ଅତ୍ୟାଧୁନିକ ପରୀକ୍ଷା ମେସିନ୍‌ ଉପଲବ୍ଧ ଯାହାକି ସଂପୂର୍ଣ୍ଣ ରୂପେ ସ୍ୱୟଂକ୍ରିୟ ଏବଂ ତାହା କାର୍ଯ୍ୟତଃ ଅତ୍ୟାଧୁନିକ ପ୍ରଯୁକ୍ତିଯୁକ୍ତ । ଏଥିରେ କୋଭିଡ଼-19 ପାଇଁ ପିସିଆର ଟେଷ୍ଟ କରାଯାଉଛି ଯାହାକି ଦେଶକୁ ଅମୂଲ୍ୟ ସେବା ପ୍ରଦାନ କରୁଛି । କୋବାସ୍‌ 6800 ମେସିନ୍‌ ଦ୍ୱାରା ଗୁଣାତ୍ମକ ମାନଯୁକ୍ତ ପରୀକ୍ଷା, ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଇପାରୁଛି । ଅର୍ଥାତ୍‌, 24 ଘଣ୍ଟା ମଧ୍ୟରେ ଏଥିରେ 1200 ନମୁନା ପରୀକ୍ଷା କରାଯାଇପାରୁଛି । ଏହା ଟେଷ୍ଟିଂ କାର୍ଯ୍ୟକୁ ଯେତିକି ତ୍ୱରାନ୍ୱିତ କରିଛି, ପୂର୍ବରୁ ବାକି ରହିଥିବା ପରୀକ୍ଷା କାର୍ଯ୍ୟକୁ ସେତିକି ମାତ୍ରାରେ ମେଣ୍ଟାଇ ପାରିଛି ।

କୋବାସ୍‌ 6800 ମେସିନର ଅନ୍ୟାନ୍ୟ ବୈଶିଷ୍ଟ୍ୟ ସଂପର୍କରେ ସୂଚନା ଦେଇ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ଏହି ଅତ୍ୟାଧୁନିକ ମେସିନ୍‌ରେ ରେବୋଟିକ୍ସ ରହିଛି ଯାହା କୌଣସି ପ୍ରକାର ବାହ୍ୟ ଜୀବାଣୁ ସଂକ୍ରମଣକୁ ରୋକିପାରିବ । ପୁଣି ଏହା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦ ଆଶଙ୍କାକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ରୋକିପାରିଛି ।  କାରଣ ଏହି ମେସିନକୁ ରିମୋଟ ସାହାଯ୍ୟରେ ହିଁ ଅପରେଟ କରାଯାଇଥାଏ ଏବଂ ସେଥିରେ କୌଣସି ମାନବୀୟ ହସ୍ତକ୍ଷେପର ଆବଶ୍ୟକତା ନଥାଏ । ଯେହେତୁ ଏହି ମେସିନ୍‌ ପାଇଁ ସର୍ବନିମ୍ନ ବିଏସଏଲ2+ କଣ୍ଟେନମେଣ୍ଟ ସ୍ତରୀୟ ଟେଷ୍ଟିଂ ଆବଶ୍ୟକ, ଏହାକୁ ଯେକୌଣସି ଫାସିଲିଟି ଉପରେ ସ୍ଥାପନ କରାଯାଇପାରିବ ନାହିଁ । କୋବାସ୍‌ 6800 ଅନ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ ଯଥା ଭାଇରାଲ ହେପାଟାଇଟିସ୍‌ ବି ଏବଂ ସି, ଏଚଆଇଭି, ଏମଟିବି (ଉଭୟ ରିଫାମ୍ପିସିନ୍‌ ଏବଂ ଆଇସୋନିଆଜାଇଡ଼ ରେଜିଷ୍ଟାନ୍ସ), ପାପିଲୋମା, ସିଏମଭି, କ୍ଲାମିଡ଼ିଆ, ନେସେରିଆ ଇତ୍ୟାଦିକୁ ସହଜରେ ଚିହ୍ନଟ କରିପାରିବ ।

କୋଭିଡ଼-19 ବୈଶ୍ୱିକ ମହାମାରୀ ଆରମ୍ଭ ହେବା ଦିନଠାରୁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ନିସ୍ୱାର୍ଥପର ଭାବେ ସେମାନଙ୍କର ସେବା ଓ କର୍ତ୍ତବ୍ୟ ସଂପାଦନ କରିଚାଲିଛନ୍ତି ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ମୁଁ ସେଭଳି ପାଥୋଲୋଜିଷ୍ଟମାନଙ୍କୁ, ଲାବ୍‌ ଟେକ୍ନିସିଆନମାନଙ୍କୁ, ବୈଜ୍ଞାନିକମାନଙ୍କୁ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଯେଉଁମାନେ କି କରୋନା ଯୋଦ୍ଧାଭାବେ କାର୍ଯ୍ୟ କରୁଛନ୍ତି ଏବଂ ଅତି ବିପଜ୍ଜନକ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି, ଦିନ ରାତି ଏକାକାର କରି ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି ।ଦେଶ ସେମାନଙ୍କ ପ୍ରତି କୌଣସି ପ୍ରକାର ଭେଦଭାବ ନରଖି ଏଭଳି ଛାମୁଆ ସ୍ୱାସ୍ଥ୍ୟସେବା ଯୋଗାଣକାରୀ କର୍ମୀମାନଙ୍କ ଅବଦାନକୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ସମସ୍ତ ସର୍ଭେଲାନ୍ସ ଅଧିକାରୀମାନଙ୍କ ଉତ୍ସର୍ଗୀକୃତ ସେବା, କଠିନ ଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିଥିଲେ  । ସେମାନଙ୍କୁ ପ୍ରୋତ୍ସାହିତ କରି ସେ କହିଛନ୍ତି ଯେ ଏହି ଅଧିକାରୀମାନେ ନୂତନ ଉଦ୍ଦୀପନାର ସହ କରୋନା ବିରୋଧରେ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି । ଗୋଷ୍ଠୀ ସଚେତନତା ଓ ସଂକ୍ରମଣ ଚିହ୍ନଟ ପାଇଁ ସେହିସବୁ କର୍ମୀଙ୍କ ପ୍ରତିବଦ୍ଧତାକୁ ସେ ସାଧୁବାଦ ଜଣାଇଛନ୍ତି ।

ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ଆଜି ଏହା ଏକ ଖୁସି ଖବର ଯେ ଗତ ତିନି ଦିନ ମଧ୍ୟରେ ଦୁଇଗୁଣା ସମୟ 13.9 ଦିନକୁ ହ୍ରାସ ପାଇଛି । କରୋନା ଦ୍ୱିଗୁଣିତ ହେବା ଗତ 14 ଦିନ ଧରି 11.1  ଥିଲା । ସେହିଭଳି ମୃତକଙ୍କ ମାତ୍ରା 3.2 %କୁ ଖସିଆସିଛି ଏବଂ ଆରୋଗ୍ୟଙ୍କ ଅନୁପାତ ବୃଦ୍ଧି ପାଇ 33.6% ହୋଇଛି (ଏହା ଗତକାଲି 32.83%ଥିଲା) । ଗତକାଲି ଆଇସିୟୁରେ 3.0% ସକ୍ରିୟ କୋଭିଡ଼-19 ରୋଗୀ ଥିବାବେଳେ 0.39% ରୋଗୀ ଭେଣ୍ଟିଲେଟରରେ ଥିଲେ  ଏବଂ 2.7% ଅକ୍ସିଜେନ୍‌ ସହାୟତାରେ ଥିଲେ । ଆଜି କିନ୍ତୁ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ କୌଣସି ଗୋଟିଏ ହେଲେ କୋଭିଡ଼-19 ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିବା ଖବର ମିଳିନାହିଁ । ସେହିସବୁ ରାଜ୍ୟମାନେ ହେଲେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଚଣ୍ଡୀଗଡ଼, ଦାଦ୍ରା ଓ ନଗର ହାବେଳୀ, ଗୋଆ, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ପୁଡ଼ୁଚେରୀ, ତେଲଙ୍ଗାନା । ସେହିଭଳି ଡ଼ାମନ ଓ ଡିୟୁ, ସିକିମ, ନାଗାଲାଣ୍ଡ ଓ ଲାକ୍ଷଦ୍ୱୀପରେ କୌଣିସ ଗୋଟିଏ ହେଲେ କରୋନା କେଶ୍‌ ନଥିବା ସେ ସୂଚାଇଥିଲେ ।

ମେ’ 14, 2020 ସୁଦ୍ଧା ଦେଶରେ ମୋଟ 78,003 ଟି କରୋନା କେଶ୍‌ ରହିଥିବା ବେଳେ 26,235 ଜଣ ସେଥିରୁ ଆରୋଗ୍ୟ ଲାକ କରିସାରିଛନ୍ତି ଏବଂ ଏଥିରେ ମୋଟ 2,549ଜଣଙ୍କ ମୃତ୍ୟୁ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ 3,722 ଟି ନୂତନ ନିଶ୍ଚିତ କରୋନା ସଂକ୍ରମଣ କେଶ୍‌ ଜଣାପଡ଼ିଛି ବୋଲି ସେ କହିଛନ୍ତି ।

 

**********

 

 

 



(Release ID: 1623961) Visitor Counter : 206