ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ ଜନିତ କଟକଣା ସତ୍ୱେ ଏପ୍ରିଲରେ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡର ବିକ୍ରି 71 ଶତାଂଶ ବୃଦ୍ଧି

Posted On: 10 MAY 2020 2:59PM by PIB Bhubaneshwar

ରସାୟନ ଓ ସାର ମନ୍ତ୍ରଣାଳୟ ଅନ୍ତର୍ଗତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡ କୋଭିଡ-19 ଜନିତ ଦେଶର ଲକଡାଉନ କଟକଣା ସତ୍ୱେ ଏପ୍ରିଲ ମାସରେ ତାହାର ବିକ୍ରିରେ 71 ଶତାଂଶ ବୃଦ୍ଧି ହାସଲ କରିଛି । ଗତବର୍ଷ ଏପ୍ରିଲ ମାସରେ ଏହି ସଂସ୍ଥା 2.12 ଲକ୍ଷ ମେଟ୍ରିକ ଟନ ସାର ବିକ୍ରି କରିଥିବା ବେଳେ ଏଥର ୩.୬୨ ଲକ୍ଷ ଟନରେ ପହଁଚାଇଛି ।

ଲକଡାଉନ ଯୋଗୁଁ ଏହି କମ୍ପାନୀକୁ କାର୍ଯ୍ୟ ସଂପାଦନ ଓ ସମଗ୍ର ବ୍ୟବସ୍ଥାର ସଂଚାଳନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହାସତ୍ୱେ କମ୍ପାନୀ ପକ୍ଷରୁ ଚାଷୀଙ୍କୁ ଚାଷବାସର ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ସାର ଯୋଗାଇ ଦେବାକୁ ସବୁମନ୍ତେ ଉଦ୍ୟମ କରାଯାଇଥିଲା । ଏହି ସଫଳତା ପାଇଁ ସଂସ୍ଥାର ସିଏମଡି ମନୋଜ କୁମାର ମିଶ୍ର କମ୍ପାନୀର ମାର୍କେଟିଂ ଟିମକୁ  ଅଭିନନ୍ଦନ ଜଣାଇଛନ୍ତି ।

ନେଶନାଲ ଫର୍ଟିଲାଇଜର୍ସ କମ୍ପାନୀ ଦେଶର ପାଞ୍ଚଟି ସ୍ଥାନରେ ଥିବା ତାହାର କାରଖାନାରୁ   ୟୁରିଆ ଉତ୍ପାଦନ କରେ । ସେଗୁଡିକ ହେଲା ପଞ୍ଜାବର ନଙ୍ଗଲ ଓ ଭଟିନ୍ଦା, ହରିୟାଣାର ପାନିପଥ ଏବଂ ମଧ୍ୟପ୍ରଦେଶ ବିଜୟପୁରରେ ଦୁଇଟି ପ୍ଳାଣ୍ଟ ରହିଛି । କମ୍ପାନୀର ମୋଟ ୟୁରିଆ ଉତ୍ପାଦନ କ୍ଷମତା 35.68 ଲକ୍ଷ ମେଟ୍ରିକ ଟନ ରହିଥିଲେ ମଧ୍ୟ ଏହା କ୍ରମାଗତ ଭାବେ ପଞ୍ଚମ ବର୍ଷ ପାଇଁ ସାର ଉତ୍ପାଦନ ଓ ବିକ୍ରିରେ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରି ଆସୁଛି । 2019-20ରେ ସର୍ବାଧିକ 57 ଲକ୍ଷ ଟନ ସାର ବିକ୍ରୟ କରି କମ୍ପାନୀ ରେକର୍ଡ ସୃଷ୍ଟି କରିଛି ।

ଏକ ଜଟିଳ ସମୟରେ ଚାଷୀଙ୍କୁ ସାହାଯ୍ୟ କରିବାକୁ ସରକାର ଯେଉଁ ଅଂଗୀକାର ପ୍ରକାଶ କରିଛନ୍ତି ତାହାକୁ ପୂରଣ କରିବା ପାଇଁ କମ୍ପାନୀ ପ୍ଳାଣ୍ଟଗୁଡିକର ସର୍ବାଧିକ ଦକ୍ଷତା ଉପଯୋଗ କରି ସାର ଉତ୍ପାଦନ କରୁଛି । ଫଳରେ ୟୁରିଆ ଓ ଅନ୍ୟାନ୍ୟ ସାରର ଅଭାବ ନାହିଁ ।

ଏତଦ ବ୍ୟତୀତ କମ୍ପାନୀର କର୍ମଚାରୀମାନେ ଗୋଟିଏ ଦିନର ବେତନ 88 ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ସେହିଭଳି ସିଏସ୍ଆର ପାଣ୍ଠିରୁ 63.94 ଲକ୍ଷ ଟଙ୍କା ମଧ୍ୟ ପିଏମ୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି ।

 

**********

 



(Release ID: 1622775) Visitor Counter : 187